ଶିଶୁଙ୍କୁ ସ୍ତନ୍ୟପାନ କରାଇବାର କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନଥାଏ। କିନ୍ତୁ ବିଭିନ୍ନ କାରଣ ଯୋଗୁଁ ମା’ ମାନଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବାକୁ ପଡ଼ିଥାଏ। ସ୍ତନ୍ୟପାନର ସମୟସୀମା କେତେ ରହିବା ଆବଶ୍ୟକ ଆସନ୍ତୁ ସେ ବିଷୟରେ ଜାଣିବା।

ପିଲାଙ୍କୁ କେବେଯାଏଁ ସ୍ତନ୍ୟପାନ କରାଇବା ଆବଶ୍ୟକ ସାଧାରଣତଃ ତାକୁ ନେଇ ମା’ମାନଙ୍କ ମନରେ ଦ୍ୱନ୍ଦ୍ୱ ରହିଥାଏ। ନବଜାତ ଶିଶୁଙ୍କୁ ଦିନରାତି ସ୍ତନ୍ୟପାନ କରାଇବାକୁ ପଡ଼ିଥାଏ। ଛଅମାସ ପରେ ଶିଶୁଙ୍କୁ ପରିପକ୍ୱ ଖାଦ୍ୟ ଦେବା ସହ ସ୍ତନ୍ୟପାନ କରାଇପାରିବେ। ଏହାଦ୍ୱାରା ଶିଶୁଟି ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା କମିଯାଏ। ଅବଶ୍ୟ କେତେଦିନ ଯାଏଁ ପିଲାକୁ ସ୍ତନ୍ୟପାନ କରାଇବେ ତାହା ମା’ମାନଙ୍କ ଉପରେ ନିର୍ଭର କରିଥାଏ। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ୨ ବର୍ଷ ଯାଏଁ ଅନ୍ୟ ଖାଦ୍ୟ ସହିତ ପିଲାକୁ ମା’ କ୍ଷୀର ଖୁଆଇବା ଖୁବ୍ ଭଲ।

breast feeding

ପିଲାର ଦାନ୍ତ ଉଠିଲେ: ଛଅରୁ ୭ ମାସ ମଧ୍ୟରେ ପିଲାର ଦାନ୍ତ ଉଠିବା ଆରମ୍ଭ ହୋଇଥାଏ। ଏହି ସମୟରେ ଆପଣ ଧୀରେ ଧୀରେ ସ୍ତନ୍ୟପାନ କମ୍ କରିବା ଆରମ୍ଭ କରିପାରିବେ। ଯାହାଫଳରେ କି ପିଲାଟି ଅନ୍ୟ ପରିପକ୍ୱ ଖାଦ୍ୟ ଖାଇବାର ଅଭ୍ୟାସରେ ପଡ଼ିଥାଏ।

ବର୍ଷର ପିଲାଙ୍କ ପାଇଁ: ପିଲା ବର୍ଷକର ହୋଇଗଲେ ସ୍ତନ୍ୟପାନ ଧୀରେ ଧୀରେ କମ୍‌ କରିବା ଦରକାର। ଦ ନ୍ୟାସନାଲ ହେଲଥ୍‌ ଆଣ୍ଡ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ଅନୁସାରେ ଶିଶୁକୁ ୧ ବର୍ଷ ଯାଏଁ ସ୍ତନ୍ୟପାନ କରାଇବା ଯଥେଷ୍ଟ।

କର୍ମଜୀବୀ ହୋଇଥିଲେ: ଅନେକ କର୍ମଜୀବୀ ମହିଳାଙ୍କୁ ପ୍ରସବ ସମୟରେ ୬-୯ ମାସ ଯାଏଁ ଛୁଟି ମିଳିଥାଏ। ତେଣୁ ଚାକିରିରେ ପୁଣି ଯୋଗ ଦେବାପରେ ସେମାନେ ପିଲାକୁ ସ୍ତନ୍ୟପାନ କରାଇବା ସମ୍ଭବ ହୁଏନାହିଁ। ଡାକ୍ତରମାନଙ୍କ ଅନୁସାରେ କର୍ମଜୀବୀ ମହିଳାମାନେ ଛଅମାସର ହେବା ମଧ୍ୟରେ ପିଲାକୁ ଶିଝା ଖାଦ୍ୟ ଖୁଆଇବା ଅଭ୍ୟାସ କରିବା ଆବଶ୍ୟକ। ଏହାଦ୍ୱାରା ପିଲା ଆଉ ଭୋକରେ ରହିବ ନାହିଁ। ଆପଣ ଚାହିଁଲେ ବ୍ରେଷ୍ଟପମ୍ପ ଜରିଆରେ କ୍ଷୀର ବାହାର କରି ସୁରକ୍ଷିତ ଭାବେ ରଖିପାରିବେ। ପରେ ତାକୁ ବୋତଲରେ ଭରି ପିଲାକୁ ପିଆଇପାରିବେ। ଏହାଛଡ଼ା ଅଫିସ୍‌ରୁ ଘରକୁ ଆସିବା ପରେ ଶିଶୁକୁ ସ୍ତନ୍ୟପାନ କରାଇପାରିବେ।