କେଉଁ କାରଣ ପାଇଁ ମେରୁଦଣ୍ଡ ଯନ୍ତ୍ରଣା ହୋଇଥାଏ? ଏହାର ନିରାକରଣ ଏବଂ ଚିକିତ୍ସା କ’ଣ? ଏନେଇ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (spinal pain: causes, preventions and treatments)

ମଣିଷ ଶରୀରର ମେରୁଦଣ୍ଡ ୩୩ ଖଣ୍ଡ ହାଡ଼କୁ ନେଇ ଗଠିତ। ଏହି ହାଡ଼ ମସ୍ତିଷ୍କ, ବେକ, ପିଠି, ଅଣ୍ଟା ଏବଂ ମଳଦ୍ୱାର ଯାଏଁ ବ୍ୟାପିଛି। ମେରୁଦଣ୍ଡର ମଧ୍ୟ ଦେଇ ଏକ ଦଉଡ଼ି ସଦୃଶ ଆକାର ରହିଛି, ଯାହାକୁ ସ୍ପାଇନାଲ କର୍ଡ ବା ସୁଷମ୍ନା କାଣ୍ଡ ବୋଲି କୁହାଯାଏ। ସୁଷମ୍ନା କାଣ୍ଡର ଉଭୟ ପାର୍ଶ୍ୱରୁ ୩୧ଟି ସ୍ନାୟୁ ବାହାରିଛି। ବେକର ୮ଟି ସ୍ନାୟୁ ହାତ ସହିତ ଓ ଅଣ୍ଟାର ୫ଟି ସ୍ନାୟୁ ଗୋଡ଼ ସହ ସଂଯୋଗ କରୁଛି। ଶରୀରରେ କୌଣସି ଆଘାତ ଲାଗିଲେ ସ୍ନାୟୁ ଜରିଆରେ ମସ୍ତିଷ୍କକୁ ବାର୍ତ୍ତା ପହଞ୍ଚେ। ସ୍ପାଇନାଲ କର୍ଡ ଏବଂ ହାଡ଼ରେ କୌଣସି ସମସ୍ୟା ଦେଖାଦେଲେ ମେରୁଦଣ୍ଡ ଯନ୍ତ୍ରଣା ହୋଇଥାଏ।

ମେରୁଦଣ୍ଡ ହାଡ଼ର ମଝିରେ ଦୁଇ ସ୍ତର ବିଶିଷ୍ଟ ଡିସ୍କ ବା ସକ୍‌ ଆବଜରଭର ରହିଛି। ଆମେ ନଇଁକି ଭାରୀ ଜିନିଷ ଉଠାଇଲେ ଏହାର ଉପର ସ୍ତର ଫାଟିଯାଏ। ଏହି ଡିସ୍କରୁ ବାହାରୁଥିବା ଜେଲି ସଦୃଶ ସ୍ନାୟୁକୁ ପ୍ରଭାବିତ କରେ। ଫଳରେ ଗୋଡ଼ ଝିମ୍‌ ଝିମ୍‌ ହେବ, ବଧିରା ପଡ଼ିଯିବ, କାଲୁଆ ପଡ଼ିଯିବ, ଜ୍ୱଳା ପୋଡ଼ା ହେବ।

ମେରୁଦଣ୍ଡ ଯନ୍ତ୍ରଣାର ଦ୍ୱିତୀୟ କାରଣ ହେଲା ବୟସ। ବୟସ ବଢ଼ିଲେ ସ୍ପାଇନାଲ କର୍ଡର ଆକାର ଛୋଟ ହୋଇଯାଏ। ଫଳରେ ବୟସ୍କ ଲୋକଙ୍କର ସ୍ପଣ୍ଡିଲାଇଟିସ୍‌ ଦେଖାଦିଏ।

ଅଧିକ ପଢ଼ନ୍ତୁ: ଅଣ୍ଟା ବିନ୍ଧା କାହିଁକି ହୁଏ? ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି

ମେରୁଦଣ୍ଡ ଯନ୍ତ୍ରଣା କାହିଁକି ହୁଏ? (Why does spinal pain occur in Odia)

