କାହିଁକି ହୁଏ ରୁପି? ଏହା ସାଧାରଣ ରୁପି ନା କୌଣସି ରୋଗ। ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣଙ୍କଠାରୁ ଅଧିକ ଜାଣିବା।

ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ରୁପି ସମସ୍ୟା ଦେଖିବାକୁ ମିଳିଥାଏ। ଏହାକୁ ନେଇ ଅନେକ ଚିନ୍ତିତ ମଧ୍ୟ। ମୁଣ୍ଡରୁ ଯେଉଁ ଚୋପା ଛାଡ଼େ ତାକୁ ରୁପି କୁହାଯାଏ। ୧୫ରୁ ୨୫ ବର୍ଷ ମଧ୍ୟରେ କିଶୋର କିଶୋରୀଙ୍କ ଶରୀରରେ ହରମୋନ୍‌ ପରିବର୍ତ୍ତନ ଯୋଗୁଁ ତ୍ୱଚାରେ ସ୍କେଲିନ୍‌ ବଢ଼ିଯାଏ। ମୁଣ୍ଡରେ ସ୍କେଲିନ୍‌ ହେଲେ ଆମେ ତାକୁ ରୁପି ବୋଲି କହୁ।

ରୁପି ସମସ୍ୟା କେଉଁ ବୟସରେ ହୁଏ? (At what age does the dandruff problem occur in Odia)

ଯେକୌଣସି ବୟସରେ ରୁପି ହୋଇପାରେ। ଜନ୍ମ ହେବା ପରେ ଶିଶୁଙ୍କଠାରେ ମଧ୍ୟ ରୁପି ହୋଇଥାଏ, ଯାହାକୁ ଲୋକେ ବଡ଼ା ବୋଲି କହିଥା’ନ୍ତି। ହେଲେ ବୃଦ୍ଧାବସ୍ଥାରେ ସୋରିଆସିସ୍‌, ସେବୋରିକ୍‌ ଡର୍ମାଟିଟିସ୍‌ ଏବଂ ମୁଣ୍ଡରେ ଯାଦୁ ହେଲେ ମଧ୍ୟ ଚୋପା ଛାଡ଼ିଥାଏ, ଏହାକୁ ମଧ୍ୟ ରୁପି କୁହାଯାଏ।

dandruff

ଅଧିକ ପଢ଼ନ୍ତୁ: କସ୍‌ମେଟିକ୍ ସର୍ଜରୀ କାହିଁକି ଦରକାର?

ବିଭିନ୍ନ ସମସ୍ୟା କାରଣରୁ ରୁପି (Dandruff due to various problems in Odia)

ମା’ ପେଟରୁ ଛୋଟ ଛୁଆଙ୍କର ରୁପି ହୋଇଥାଏ। ଜନ୍ମ ପରେ ଏହା ଅଧିକ ବଢ଼ିଯାଏ। ହେଲେ ଏଥିପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। କେବଳ ତେଲ ମାରିଲେ ଏହି ରୁପି ଛାଡ଼ିଯାଏ। କେତେକ କ୍ଷେତ୍ରରେ ରୁପି ଯୋଗୁଁ ଛୋଟ ଛୁଆଙ୍କର କେଶ ଝଡ଼ିଯାଏ କିନ୍ତୁ ପରେ ସେହି ଜାଗାରେ କେଶ ପୁଣି ଉଠିଥାଏ। ତେଣୁ ଛୋଟ ଛୁଆଙ୍କର ରୁପି ସମସ୍ୟା ପାଇଁ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ।

କିଶୋର କିଶୋରୀଙ୍କର ସାଧାରଣ ରୁପି ହେବା ସହ ଇଷ୍ଟ ସଂକ୍ରମଣ କରି କେଶରୁ ଚୋପା ଛାଡ଼ିଥାଏ। ମଣିଷର ତ୍ୱଚା ୪୫ ଦିନରେ ନୂଆ କରି ତିଆରି ହୁଏ। ଏହାର ଅର୍ଥ ତ୍ୱଚାର ଗୋଟେ ସ୍ତର ବାହାରିଯାଏ ଓ ନୂଆ ତ୍ୱଚା ତିଆରି ହୁଏ।

ଯେହେତୁ କେଶ ବଢ଼ୁଛି, ସେଠାର ତ୍ୱଚା ବି ନୂଆ କରି ତିଆରି ହେଉଛି। ତେଣୁ ତ୍ୱଚାରୁ ଚୋପା ଛାଡ଼ିଥାଏ, ଯାହାକୁ ରୁପି ବୋଲି ଧରାଯାଏ।

ଅଧିକ ପଢ଼ନ୍ତୁ: ଆପଣଙ୍କ କେଶ ଅଧିକ ଝଡ଼ୁଛି କି? ଜାଣନ୍ତୁ, ଡାକ୍ତରଙ୍କ ପରାମର୍ଶ

ରୁପି ସମସ୍ୟାର ଲକ୍ଷଣ (Symptoms of dandruff problems in Odia)

