ସୋମାଟୋଫର୍ମ ରୋଗ କ’ଣ? ଏହାର ଚିକିତ୍ସା ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ମାନସିକ ରୋଗ ସୋମାଟୋଫର୍ମ କ’ଣ? (What is Somatoform Disorder in Odia)

ସୋମାଟୋଫର୍ମ ରୋଗ ହେଉଛି ଏକପ୍ରକାର ମାନସିକ ସମସ୍ୟା। ଏହି ରୋଗ ହେଲେ ଦୀର୍ଘଦିନ ଧରି ବିଭିନ୍ନ ପ୍ରକାରର ଶାରୀରିକ ରୋଗର ଲକ୍ଷଣ ଦେଖାଦିଏ। ଶରୀର ବ୍ୟଥା ଦୀର୍ଘଦିନ ଧରି ଲାଗି ରହିବା, ଗ୍ୟାସ ଓ ଏସିଡିଟି ସମସ୍ୟା ଲାଗି ରହିବା, କିଡନି ଏବଂ ମସ୍ତିଷ୍କଜନିତ ସମସ୍ୟା ଦେଖାଦେବା ଏହି ରୋଗର ଲକ୍ଷଣ।

ସୁସ୍ଥ ମନ ଓ ସୁସ୍ଥ ଶରୀରକୁ ନେଇ ସୁସ୍ଥ ମଣିଷଟିଏ ଗଢ଼ା। ଶରୀର ଓ ମନର ସମ୍ପର୍କ ଅତ୍ୟନ୍ତ ନିବିଡ଼। ମଣିଷଟିଏ ସୁସ୍ଥ ରହିବାକୁ ହେଲେ ତା’ର ମନ ଓ ଶରୀର ମଧ୍ୟରେ ସମନ୍ଵୟ ବଜାୟ ରହିବା ଅତ୍ୟନ୍ତ ଜରୁରୀ। ଯଦି ଉଭୟଙ୍କ ମଧ୍ୟରେ କୌଣସି ତାଳମେଳ ନ ରହେ, ତେବେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦିଏ। ଯେତେବେଳେ ମାନସିକ ରୋଗ ଯୋଗୁଁ ଶାରୀରିକ ସମସ୍ୟା ଦେଖାଦିଏ, ତାକୁ ସୋମାଟୋଫର୍ମ’ ବୋଲି କୁହାଯାଏ।

ଗ୍ରିକ୍‌ ଶବ୍ଦ ‘ସୋମା’ରୁ ସୋମାଟୋଫର୍ମ ଆସିଛି। ‘ସୋମା’ର ଅର୍ଥ ହେଉଛି ଶରୀର। ଏହି ରୋଗ ଯୁବାବସ୍ଥାରେ ଅଧିକ ଦେଖାଯାଏ। ସାଧାରଣତଃ ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ରୋଗ ୧୦ଗୁଣା  ଅଧିକ ଦେଖାଯାଇଥାଏ।

ଅଧିକ ପଢ଼ନ୍ତୁ: ମାନସିକ ରୋଗ କାହିଁକି ଦେଖାଦିଏ? ଏହାର କାରଣ ଓ ଚିକିତ୍ସା ବିଷୟରେ ଜାଣନ୍ତୁ

ସୋମାଟୋଫର୍ମ ରୋଗର ଲକ୍ଷଣ (Symptoms of Somatoform Disorder in Odia)

ଶାରୀରିକ ଯନ୍ତ୍ରଣା ଦୀର୍ଘ ଦିନ ଧରି ଲାଗିରହିଥାଏ।

ମୁଣ୍ଡଠୁ ଆରମ୍ଭ କରି ଗୋଡ଼ ପର୍ଯ୍ୟନ୍ତ ବିନ୍ଧା ହୁଏ।

ମୁଣ୍ଡ ବିନ୍ଧିବା

ମୁଣ୍ଡ ବୁଲାଇବା

ବେକ ଦରଜ ହେବା

ପିଠି ଦରଜ ହେବା ସହ ବିନ୍ଧା ହେବା

ଗୋଡ଼ ହାତ ବ୍ୟଥା ହେବା

ପେଟ ଜନିତ ସମସ୍ୟା ଯେପରିକି ବାନ୍ତି ହେବା, ଗ୍ୟାସ୍‌ ହେବା, ପେଟ ଫୁଲିବା, ବଦ୍‌ହଜମି ହେବା, କୋଷ୍ଠକାଠିନ୍ୟ ହେବା, ତରଳ ଝାଡ଼ା ହେବା ଆଦି ଲକ୍ଷଣମାନ ପରିଲିକ୍ଷିତ ହୁଏ।