ବିଭିନ୍ନ କାରଣରୁ ମେରୁଦଣ୍ଡ ଯନ୍ତ୍ରଣା ହୋଇଥାଏ। ଛୋଟ ପିଲା ଅଧିକ ଓଜନର ବ୍ୟାଗ ବୁହାଇଲେ ମେରୁଦଣ୍ଡକୁ ଆଘାତ ଲାଗିଥାଏ। ଯୁବତୀମାନେ ଅଧିକ ଇଞ୍ଚର ହିଲ ପିନ୍ଧିଲେ, ବେଶି ସମୟ ବସିକି କାମ କରିଲେ, ଖାଦ୍ୟପେୟ ଠିକ ନ କଲେ, ନିୟମିତ ବ୍ୟାୟାମ ନ କରିଲେ ମେରୁଦଣ୍ଡ ଯନ୍ତ୍ରଣା ହୋଇପାରେ।

ଏହାଛଡ଼ା ବୟସ ବଢ଼ିଲେ ହାଡ଼ ଦୁର୍ବଳ ହୋଇ ଅଷ୍ଟିଓପୋରୋସିସ୍‌ ହୋଇଥାଏ। ଫଳରେ ସ୍ପଣ୍ଡିଲାଇଟିସ୍‌ ହୋଇ ମେରୁଦଣ୍ଡ ଯନ୍ତ୍ରଣା ହୋଇଥାଏ।

ସାଧାରଣତଃ ମେରୁଦଣ୍ଡର ଡିସ୍କ ଖସିଗଲେ ଯନ୍ତ୍ରଣା ହୋଇଥାଏ। ୧୦ରୁ ୪୦ ବର୍ଷ ବୟସ ମଧ୍ୟରେ ଏହା ଅଧିକ ହୋଇଥାଏ। ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ସ୍ପଣ୍ଡିଲାଇଟିସ୍‌ ଯୋଗୁଁ ମେରୁଦଣ୍ଡ ଯନ୍ତ୍ରଣା ହୋଇଥାଏ। ଟିବି, କ୍ୟାନ୍‌ସର ଭଳି ରୋଗ ହେଲେ ବି ମେରୁଦଣ୍ଡ ଯନ୍ତ୍ରଣା ହୋଇପାରେ।

surya namaskar

ଅଧିକ ପଢ଼ନ୍ତୁ: ସ୍ପାଇନାଲ ଟିବି କ’ଣ?

ମେରୁଦଣ୍ଡ ଯନ୍ତ୍ରଣାର ନିରାକରଣ (Spinal pain Preventions in Odia)

ଛୋଟ ପିଲାର ଶକ୍ତି ଅନୁସାରେ ସ୍କୁଲ ବ୍ୟାଗର ଓଜନ ରହିବା ଦରକାର।

ଯୁବତୀମାନେ ହିଲ୍‌ ଥିବା ଜୋତା ପିନ୍ଧିବାରୁ ଦୂରେଇ ରହନ୍ତୁ।

ଅଧିକ ସମୟ ବସନ୍ତୁ ନାହିଁ।

ଅଧିକ ସମୟ ବସି ନ ରହି ପ୍ରତି ଅଧ ଘଣ୍ଟାରେ ଚଲାବୁଲା କରନ୍ତୁ।

ବୟସ୍କଙ୍କଠାରେ ବା ମେନୋପଜ ପରେ ଅଷ୍ଟିଓପୋରୋସିସ୍‌ ସମସ୍ୟା ଦେଖାଦିଏ। ଏଥିପାଇଁ ଡାକ୍ତରଙ୍କୁ ପରାମର୍ଶ କରି ଚିକିତ୍ସା କରିବା ଦରକାର।

hot milk

ଅଧିକ ପଢ଼ନ୍ତୁ: ପିଠି ଯନ୍ତ୍ରଣା ହେଉଛି କି? ଜାଣି ରଖନ୍ତୁ

କେମିତି ରଖିବେ ହାଡ଼କୁ ମଜଭୁତ? (How to keep bones strong in Odia)

ହାଡ଼କୁ ମଜଭୁତ ରଖିବା ପାଇଁ କ୍ୟାଲସିୟମ୍‌ ଓ ଭିଟାମିନ୍‌ ଡି ନିହାତି ଜରୁରୀ। ତେଣୁ ଖାଦ୍ୟରେ କ୍ଷୀର ସାମିଲ କରନ୍ତୁ। କ୍ଷୀରରେ ପ୍ରଚୁର ପରିମାଣର କ୍ୟାଲସିୟମ୍‌ ରହିଛି। ଏହାସହ ପ୍ରତ୍ୟେକ ଦିନ ୩୦ ମିନିଟ୍‌ ଲେଖାଏଁ ସୂର୍ଯ୍ୟକିରଣ ସଂସ୍ପର୍ଶରେ ରହନ୍ତୁ। ହାଡ଼ ଭିତରେ କ୍ୟାଲସିୟମ୍‌ ପହଞ୍ଚାଇବାରେ ସୂର୍ଯ୍ୟକିରଣ ସାହାଯ୍ୟ କରିଥାଏ।

ମଣିଷ ଶରୀରକୁ ପ୍ରତିଦିନ ୧ ହଜାର ମିଲିଗ୍ରାମ କ୍ୟାଲସିୟମ୍‌ ଦରକାର। ମଜଭୁତ ହାଡ଼ ପାଇଁ ମସ୍ତିଷ୍କର ମଧ୍ୟ କାମ ରହିଛି। ମସ୍ତିଷ୍କର କାର୍ଯ୍ୟ ପାଇଁ ଭିଟାମିନ୍‌ ବି-୧୨ ଖାଇବା ଦରକାର। ମାଛରେ ଅଧିକ ପରିମାଣରେ ଭିଟାମିନ୍‌ ବି-୧୨ ରହିଛି। କିନ୍ତୁ, ମାଛ ଖାଉଥିଲେ ମାଛର ଚୋପା ଖାଆନ୍ତୁ ନାହିଁ ଏବଂ କ୍ଷୀରର ସର କାଢ଼ି ଖାଆନ୍ତୁ।

ସୁସ୍ଥ ମେରୁଦଣ୍ଡ ପାଇଁ କ’ଣ କରିବେ?

ସୁସ୍ଥ ମେରୁଦଣ୍ଡ ଲାଗି ପ୍ରତ୍ୟେକ ଦିନ ବ୍ୟାୟାମ, ଯୋଗ କରିବା ଆବଶ୍ୟକ। ସୂର୍ଯ୍ୟ ନମସ୍କାର ଅଣ୍ଟା ପାଇଁ ବହୁତ ଭଲ।

କିଛି ଲୋକ ଶୋଇବା ବେଳେ ମୋଟା ତକିଆ ଦେଇ ଶୋଇଥା’ନ୍ତି। ମୋଟା ତକିଆରେ ସବୁବେଳେ ଶୋଇଲେ ସ୍ପଣ୍ଡିଲାଇଟିସ୍‌ ସମସ୍ୟା ହୋଇଥାଏ। ତେଣୁ ଶୋଇବା ବେଳେ ପତଳା ଗଦି ଓ ତକିଆରେ ଶୋଇବା ଅଣ୍ଟା, ମେରୁଦଣ୍ଡ ପାଇଁ ଭଲ। ଏହାସହିତ ସୁସ୍ଥ ମେରୁଦଣ୍ଡ ପାଇଁ ସଠିକ୍‌ ପୋଷଣ ଦରକାର।

ଅଧିକ ପଢ଼ନ୍ତୁ: ଅଷ୍ଟିଓପୋରୋସିସରୁ ବର୍ତ୍ତିବେ କିପରି?

ମେରୁଦଣ୍ଡ ସମସ୍ୟାର ଚିକିତ୍ସା (Treatment of spinal problems in Odia)

ଡାକ୍ତରମାନେ ସାଧାରଣତଃ ମେରୁଦଣ୍ଡ ସମସ୍ୟା ଥିବା ରୋଗୀଙ୍କୁ ବ୍ୟାୟାମ କରିବାକୁ ପରାମର୍ଶ ଦିଅନ୍ତି। ଏହାସହ ବେଲ୍ଟ ବାନ୍ଧିବାକୁ, ଆଗକୁ ନଇଁ କରି କୌଣସି ଜିନିଷ ନ ଉଠାଇବାକୁ, ପତଳା ତକିଆ ଓ ଗଦିରେ ଶୋଇବାକୁ ପରାମର୍ଶ ଦେଇଥା’ନ୍ତି। ଏହାଛଡ଼ା ଡାକ୍ତରଙ୍କ ସହ ପରାମର୍ଶ କରି ପ୍ରତିଦିନ ଭିଟାମିନ୍‌ ଖାଆନ୍ତୁ। ଫିଜିଓଥେରାପି କରିଲେ ମେରୁଦଣ୍ଡ ସମସ୍ୟା ଠିକ୍‌ ହୋଇଯାଏ। ୯୦ରୁ ୯୫ ପ୍ରତିଶତ ରୋଗୀ ଏହାଦ୍ୱାରା ଭଲ ହୋଇଯା’ନ୍ତି।