ସାମ୍ପୋ କରିବାର ଦିନେ କିମ୍ବା ଦୁଇ ଦିନ ପରେ କେଶରୁ ଚୋପା ଛାଡ଼ିବା ଆରମ୍ଭ ହୁଏ। ମୁଣ୍ଡ କୁଣ୍ଡେଇବା ବେଳେ ଏହି ଚୋପାଗୁଡ଼ିକ କପଡ଼ାରେ ପଡ଼ିଯାଏ। ଫଳରେ କେତେକ ଲୋକ ଚିନ୍ତିତ ହୋଇପଡ଼ନ୍ତି। କିନ୍ତୁ, ରୁପି ରୋଗ ନୁହେଁ।

ଫଙ୍ଗାଲ ଇନ୍‌ଫେକ୍ସନ୍‌, ସୋରିଆସିସ୍‌ ହେଲେ କେଶରୁ ଚୋପା ଛାଡ଼ିଥାଏ। ହେଲେ ସେହି ଚୋପାର ଆକାର ବଡ଼ ବଡ଼ ହୋଇଥାଏ। ଯେତେବେଳେ କେଶରୁ ଛୋଟ ଗୁଣ୍ଡ ଭଳି ଝଡ଼ୁଛି, ତେବେ ତାହା ସାଧାରଣ ରୁପି। ଯଦି କେଶରୁ ମୋଟା ମୋଟା ରୁପି ଝଡ଼ୁଛି କିମ୍ବା କେଶର ମୂଳରେ ପାଣି ଭଳି ରୁପି ଜମୁଛି, ତେବେ ଏହା କୌଣସି ସମସ୍ୟା ପାଇଁ ହୋଇଥାଏ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରିବା ଜରୁରୀ। ଶୁଖିଲା ରୁପି ହେଉଥିଲେ କେବଳ ମୁଣ୍ଡ ସଫା କରିଲେ ଏଥିରୁ ମୁକ୍ତି ପାଇପାରିବେ।

ରୁପି ସମସ୍ୟା ନା ଅନ୍ୟ କୌଣସି ରୋଗ

ବେଳେ ବେଳେ ମୁଣ୍ଡରୁ ମୋଟା ମୋଟା ଚୋପା ବାହାରିଥାଏ, ତେବେ ଏହା ସୋରିଆସିସ୍‌ କାରଣରୁ ହୋଇଥାଏ। ଏହି ରୁପି ପୂରା ମୁଣ୍ଡରେ ନ ହୋଇ ମୁଣ୍ଡର ଗୋଟେ ଗୋଟେ ଜାଗାରେ ହୋଇଥାଏ। ଏହି ରୁପିକୁ ଛୁଇଁଲେ ମୋଟା ମୋଟା ଲାଗିଥାଏ।

ସେବୋରିକ୍‌ ଡର୍ମାଟିଟିସ୍‌ ଯୋଗୁଁ ମଧ୍ୟ ରୁପି ହୋଇଥାଏ। ଏହି ସମସ୍ୟା ହେଲେ ମୁହଁରେ ବ୍ରଣ ଉଠିଥାଏ, ଆଇବ୍ରୋ, କାନ ପଛରେ, ନାକ ପାଖରେ ମଇଳା ଜମିଲା ଭଳି ହୋଇଥାଏ।

ଯଦି ହଠାତ୍‌ ଗୋଟେ ଜାଗାରୁ କେଶ ଝଡ଼ିଯାଉଛି ଓ ସେହି ସ୍ଥାନରେ ଚୋପା ଚୋପା ବାହାରୁଛି, ତେବେ ଏହା ଫଙ୍ଗାଲ ଇନ୍‌ଫେକ୍ସନ୍‌ ଯୋଗୁଁ ହୋଇଥାଏ।

ଜୀବନଶୈଳୀ କାରଣରୁ ରୁପି ସମସ୍ୟା (Dandruff problem due to lifestyle in Odia)

କୌଣସି କାରଣ ଯୋଗୁଁ ତ୍ୱଚା ତେଲିଆ ହେଲେ ରୁପିଗୁଡ଼ିକ ସେହି ତେଲ ସହ ମିଶି ଚିକ୍‌ଟା ଚିକ୍‌ଟା ହୋଇଯାଏ। ଏହାଛଡ଼ା ମୁଣ୍ଡ ସଫା ନ କଲେ ରୁପି ଅଧିକ ହୋଇଥାଏ। ତେଣୁ କେଶକୁ ନିୟମିତ ଭାବେ ସଫା କରିବା ଦରକାର। ଯଦି ଆପଣଙ୍କ ମୁଣ୍ଡର ତ୍ୱଚା ତେଲିଆ, ତେବେ ଆପଣ ପ୍ରତିଦିନ ସାମ୍ପୋ କରିପାରିବେ। ସବୁବେଳେ ମାଇଲ୍ଡ ସାମ୍ପୋ କିମ୍ବା ଡାକ୍ତରଙ୍କ ପରାମର୍ଶରେ ସାମ୍ପୋ ବ୍ୟବହାର କରନ୍ତୁ।

