କେଶ କାହିଁକି ଝଡ଼ିଥାଏ? କେମିତି ନିଜ କେଶର ଯତ୍ନ ନେବେ? ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ବର୍ତ୍ତମାନ ସମୟରେ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। କମ୍‌ ବୟସରୁ କେଶ ଝଡ଼ିବା ଫଳରେ ଅନେକ ଚିନ୍ତାଗ୍ରସ୍ତ ହୋଇପଡ଼ୁଛନ୍ତି। ଅନେକ ଲୋକ କେଶ ଝଡ଼ିବା ରୋକିବା ପାଇଁ ବିଭିନ୍ନ ପ୍ରକାରର ଘରୋଇ ଉପଚାର ଏବଂ ଅନ୍ଧବିଶ୍ୱାସକୁ ମଧ୍ୟ ଆପଣାଉଛନ୍ତି। ତେବେ କେଶ ଝଡ଼ିବାର ନିରାକରଣ ପାଇଁ ପ୍ରଥମେ ଏହାର କାରଣ ଜାଣିବାର ଆବଶ୍ୟକତା ରହିଛି। କାରଣ ଜାଣିଲେ ସିନା ସମସ୍ୟାର ସମାଧାନ ସଠିକ୍‌ ଭାବରେ କରିପାରିବେ।

ଆମ ମୁଣ୍ଡରେ ପ୍ରତିଦିନ କିଛି କେଶର ଅଭିବୃଦ୍ଧି ହେଉଥାଏ ଓ କିଛି କେଶ ଝଡ଼ୁ ବି ଥାଏ। କିନ୍ତୁ ଏହି ପ୍ରକ୍ରିୟାରେ ବ୍ୟତିକ୍ରମ ଘଟିଲେ ଅର୍ଥାତ୍‌ ନୂଆ କେଶ ବୃଦ୍ଧି ହେବା କମ୍‌ ହୋଇ କେଶ ଅଧିକ ଝଡ଼ିଲେ ଏହା କେଶ ଝଡ଼ିବା ସମସ୍ୟା ହୋଇଥାଏ। କେଶ ଝଡ଼ିବା ରୋଗ ନୁହେଁ। ଏହା ବିଭିନ୍ନ କାରଣ ପାଇଁ ଝଡ଼ିଥାଏ। ସବୁ ବର୍ଗର ଲୋକଙ୍କ ପାଖରେ ଏହି ସମସ୍ୟା ଦେଖାଦେଇଥାଏ।

ଯେପରିକି ଛୋଟ ପିଲା ଜନ୍ମ ହେବା ପରେ ତାଙ୍କ କେଶ ଅଲଗା ଥାଏ, କିନ୍ତୁ ଧୀରେ ଧୀରେ ଏହି କେଶ ଝଡ଼ିଯାଇ ନୂଆ କେଶ ସୃଷ୍ଟି ହୋଇଥାଏ।

hairfall

କେଶ ଝଡ଼ିବାର କାରଣ (Causes of hair loss in Odia)

ବର୍ତ୍ତମାନ ସମୟରେ କେଶ ଝଡ଼ିବାର ପ୍ରମୁଖ କାରଣ ହେଉଛି ମାନସିକ ଚାପ। ଷ୍ଟ୍ରେସ୍‌ ଯୋଗୁଁ କେଶ ଝଡ଼ିବା ଅନୁପାତ ବଢ଼ିଯାଏ ଓ ବଢ଼ିବା ସଂଖ୍ୟା କମିଯାଏ।

ଟାଇଫଏଡ୍‌ ବା ମେଲେରିଆ ଜ୍ୱର ହେବା ପରେ କେଶ ଅତ୍ୟଧିକ ମାତ୍ରାରେ ଝଡ଼ିଥାଏ।

କର୍କଟ ରୋଗରେ ଚିକିତ୍ସା ହେଉଥିବା ବ୍ୟକ୍ତି ହଠାତ୍‌ ଚନ୍ଦା ହୋଇଯା’ନ୍ତି। କିନ୍ତୁ ପରେ ପୁଣି କେଶ ବୃଦ୍ଧି ହୋଇଥାଏ।

କେଶ ଝଡ଼ିବାର ଅନ୍ୟ ଏକ କାରଣ ହେଉଛି ସଠିକ୍‌ ପୋଷଣର ଅଭାବ। ଅସନ୍ତୁଳିତ ଖାଦ୍ୟପେୟ ଯୋଗୁଁ ମଧ୍ୟ କେଶ ଝଡ଼ିବା ଅଧିକ ହୋଇଥାଏ।

