ପଲ୍ଲବୀ ସାବତ

ବ୍ରେକ୍‌ଫାଷ୍ଟରେ ପ୍ରସ୍ତୁତ କରନ୍ତୁ ବେସନ ସୁଜି ପିଠା। ଜାଣନ୍ତୁ କେମିତି ପ୍ରସ୍ତୁତ କରନ୍ତୁ।

ଆବଶ୍ୟକୀୟ ସାମଗ୍ରୀ

  • ବେସନ – ୧ କପ୍‌
  • ସୁଜି – ୨ କପ୍‌
  • ଦହି – ୧ କପ୍‌
  • କ୍ୟାପ୍‌ସିକମ୍‌ – ୧ଟା
  • ପିଆଜ – ୧ଟା
  • ଟମାଟୋ – ୧ଟା
  • କଞ୍ଚାଲଙ୍କା – ୧ଟା
  • ଧନିଆପତ୍ର ମୁଠାଏ
  • ଅଦା ରସୁଣ ପେଷ୍ଟ – ୧ ଚାମଚ
  • ଲୁଣ ସ୍ୱାଦ ଅନୁଯାୟୀ
  • ଘିଅ ୨ ଚାମଚ

ଅଧିକ ପଢ଼ନ୍ତୁ: ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ପୂର ଇଡ଼ଲି – ଜାଣନ୍ତୁ ପ୍ରସ୍ତୁତି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବେସନ ଏବଂ ସୁଜିକୁ ଏକ ବଡ଼ ପାତ୍ରରେ ଚାମଚ ସାହାଯ୍ୟରେ ଗୋଳାଇ ଦିଅନ୍ତୁ। ତା’ପରେ ସେଥିରେ ଦହି ପକାଇ ଗୋଳାନ୍ତୁ ଏବଂ ଆବଶ୍ୟକ ଅନୁସାରେ ଏକ ପତଳା ଘୋଳ ପ୍ରସ୍ତୁତ କରନ୍ତୁ। ତା’ପରେ ସେଥିରେ ଆବଶ୍ୟକୀୟ ମୁତାବକ ଲୁଣ ପକାଇ ଗୋଳାଇ ଘୋଡ଼ଣୀ ଘୋଡ଼ାଇ ୧୫ ମିନିଟ୍‌ ପାଇଁ ରଖନ୍ତୁ। ୧୫ ମିନିଟ୍‌ ପରେ ଏଥିରେ କଟା ପିଆଜ, କ୍ୟାପ୍‌ସିକମ୍‌, ଟମାଟୋ, କଞ୍ଚାଲଙ୍କା, ଅଦାରସୁଣ ପେଷ୍ଟ, ଧନିଆପତ୍ର ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ତା’ପରେ ଗ୍ୟାସ୍‌ ଉପରେ ଏକ ତାଓ୍ୱା ବସାନ୍ତୁ ଏବଂ ଅଳ୍ପ ଘିଅ ପକାଇ ଚାରିଆଡ଼େ ଖେଳାଇ ଦିଅନ୍ତୁ। ତାଓ୍ୱା ଗରମ ହୋଇଗଲେ ପ୍ରସ୍ତୁତ ସୁଜି ଓ ବେସନର ପିଠଉକୁ ଏକ ବଡ଼ ଚାମଚରେ ଆଣି ତାଓ୍ୱା ଉପରେ ପିଠଉ ଆକାରରେ ଖେଳାଇ ଦିଅନ୍ତୁ ଏବଂ ଗ୍ୟାସ୍‌ର ଆଞ୍ଚ କମାଇ ଦିଅନ୍ତୁ।

୨ରୁ ୩ ମିନିଟ୍‌ ପରେ ପିଠଉକୁ ଲେଉଟାଇ ଦିଅନ୍ତୁ। ଏହାକୁ ପୁଣି ୨ରୁ ୩ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ। ତା’ପରେ ପିଠାକୁ କାଢ଼ି ଏକ ପ୍ଲେଟ୍‌ରେ ରଖନ୍ତୁ। ଏହିପରି ଭାବେ ବାକି ଥିବା ଗୋଳଣିରେ ପିଠା କରନ୍ତୁ। ପ୍ରସ୍ତୁତ ପିଠାକୁ ଗରମାଗରମ ନେଇ ଚଟଣୀ ସହିତ ଖାଆନ୍ତୁ।

ଫାଇଦା

ଏହି ପିଠା ଡାଏବେଟିସ୍‌ ରୋଗୀ ଏବଂ ହୃଦ୍‌ରୋଗୀଙ୍କ ପାଇଁ ଅତି ଉପକାରୀ। ଡାଏବେଟିସ୍‌ ରୋଗୀ ପ୍ରତିଦିନ ସକାଳ ଜଳଖିଆରେ ଏହାକୁ ଖାଇପାରିବେ।

ଏହା ସହଜରେ ହଜମ ହୋଇଯାଏ।

ଏହି ପିଠା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ।