ସ୍ଵଚ୍ଛପଟଳ ଅନ୍ଧତ୍ଵ ରୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପୁଣିଥରେ ଦୁନିଆ ଦେଖାଇବାରେ ସହାୟ ହେଉଛି ‘କର୍ନିଆ ଟ୍ରାନ୍ସପ୍ଲାଣ୍ଟ’।

କର୍ନିଆ ବା  ସ୍ୱଚ୍ଛପଟଳଜନିତ ଦୃଷ୍ଟିହୀନତା ଏକ ସାଧାରଣ ଦୃଷ୍ଟି ସମସ୍ୟା। ଏହା ଭାରତରେ ଅନ୍ଧତ୍ୱର ଏକ ମୁଖ୍ୟ କାରଣ। ଏହି ସମସ୍ୟା ମୁଖ୍ୟତଃ ଶିଶୁ ଏବଂ ଯୁବବର୍ଗଙ୍କଠାରେ ଦେଖାଯାଉଛି। ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ଆମ ଦେଶ ଭାରତରେ ୨୦ ହଜାରରୁ ଅଧିକ ବ୍ୟକ୍ତି ଏହି ଦୃଷ୍ଟିହନୀତାର ଶିକାର ହେଉଛନ୍ତି। କିନ୍ତୁ ସୁଖର କଥା ଚକ୍ଷୁଦାନ ଦ୍ୱାରା ଏହି ପ୍ରକାର ଦୃଷ୍ଟିହୀନ ବ୍ୟକ୍ତିଙ୍କ ଜୀବନରେ ପୁଣିଥରେ ଆଲୋକ ଫେରିପାରିବ। ଏଣୁ ଚକ୍ଷୁଦାନକୁ ପ୍ରୋତ୍ସାହିତ କରିବା ପାଇଁ ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ଯାଏଁ ଜାତୀୟ ଚକ୍ଷୁଦାନ ପକ୍ଷ ଭାବେ ପାଳନ କରାଯାଉଛି।

ଚକ୍ଷୁଦାନ ପ୍ରତି ବଢୁଛି ଆଗ୍ରହ

ଆଜି ପୃଥିବୀରେ ଅନେକ ଲୋକ ଅଙ୍ଗଦାନ କରିବାକୁ ଆଗଭର ହେଉଛନ୍ତି। ଖୁସିର କଥା ଯେ ସେହିକ୍ରମରେ ଲୋକେ ମୃତ୍ୟୁ ପୂର୍ବରୁ ନିଜର ଚକ୍ଷୁଦାନ କରିବାକୁ ମଧ୍ୟ ଘୋଷଣା କରୁଛନ୍ତି। ଜଣେ ବ୍ୟକ୍ତି ଆଖି ବୁଜି ଦେଉଥିଲେ ମଧ୍ୟ ଚକ୍ଷୁଦାନ କରି ସେ ଆଉ ଜଣେ ବା ଏକାଧିକ ବ୍ୟକ୍ତିଙ୍କୁ ଦୁନିଆର ଆଲୋକ ଦେଖାଇବାରେ ସାହାଯ୍ୟ କରିପାରନ୍ତି। ଓଡ଼ିଶା ମଧ୍ୟ ଏହି କ୍ଷେତ୍ରରେ ପଛରେ ପଡ଼ିନାହିଁ। ‘ଦୃଷ୍ଟିଦାନ’ ଅନୁଷ୍ଠାନର ଉଦ୍ୟମ ଯୋଗୁଁ ଓଡ଼ିଶା କର୍ନିଆ ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା ବା ସ୍ୱଚ୍ଛପଟଳ ପ୍ରତିରୋପଣ କ୍ଷେତ୍ରରେ ଆଗକୁ ବଢ଼ିଛି।

ଓଡ଼ିଶାରେ ‘ଦୃଷ୍ଟିଦାନ’ ପକ୍ଷରୁ ଏହି କାର୍ଯ୍ୟକ୍ରମ ୨୦୦୨ ମସିହାରେ ଆରମ୍ଭ ହୋ‍ଇଥିଲା। ୨୦୦୭ ମସିହାରେ ଏହି ସଂସ୍ଥା ଭୁବନେଶ୍ୱରରେ ଥିବା ଏଲ୍‌ ଭି ପ୍ରସାଦ ଚକ୍ଷୁଚିକିତ୍ସା କେନ୍ଦ୍ର ସହ ଯୋଡ଼ି ହେବା ପରେ ଏହି କାର୍ଯ୍ୟ ଅଧିକ ଲୋକପ୍ରିୟ ହୋ‍ଇପାରିଥିଲା। ସେଦିନଠାରୁ ଏଲ୍‌ ଭି ପ୍ରସାଦ ଆଇ ବ୍ୟାଙ୍କର ଏକ ପ୍ରମୁଖ ଅଙ୍ଗ ପାଲଟିଛି ‘ଦୃଷ୍ଟିଦାନ’।

ସାରା ଭାରତ ବର୍ଷରେ ଏଲଭି ପ୍ରସାଦ ଆଇ ବ୍ୟାଙ୍କ ନେଟଓ୍ୱର୍କ ହେଉଛି ସର୍ବ ବୃହତ୍ତ କର୍ନିଆ ପ୍ରଦାନକାରୀ ସଂସ୍ଥା। ୨୦୧୯ ମସିହାରେ ୧ ଲକ୍ଷରୁ ଅଧିକ କର୍ନିଆ ସଂଗ୍ରହ କରି ମାଇଲଖୁଣ୍ଟ ଅତିକ୍ରମ କରିଥିଲା ଏହି ସଂସ୍ଥା। ଏଥିସହ ଏହି ନେଟୱର୍କ ମାଧ୍ୟମରେ ବି ଭାରତର ବିଭିନ୍ନ ସ୍ଥାନକୁ କର୍ନିଆ ପ୍ରଦାନ କରାଯାଇଥାଏ। ଗତବର୍ଷ ଦେଶରେ ଯେତିକି ସ୍ୱଚ୍ଛପଟଳ ପ୍ରତିରୋପଣ ହୋଇଥିଲା ସେଥିରୁ ୪୦ ପ୍ରତିଶତ ସ୍ୱଚ୍ଛପଟଳ ଏଲଭି ପ୍ରସାଦ ଆଇ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିଲା ବୋଲି ଏଲ୍‌ ଭି ପ୍ରସାଦ ପକ୍ଷରୁ ସୂଚନା ଦିଆଯାଇଛି।

ଚକ୍ଷୁଦାନ କରି ଅନ୍ୟକୁ ଆଲୋକ ଦେଖାନ୍ତୁ : ଡାକ୍ତର ସୁଜାତା ଦାସ

“ଜଣେ ବ୍ୟକ୍ତି ଆଖି ବୁଜିଦେଉଥିଲେ ମଧ୍ୟ ଅଙ୍ଗଦାନ କରି ସେ ଆଉ ଜଣେ ବା ଏକାଧିକ ବ୍ୟକ୍ତିଙ୍କୁ ଦୁନିଆର ଆଲୋକ ଦେଖାଇବାରେ ସାହାଯ୍ୟ କରିପାରନ୍ତି। ତେଣୁ ସମସ୍ତଙ୍କୁ ଅନୁରୋଧ ସେମାନେ ଭୟ ନକରି ଚକ୍ଷୁଦାନ କରିବାକୁ ଆଗେଇ ଆସନ୍ତୁ। ଚକ୍ଷୁଦାନ କରୁଥିବା ବ୍ୟକ୍ତି ଓ ତାଙ୍କ ପରିବାର ଉଭୟ ଆମ ପାଇଁ ଗୁରୁତ୍ଵପୂର୍ଣ୍ଣ। ତେଣୁ ଚକ୍ଷୁଦାନ ପାଇଁ ପ୍ରତିଶ୍ରୁତି ଦେଇଥିବା ବ୍ୟକ୍ତିଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ସହଯୋଗ କରିବାକୁ ଅନୁରୋଧ। ଏଭଳି ମହତ୍ କାର୍ଯ୍ୟ କରିବା ଦ୍ଵାରା ଜଣେ ଦୃଷ୍ଟିହୀନ ବ୍ୟକ୍ତି ତାଙ୍କର ଦୃଷ୍ଟିଶକ୍ତି ଫେରିପାଇବେ ଏବଂ ଚକ୍ଷୁଦାନ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କ ଭିତରେ ଜୀବନ୍ତ ହୋଇରହିବେ”, ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ ଅବସରରେ କହିଛନ୍ତି ଡାକ୍ତର ସୁଜାତା ଦାସ।

