କସମେଟିକ୍ ଏବଂ ଲେଜର ସର୍ଜରୀ କ’ଣ? ଏହା କିପରି ହୁଏ? କସମେଟିକ୍ ଏବଂ ଲେଜର ସର୍ଜରୀ କାହିଁକି ଦରକାର? ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ବର୍ତ୍ତମାନ ସମୟରେ କସ୍‌ମେଟିକ୍ ଏବଂ ଲେଜର ସର୍ଜରୀ ଚିକିତ୍ସାର ଚାହିଦା ବେଶ୍ ବଢ଼ିବାରେ ଲାଗିଛି। ଏହା କୌଣସି ଜରୁରୀକାଳୀନ ଡାକ୍ତରୀ ଚିକିତ୍ସା ନୁହେଁ। ସୌନ୍ଦର୍ଯ୍ୟକୁ ବଢ଼ାଇବା ପାଇଁ ସାଧାରଣତଃ ଏହାର ବ୍ୟବହାର କରାଯାଏ। ଲେଜର ହେଉଛି ଏକ ପ୍ରକାର ଏନର୍ଜି ମେସିନ୍‌। ଯେଉଁଥିରେ ତ୍ୱଚାରେ ଅତ୍ୟଧିକ କେଶ, ଦାଗ, ଭାତୁଡ଼ି ଭଳି ସମସ୍ୟାକୁ କଢ଼ାଯାଇ ତ୍ୱଚାର ସୁନ୍ଦରତା ବଢ଼ାଯାଏ।

କାହିଁକି କରାଯାଏ କସ୍‌ମେଟିକ୍‌ ସର୍ଜରୀ? (Why do cosmetic surgeries in Odia)

ତ୍ୱଚାରେ ଥିବା କଳାଦାଗ (ପିଗ୍‌ମେଣ୍ଟେସନ୍‌), ବ୍ରଣ ପରର କଳାଦାଗ, ଦୁର୍ଘଟଣା ପର ଦାଗ, ମୁହଁରେ ଥିବା କଳାଦାଗ, କଳା ଜାଇ, ମୁହଁରେ ଖାଲ, ଧଳାଦାଗ, ଷ୍ଟ୍ରେଚ ମାର୍କ ପାଇଁ କସ୍‌ମେଟିକ୍‌ ପଦ୍ଧତିର ବ୍ୟବହାର କରାଯାଏ। ଯଦି ଆପଣଙ୍କର ଗାଲରେ କିମ୍ବା ଥୋଡ଼ିରେ ଅତ୍ୟଧିକ କେଶ ଅଛି, ତେବେ ଲେଜର ପଦ୍ଧତି ଦ୍ୱାରା କେଶକୁ ନଷ୍ଟ କରିଦିଆଯାଏ।

ସବୁ ବର୍ଗର ଲୋକଙ୍କ ପାଇଁ ଜରୁରୀ କସ୍‌ମେଟିକ୍‌ ସର୍ଜରୀ। ଯଦି ଜଣକର ୬ଟା ଆଙ୍ଗୁଳି ଅଛି, କିମ୍ବା ମୁହଁରେ ବଡ଼ ବଡ଼ ଜାଇ ବାହାରିଛି, ତେବେ ଲେଜର ମାଧ୍ୟମରେ ଏହାର ଚିକିତ୍ସା କରାଯାଏ।

ବୟସ ବଢ଼ିବା ସହିତ ତ୍ୱଚାରେ ବିଭିନ୍ନ ପରିବର୍ତ୍ତନ ଆସିଥାଏ। ତ୍ୱଚାରେ କଳାଦାଗ, ବୟସ ଛାପ ଜଣାପଡ଼ିଥାଏ ଓ ତ୍ୱଚା ଢିଲା ହୋଇଯାଏ। ଏ ସମସ୍ତ ସମସ୍ୟାକୁ ଲେଜର ଚିକିତ୍ସା ମାଧ୍ୟମରେ ଠିକ୍‌ କରାଯାଏ। ଫଳରେ ମୁହଁ ସୁନ୍ଦର ଦେଖାଯାଇଥାଏ।

Woman having facial care

ଅଧିକ ପଢ଼ନ୍ତୁ: ଆପଣଙ୍କ କେଶ ଅଧିକ ଝଡ଼ୁଛି କି? ଜାଣନ୍ତୁ, ଡାକ୍ତରଙ୍କ ପରାମର୍ଶ

କେମିତି ହୁଏ ଲେଜର ଚିକିତ୍ସା (How does laser treatment work in Odia)

କସ୍‌ମେଟିକ୍‌ ସଜର୍ରୀ କରିବା ପାଇଁ ବିଭିନ୍ନ ପ୍ରକାର ପଦ୍ଧତି ବ୍ୟବହାର କରାଯାଏ। ଯେପରିକି ଦାଗ ହଟାଇବା ପାଇଁ କେମିକାଲ ପିଲିଂ କରାଯାଏ।

ଆଉ ଏକ ପଦ୍ଧତିରେ ତ୍ୱଚାରେ କିଛି ଏନର୍ଜି ଦିଆଯାଏ। ଏଥିରେ ତ୍ୱଚାର ଉପରି ଭାଗ ନଷ୍ଟ ହୋଇ ନୂଆ ତ୍ୱଚା ସୃଷ୍ଟି ହୋଇଥାଏ।

