କୋଭିଡ୍-୧୯ରୁ ସୁସ୍ଥ ହେବା ପରେ କେମିତି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ? କେମିତି ଓ କେତେ ଦିନ ଆଇସୋଲେସନରେ ରହିବେ? ଏସମସ୍ତ ବିଷୟରେ ଆସନ୍ତୁ ଜାଣିବା ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ। 

କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ରୋଗୀଠାରେ ବିଭିନ୍ନ ଲକ୍ଷଣ ଦେଖାଯାଉଛି। ତେଣୁ ସୁସ୍ଥ ହେବା ପରେ ରୋଗୀକୁ କିଛି ଦିନ ଆଇସୋଲେସନରେ ରହିବା ଦରକାର। କରୋନା ଭୂତାଣୁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ। ତେଣୁ କରୋନାରୁ ସୁସ୍ଥ ହେବା ପରେ ନିଜର ସଠିକ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ।

କେତେ ଦିନ ଆଇସୋଲେସନରେ ରହିବେ କୋଭିଡ୍ ସଂକ୍ରମିତ (How long will COVID infected be in isolation in Odia)

ଜଣେ କରୋନା ସଂକ୍ରମିତ ରୋଗୀ ଆଇସୋଲେସନ୍‌ରେ ରହିବା ନିହାତି ଦରକାର। ଫଳରେ ସେ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିକୁ ସଂକ୍ରମଣ କରିପାରିବ ନାହିଁ।  ବର୍ତ୍ତମାନ ସର୍ଭେରୁ ଜଣାପଡ଼ିଛି ଯେ, କୋଭିଡ୍‌ର ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଶରୀରରେ ଭୂତାଣୁ ପାଖାପାଖି ୧୦ ଦିନ ଧରି ସକ୍ରିୟ ରହୁଛି। ଏହି ସମୟ ଭିତରେ ସଂକ୍ରମିତ ବ୍ୟକ୍ତି ଯଦି ସୁସ୍ଥ ଲୋକଙ୍କ ସଂସ୍ପର୍ଶରେ ଆସେ, ତାହାହେଲେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ହେବାର ଆଶଙ୍କା ରହିଛି। କିନ୍ତୁ, ଗମ୍ଭୀର ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କ ଶରୀରରେ ଭୂତାଣୁ ୩ ସପ୍ତାହ ଧରି ସକ୍ରିୟ ରହୁଛି। ଫଳରେ ଭୂତାଣୁଗୁଡ଼ିକ ବଂଶବୃଦ୍ଧି ପରିବାରେ ସକ୍ଷମ ହେଉଛନ୍ତି। ତେଣୁ, କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି ୨ସପ୍ତାହ ଧରି ଆଇସୋଲେସନ୍‌ରେ ରହିଲେ, ଭୂତାଣୁ ଅନ୍ୟ କାହାକୁ ସଂକ୍ରମିତ ହେବ ନାହିଁ।

ଯଦି କୋଭିଡ୍‌ର ଗମ୍ଭୀର ଲକ୍ଷଣ ଦେଖାଦେଉଛି ବା ଅକ୍ସିଜେନ୍‌ ଦରକାର କରୁଛନ୍ତି କିମ୍ବା ଭେଣ୍ଟିଲେଟରରେ ରହିଛନ୍ତି, ତେବେ ପ୍ରଥମ ଲକ୍ଷଣ ଦେଖାଯିବାର ୩ ସପ୍ତାହ ପର୍ଯ୍ୟନ୍ତ ଆଇସୋଲେସନ୍‌ରେ ରହିବା ଦରକାର। ଏହି ୩ ସପ୍ତାହ ପରେ ଭୂତାଣୁ ଅନ୍ୟମାନଙ୍କୁ ସଂକ୍ରମଣ କରିବାରେ ସକ୍ଷମ ହେବ ନାହିଁ। କିନ୍ତୁ, ଯେଉଁମାନଙ୍କର କୌଣସି ଲକ୍ଷଣ ନାହିଁ ହେଲେ ଆର୍‌ଟି ପିସିଆର ପଜିଟିଭ୍‌ ଅଛି, ସେମାନେ ଆର୍‌ଟି ପିସିଆର ଆସିବାର ଦଶ ଦିନ ଯାଏଁ ଆଇସୋଲେସନ୍‌ରେ ରହିପାରିବେ। ଦଶ ଦିନ ପରେ ସେମାନଙ୍କର ସଂକ୍ରମଣ କରିବାର କ୍ଷମତା କମିଯାଏ। ସେମାନେ ଦୁଇ ସପ୍ତାହ ପରେ ଅନ୍ୟମାନଙ୍କ ସହ ମିଳାମିଶା କରିପାରିବେ।