ଯଦି ଶୁଷ୍କ ତ୍ୱଚାରେ ଅଧିକ ସାମ୍ପୋ କରିବେ, ତେବେ ମୁଣ୍ଡର ତ୍ଵଚା ଆହୁରି ଶୁଷ୍କ ହୋଇଯିବ ଓ ରୁପି ସମସ୍ୟା ବଢ଼ିଯିବ। ଏଭଳି କ୍ଷେତ୍ରରେ ତେଲ ଲଗାନ୍ତୁ କିମ୍ବା ସାମ୍ପୋ ପରେ କଣ୍ଡିସନର ଲଗାନ୍ତୁ।

ଭିଟାମିନ୍‌ ଅଭାବରୁ ରୁପି ସମସ୍ୟା (Dandruff problem due to lack of vitamins in Odia)

ରାତି ଅନିଦ୍ରା ହେଲେ, ଦିନେ କିମ୍ବା ଦୁଇ ଦିନ ନ ଶୋଇଲେ, ମାନସିକ ଚାପରେ ରହିଲେ ତ୍ୱଚାରେ ତେଲ ସିକ୍ରେସନ୍‌ ହୋଇଥାଏ। ତେଣୁ ରୁପି ସମସ୍ୟା ଅଧିକ ହେବାର ସମ୍ଭାବନା ରହିଥାଏ। ଏହାଛଡ଼ା ଶରୀରରେ ବାୟୋଟିନ୍‌, ବି-୧୨, ଭିଟାମିନ୍‌ ସି ଅଭାବ ହେଲେ ମୁଣ୍ଡରୁ ଚୋପା ଛାଡ଼ିଥାଏ। ଏହିସବୁ ଭିଟାମିନ୍‌ ଅଭାବ ହେଲେ ତ୍ଵଚା ସମ୍ବନ୍ଧୀୟ ସମସ୍ୟା, କେଶ ଝଡ଼ିବା ଭଳି ସମସ୍ୟା ହୋଇପାରେ। ତେଣୁ ନିୟମିତ କ୍ଷୀର, ଶାଗ, ସବୁଜ ପନିପରିବା ଖାଇବା ଦରକାର। ଯଦି ଜଣେ ଶାକାହାରୀ ଲୋକ କ୍ଷୀର ପିଉନାହାନ୍ତି, ତେବେ ସେମାନେ ଭିଟାମିନ୍‌ ବି-୧୨ ଖାଇପାରିବେ। ଯଦି ଶାକାହାରୀ କ୍ଷୀର ପିଉଛନ୍ତି, ତେବେ ଭିଟାମିନ୍‌ ବି-୧୨ର ଆବଶ୍ୟକତା ନାହିଁ।

ରୁପି ସମସ୍ୟାର ଚିକିତ୍ସା (Treatment of dandruff problems in Odia)

ଆପଣ ଯେକୌଣସି ସାମ୍ପୋ ବ୍ୟବହାର କରିପାରିବେ। ନଚେତ୍‌ ଡାକ୍ତରଙ୍କ ପରାମର୍ଶରେ ସାମ୍ପୋ ବ୍ୟବହାର କରିପାରିବେ। ମୁଣ୍ଡରେ ଅତ୍ୟଧିକ ରୁପି ହେଉଥିଲେ ନିୟମିତ ସାମ୍ପୋ କରିପାରିବେ। କେଶକୁ ପ୍ରତିଦିନ ଧୋଇବେ। କେତେକ ଲୋକଙ୍କର ଅଭିଯୋଗ ଥାଏ ଯେ କେଶକୁ ନିୟମିତ ଧୋଇଲେ ଥଣ୍ଡା ଧରିବ। ଏଭଳି କ୍ଷେତ୍ରରେ ଆପଣ ଉଷୁମ ପାଣିରେ ମୁଣ୍ଡ ଧୁଅନ୍ତୁ ଅଥବା ମୁଣ୍ଡ ଧୋଇସାରିବା ପରେ ଖରାରେ କେଶ ଶୁଖାଇ ଦିଅନ୍ତୁ।

ମହିଳାଙ୍କର ଲମ୍ବା କେଶ ଯୋଗୁଁ ନିୟମିତ କେଶ ଧୋଇବା କଷ୍ଟକର ହୋଇପଡ଼େ। ତେଣୁ ଲମ୍ବା କେଶ ରଖିଥିବା ମହିଳାମାନେ ସପ୍ତାହକୁ ଦୁଇଥର ସାମ୍ପୋ କରନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଓ ସାମ୍ପୋ ବ୍ୟବହାର କରିପାରିବେ।

ରୁପି ପାଇଁ ଘରୋଇ ଉପଚାର କେତେ ଭଲ? (How good are home remedies in Odia)

ଘରୋଇ ଉପଚାର ବ୍ୟବହାର କରି ରୁପି ସମସ୍ୟା ଯାଇ ନଥାଏ। ଘରୋଇ ଉପଚାରରେ କେବଳ କେଶ କୋମଳ ହୋଇପାରେ, କିନ୍ତୁ ରୁପି ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥାଏ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମାନସ ରଞ୍ଜନ ପୁହାଣଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Dandruff problems, in Odia language, is based on an extensive interview with ‌Dermatologist Dr Manas Ranjan Puhan.