ଆଜିକାଲି ସବୁ ବୟସର ଲୋକ ଇଣ୍ଟରନେଟ୍‌ ନିଶାର ଶିକାର ହେଉଛନ୍ତି। ଫଳରେ ଏହା ତାଙ୍କର ସାମାଜିକ ଓ ପାରିବାରିକ ଜୀବନ ଉପରେ ପ୍ରଭାବ ପକାଉଛି। ବର୍ତ୍ତମାନ ସମୟରେ ଇଣ୍ଟରନେଟ୍‌ ନିଶା କାହିଁକି ବଢ଼ୁଛି? ଏଥିରୁ ମୁକୁଳିବେ କିପରି? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଂଶୁ ଦେ’ କ’ଣ କହୁଛନ୍ତି, ଜାଣନ୍ତୁ।

ଇଣ୍ଟରନେଟ୍ ନିଶା କ’ଣ? (What is internet addiction in Odia)

ଆଜି ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍‌। ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ମଣିଷ ଘଡ଼ିକୁ ଘଡ଼ି ଇଣ୍ଟରନେଟ୍‌ର ବ୍ୟବହାର କରୁଛି। ଏଥିରୁ ନା ଯୁବପିଢ଼ି, ମଧ୍ୟବୟସ୍କ, ଗୃହିଣୀ ବା ଛୋଟପିଲା କେହି ବାଦ୍‌ ପଡ଼ିନାହାନ୍ତି। ସବୁବେଳେ ଇଣ୍ଟରନେଟ୍‌ର ବ୍ୟବହାର କରି କରି ଏହା ନିଶାରେ ପରିଣତ ହୋଇଯାଉଛି, ଯାହାକୁ ଇଣ୍ଟରନେଟ୍‌ ଆଡିକ୍‌ସନ୍‌ କୁହାଯାଏ।

ଯେତେବେଳେ ଜଣେ ବ୍ୟକ୍ତି ନିଜର କାର୍ଯ୍ୟକୁ ଭୁଲି ଇଣ୍ଟରନେଟ୍‌ରେ ବୁଡ଼ି ରହିବ, ଯାହାକି ନିଜର କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିବ, ସେତେବେଳେ ଜାଣିବା ଯେ ବ୍ୟକ୍ତି ଇଣ୍ଟରନେଟ୍‌ ଆଡିକ୍‌ସନ୍‌ର ଶିକାର। ଏହାଦ୍ୱାରା ବ୍ୟକ୍ତି ସମସ୍ତଙ୍କ ସହ ଅନ୍‌ଲାଇନ୍‌ ଚାଟ୍‌ କରିବାକୁ ପସନ୍ଦ କରନ୍ତି, ଅଜଣା ଲୋକଙ୍କ ସହ କଥାବାର୍ତ୍ତା କରିବାରେ ବ୍ୟସ୍ତ ହୋଇପଡ଼ନ୍ତି।

ଅଧିକ ପଢ଼ନ୍ତୁ: ଛୋଟ ପିଲାଙ୍କ ପାଇଁ ବିପଦ ମୋବାଇଲ ନିଶା

କାହିଁକି ବଢ଼ୁଛି ଇଣ୍ଟରନେଟ୍ ନିଶା? (Why is Internet addiction on the rise in Odia)

ଇଣ୍ଟରନେଟ୍‌ ବ୍ୟବହାର କରିବା ଦ୍ୱାରା ଲୋକଙ୍କୁ ଖୁସି ମିଳିଥାଏ। ଯେତେବେଳେ ଜଣେ ବ୍ୟକ୍ତି କୌଣସି ପ୍ରକାର ନିଶା ସେବନ କରିଥାଆନ୍ତି, ସେତେବେଳେ ମସ୍ତିଷ୍କରେ ଡୋପାମିନ୍‌ ନାମକ କେମିକାଲ କ୍ଷରଣ ଦିଏ, ଯାହା ମଣିଷକୁ ଖୁସି ଦିଏ। ଅଧିକ ଖୁସି ପାଇବା ପାଇଁ ବ୍ୟକ୍ତି ସେହି ନିଶାକୁ ବହୁଳ ବ୍ୟବହାର କରିଥାଆନ୍ତି।

ପୂର୍ବରୁ ଯୌଥ ପରିବାର ଥିଲା। ପିଲାମାନେ ହୁଅନ୍ତୁ ବା ବଡ଼ ଲୋକ ସମସ୍ତେ ପରିବାର ସହ ଛୁଆଙ୍କ ସହ ସମୟ ବିତାଉଥିଲେ। ହେଲେ ବର୍ତ୍ତମାନ ଏକକ ପରିବାରରେ ବାପା, ମା’, ଦୁଇଟି ପିଲା କିମ୍ବା ଗୋଟିଏ ପିଲା ବସବାସ କରୁଛନ୍ତି ଏବଂ ବାପାମା’ ଉଭୟ କାର୍ଯ୍ୟରତ। ଫଳରେ ପିଲାମାନେ ଏକୁଟିଆ ଅନୁଭବ କରି ମୋବାଇଲରେ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି।