ଡାକ୍ତର ସୁଜାତା ଭୁବନେଶ୍ୱରର ଏଲ୍‌ ଭି ପ୍ରସାଦ ଆଇ ହସ୍ପିଟାଲ ସହ ଦୀର୍ଘ ଦିନ ଧରି ଯୋଡ଼ି ହୋ‌ଇ ଅଛନ୍ତି। ତା’ଛଡ଼ା କର୍ନିଆ ଟ୍ରାନ୍ସପ୍ଲାଣ୍ଟ କରୁଥିବା ଦେଶର ଡାକ୍ତରମାନଙ୍କ ମଧ୍ୟରେ ସେ ଜଣେ ଜଣାଶୁଣା ବିଶେଷଜ୍ଞ।

କର୍ନିଆ ବ୍ଲାଇଣ୍ଡନେସ୍‌ ବା ସ୍ୱଚ୍ଛପଟଳ ଅନ୍ଧତ୍ୱର କାରଣ

କର୍ନିଆ ହେଉଛି ଆଖିର ପୁଅ ଡୋଳା ଉପରେ ଥିବା କାଚ ଭଳି ସ୍ୱଚ୍ଛ ପରଦା। କର୍ନିଆ ବ୍ଲାଇଣ୍ଡନେସ ବା ସ୍ୱଚ୍ଛପଟ୍ଟଳ ଅନ୍ଧତ୍ୱ କେବଳ ଜନ୍ମଗତ ନୁହେଁ। ଅନେକ ସମୟରେ ଆଖିରେ ଆଘାତ ଲାଗିବା, ଆଖି ଅପରେସନଜନିତ ଜଟିଳତା, ସଂକ୍ରମଣ ଏବଂ ମୋତିଆବିନ୍ଦୁ ଅପରେସନ ପରବର୍ତ୍ତୀ ଜଟିଳତା କାରଣରୁ ସ୍ୱଚ୍ଛପଟ୍ଟଳ ନଷ୍ଟ ହୋ‌ଇଯାଇପାରେ। ବିଶେଷକରି ଭାରତରେ ସଚେତନତା ଅଭାବ ବା ଠିକଣା ସମୟରେ ଚିକିତ୍ସା ସହାୟତା ନ ମିଳିବା କାରଣରୁ ଅନେକ କ୍ଷେତ୍ରରେ ଏହି ଅନ୍ଧତ୍ୱ ସୃଷ୍ଟି ହୋ‌ଇଥାଏ।

ଆଜି ଦେଶରେ କର୍ନିଆ ପ୍ରୋସେସିଂ ପ୍ରି-କଟ୍‌ ମେସିନ୍‍ ଏବଂ ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ଯନ୍ତ୍ର ବ୍ୟବହାର ହେବା ଫଳରେ ଦୃଷ୍ଟିଦାନ ସୂତ୍ରରୁ ସଂଗ୍ରହ ହେଉଥିବା ସ୍ୱଚ୍ଛପଟ୍ଟଳ ରୋଗୀମାନଙ୍କୁ ସହଜରେ ଦିଆଯାଇପାରୁଛି।

ସ୍ୱଚ୍ଛପଟ୍ଟଳ ପ୍ରତିରୋପଣ କ’ଣ?

