ପ୍ରିମାଚ୍ୟୁର ବେବି ବା ଅପକ୍ୱ ଶିଶୁ ଜନ୍ମ ହେଲେ ପରିବାର ଲୋକଙ୍କର ଚିନ୍ତା ବଢ଼ିଯାଏ। ତେବେ ସେମାନଙ୍କର ଯତ୍ନ କିପରି ନେବେ ଜାଣିରଖନ୍ତୁ।

ସାଧାରଣତଃ ୩୭ ସପ୍ତାହ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କୁ ପ୍ରିମାଚ୍ୟୁର ବା ଅପକ୍ୱ ଶିଶୁ କୁହାଯାଏ। ପ୍ରିମାଚ୍ୟୁର ବେବିଙ୍କର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। କାରଣ ଅପକ୍ୱ ଶିଶୁର ଶରୀର ସ୍ୱାଭାବିକ ଶିଶୁ ଭଳି କାମ କରି ନ ଥାଏ। ସେବା ଯତ୍ନ ପାଇଲେ ଏମାନେ ବି ସାଧାରଣ ପିଲାଙ୍କ ପରି ବଢ଼ିଯାଆନ୍ତି। ତେବେ ବେବି ପ୍ରିମାଚ୍ୟୁର ହୋଇଥିଲେ କିଛି ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ବେଳେବେଳେ ୨୭ ସପ୍ତାହ ବା ସାତ ମାସରେ ଛୁଆ ଜନ୍ମ ହୋଇଥା’ନ୍ତି। ସେତେବେଳେ ଶିଶୁର ଓଜନ ବହୁତ କମ୍‌ ଥିବା ସହ ତା’ର ଶରୀରର କେତେକ ଅଙ୍ଗ ତିଆରି ହେବା ବାକିଥାଏ। ଏଭଳି ପିଲା ଜନ୍ମ ହେବା ପରେ ଏନଆଇସିୟୁରେ ଭର୍ତ୍ତି କରିବାର ଆବଶ୍ୟକତା ରହିଥାଏ।

ଅଧିକ ପଢ଼ନ୍ତୁ: ଶିଶୁ ବିଳମ୍ବରେ କଥା କହୁଛି କି? ଜାଣନ୍ତୁ ଏହାର କାରଣ

ବେଳେବେଳେ ଏହି ଶିଶୁମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ସେହି ସମୟରେ ଏନଆଇସିୟୁରେ ସେମାନଙ୍କ ପାଇଁ ଭେଣ୍ଟିଲେଟର ବ୍ୟବସ୍ଥା ରହିଥାଏ। ଶିଶୁଟିର ନିୟମିତ ରକ୍ତଚାପ ମପାଯାଏ। ଏଥି ସହିତ ପ୍ରତି ମୁହୂର୍ତ୍ତରେ ଶିଶୁର ହୃଦ୍‌କ୍ରିୟା ଓ ଶ୍ୱାସକ୍ରିୟା ଉପରେ ନଜର ରହିଥାଏ। ଦେହରେ ଏକ ସେନସର ଲଗାଇ ତା’ର ଉତ୍ତାପ ଉପରେ ନଜର ରହିଥାଏ। କାମଳ ବା ଜଣ୍ଡିସ ଦେଖାଦେଲେ ଲାଇଟ୍‌ ବା ଆଲୋକରଶ୍ମୀ ପକାଇ ଚିକିତ୍ସା କରାଯାଏ।

ପ୍ରିମାଚ୍ୟୁର ବା ଅପକ୍ୱ ଶିଶୁକୁ କଙ୍ଗାରୁ ସେବା ଯୋଗାଇ ଦିଆଯାଇଥାଏ। ମାଆ ଶିଶୁକୁ ନିଜ ଛାତିରେ ଶୁଆଇ କପଡ଼ା ଘୋଡ଼ାଇ ରଖିଥାଏ। ଫଳରେ ମା’ ଓ ଶିଶୁର ଚର୍ମ ଲାଗିକରି ରହେ। ଫଳରେ ମା’ ଦେହର ଉତ୍ତାପ ଶିଶୁକୁ ମିଳିଥାଏ ଓ ଶିଶୁର ଶରୀରର ତାପମାତ୍ରା ଠିକ୍‌ ରହିଥାଏ।

ଅପକ୍ୱ ଶିଶୁର ହଜମ ପ୍ରକ୍ରିୟା ଦୁର୍ବଳ ଥାଏ। ତେଣୁ ତାକୁ ଅଳ୍ପ ଅଳ୍ପ କରି କ୍ଷୀର ପିଆଯାଇଥାଏ। ସେ ଏତେ ଦୁର୍ବଳ ଥାନ୍ତି ଯେ ନିଜେ ମାଆଠାରୁ କ୍ଷୀର ପିଇ ପାରି ନ ଥାଏ। ତେଣୁ ପ୍ରଥମ ଏକ ସପ୍ତାହ ଯାଏଁ ଶୀରା ବାଟ ଦେଇ ଖାଦ୍ୟ ଦିଆଯାଇଥାଏ। କାରଣ ଶିଶୁଟି କ୍ଷୀର ଢୋକିବା ପାଇଁ କିମ୍ବା ହଜମ କରିବା ପାଇଁ ସମର୍ଥ ହୋଇ ନ ଥାଏ। ପରେ ସ୍ୱତନ୍ତ୍ର ବୋତଲରେ ତାକୁ କ୍ଷୀର ପିଇଯାଇଥାଏ। ପରବର୍ତ୍ତୀ ସମୟରେ ସେ ନିଜ ଖାଇବା ପାଇଁ ସମର୍ଥ ହେଲେ ତାକୁ ଏନଆଇସିୟୁରୁ ବାହାରକୁ ଅଣାଯାଇଥାଏ।