ବର୍ତ୍ତମାନ ମାନସିକ ଚାପ, ଅଫିସ୍‌ ଷ୍ଟ୍ରେସ୍‌, ଘରର ଷ୍ଟ୍ରେସ୍‌ ଯୋଗୁଁ ଲୋକେ ବାସ୍ତବ ଦୁନିଆ ଅପେକ୍ଷା ଅବାସ୍ତବ ଦୁନିଆରେ ରହିବାକୁ ପସନ୍ଦ କରୁଛନ୍ତି। ଏହାସହ କୋଭିଡ୍‌ ସମୟରେ ଲକ୍‌ଡାଉନ୍‌ ଯୋଗୁଁ ଲୋକେ ଅଧିକାଂଶ ସମୟ ଘରେ ରହୁଛନ୍ତି, ଯାହାଫଳରେ ସେମାନଙ୍କର ଇଣ୍ଟରନେଟ୍‌ ନିଶା ବଢ଼ିଗଲାଣି।

ପିଲାଙ୍କଠାରେ ମଧ୍ୟ ବଢ଼ୁଛି ଇଣ୍ଟରନେଟ୍ ନିଶା (Internet addiction rising among kids in Odia)

ଅନେକ ସମୟରେ ଦେଖାଦେଇଥାଏ ବାପା ମା’ ଛୋଟ ପିଲାଙ୍କ ହାତରେ ମୋବାଇଲ୍‌ ଧରାଇ ଦେଇଥା’ନ୍ତି। ପିଲା ଯଦି କାନ୍ଦୁଛି ଶାନ୍ତ କରିବା ଲାଗି ଫୋନ୍‌, ପିଲା ଯଦି ଖାଉନି ତେବେ ମୋବାଇଲ ଦେଖାଇ ଖୁଆଇବା, ଏପରି କି ଯଦି ବାପା ମା’ଙ୍କ କୌଣସି କାମ ଅଛି ଆଉ ପିଲା ଅଳି କରୁଛି ସେତେବେଳେ ପିଲା ହାତରେ ଫୋନ ଦେଇଥା’ନ୍ତି ବାପାମା’। କିନ୍ତୁ ପିଲାମାନଙ୍କ ପାଇଁ ଫୋନ୍ ବ୍ୟବହାର କରିବା କ୍ଷତିକାରକ ହୋଇଥାଏ।

ଅଧିକ ପଢ଼ନ୍ତୁ: ଲମ୍ବା ସମୟ କମ୍ପ୍ୟୁଟର ବ୍ୟବହାର କରି ଆଖି ଯନ୍ତ୍ରଣା ହେଉଛି କି?

ଯୁବପିଢ଼ିଙ୍କ ଉପରେ ଇଣ୍ଟରନେଟ୍ ବ୍ୟବହାରର ପ୍ରଭାବ (Impact of Internet use among youth in Odia)

ବର୍ତ୍ତମାନ ସମୟରେ ଯୁବପିଢ଼ି ସୋସିଆଲ ମିଡିଆରେ ବେଶି ସମୟ ବିତାଇଥାଆନ୍ତି। ସେମାନେ ସୋସିଆଲ ମିଡିଆରେ ଅଧିକରୁ ଅଧିକ ସାଙ୍ଗସାଥୀ ବନାଇଥାଆନ୍ତି, କିନ୍ତୁ ବାସ୍ତବ ଦୁନିଆରେ ସେମାନଙ୍କର କେହି ସାଙ୍ଗ ନଥିବେ। ମନେକର, ସୋସିଆଲ ମିଡିଆରେ ଗୋଟେ ଫଟୋ ଦେଲେ, ସେମାନେ ଦେଖନ୍ତି ଯେ, ଫଟୋରେ କେତେ ଲାଇକ୍‌ ଓ କମେଣ୍ଟ ଆସିଲା। ସେମାନେ ସବୁବେଳେ ନିଜକୁ ଅନ୍ୟ ସହ ତୁଳନା କରନ୍ତି। ସେମାନେ ସାଙ୍ଗମାନଙ୍କ ସହ ଥିଲା ବେଳେ ବି ମୋବାଇଲରେ ବ୍ୟସ୍ତ ଥା’ନ୍ତି।

ମଧ୍ୟ ବୟସ୍କଙ୍କଠାରେ ମଧ୍ୟ ପଡ଼ୁଛି ଇଣ୍ଟରନେଟ୍ ନିଶାର ପ୍ରଭାବ (Effects of Internet addiction among elderly in Odia)

ମଧ୍ୟ ବୟସ୍କଙ୍କଠାରେ ଇଣ୍ଟରନେଟ୍‌ ନିଶା ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର, ସନ୍ଦେହ ଓ କେତେକ କ୍ଷେତ୍ରରେ ବିବାହ ବିଚ୍ଛେଦର ମଧ୍ୟ ଶିକାର ହେଉଛନ୍ତି।