ତ୍ୱଚାରେ ଥିବା ମେଲାପୋସାଇଟ୍‌ ଯୋଗୁଁ ମୁହଁ ଏବଂ ଦେହରେ କଳା କଳା ଦାଗ ହୋଇଥାଏ। ଲେଜର ଚିକିତ୍ସାରେ ମେଲାନୋସାଇଟ୍‌କୁ ନଷ୍ଟ କରାଯାଏ ଫଳରେ କଳା ଦାଗ ତିଆରି ହୋଇପାରେ ନାହିଁ।

ଯଦି କୌଣସି ସ୍ଥାନରେ ଅତ୍ୟଧିକ କେଶ ରହିଛି, ତେବେ ଲେଜର ପଦ୍ଧତିରେ ସେହି କେଶର ମୂଳକୁ ନଷ୍ଟ କରାଯାଏ। ଫଳରେ ସେଠାରେ ଆଉ କେଶ ଉଠେନାହିଁ।

କେତେକ ଲୋକ ଶରୀରରେ ଟାଟୁ କରିଥା’ନ୍ତି। ହେଲେ ପରମୁହୂର୍ତ୍ତରେ ଏହାକୁ ହଟାଇବାକୁ ଚାହାନ୍ତି। ଏଭଳି କ୍ଷେତ୍ରରେ ଲେଜର ମାଧ୍ୟମରେ ଟାଟୁ ବାହାର କରାଯାଏ। ଟାଟୁ ଗୋଟେ ଥରରେ ଲିଭେଇ ହୋଇ ନଥାଏ, ଏଥିପାଇଁ ୪ରୁ ୬ ଥର ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ।

ବୟସ ହେଲେ ତ୍ୱଚା ଢିଲା ହୋଇଯାଏ। ହେଲେ ଲେଜର ପଦ୍ଧତିରେ ତ୍ୱଚାକୁ ଟାଇଟ୍‌ ମଧ୍ୟ କରାଯାଏ। ଅତ୍ୟଧିକ ଫ୍ୟାଟ୍‌କୁ ବି ଲେଜର ପଦ୍ଧତିରେ ଠିକ୍‌ କରିହୁଏ।

Woman getting a facial treatment

ଅଧିକ ପଢ଼ନ୍ତୁ: ୪ଟି ଘରୋଇ ଫିଟନେସ୍ ଉପକରଣ – ଆପଣଙ୍କୁ ରଖିବ ଫିଟ୍ ଆଣ୍ଡ୍ ଫାଇନ୍

ଫେସିଆଲ ରିଜୁଭିନେସନ୍‌ କ’ଣ? (What is Facial Rejuvenation in Odia)

ଫେସିଆଲ ରିଜୁଭିନେସନ୍‌ରେ ଏସିଡ୍‌ ଭଳି ଏକ ଜିନିଷ ବ୍ୟବହାର କରି ତ୍ୱଚାର ପିଲିଂ କରାଯାଏ। ଏଥିରେ ତ୍ୱଚାର ଉପର ସ୍ତର ଉଠାଯାଏ। ଫଳରେ ତ୍ୱଚା ସୁନ୍ଦର ଦେଖାଯାଏ। ଲେଜର କିମ୍ବା କେମିକାଲ ମାଧ୍ୟମରେ ତ୍ୱଚାର ରିଜୁଭିନେସନ୍‌ କରାଯାଏ।

ଏହାଛଡ଼ା ଆଉ ଏକ ପଦ୍ଧତି ହେଉଛି ପିଆର୍‌ପି। ରକ୍ତରୁ ପ୍ଲେଟ୍‌ଲେଟ୍‌ ସଂଗ୍ରହ କରି ଇଞ୍ଜେକ୍‌ସନ୍‌, ଡର୍‌ମା ରୋଲର କିମ୍ବା ମୋଜୋଥେରାପି ମାଧ୍ୟମରେ ତ୍ୱଚାରେ ଦିଆଯାଏ। ଏହା ବ୍ରଣ ଦାଗ, ଷ୍ଟ୍ରେଚ୍‌ ମାର୍କକୁ ସମ୍ପୂର୍ଣ୍ଣ ଭାବରେ ହଟାଇବାରେ ସାହାଯ୍ୟ କରେ।

ଡାକ୍ତରଙ୍କ ପରାମର୍ଶରେ କରନ୍ତୁ ଲେଜର ଚିକିତ୍ସା (Do laser treatment on doctors Advice)

ବର୍ତ୍ତମାନ କସ୍‌ମେଟିକ୍‌ ସର୍ଜରୀ ବହୁତ ସୁଲଭ ମୂଲ୍ୟରେ ହୋଇପାରୁଛି। ହେଲେ ଏହିସବୁ ଚିକିତ୍ସା ସବୁବେଳେ ଡାକ୍ତରଙ୍କ ପରାମର୍ଶରେ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମାନସ ରଞ୍ଜନ ପୁହାଣଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Cosmetic Surgery, in Odia language, is based on an extensive interview with ୍‌Dermatologist Dr Manas Ranjan Puhan.