ଆଜି କର୍ନିଆ ବ୍ଲାଇଣ୍ଡନେସ ରୋଗର ଶିକାର ହୋ‌ଇଥିବା ରୋଗୀ ଏବଂ ତାଙ୍କ ପରିବାରବର୍ଗଙ୍କ ମନରେ ପ୍ରଥମ ପ୍ରଶ୍ନ ଉଠେ ଯେ ସ୍ୱଚ୍ଛପଟ୍ଟଳ କେମିତି ମିଳିବ, ଏହା କିପରି ପ୍ରତିରୋପଣ କରାଯାଇପାରିବ? ତେବେ ଜାଣି ରଖିବା ଦରକାର ଯେ କର୍ନିଆ ଟ୍ରାନ୍ସପ୍ଲାଣ୍ଟ ବା ସ୍ୱଚ୍ଛପଟ୍ଟଳ ପ୍ରତିରୋପଣ ଅନ୍ୟ ସାଧାରଣ ଅପରେସନ ଭଳି। ଏଥିପାଇଁ ରୋଗୀମାନେ ଡାକ୍ତରଙ୍କ ସହ ନିୟମିତ ପରାମର୍ଶ କରିବା ଦରକାର। ବର୍ତ୍ତମାନ ବିନା ଷ୍ଟିଚରେ ବି କର୍ନିଆ ଟ୍ରାନପ୍ଲାଣ୍ଟ  ହୋଇପାରୁଛି।

ସାରା ପୃଥିବୀରେ ଅନେକ ଲୋକ କର୍ନିଆ ବ୍ଲାଇଣ୍ଡନେସ୍‍ ବା ସ୍ୱଚ୍ଛପଟ୍ଟଳ ଅନ୍ଧତ୍ୱ ରୋଗର ଶିକାର ହୋ‍ଇଥା’ନ୍ତି। କିନ୍ତୁ ଚିକିତ୍ସା ବିଜ୍ଞାନର ସଫଳତା ଯୋଗୁଁ ଯଦି ସେମାନଙ୍କର କର୍ନିଆ ଟ୍ରାନ୍ସପ୍ଲାଣ୍ଟ କରାଯାଏ, ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୁନିଆର ଆଲୋକ ଦେଖିପାରିବେ।

କର୍ନିଆ ବା ସ୍ୱଚ୍ଛପଟଳ ସଂଗ୍ରହ ହୁଏ କିପରି?

ସ୍ୱେଚ୍ଛାକୃତ ଭାବେ ଚକ୍ଷୁଦାନ କରିବା ପାଇଁ ଅନେକ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଘୋଷଣା କରିଥା’ନ୍ତି। ସେହିପରି ଅନେକ କ୍ଷେତ୍ରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଚକ୍ଷୁଦାନ ପାଇଁ ଆଗେଇ ଆସୁଥିବା ଏକ ଭଲ ଲକ୍ଷଣ। ତେବେ ଏବେ ବି ଅନେକ ଲୋକ ଭାବନ୍ତି ଯେ ଚକ୍ଷୁଦାନ ଅର୍ଥ ଜଣେ ବ୍ୟକ୍ତିର ଦୁଇଟି ଯାକ ଆଖିକୁ ତାଡ଼ି ନିଆଯାଏ। ଏହା ବାସ୍ତବରେ ସତ ନୁହେଁ। ଆଜିର ତାଲିମ୍‌ପ୍ରାପ୍ତ ଟେକ୍ନିସିଆନମାନେ ମାତ୍ର ୧୫ରୁ ୨୦ ମିନିଟ୍‍ ମଧ୍ୟରେ ଜଣେ ମୃତବ୍ୟକ୍ତିର ଆଖିରୁ କେବଳ କର୍ନିଆ ବା ସ୍ୱଚ୍ଛପଟ୍ଟଳ କାଢ଼ି ନେଇଥା’ନ୍ତି। ତେଣୁ ଆଖିରୁ କର୍ନିଆ କାଢ଼ିନେବା ପରେ ଆଖି କିମ୍ବା ଶରୀରର କୌଣସି ଅଂଶ ବିକୃତ ହୋ‍ଇନଥାଏ।

ଚକ୍ଷୁଦାନକୁ ନେଇ ଲୋକମାନଙ୍କ ମନରେ ଥିବା କିଛି ପ୍ରଶ୍ନ ଓ ତା’ର ଉତ୍ତର

କେଉଁମାନେ ଚକ୍ଷୁଦାନ କରିପାରିବେ?