କେବଳ ୫ ପ୍ରତିଶତ ଲୋକଙ୍କର ଅପରେସନ୍‌ ଦରକାର ପଡ଼େ। ଏଥିପାଇଁ ପ୍ରଥମେ ରୋଗୀଙ୍କର ଏକ୍ସ-ରେ ଏବଂ ଏମ୍‌ଆରଆଇ ଦ୍ୱାରା ହାଡ଼ର ପରୀକ୍ଷା କରାଯାଏ। ଯଦି ଗ୍ରେଡ୍‌ ୧ ପର୍ଯ୍ୟାୟରେ ଥାଏ, ତେବେ ରୋଗୀଙ୍କୁ ବେଲ୍ଟ ବାନ୍ଧିବାକୁ ଓ ବ୍ୟାୟାମ କରିବାକୁ କୁହାଯାଏ। ଯଦି ଅବସ୍ଥା ଜଟିଳ ଥାଏ ତେବେ ସ୍କ୍ରୁ ଦେଇ ଫିକ୍ସ କରିବାକୁ ପଡ଼େ।

ସର୍ଜରୀ ତିନି ପ୍ରକାରରେ ହୋଇଥାଏ ଯେପରିକି ଓପନ ସର୍ଜରୀ, ମାଇକ୍ରୋ ସର୍ଜରୀ ଓ ଏଣ୍ଡୋ ସ୍ପାଇନ୍‌ ସର୍ଜରୀ।

ଓପନ ସର୍ଜରୀ କରିବା ଦ୍ୱାରା ହାଡ଼ ଦୁର୍ବଳ ଏବଂ ପାରାଲିସିସ୍‌ ହେବାର ଆଶଙ୍କା ଥାଏ। ମାଇକ୍ରୋ ସର୍ଜରୀ ଦ୍ୱାରା ୧ ପ୍ରତିଶତ ଆଶଙ୍କା ରହିଛି ରୋଗୀଙ୍କର ପରାଲିସିସ୍‌ ହେବା। ଏଣ୍ଡୋସ୍ପାଇନ୍‌ ହେଉଛି ଅତ୍ୟାଧୁନିକ ସର୍ଜରୀ। ଏହି ଅପରେସନ୍‌ ୨୮ ମିନିଟ୍‌ରେ ବି ହୋଇପାରେ। ଏଥିରେ କୌଣସି ହାଡ଼, ମାଂସ କାଟିବାକୁ ପଡ଼ି ନଥାଏ। ପରାଲିସିସ୍‌ ହେବାର କୌଣସି ଆଶଙ୍କା ନଥାଏ। ଅପରେସନ୍‌ ହେବାର ୪ ଘଣ୍ଟା ପରେ ହିଁ ରୋଗୀ ଚାଲିବୁଲି ପାରିବେ।

ହେଲେ ବୟସ ବଢ଼ିବା ସହ ମେରୁଦଣ୍ଡର କେନାଲ ସରୁ ହୋଇଯାଏ। ସେତେବେଳେ ହାଡ଼ଗୁଡ଼ିକ ଅଷ୍ଟିଓପୋରୋସିସ୍‌ ହୋଇ ଦୁର୍ବଳ ହୋଇଯାଇ ଓହଳି ପଡ଼ିଯାଉଛି। ଏହି ସମସ୍ୟାକୁ ବି ଏଣ୍ଡୋସ୍ପାଇନ୍‌ ସର୍ଜରୀ ଦ୍ୱାରା ଚିକିତ୍ସା କରିହୁଏ। ଲହି ଅପରେସନ୍‌ ପରେ ରୋଗୀ ସାଧାରଣ ଲୋକଙ୍କ ଭଳି ସବୁ କିଛି କରିପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ପରେଶ ଚନ୍ଦ୍ର ଦେଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, causes, preventions and treatments of Spinal pain, based on the interview with Dr. Paresh Chandra Dey, a leading endospine and sports surgeon.