କରୋନା ଭଳି ମହାମାରୀ ପରିସ୍ଥିତିରେ ଛୋଟ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ କିଭଳି ସୁସ୍ଥ ରଖିବା। ଏନେଇ ଜାଣନ୍ତୁ, ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ରସେଲ ରାବଣଙ୍କ ପରାମର୍ଶ।

  • ମାନସିକ ସ୍ୱାସ୍ଥ୍ୟ ଉପରେ କରୋନା ମହାମାରୀର ପ୍ରଭାବ
  • ଶିଶୁମାନଙ୍କ ଉପରେ କରୋନା ମହାମାରୀର ପ୍ରଭାବ
  • ସ୍କୁଲ ଯାଉଥିବା ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ
  • କିଶୋର ଅବସ୍ଥା ଉପରେ ମହାମାରୀର ପ୍ରଭାବ
  • କୋଭିଡ୍‌-୧୯ ସମୟରେ ଅଟିଜିମ୍ ପିଲାଙ୍କ ଯତ୍ନ
  • ବାପା ମା’ଙ୍କ ଭୂମିକା କ’ଣ ରହିବା ଦରକାର?

କରୋନା ଭାଇରସ ପାଇଁ ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ବିଶେଷ କରି ସ୍କୁଲ ଯାଉଥିବା ଛୋଟ ପିଲା ଏବଂ କିଶୋର କିଶୋରୀମାନଙ୍କର ସ୍କୁଲ, କଲେଜ, କୋଚିଂ ବନ୍ଦ ରହିଛି। ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବାରୁ ସାଙ୍ଗ ସାଥୀଙ୍କ ସହିତ ମିଳାମିଶା ମଧ୍ୟ ବନ୍ଦ ରହିଛି। ଫଳରେ ସେମାନେ ନିଜକୁ ଏକୁଟିଆ, ଚିନ୍ତିତ ଅନୁଭବ କରୁଥିବେ ନିଶ୍ଚିତ। ଏଭଳି ସ୍ଥିତିରେ ଛୋଟ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ କ’ଣ କରିପାରିବେ ତାହା ଜାଣିବା ଜରୁରୀ।

ଶିଶୁମାନଙ୍କ ଉପରେ କରୋନା ମହାମାରୀର ପ୍ରଭାବ (The effects of the coronavirus on children in Odia)

କରୋନା ମହାମାରୀ ଯୋଗୁଁ ସବୁଆଡ଼େ ମାନସିକ ଚାପ ଦେଖାଦେଉଛି। ଏହା ସବୁ ବର୍ଗର ଓ ବୟସର ଲୋକଙ୍କ ଉପରେ ପ୍ରଭାବ ପକାଉଛି। ଅନେକ ସମୟରେ ଛୋଟପିଲାମାନେ ପାରିପାର୍ଶ୍ୱିକ ଚିତ୍ରକୁ ଦେଖି ଭୟଭୀତ ହୋଇଯାଆନ୍ତି। ହେଲେ ପରିବାରରେ ଯଦି ଏନେଇ ଚିନ୍ତିତ ରହିବେ, ତେବେ କୁନି କୁନି ପିଲାମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଯଦି ମା’ ଖୁସି ଥାଏ, ତେବେ ଛୁଆ ବି ଖୁସି ରହେ। କାରଣ ଗୋଟେ କୁନି ଛୁଆ ପାଇଁ ତା’ ମାଆ ହିଁ ଦୁନିଆ। ତେଣୁ ମା’ ବାପାମାନଙ୍କୁ ଖୁସି ରହିବାକୁ ହେବ। ଘରେ ଯଦି ଶାନ୍ତିଶୃଙ୍ଖଳା ଅଛି, ତେବେ ଛୁଆମାନେ ବି ଖୁସିରେ ରହିବେ।

how to keep your children happy

ଅଧିକ ପଢ଼ନ୍ତୁ: କାହିଁକି ବଢ଼ୁଛି ମାନସିକ ରୋଗ?

ସ୍କୁଲ ଯାଉଥିବା ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ (Mental health care of school-going children in Odia)

