ବର୍ତ୍ତମାନ ସମୟରେ କେମିତି କରୋନାଠାରୁ ସୁରକ୍ଷିତ ରହିବା? କୋଭିଡ ପଜିଟିଭ ହେଲେ କଣ କରିବେ? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ୍ ତଥା ଇମ୍ୟୁନୋଲୋଜିଷ୍ଟ୍ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କଣ କହୁଛନ୍ତି ଆସନ୍ତୁ ଜାଣିବା।

କୋଭିଡ-୧୯ ଏବେ ଆମ ଜୀବନର ଏକ ଅଙ୍ଗବିଶେଷ ପାଲଟି ଯାଇଛି। ଜଣାଯାଉଛି କି ଆହୁରି କିଛି ଦିନ ବା ମାସ ବା ବର୍ଷ ଯାଏଁ ଆମକୁ ଏହି ଭୂତାଣୁ ସହ ରହିବାକୁ ପଡିବ। ତେବେ ଏଭଳି ସମୟରେ କରୋନାକୁ ନେଇ ବା କରୋନାର ଚିକିତ୍ସାକୁ ନେଇ ଲୋକମାନଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି।

କୋଭିଡ୍‌-୧୯ଠାରୁ କେମିତି ରହିବେ ସତର୍କ?

ବର୍ତ୍ତମାନ ଘର ପାଖରେ, ଶାଇ ପଡ଼ିଶାରେ ସବୁଆଡ଼େ କରୋନା ଭୂତାଣୁ କାୟା ବିସ୍ତାର କରିସାରିଲାଣି। କିନ୍ତୁ, କରୋନାରୁ ସତର୍କ ରହିବା ପାଇଁ ଆମକୁ ଏସ୍‌ଏମ୍‌ଏସ୍‌ ନିୟମକୁ ପାଳନ କରିବାକୁ ହେବ।

ଅଧିକ ପଢ଼ନ୍ତୁ: କରୋନା ସମୟରେ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ

SMS ନିୟମ କ’ଣ?

ଏସ୍‌ (S) ବା ସାମାଜିକ ଦୂରତା: କରୋନା ସଂକ୍ରମିତ ବ୍ୟକ୍ତି କାଶିଲେ ବା ଛିଙ୍କିଲେ ୨ ମିଟର ଦୂରତାକୁ ଏହି ଭୂତାଣୁ ବ୍ୟାପିପାରେ। ତେଣୁ ବାହାରକୁ ଗଲେ ୨ମିଟରର ସାମାଜିକ ଦୂରତା ରକ୍ଷା କରିବାକୁ ହେବ। ଫଳରେ ଆପଣ କରୋନାରୁ ନିଜକୁ ଦୂରେଇ ରଖିପାରିବେ।

ଏମ୍‌ (M) ବା ମାସ୍କ ପିନ୍ଧିବେ: ଆମେରିକାର ଏକ ସର୍ଭେରୁ ଜଣାପଡ଼ିଛି ଯେ, ୮୦ ପ୍ରତିଶତ ଲୋକ ଯଦି ମାସ୍କ ପିନ୍ଧୁଛନ୍ତି, ତେବେ ଲକ୍‌ଡାଉନ୍‌ ବା ସଟ୍‌ଡାଉନ୍‌ କରିବାର ଆବଶ୍ୟକତା ହିଁ ପଡ଼ିବନି। ମାସ୍କ ପିନ୍ଧି ଆପଣ କର୍ମକ୍ଷେତ୍ରକୁ ଯାଇପାରିବେ। ଆପଣ ଘରେ ତିଆରି କପଡ଼ାର ମାସ୍କ ବି ବ୍ୟବହାର କରିପାରିବେ।