ଏହାଛଡ଼ା ମଧ୍ୟ ବୟସ୍କର ଲୋକମାନେ ଛୋଟ ଛୋଟ କଥା ଜାଣିବା ପାଇଁ ଗୁଗଲ ସର୍ଚ୍ଚ କରୁଛନ୍ତି। ଯଦି ଡାକ୍ତରଙ୍କ ପାଖକୁ ଯାଉଛନ୍ତି ଓ ଡାକ୍ତର କୌଣସି ମେଡିସିନ୍‌ ଦେଉଛନ୍ତି, ଲୋକମାନେ ସେହି ମେଡିସିନ୍‌କୁ ଗୁଗଲରେ ସର୍ଚ୍ଚ କରି ଦେଖୁଛନ୍ତି, ତା’ର ପାର୍ଶ୍ୱପ୍ରତିକ୍ରିୟା ଖୋଜୁଛନ୍ତି। ଫଳରେ ସେମାନଙ୍କର ଡାକ୍ତରଙ୍କ ଉପରେ ବିଶ୍ୱାସ କମିଯାଉଛି।

ଅଧିକ ପଢ଼ନ୍ତୁ: ଆପଣଙ୍କ ପିଲା ମୋବାଇଲ ଦେଖିବାକୁ ପସନ୍ଦ କରୁଛି କି? ହୋଇପାରେ ଏହି ସମସ୍ୟା

ଇଣ୍ଟରନେଟ୍ ନିଶା ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା (Health problems due to internet addiction in Odia)

ଇଣ୍ଟରନେଟ୍‌ ନିଶା ଯୋଗୁଁ ଅନେକଗୁଡ଼ିଏ ଶାରୀରିକ ତଥା ମାନସିକ ସମସ୍ୟା ହୋଇପାରେ। ଅଧିକ ସମୟ ମୋବାଇଲ ବ୍ୟବହାର କରିବା ଦ୍ୱାରା ହାତର ଗଣ୍ଠି ଯନ୍ତ୍ରଣା ହୋଇଥାଏ। ବହୁତ ସମୟ ମୋବାଇଲ ତଳକୁ ଅନେଇବା ଯୋଗୁଁ ବେକ ଯନ୍ତ୍ରଣା, ମେରୁଦଣ୍ଡ ଯନ୍ତ୍ରଣା  ହୋଇଥାଏ।

ରାତି ରାତି ଅନିଦ୍ରା ରହି ଇଣ୍ଟରନେଟ୍‌ ବ୍ୟବହାର କରିବା ଦ୍ୱାରା ନିଦ୍ରାହୀନତା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ। ଲମ୍ବା ସମୟ ଧରି ମୋବାଇଲ ବ୍ୟବହାର କରିବା ଦ୍ୱାରା ଆଖିରେ ଯନ୍ତ୍ରଣା, ଆଖିକୁ ଜାଲଜୁଲିଆ ଦେଖାଯିବା, ଆଖି ପୋଡ଼ିବା, ମୁଣ୍ଡ ବିନ୍ଧା ଭଳି ସମସ୍ୟା ଉପୁଜିପାରେ।

ଇଣ୍ଟରନେଟ୍‌ ବ୍ୟବହାର ଯୋଗୁଁ କେବଳ ଶାରୀରିକ ସମସ୍ୟା ନୁହେଁ ମାନସିକ ସମସ୍ୟା ମଧ୍ୟ ଦେଖାଦିଏ। ଯେପରିକି ମାନସିକ ଅବସାଦ ବା ଡିପ୍ରେସନ୍‌, ଏଙ୍ଗଜାଇଟି ହୋଇଥାଏ।

ଇଣ୍ଟରନେଟ୍ ଜାଲରୁ କେମିତି ମୁକୁଳିବେ? (How to address internet addiction in Odia)

ଯଦି ଆପଣଙ୍କ ପରିବାରରେ କିଏ ସବୁବେଳେ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି କିମ୍ବା ଆପଣ ଇଣ୍ଟରନେଟ୍‌ ନିଶାର ଶିକାର ହେଉଛନ୍ତି, ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ଇଣ୍ଟରନେଟ୍‌ ଜାଲରୁ ମୁକୁଳିବା ପାଇଁ ମାନସିକ ବିଭାଗର ଡାକ୍ତର କାଉନ୍‌ସେଲିଂ ଏବଂ ମେଡିସିନ୍‌ ପରାମର୍ଶ କରିଥାଆନ୍ତି। କାଉନ୍‌ସିଲିଂ ପାଇଁ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପାଖକୁ ବାରମ୍ବାର ଯିବାକୁ ପଡ଼ିଥାଏ। ୪ରୁ ୫ ଟା ପର୍ଯ୍ୟାୟରେ ଏହା ସମ୍ପୂର୍ଣ୍ଣ ଭଲ ହୋଇଯିବ। ତେଣୁ ଇଣ୍ଟରନେଟ୍‌ର ବ୍ୟବହାର ଉପରେ ନିୟନ୍ତ୍ରଣ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସ୍ନେହାଂଶୁ ଦେ’ଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on  Internet Addiction, in Odia language, is based on an extensive interview with Psychiatrist Dr Snehanshu Dey.