ଯେକୌଣସି ବ୍ୟକ୍ତି ସ୍ୱଇଛାରେ ଚକ୍ଷୁଦାନ କରିପାରିବେ। ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଚକ୍ଷୁଦାନ ହୋଇପାରିବ। ମୃତ ଶରୀରରୁ ଚକ୍ଷରୁ ସ୍ୱଚ୍ଛପଟଳ ସଂଗ୍ରହ କରିବାକୁ ୧୦ରୁ ୧୫ ମିନିଟ୍‌ ସମୟ ଲାଗିଥାଏ।

କୋଭିଡ ସମୟରେ ଚକ୍ଷୁ ଦାନ କେତେ ସୁରକ୍ଷିତ?

କୋଭିଡ କାଳରେ ଚକ୍ଷୁ ଦାନ କରିବାରେ କୌଣସି ଅସୁବିଧା ନଥାଏ। ଡାକ୍ତରମାନେ ଉପଯୁକ୍ତ ଗାଇଡଲାଇନକୁ ଅନୁସରଣ କରି ଏହି କାର୍ଯ୍ୟ କରିଥାନ୍ତି।

ଜଣେ କରୋନା ଆକ୍ରାନ୍ତ ଚକ୍ଷୁ ଦାନ କରିପାରିବେ କି?

କୋଭିଡରେ ଆକ୍ରାନ୍ତ ହୋଇ ପରବର୍ତ୍ତୀ ସମୟରେ ଅନ୍ୟ କୌଣସି ରୋଗ କାରଣରୁ ଯଦି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ ତେବେ ତାଙ୍କର ଆଖିର ସ୍ୱଚ୍ଛପଟଳ ଚକ୍ଷୁଦାନ ପାଇଁ ନିଆଯାଇପାରିବ। ଅର୍ଥାତ୍‌ ତାଙ୍କ ମୃତ୍ୟୁର କାରଣ କୋଭିଡ ସଂକ୍ରମଣ ହୋଇନଥିବା ଦରକାର।

ସ୍ଵଚ୍ଛପଟଳ ପାଇଁ ସମ୍ପୂର୍ଣ୍ଣ ଚକ୍ଷୁକୁ ଅଲଗା କରିବାକୁ ପଡ଼ିଥାଏ କି?

ସ୍ଵଚ୍ଛପଟଳ ପାଇଁ ଚକ୍ଷୁକୁ କାଢ଼ିବାକୁ ପଡ଼ିନଥାଏ। କେବଳ ଏକ ପତଳା ଆସ୍ତରଣକୁ କଢ଼ାଯାଇଥାଏ। ଏଥିରେ ଆଖିର ଡୋଳାକୁ କୌଣସି କ୍ଷତି ପହଞ୍ଚିନଥାଏ।

ଚକ୍ଷୁଦାନ କରିବା ମୁଖ ବିକୃତ ହୋଇଥାଏ କି?

ଆଖିରୁ ସ୍ୱଚ୍ଛପଟଳ କାଢ଼ି ନେବା ଦ୍ୱାରା ମୃତ ବ୍ୟକ୍ତିଙ୍କର ମୁଖ ମଣ୍ଡଳରେ କୌଣସି ପ୍ରକାର ବିକୃତ ହୋଇନଥାଏ।

ଚକ୍ଷୁ ଦାନ ପାଇଁ ମୃତ ବ୍ୟକ୍ତିଙ୍କୁ ହସ୍ପିଟାଲ କିମ୍ବା ଚକ୍ଷୁ ଦାନ କେନ୍ଦ୍ରକୁ ନେବାକୁ ପଡ଼ିଥାଏ କି?

ଚକ୍ଷୁଦାନ ପାଇଁ କୌଣସି ହସ୍ପିଟାଲ କିମ୍ବା କେନ୍ଦ୍ରକୁ ଯିବାର ଆବଶ୍ୟକତା ନାହିଁ। ଏଥିପାଇଁ ‘ଚକ୍ଷୁଦାନ’ ଅନୁଷ୍ଠାନର ଏକ ସ୍ଵତନ୍ତ୍ର ଟିମ୍ ସର୍ବଦା ସଜାଗ ରହିଛନ୍ତି। ସେମାନେ ଖବର ପାଇବା ମାତ୍ରେ ମୃତ ବ୍ୟକ୍ତିଙ୍କ ଘର କିମ୍ବା ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇ ସ୍ଵଚ୍ଛପଟଳ ସଂଗ୍ରହ କରିଥାଆନ୍ତି।

ଚକ୍ଷୁଦାନ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗ ଚକ୍ଷୁ ଗ୍ରହୀତାଙ୍କ ସମ୍ପର୍କରେ ଜାଣିପାରିବେ କି?