ଏସ୍‌ (S) ସାନିଟାଇଜର: ବାରମ୍ବାର ହାତକୁ ସାନିଟାଇଜ୍‌ କରିବେ କିମ୍ବା ହାତକୁ ବାରମ୍ବାର ଧୋଇବେ। କାରଣ କରୋନା ରୋଗୀ କାଶିବା ଛିଙ୍କିବା ବେଳେ ତା’ର ନାକରୁ କିମ୍ବା ପାଟିରୁ ବାହାରୁଥିବା ଡ୍ରପ୍‌ଲେଟ୍‌ ପୃଷ୍ଠଭୂମିରେ ପଡ଼ୁଛି। ସଂକ୍ରମିତ ବ୍ୟକ୍ତି ଯେଉଁ ସବୁ ଜିନିଷ ବ୍ୟବହାର କରନ୍ତି ବା ଯେଉଁ ଜାଗାରେ ହାତ ଲଗାଇଥାନ୍ତି ଜଣେ ସୁସ୍ଥ ବ୍ୟକ୍ତି ସେହି ଜାଗା ଛୁଇଁବା ଫଳରେ କରୋନା ଭାଇରସ ଏଭଳି ପରୋକ୍ଷ ମାଧ୍ୟମ ଦେଇ ଅନ୍ୟ ଜଣକୁ ମଧ୍ୟ ପ୍ରବେଶ କରିପାରେ। ତାହାହେଲେ କରୋନା ଭୂତାଣୁ ସୁସ୍ଥ ଲୋକର ଶରୀରକୁ ଯାଇ ପୁଣି ଥରେ ବଂଶବୃଦ୍ଧି କରିବ। ଆପଣ ଯଦି ଘରେ ଅଛନ୍ତି ତେବେ କେବଳ ସାବୁନରେ ହାତକୁ ଭଲ ଭାବରେ ଧୋଇପାରିବେ। ଯଦି ଆପଣ ବାହାରକୁ ଯାଉଛନ୍ତି, ତେବେ ଆପଣ ସାନିଟାଇଜରକୁ ବାରମ୍ବାର ବ୍ୟବହାର କରିପାରିବେ।

corona gloves

ଅଧିକ ପଢ଼ନ୍ତୁ: କୋଭିଡ୍‌ରୁ ସୁସ୍ଥ ହେବା ପରେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ? – ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

ଅଧିକାଂଶ ଲୋକ ବାହାରକୁ ଗଲେ ଗ୍ଲୋବସ୍‌ ପିନ୍ଧୁଛନ୍ତି। ବେଳେବେଳେ ଗ୍ଲୋବସ୍‌ ପିନ୍ଧି ଆପଣ ବିଭିନ୍ନ କାମ କରୁଥିବେ ପୁଣି ମୁହଁ ନାକରେ ହାତ ମାରିଦେଉଥିବେ। ଏହାସହ ବାରମ୍ବାର ଗ୍ଲୋବସ୍‌ ନୂଆ ପିନ୍ଧିପାରିବା ସମ୍ଭବ ନୁହେଁ। ଏହାଛଡ଼ା ଗ୍ଲୋବସ୍‌ରେ ଯଦି ଭାଇରସ୍‌ ଲାଗିଲା ଓ ଏହାକୁ ଆପଣ ଘଣ୍ଟା ଘଣ୍ଟା ଧରି ପିନ୍ଧିବେ। ତେବେ ମଧ୍ୟ ଭାଇରସ ସଂକ୍ରମଣ କରିପାରିବ। ତେଣୁ ଗ୍ଲୋବସ୍‌ ପିନ୍ଧିବା ଅପେକ୍ଷା ହାତକୁ ବାରମ୍ବାର ଧୋଇବେ କିମ୍ବା ସାନିଟାଇଜ୍‌ କରିବେ, ତାହା ଦ୍ୱାରା ଆମେ ଭାଇରସ୍‌କୁ ଦୂରେଇ ପାରିବ।।

ଏସବୁ ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ଯଦି ଆପଣଙ୍କୁ କରୋନା ଜନିତ କୌଣସି ଲକ୍ଷଣ ଦେଖାଦେଉଛି, ତେବେ ତୁରନ୍ତ କରୋନାର ପରୀକ୍ଷା କରାନ୍ତୁ। ଯଦି କରୋନା ପଜିଟିଭ ଆସେ, ତେବେ ଆପଣ ନିଜକୁ ଆଇସୋଲେସନ୍‌ରେ ରଖିପାରିବେ। ଫଳରେ ଆପଣଙ୍କ ଘରେ ରହୁଥିବା ବୁଢ଼ାବୁଢ଼ି ଓ ଛୁଆ କରୋନାଠାରୁ ଦୂରରେ ରହିପାରିବେ।