କୋଭିଡ୍ରୁ ସୁସ୍ଥ ହେବା ପରେ ଲକ୍ଷଣ ଦେଖାଯାଏ? (What are the symptoms after recovering from COVID19 on Odia)

ସାଧାରଣତଃ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ସୁସ୍ଥ ହେବା ପରେ ବି କିଛି ଲକ୍ଷଣ ଦେଖାଦେଉଛି, ଯାହାକୁ ପୋଷ୍ଟ କୋଭିଡ୍‌ ଲକ୍ଷଣ ବୋଲି କୁହାଯାଉଛି। କୋଭିଡ୍‌-୧୯ ହେଉଛି ଏକ ଭାଇରାଲ ସଂକ୍ରମଣ। ଯେକୌଣସି ଭାଇରାଲ ସଂକ୍ରମଣରୁ ସୁସ୍ଥ ହେବା ପରେ ବ୍ୟକ୍ତିଙ୍କୁ ଦୁର୍ବଳ ଲାଗିଥାଏ, ଥକ୍କା ଲାଗିଥାଏ, କାମରେ ମନ ଲାଗି ନଥାଏ, ସମ୍ପୂର୍ଣ୍ଣ ଶରୀର ଦରଜ ହେବା ବା ବିନ୍ଧା ହେବା ଭଳି ଲକ୍ଷଣ ଦେଖାଦିଏ। ଏହିସବୁ ଲକ୍ଷଣ ପାଖାପାଖି ୪ରୁ ୬ ସପ୍ତାହ ଧରି ଲାଗି ରହେ। ଏହାକୁ ‘ପୋଷ୍ଟ ଭାଇରାଲ ଫାଟିଗ୍‌ ସିଣ୍ଡ୍ରୋମ୍‌’ ବୋଲି କୁହାଯାଏ। ଯେହେତୁ କୋଭିଡ୍‌ ବି ଏକ ପ୍ରକାର ଭାଇରାଲ ସଂକ୍ରମଣ। ଏଥିରୁ ସୁସ୍ଥ ହେବା ପରେ ବ୍ୟକ୍ତିଙ୍କୁ କିଛି ଦିନ ଯାଏଁ ଦୁର୍ବଳ ଲାଗିଥାଏ।

କୋଭିଡ୍‌ ଭାଇରସ୍‌ ସାଧାରଣତଃ ଫୁସ୍‌ଫୁସ୍‌ ଉପରେ ବେଶି ପ୍ରଭାବ ପକାଇଥାଏ। ତେଣୁ, ଏହି ଭାଇରସ୍‌ରୁ ସୁସ୍ଥ ହେବାର ୬ ସପ୍ତାହ ପରେ ସିଟି ସ୍କାନ କରାଇଲେ ମଧ୍ୟ ୮୦ ପ୍ରତିଶତ ଲୋକଙ୍କଠାରେ କୋଭିଡ୍‌ର ଉପସ୍ଥିତି ଜଣାପଡ଼ିଥାଏ। କୋଭିଡ୍‌ରୁ ସୁସ୍ଥ ହେବା ପରେ କେତେକ ଲୋକଙ୍କର ଦୁଇରୁ ତିନି ମାସ ଧରି କାଶ ଲାଗି ରହୁଛି।