ମହାମାରୀ କରୋନା ଯୋଗୁଁ ସ୍କୁଲ ଯାଉଥିବା ପିଲାମାନେ ବେଶି ମାତ୍ରାରେ ପ୍ରଭାବିତ ହୋଇଥା’ନ୍ତି। କାରଣ ଛୋଟପିଲାମାନେ ପାରିପାର୍ଶ୍ୱିକ ଚିତ୍ରକୁ ଦେଖି ଭୟଭୀତ ହୋଇଯାଆନ୍ତି। ସେମାନେ ବିଭିନ୍ନ ଗଣମାଧ୍ୟମରୁ ଓ ସବୁଠି କରୋନା ସମ୍ପର୍କରେ ଚର୍ଚ୍ଚା ଚାଲିଥିବାରୁ ସେମାନେ ଭୟଭୀତ ହୋଇଯାଆନ୍ତି। ଏହି ଛୋଟ ଛୁଆମାନଙ୍କୁ ଯଦି ଧ୍ୟାନ ନ ଦିଆଯାଏ, ତେବେ ସେମାନେ ଦୁଃସ୍ୱପ୍ନ ଦେଖନ୍ତି, ଶୋଇଥିବା ବେଳେ ପରିସ୍ରା କରିଦିଅନ୍ତି ବା ଭାବନାରେ ଅନିୟମିତତା ଦେଖାଯାଏ। ତେଣୁ ଆପଣ ନିଜ ପିଲାଙ୍କୁ ସମୟ ଦିଅନ୍ତୁ ଏବଂ ଭୟ ନକରିବା ପାଇଁ ସାନ୍ତ୍ୱନା ଦିଅନ୍ତୁ। ଏହାଛଡ଼ା ପିଲାଙ୍କୁ କରୋନା ଭାଇରସ ସମ୍ପର୍କରେ ସରଳ ଭାବେ ବୁଝାନ୍ତୁ। ସେ ଆପଣଙ୍କୁ ପଚାରୁଥିବା ସବୁ ପ୍ରଶ୍ନର ଉତ୍ତର ମଧ୍ୟ ସରଳ ଭାବେ ଦିଅନ୍ତୁ। । ପିଲାମାନଙ୍କୁ କରୋନାଭାଇରସ୍ ବା ରୋଗରୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କୁ ପରିଷ୍କାର, ପରିଚ୍ଛନତାର ଓ ହାତ ଧୋଇବାର ଗୁରୁତ୍ୱ ସମ୍ପର୍କରେ ବୁଝାନ୍ତୁ। 

ବର୍ତ୍ତମାନ ସମୟରେ ଛୁଆମାନଙ୍କୁ ଏକ ସୁସ୍ଥ ପରିବେଶ ଯୋଗାଇ ଦେବା ଦରକାର। କାରଣ କରୋନା ମହାମାରୀ ଯୋଗୁଁ ପିଲାମାନେ ବାହାରକୁ ଯାଇପାରିବେ ନାହିଁ। ତେଣୁ ଘରେ ପିଲାଙ୍କୁ ଡ୍ରଇଁ, ବିଭିନ୍ନ ଖେଳ, ସେଲ୍ ଫୋନ୍‌ ବ୍ୟବହାର କରି ଇଣ୍ଟରନେଟ୍ ଜରିଆରେ ଜୋକ୍‌, କାଟ୍ରୁନ୍‌ ଦେଖାଇପାରିବେ। ପିଲାଙ୍କୁ ଘରର ଛୋଟ ବଡ଼ କାର୍ଯ୍ୟରେ ନିୟୋଜିତ କରାନ୍ତୁ। ଫଳରେ ପିଲାମାନେ ମାନସିକ ଭାବରେ ସୁସ୍ଥ ରହିପାରିବେ।

Sorrow before a cloud-banked valley.

ଅଧିକ ପଢ଼ନ୍ତୁ: ମାନସିକ ଉଦ୍‌ବେଗ ରୋଗ କ’ଣ?

କିଶୋର କିଶୋରୀଙ୍କ ଉପରେ ମହାମାରୀର ପ୍ରଭାବ

କିଶୋର କିଶୋରୀମାନଙ୍କର ସ୍କୁଲ, କଲେଜ, କୋଚିଂ ବନ୍ଦ ରହିଛି। ଏହି ସମୟରେ ସେମାନଙ୍କୁ ଜଣା ନାହିଁ କେବେ କଲେଜ ଖୋଲିବ, ସେମାନେ କଲେଜ ଯାଇପାରିବେ ନା ନାହିଁ ବା ପରୀକ୍ଷା ଦେଇପାରିବେ ନାହିଁ। ଏହିଭଳି ଅନିଶ୍ଚିତତା ଭିତରେ ସେମାନେ ଗତି କରୁଥିବେ। ତେଣୁ, ଏହି ସମୟରେ ବାପାମା’ ପିଲାମାନଙ୍କ ସହ କଥା ହୁଅନ୍ତୁ, କିମ୍ବା ଫୋନ୍‌ରେ ସାଙ୍ଗସାଥୀଙ୍କ ସହ କଥା ହେବାକୁ କହନ୍ତୁ। ଫଳରେ ସେମାନେ ସେମାନଙ୍କ ଭାବନା ଖୋଲି କହିପାରିବେ।