କୋଭିଡ୍‌ ପଜିଟିଭ୍‌ ଥିଲେ କ’ଣ କରିବେ? (What should you do if you test COVID in Odia)

କରୋନାର କିଛି ବି ଲକ୍ଷଣ ଦେଖାଦେଲେ ତୁରନ୍ତ ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଫୋନ୍‌ ନମ୍ବରରେ କଲ୍‌ କରି କରୋନାର ପରୀକ୍ଷା କରାନ୍ତୁ। ଯଦି ଆପଣ ପଲ୍ସ ଅକ୍ସିମିଟର କିଣିପାରିବେ, ତେବେ ଆହୁରି ଭଲ। ଅକ୍ସିମିଟର ମାଧ୍ୟମରେ ଆପଣ ଘରେ ବସି ଅକ୍ସିଜେନ୍‌ର ସ୍ତର ଜାଣିପାରିବେ। ଯଦି ଅମ୍ଳଜାନ ସ୍ତର ୯୪ ବା ୯୫ ଉପରକୁ ରହୁଛି, ତାହାହେଲେ ଜାଣିବେ ଆପଣଙ୍କ ଫୁସ୍‌ଫୁସ୍‌ ଭଲ ଅଛି। ଯଦି ଅମ୍ଳଜାନ ସ୍ତର ୯୪ ତଳକୁ ଆସୁଛି, ତାହାହେଲେ ଆପଣ ନିହାତି ଚିକିତ୍ସାଳୟ ଯିବା ଜରୁରୀ।

ଏହାଛଡ଼ା ବିନା ଅକ୍ସିମିଟରରେ ବି ଆପଣ ନିଜର ଫୁସ୍‌ଫୁସ୍‌ ସୁସ୍ଥ ଅଛି କି ନାହିଁ ଜାଣିପାରିବେ। ଗୋଟେ ନିଶ୍ୱାସରେ ୧ରୁ ୩୦ ଯାଏଁ ଗଣତି କରିବେ। ଗୋଟେ ଦୀର୍ଘ ନିଶ୍ୱାସ ନେବେ ୧-୨୦ ଗଣନା କରିପାରିଲେ ଆପଣଙ୍କ ଫୁସ୍‌ଫୁସ୍‌ ସୁସ୍ଥ ଅଛି।

କରୋନାର ସାମାନ୍ୟ ଲକ୍ଷଣ ରହୁଛି, ଧଇଁସଇଁ ଲାଗୁନି, ତାହାହେଲେ ଆପଣ ହୋମ୍‌ ଆଇସୋଲେସନ୍‌ରେ ରହିପାରିବେ। ଆଇସୋଲେସନ୍‌ରେ ରହିବା ପାଇଁ ଆପଣଙ୍କର ଅଲଗା ଘର, ଅଲଗା ଶୌଚାଳୟ ରହିବା ଜରୁରୀ।

ଅଧିକ ପଢ଼ନ୍ତୁ: କୋଭିଡ୍‌ ସମୟରେ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ

ହୋମ୍‌ ଆଇସୋଲେସନ୍‌ରେ ଥିଲେ ଜାଣିରଖନ୍ତୁ (Things you should know for home isolation in Odia)

ହୋମ୍‌ ଆଇସୋଲେସନ୍‌ରେ ରହୁଥିବା ବ୍ୟକ୍ତି ଚାପମୁକ୍ତ ରହିବା ଦରକାର। ନିୟମିତ ଭାବେ ଅନୁଲୋମ ବିଲୋମ କରିବା ଦରକାର। ଯେଉଁମାନେ ଆପଣଙ୍କୁ ଖାଇବାକୁ ଦେବେ, ସେମାନେ ଖଲି ଥାଳିର ବ୍ୟବହାର କରିପାରିବେ। ଫଳରେ ତାକୁ ସଠିକ୍‌ ଭାବରେ ନିଷ୍କାସନ କରିପାରିବେ। ଏହି ସମୟରେ ସୁଷମ ଖାଦ୍ୟ ଖାଇବେ ଓ ୬ରୁ ୮ ଘଣ୍ଟା ଶୋଇବେ। ଏହାଦ୍ୱାରା ଆପଣଙ୍କ ମାନସିକ ସ୍ଥିତି ଠିକ୍‌ ରହିବ।