ଏହାଛଡ଼ା କୋଭିଡ୍‌ ଫୁସ୍‌ଫୁସ୍‌ ଛଡ଼ା ହୃଦୟକୁ ପ୍ରଭାବ ପକାଇଥାଏ। ଏମିତି ବି ନଜିର ରହିଛି ଯେ, ଲୋକଙ୍କୁ କୋଭିଡ୍‌ ଯୋଗୁଁ ହାର୍ଟ ଆଟାକ, ବ୍ରେନ୍‌ ଷ୍ଟ୍ରୋକ୍‌ ମଧ୍ୟ ହେଉଛି।

ହସ୍ପିଟାଲରୁ ଆସିବା ପରେ ବି ଲୋକଙ୍କ ହୃଦସ୍ପନ୍ଦନ ବଢ଼ିଯାଉଛି, ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି କିମ୍ବା ଛାତି ଯନ୍ତ୍ରଣା ଭଳି ଲକ୍ଷଣ ମଧ୍ୟ ଦେଖାଦେଉଛି।

coronavirus

କୋଭିଡ୍‌ରୁ ସୁସ୍ଥ ହେବା ପରର ସମସ୍ୟା

କୋଭିଡ୍‌-୧୯ରୁ ସୁସ୍ଥ ହେବା ପରେ ଲୋକଙ୍କର ବିଭିନ୍ନ ସମସ୍ୟା ଦେଖାଦେଉଛି। ଯେପରିକି ବ୍ରେନ୍‌ ଫଗ୍‌ – ଏଥିରେ ବ୍ୟକ୍ତି ଚିନ୍ତା କରିବାର ଶକ୍ତି କମିଯାଏ, ସ୍ୱଳ୍ପ ସମୟ ପାଇଁ ସ୍ମୃତି ଶକ୍ତି ହ୍ରାସ ପାଇଯାଏ, କୌଣସି ସିଦ୍ଧାନ୍ତ ନେଇପାରନ୍ତି ନାହିଁ। ଏହାଛଡ଼ା ଦୁଇ ତିନି ମାସ ଯାଏଁ ସ୍ୱାଦ ଓ ଗନ୍ଧ ବାରି ପାରନ୍ତି ନାହିଁ। କେତେକ ଲୋକଙ୍କୁ ଦୁର୍ବଳ ଲାଗିଥାଏ, କାମ କରିବାକୁ ଇଛା ହୋଇ ନଥାଏ।

ଏହାଛଡ଼ା କୋଭିଡ୍‌ ସମୟରେ ବହୁତ ଲୋକ ମାନସିକ ରୋଗର ଶିକାର ହେଉଛନ୍ତି।

 କୋଭିଡ୍ରୁ ସୁସ୍ଥ ହେବା ପରେ ପୁନଃ ଟେଷ୍ଟିଂ ଜରୁରୀ କି? (Is re-testing necessary after recovery from COVID19 in Odia)

ଜଣେ ବ୍ୟକ୍ତିର ଆର୍‌ଟି ପିସିଆର୍‌ ପରୀକ୍ଷାରେ ପଜିଟିଭ୍‌ ଆସୁଛି। ଠିକ୍‌ ତା’ର ତିନି ମାସ ଭିତରେ ଆଉ ଥରେ ପରୀକ୍ଷା କଲେ, ପୁଣି ପଜିଟିଭ୍‌ ବାହାରିବାର ସମ୍ଭାବନା ରହୁଛି। କିନ୍ତୁ, ପୁନଃ ପଜିଟିଭ୍‌ ଆସିବାର ମାନେ ନୁହେଁ ଯେ, ଭୂତାଣୁ ତାର ଶରୀରରେ ସକ୍ରିୟ ଅଛି ଓ ଏହା ଅନ୍ୟ ଜଣକୁ ସଂକ୍ରମିତ କରିବ। ଏହାର ଅର୍ଥ ହେଉଛି, ତା’ର ଶରୀରରେ ଭୂତାଣୁ ମୃତ ଅବସ୍ଥାରେ ରହିଛି।

କୋଭିଡ୍‌ ପଜିଟିଭ୍‌ ଆସିବାର ତିନିମାସ ପରେ ପୁଣି ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ। ତିନି ମାସ ପରେ ବ୍ୟକ୍ତି ଅନ୍ୟ କାହାକୁ ସଂକ୍ରମିତ କରିପାରିବ ନାହିଁ।