କୋଭିଡ୍‌-୧୯ ସମୟରେ ଅଟିଜିମ୍ ପିଲାଙ୍କ ଯତ୍ନ (Caring for children with autism during COVID-19 in Odia)

ଅଟିଜିମ୍‌ ପିଲାମାନଙ୍କୁ ଏହି ସମୟରେ ଅଧିକ ଯତ୍ନର ଆବଶ୍ୟକତା ରହିଛି। କାରଣ ସ୍କୁଲ ବନ୍ଦ ଥିବାରୁ ଅଟଜିମ୍‌ ପିଲାମାନେ ସ୍କୁଲ ଯାଇପାରୁ ନାହାନ୍ତି ଓ ସେମାନେ ଥେରାପି କ୍ଲାସ୍‌ ନେଇପାରୁ ନାହାନ୍ତି। ତେଣୁ, ବାପାମା’ମାନେ ଅଟିଷ୍ଟିକ୍‌ ପିଲାମାନଙ୍କୁ ଅନ୍‌ଲାଇନ୍‌ ଥେରାପି କ୍ଲାସ୍‌ ଦେଇପାରିବେ। ଏଥିପାଇଁ ପରିବାର ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

spend time with children during lockdown

ଅଧିକ ପଢ଼ନ୍ତୁ: ଅଳ୍ପ ବୟସରୁ ଅଟିଜିମକୁ କିପରି ଚିହ୍ନିବେ?

ବାପା ମା’ଙ୍କ ଭୂମିକା କ’ରହିବା ଦରକାର? (What role should parents play?)

କରୋନା ସମୟରେ ବାପାମା’ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ନିଜ ଜୀବନକୁ ଯେତେ ଶୃଙ୍ଖଳିତ କରିବେ ପିଲାମାନେ ବି ଶୃଙ୍ଖଳିତ ହେବେ। କେତେକ ଅଭିଭାବକମାନେ ମଦ୍ୟପାନ କରି ଘରକୁ ଆସନ୍ତି, ଚିଡ୍‌ଚିଡ୍‌ ହୁଅନ୍ତି, ଅଫିସର ଚାପ ପିଲାଙ୍କ ଉପରେ କାଢ଼ନ୍ତି, ପାରିବାରିକ କଳହ ଛୁଆମାନଙ୍କର ମାନସିକତା ଉପରେ ଖରାପ ପ୍ରଭାବ ପକାଇଥାଏ। ସେଥିପାଇଁ ବାପାମା’ଙ୍କୁ ଶାନ୍ତ ରହିବାକୁ ପଡ଼ିବ। ବାପାମା’ ଭଲ ବ୍ୟବହାର କଲେ ଛୁଆର ବ୍ୟବହାର ବି ଭଲ ରହିବ। କାରଣ ଛୁଆମାନେ ସେମାନଙ୍କ ଅଭିଭାବକଙ୍କଠାରୁ ଅନେକ କିଛି ଅନୁକରଣ କରିଥା’ନ୍ତି।

ଗୋଟେ ପିଲା ଯଦି ଚିଡ୍‌ଚିଡା ହେଉଛି, ହଠାତ୍‌ ରାଗିଯାଉଛି, ଜିଦ୍‌ କରୁଛି, ଜିନିଷ ଫୋପଡ଼ା ଫିଙ୍ଗା କରୁଛି, ତେବେ ତାହା ଆଙ୍ଗଜାଇଟି ଯୋଗୁଁ ହୋଇଥାଇପାରେ। ଏଭଳି ପରିସ୍ଥିତିରେ ବାପାମା’ ପିଲାକୁ ପାଟି କରିବା କିମ୍ବା ମାରିବା ଠିକ୍‌ ନୁହେଁ। ଏଥିପାଇଁ ପିଲା ପାଖରେ ବସି ତାକୁ ବୁଝାଇବା, ତା’ର ମନର କଥା ପଚାରିବୁଝିବା ଉଚିତ। ଏହି ସମୟରେ ଅଭିବାବକମାନେ ଧୈର୍ଯ୍ୟଚ୍ୟୁତ ନହୋଇ ସକାରାତ୍ମକ ଚିନ୍ତାଧାରା ଆପଣାନ୍ତୁ ଯାହା ଫଳରେ ସେମାନେ ପିଲାମାନଙ୍କ ଠାରୁ ମଧ୍ୟ ସକାରାତ୍ମକ ପ୍ରତିକ୍ରିୟା ପାଇପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜୟପ୍ରକାଶ ରସେଲ ରାବଣଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Mental health of children during COVID-19, in Odia language, is based on an extensive interview with Psychiatrist Dr. Jayaprakash Russell Ravan.