ଆୟୁଷ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହର୍ବାଲ ଚା’, କାଢ଼ା ପିଇପାରିବେ। କାଶ ହେଉଥିଲେ ଗରମ ପାଣି ବାମ୍ପ ନେଇପାରିବେ। ଗୋଟେ ଚାମଚ ଚ୍ୟବନ୍‌ ପ୍ରାଶ ଖାଇପାରିବେ।       

ଅଧିକ ପଢ଼ନ୍ତୁ: ଆୟୁଷ ମନ୍ତ୍ରାଳୟ ଟିପ୍ସ: କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ କରିବେ?

ହସ୍ପିଟାଲ କେତେବେଳେ ଯିବେ? (When should you go to the hospital in Odia)

କୋଭିଡ୍‌ର ସାମାନ୍ୟ ଲକ୍ଷଣ ଥିଲେ ଏହା ଚିନ୍ତାଜନକ ନୁହେଁ। ଯଦି ଧଇଁସଇଁ ଲାଗୁଛି, କଥା କହିବା ବେଳେ କିମ୍ବା ଚାଲିବା ବେଳେ ଧଇଁସଇଁ ଲାଗୁଛି, ଅଧିକ ଦିନ ଧରି ଜ୍ୱର ଛାଡ଼ୁନାହିଁ, ଶରୀରର ତାପମାତ୍ରା ୧୦୩ ବା ୧୦୪ ଫାରେନାଇଟ୍‌ ରହୁଛି, ଅତ୍ୟଧିକ କାଶ ହେଉଛି ଓ ଅକ୍ସିଜେନ୍‌ ସ୍ତର ୯୪ ସ୍ତରରୁ କମ୍‌ ରହୁଛି ତେବେ ଆପଣ ତୁରନ୍ତ ଡାକ୍ତରଖାନାକୁ ଯିବା ଜରୁରୀ। କାରଣ ଏହି ଷ୍ଟେଜ୍‌ରେ ସଠିକ୍‌ ଚିକିତ୍ସା କରାଗଲେ ଏବଂ ଔଷଧ ଖାଇଲେ ଆପଣଙ୍କ ଅବସ୍ଥା ଗୁରୁତର ହେବ ନାହିଁ। ଫଳରେ ଭେଣ୍ଟିଲେଟର୍‌ର ଆବଶ୍ୟକତା ପଡ଼ିବ ନାହିଁ।

 ମଧ୍ୟମ ଧରଣର ଲକ୍ଷଣ ଆରମ୍ଭରୁ ପ୍ଲାଜମା ଥେରାପି ଦିଆଯାଇଥାଏ। ତେଣୁ ଲକ୍ଷଣ ଆରମ୍ଭରୁ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

ବିଚଳିତ ହୁଅନ୍ତୁ ନାହିଁ, ଡାକ୍ତରଙ୍କୁ ପରାମର୍ଶ କରନ୍ତୁ

ମହାମାରୀ କୋଭିଡ୍‌ ସମୟରେ ଲୋକେ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରୁ ଭୁଲ ସୂଚନା ପାଉଛନ୍ତି। ଏହି ସୂଚନାଗୁଡ଼ିକ ପରମୁହୂର୍ତ୍ତରେ ସବୁଆଡ଼େ ଚର୍ଚ୍ଚା ହେଉଛି। ତେଣୁ, ଇଆଡ଼ୁ ସିଆଡ଼ୁ କଥା ଶୁଣି କୌଣସି ଔଷଧ ଖାଆନ୍ତୁ ନାହିଁ। କେବଳ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ। କରୋନାକୁ ନେଇ ଭୟଭୀତ ନ ହୋଇ ସାବଧାନ ହୁଅନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜ୍ୟୋତି ରଞ୍ଜନ ପରିଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on COVID Positive Patients, in Odia language, is based on an extensive interview with Rheumatologist and immunologist Dr. Jyoti Ranjan Parida.