ଏହି ତଥ୍ୟ ସମ୍ପୂର୍ଣ୍ଣ ରୁପେ ଗୋପନୀୟ ରଖାଯାଇଥାଏ। ଚକ୍ଷୁ ଦାତା ଏବଂ ଚକ୍ଷୁ ଗ୍ରହୀତା କେହି କାହା ସମ୍ପର୍କରେ ଜାଣିନଥାନ୍ତି। ଏହି ସୂଚନା କାହାକୁ ଦିଆଯାଇନଥାଏ।

ଚକ୍ଷୁଦାନ କଲେ ଟଙ୍କା ମିଳେ କି?

ନା। ଚକ୍ଷୁଦାନ ବା ଅଙ୍ଗଦାନକୁ ନେଇ କୌଣସି ପ୍ରକାର ଟଙ୍କା କାରବାର ଆଇନତଃ ଏକ ଅପରାଧ। ଅନ୍ୟପକ୍ଷରେ ସ୍ୱଚ୍ଛପଟଳ ସଂଗ୍ରହ ଏବଂ ଏହାର ସଂରକ୍ଷଣ ବାବଦ ଖର୍ଚ୍ଚ ଚକ୍ଷୁ ବ୍ୟାଙ୍କ ବହନ କରିଥାଏ।।

ସଂଗୃହୀତ ସମସ୍ତ ସ୍ଵଚ୍ଛପଟଳ ପ୍ରତିରୋପଣ ପାଇଁ ଉପଯୋଗୀ କି?

ନା।  ଯଦି କୌଣସି ବ୍ୟକ୍ତି ଏଡ୍ସ, ଜଣ୍ଡିସ, ଧନୁଷ୍ଟଙ୍କାର, ଜଳାତଙ୍କ, ସିଫିଲ୍ସ, ସେପ୍ଟିସିମିଆ ଓ ବିଭିନ୍ନ ଭୂତାଣୁଜନିତ ରୋଗରେ ପୀଡ଼ିତ ଥିବେ ତେବେ ମୃତ୍ୟୁପରେ ସେମାନଙ୍କ ସ୍ଵଚ୍ଛପଟଳ ପ୍ରତିରୋପଣ ପାଇଁ ବ୍ୟବହାର କରାଯାଇପାରିବ ନାହିଁ।

ସ୍ୱଚ୍ଛପଟଳ ସଂଗ୍ରହ ପୂର୍ବରୁ ମୃତ ବ୍ୟକ୍ତିଙ୍କର ସ୍କ୍ରିନିଂ କରାଯାଇଥାଏ କି?

ସ୍ୱଚ୍ଛପଟଳ ସଂଗ୍ରହ ଲାଗି ଯାଉଥିବା ଟେକ୍‌ନିସିଆନଙ୍କ ମୃତ ବ୍ୟକ୍ତିଙ୍କ ପରିବାର ସହ ଆଲୋଚନା କରି ତାଙ୍କର ମୃତ୍ୟୁର କାରଣ ଓ ଆନୁସଙ୍ଗିକ ବିଷୟ ବୁଝିଥାଆନ୍ତି। ସ୍ୱଚ୍ଛପଟଳ ପ୍ରତିରୋପଣ ଲାଗି ଥିବା ପ୍ରେଟୋକଲ୍‌ ବା ନିୟମ ଅନୁଯାୟୀ କେବଳ ସୁସ୍ଥ ସ୍ୱଚ୍ଛପଟଳ ସଂଗ୍ରହ କରିଥାନ୍ତି।

ସୌଜନ୍ୟ: ଓଡ଼ିଶାଲାଇଭ୍‌