ବଂଶଗତ କାରଣରୁ ମଧ୍ୟ କେଶ ଝଡ଼ିଥାଏ। ଆପଣ ଦେଖିଥିବେ କିଛି ଲୋକଙ୍କର ମୁଣ୍ଡର ଆଗପଟୁ ସମସ୍ତ କେଶ ଝଡ଼ିଯାଇଥିବ ଓ କେବଳ ପଛପଟେ କେଶ ଥାଏ। ଏଭଳି କେଶ ଝଡ଼ିବାକୁ ଜେନେଟିକ ଆଲେପେସିଆ ବା ଆଣ୍ଡ୍ରୋଜେନେଟିକ୍‌ ଆଲୋପେସିଆ ବୋଲି କୁହାଯାଏ। ଏହି ସମସ୍ୟା ପୂର୍ବରୁ ୩୦ ବା ୪୦ ବର୍ଷ ବୟସରେ ହେଉଥିଲା। ହେଲେ ବର୍ତ୍ତମାନ ୧୫ରୁ ୨୦ ବର୍ଷ ବୟସରୁ ଏଭଳି କେଶ ଝଡ଼ିବା ଆରମ୍ଭ ହୋଇଯାଉଛି।

dandruff

ରୁପି ଯୋଗୁଁ କେଶ ଝଡ଼େ କି? (Does hair fall out because of dandruff in Odia)

ମୁଣ୍ଡର ଚର୍ମରୁ କିଛି ମୃତକୋଷ ବାହାରିଥାଏ, ତାହାକୁ ରୁପି ବୋଲି କୁହାଯାଏ। ହେଲେ କୌଣସି କାରଣରୁ ସେହି ଚର୍ମଗୁଡ଼ିକ ଅଧିକ ମାତ୍ରାରେ ବାହାରିଲେ କେଶ ଝଡ଼ିଥାଏ। ଯେଉଁମାନଙ୍କର ହରମୋନ୍‌ ଅସନ୍ତୁଳିତ ଥାଏ, ସେମାନଙ୍କର ରୁପି ଅଧିକ ହୁଏ। କିନ୍ତୁ, ରୁପି ଯୋଗୁଁ ସିଧାସଳଖ କେଶ ଝଡ଼ିନଥାଏ।

କେଶ ଝଡ଼ିବାକୁ ନେଇ ଲୋକଙ୍କର ଭୁଲ ଧାରଣ

କେଶ ଝଡ଼ିବାକୁ ନେଇ ଆମ ସମାଜରେ ନାନା ମତ ରହିଛି। କିଛି ଲୋକ କହନ୍ତି, ପ୍ରତିଦିନ ସ୍ୟାମ୍ପୁ କରିବା ଦ୍ୱାରା କେଶ ଝଡ଼ିଥାଏ। ହେଲେ ସ୍ୟାମ୍ପୁ ପାଇଁ କେବେ କେଶ ଝଡ଼େ ନାହିଁ। ହୁଏତ ଅଧିକ ସ୍ୟାମ୍ପୁ କରିବା ଦ୍ୱାରା କେଶ ନଷ୍ଟ ହୋଇ ଛିଡ଼ି ଯାଇପାରେ।

ଆଉ କିଛି ଲୋକ ଭାବନ୍ତି, ଆମେ ମୁଣ୍ଡ ଧୋଉଥିବା ପାଣିରେ କ୍ଲୋରିନ୍‌ ଥିବାରୁ କେଶ ଝଡ଼ିଯାଉଛି। ହେଲେ କେଶ ଝଡ଼ିବାର ପାଣି ସହ କୌଣସି ସମ୍ପର୍କ ନାହିଁ।

ଘରୋଇ ଉପଚାର କେତେ ଭଲ?

କେଶ ଝଡ଼ିବା ବନ୍ଦ କରିବା ପାଇଁ ନାନା ଲୋକ ନାନା ପ୍ରକାର ଘରୋଇ ଉପଚାର ଅବଲମ୍ବନ କରିଥା’ନ୍ତି। ଭଲ କେଶ ବୃଦ୍ଧି ପାଇଁ ଲୋକେ ମନ୍ଦାର ପତ୍ର, ପିଆଜ ରସ ଭଳି ବିଭିନ୍ନ ଉପଚାର କରନ୍ତି। କିନ୍ତୁ, ଏହାର କୌଣସି ସାଇଣ୍ଟିଫିକ୍‌ ପ୍ରମାଣ ମିଳିପାରି ନାହିଁ।

ପ୍ରାୟ ଲୋକ ରାତିରେ ତେଲ, ଅଣ୍ଡା, କଦଳୀ ଆଦି କେଶରେ ଲଗେଇଥା’ନ୍ତି। ଏହା କେଶ ଝଡ଼ିବା ରୋକି ନଥାଏ, କିନ୍ତୁ କେଶ କଣ୍ଡିସନିଂ ବା ନମନିୟତା ରଖିବାରେ ସାହାଯ୍ୟ କରିଥାଏ।

କେଶ ଝଡ଼ିବା ସମସ୍ୟାର ଚିକିତ୍ସା (Treatment for Hair Loss in Odia)