କୋଭିଡ୍‌ ପଜିଟିଭ୍‌ ହେବା ପରେ ଯଦି ସାମାନ୍ୟ ଲକ୍ଷଣ ବା ଲକ୍ଷଣହୀନ ରହୁଛି, ତେବେ ୧୦ରୁ ୧୫ ଦିନ ପରେ ଅନ୍ୟ ଲୋକଙ୍କ ସହ ମିଶି ପାରିବେ। ଯଦି ଗମ୍ଭୀର ଲକ୍ଷଣ ଥିବେ, ତାହାହେଲେ ତିନି ସପ୍ତାହ ପରେ ଆପଣ ଅନ୍ୟ ଲୋକଙ୍କ ସହ ମିଶିପାରିବେ।

କୋଭିଡ୍ରୁ ସୁସ୍ଥ ହେବା ପରେ ସ୍ଵାସ୍ଥ୍ୟର ଯତ୍ନ (Health care after recovery from COVID19 in Odia)

କୋଭିଡ୍‌ରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ବି ବିଭିନ୍ନ ସମସ୍ୟା ଲାଗିରହୁଛି। ତେଣୁ, କୋଭିଡ୍‌ରୁ ସୁସ୍ଥ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ। କୋଭିଡ୍‌ରୁ ସୁସ୍ଥ ହେବା ପରେ ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଗାଇଡ୍‌ଲାଇନ୍‌କୁ ମାନିବାକୁ ପଡ଼ିବ। ଯେପରିକି ବାହାରକୁ ଗଲେ ମାସ୍କ ପିନ୍ଧିବେ, ହାତ ବାରମ୍ବାର ଧୋଇବେ ଓ ସାମାଜିକ ଦୂରତା ରଖିବାକୁ ହେବ।

ସୁସ୍ଥ, ସୁଷମ, ତାଜା ଓ ସହଜ ପାଚ୍ୟ ଖାଦ୍ୟ ଖାଆନ୍ତୁ। ଫଳ, ସବୁଜ ପନିପରିବା, ଘର ତିଆରି ଖାଦ୍ୟ ଖାଆନ୍ତୁ। ଖାଦ୍ୟରେ ରସୁଣ, ହଳଦୀ ଓ ଅଦା, କ୍ଷୀର, ଦହିକୁ ସାମିଲ କରନ୍ତୁ। ଆମିଷ, ଜଙ୍କଫୁଡ୍‌ ଖାଆନ୍ତୁ ନାହିଁ।

ଆୟୁଷ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହର୍ବାଲ ଚା’, କାଢ଼ା ପିଇପାରିବେ। କାଶ ହେଉଥିଲେ ଗରମ ପାଣି ବାମ୍ପ ନେଇପାରିବେ। ଗୋଟେ ଚାମଚ ଚ୍ୟବନ୍‌ ପ୍ରାଶ ଖାଇପାରିବେ।

walking

କୋଭିଡ୍‌ରୁ ସୁସ୍ଥ ହେବା ପରେ ବ୍ୟାୟାମ (Exercise after recovery from COVID19 in Odia)

କୋଭିଡ୍‌ରୁ ସୁସ୍ଥ ହେବାର ତୁରନ୍ତ ପରେ ବ୍ୟାୟାମ କରନ୍ତୁ ନାହିଁ। ଶରୀରକୁ କିଛି ଦିନ ବିଶ୍ରାମ ଦିଅନ୍ତୁ। ହାଲୁକା ବ୍ୟାୟାମ, ଯୋଗ, ପ୍ରାଣାୟାମ କିମ୍ବା ଚାଲନ୍ତୁ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅନୁଲୋମ ବିଲୋମ ବା ଦୀର୍ଘ ନିଶ୍ୱାସ ପ୍ରଶ୍ୱାସ ନେବା ଭଳି ବ୍ୟାୟାମ କରନ୍ତୁ। ଏଥିରେ ଆପଣଙ୍କ ଶରୀରର ସ୍ନାୟୁ ସକ୍ରିୟ ରହିବ।