ଯଦି ଦିନକୁ ୧୦୦ରୁ ଅଧିକା କେଶ ଝଡ଼ୁଛି, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆପଣଙ୍କ ସମସ୍ୟା ଅନୁସାରେ ଆପଣଙ୍କୁ ଡାକ୍ତର ମେଡିସିନ୍‌ ଖାଇବାକୁ ଦେବେ। ଯଦି ଷ୍ଟ୍ରେସ୍‌ ବା ଅନ୍ୟ କୌଣସି କାରଣରୁ କେଶ ଝଡ଼ୁଥାଏ, ତେବେ ଡାକ୍ତର ରକ୍ତ ପରୀକ୍ଷା କରନ୍ତି। ରକ୍ତ ପରୀକ୍ଷା ଦ୍ୱାରା ହରମୋନ୍‌ ଅସନ୍ତୁଳିତ ଅଛି କି ନାହିଁ ଜଣାପଡ଼େ। ସେହି ଅନୁସାରେ ଚିକିତ୍ସା କରାଯାଏ।

ତାହାଛଡ଼ା ଡର୍ମୋସ୍କୋପି ଜରିଆରେ କେଶର ମୂଳକୁ ପରୀକ୍ଷା କରାଯାଏ। ସେହି ଅନୁସାରେ ମେଡିସିନ୍‌ କିଛି ଖାଇବାକୁ ଓ ଲଗେଇବାକୁ ଦିଆଯାଏ।

ଏହି ସବୁ ଚିକିତ୍ସା ୬ମାସ ବା ବର୍ଷେ ଯାଏଁ କରିବାକୁ ପଡ଼ିଥାଏ। ଅଳ୍ପ ଦିନ କରିବା ପରେ କୌଣସି ଉନ୍ନତି ଜଣାପଡ଼ି ନଥାଏ।

ମେଡିସିନ୍‌ ଲଗେଇବା ଓ ଖାଇବା ଦ୍ୱାରା ଯଦି କୌଣସି ଉନ୍ନତି ଆସେ ନାହିଁ, ତେବେ ଲେଜର ଟ୍ରିଟ୍‌ମେଣ୍ଟ, ମେଜୋଥେରାପି କିମ୍ବା ପିଆର୍‌ପି ପଦ୍ଧତିରେ ଚିକିତ୍ସା କରାଯାଏ।

କେଶକୁ ନେଇ ବେଶି ଭାବନ୍ତୁ ନାହିଁ

୧୫ରୁ ୩୫ ବର୍ଷ ବୟସର ଲୋକଙ୍କର କେଶ ଝଡ଼ିଲେ, ସେମାନେ ଅଧିକ ଚିନ୍ତାଗ୍ରସ୍ତ ହୋଇଯାଆନ୍ତି। ଫଳରେ ଆହୁରି ଅଧିକ କେଶ ଝଡ଼ିଥାଏ। ସେମାନଙ୍କ ଲାଇଫ୍‌ଷ୍ଟାଇଲ ଅନୁସାରେ ସେମାନେ ହେୟାର ଷ୍ଟାଲଲରେ ପରିବର୍ତ୍ତନ ଆଣନ୍ତି। କୌଣସି ନୂଆ ହେୟାର ଷ୍ଟାଇଲ କରିବା ପାଇଁ ସେମାନେ କେଶକୁ ସ୍ପା, କେରାଟିନ୍‌, କର୍ଲିଂ, ଷ୍ଟ୍ରେଟନିଂ ଭଳି ପଦ୍ଧତି ଆପଣାନ୍ତି। ହେଲେ ଏହା କେଶକୁ ନଷ୍ଟ କରିଥାଏ। କେଶ ବିଷୟରେ ଯେତେ ଅଧିକ ଭାବିବେ, ସେତିକି ମାନସିକ ଚାପରେ ରହିବେ।

କେଶ ଝଡ଼ିବା ଏକ ସମସାମୟିକ ସମସ୍ୟା। ଏହାକୁ ନେଇ ବେଶି ଚିନ୍ତା କଲେ କେଶ ଅଧିକ ଝଡ଼ିବ।

କେଶ ପାଇଁ ଭଲ ସୁଷମ ଖାଦ୍ୟ

ଭଲ କେଶ ପାଇଁ ଆମ ଡାଏଟ୍‌ର ମୁଖ୍ୟ ଭୂମିକା ରହିଛି। ପ୍ରତିଦିନ ଆମ ଡାଏଟ୍‌ରେ ସବୁଜ ପନିପରିବା, ଫଳ ରହିବା ଜରୁରୀ।

 

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମାନସ ରଞ୍ଜନ ପୁହାଣଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on causes and treatment of Hair loss based on the interview with Dr. Manas Ranjan Puhan, Dermatologist.