କୋଭିଡ୍‌ରୁ ସୁସ୍ଥ ହେବା ପରେ ପଲ୍ସ ଅକ୍ସିମିଟର ବ୍ୟବହାର କରି ଅମ୍ଳଜାନ କେତେ ରହୁଛି ଜାଣିପାରିବେ।

ଏହାଛଡ଼ା କୋଭିଡ୍‌ରୁ ସୁସ୍ଥ ହେବାର ୭ ଦିନ ମଧ୍ୟରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଯଦି କୌଣସି ସମସ୍ୟା ହୁଏ, ତେବେ ସେହି ଅନୁଯାୟୀ ଡାକ୍ତର ଚିକିତ୍ସା ପରାମର୍ଶ କରିବେ।

କୋଭିଡ୍‌ରୁ ସୁସ୍ଥ ହେବା ପରେ ଆଇସୋଲେସନ୍‌ରେ କେମିତି ରହିବେ?

କୋଭିଡ୍‌ ପିଜିଟିଭ୍‌ ଥିବା ବେଳେ ଯେଉଁଭଳି ଆଇସୋଲେସନ୍‌ରେ ରହୁଥିଲେ, ସୁସ୍ଥ ହେବା ପରେ ବି ଆଇସୋଲେସନ୍‌ରେ ରହିବା ଦରକାର। ଆଇସୋଲେସନ୍‌ରେ ରହିବା ପାଇଁ ଆପଣଙ୍କର ଅଲଗା ଘର, ଅଲଗା ଶୌଚାଳୟ ରହିବା ଜରୁରୀ। ଯେଉଁମାନେ ଆପଣଙ୍କୁ ଖାଇବାକୁ ଦେବେ, ସେମାନେ ଖଲି ଥାଳିର ବ୍ୟବହାର କରିପାରିବେ। ଫଳରେ ତାକୁ ସଠିକ୍‌ ଭାବରେ ନିଷ୍କାସନ କରିପାରିବେ।

ଆଇସୋଲେସନ୍‌ରେ ରହୁଥିବା ବ୍ୟକ୍ତି କଥାବାର୍ତ୍ତା ହେବା ପାଇଁ ଫୋନ୍‌ର ବ୍ୟବହାର କରିପାରିବେ। ପରିବାର ଲୋକ ସେମାନଙ୍କ ସହ କଥା ହେବା ବେଳେ ଦୁଇ ମିଟରର ଦୂରତା ରକ୍ଷା କରି ଏବଂ ମାସ୍କ ପିନ୍ଧି କଥା ହୋଇପାରିବେ। ଯେହେତୁ ଆଇସୋଲେସନ୍‌ରେ ଏକୁଟିଆ ରହୁଛନ୍ତି, ତେବେ ଆପଣଙ୍କ ମାନସିକ ଚାପ ବଢ଼ିବାର ସମ୍ଭାବନା ରହିଛି। ଏଭଳି କ୍ଷେତ୍ରରେ ଆପଣ ଭଲ ଲାଗୁଥିବା କାମ କରିପାରିବେ ଅଥବା ମୋବାଇଲ ବ୍ୟବହାର କରି ସାଙ୍ଗସାଥୀଙ୍କ ସହ ଭିଡିଓ କଲ୍‌ କରିପାରିବେ, ମ୍ୟୁଜିକ୍‌ ଶୁଣିପାରିବେ, ଅନୁଲୋମ ବିଲୋମ କରିପାରିବେ ବା ସେହି ଘରେ ବ୍ୟାୟାମ କରିପାରିବେ। ଏହାଛଡ଼ା ୬ରୁ ୮ ଘଣ୍ଟା ଶୋଇବା ଜରୁରୀ। ଏହାଦ୍ୱାରା ଆପଣଙ୍କ ମାନସିକ ସ୍ଥିତି ଠିକ୍‌ ରହିବ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜ୍ୟୋତି ରଞ୍ଜନ ପରିଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Post COVID care, in Odia language, is based on an extensive interview with Rheumatologist and immunologist Dr. Jyoti Ranjan Parida.