ସ୍ନାୟୁଜନିତ ସମସ୍ୟା ଯଥା: ଗୋଡ଼ ହାତ ଝିମ୍‌ ଝିମ୍‌ ହେବା, ଜ୍ୱଳାପୋଡ଼ା ହେବା, ପାଦରେ ଛୁଞ୍ଚି ଫୋଡ଼ିଲା ଭଳି ଲାଗିବା, ମୁଣ୍ଡ ଦରଜ ହେବା।

ପରିସ୍ରା ବାରମ୍ବାର ହେବା, ପରିସ୍ରା କରିବାରେ ଅସୁବିଧା ହେବା।

ସେମାଟୋଫର୍ମ ରୋଗୀଙ୍କଠାରେ ଶାରୀରିକ ରୋଗଜନିତ ଲକ୍ଷଣ ଦେଖାଯିବା ଫଳରେ ସେମାନେ ମାନସିକ ବିଭାଗର ଡାକ୍ତରଙ୍କୁ ପରାମର୍ଶ କରିବା ବଦଳରେ ଅନ୍ୟ ବିଭାଗର ଡାକ୍ତରଙ୍କ ସହ ପରାମର୍ଶ କରି ପରୀକ୍ଷା ନିରିକ୍ଷା କରନ୍ତି। ହେଲେ ଏହି ପରୀକ୍ଷାରେ କୌଣସି ସମସ୍ୟା ବାହାରିନଥାଏ।

ଅଧିକ ପଢ଼ନ୍ତୁ: ମାନସିକ ରୋଗକୁ ନେଇ ଦୂର କରନ୍ତୁ ଭୁଲ ଧାରଣା

ସୋମାଟୋଫର୍ମ ରୋଗର କାରଣ (Cause of Somatoform Disorder in Odia)

ମସ୍ତିଷ୍କରେ ସେରୋଟୋନିନ୍‌ ଏବଂ ନର୍‌ପିନେଫ୍ରିନ୍‌ରେ ଅସନ୍ତୁଳନ ଦେଖାଦେଇଥାଏ। ଏହା ମୁଖ୍ୟତ୍ୟ ଜିନ୍‌ଗତ କାରଣରୁ ହୋଇଥାଏ। ଯେଉଁ ଲୋକେ ଦୀର୍ଘ ଦିନ ଧରି ମାନସିକ ଭାବେ ଚାପଗ୍ରସ୍ତ ରହିଥା’ନ୍ତି, ସେମାନଙ୍କଠାରେ ସୋମାଟୋଫର୍ମ ରୋଗ ଦେଖାଦେବାର ଆଶଙ୍କା ଥାଏ।

ନିଶାଦ୍ରବ୍ୟର ଅଧିକ ସେବନ ଯୋଗୁଁ ମଧ୍ୟ ସୋମାଟୋଫର୍ମ ସମସ୍ୟା ହୋଇଥାଏ।

ସୋମାଟୋଫର୍ମ ରୋଗର ଚିକିତ୍ସା କେମିତି ହୁଏ? (Treatment of Somatoform Disorder in Odia)

ଏହି ରୋଗରେ ବିଭିନ୍ନ ପ୍ରକାର ଶାରୀରିକ ଲକ୍ଷଣ ଦେଖାଗଲେ ମଧ୍ୟ ଏହା ଏକ ମାନସିକ ରୋଗ। ତେଣୁ ରୋଗୀଙ୍କୁ ପ୍ରଥମେ ବୁଝିବାକୁ ହେବ ଯେ ଏହା ମାନସିକ ସମସ୍ୟା। ଏହି ରୋଗର ଚିକିତ୍ସା ପାଇଁ କଗ୍ନିଟିଭ୍‌ ବିହେଭରାଲ ଥେରାପି (Cognitive behavioral therapy) କରାଯାଏ। କାଉନ୍‌ସିଲିଂ ସହିତ କେତେକ ଔଷଧ ବି ନେବାକୁ ହୋଇଥାଏ।

ଏଭଳି କ୍ଷେତ୍ରରେ ରୋଗୀ ଶରୀର ଉପରେ ବେଶୀ ଧ୍ୟାନ ଦିଅନ୍ତୁ ନାହିଁ। ଯେତିକି ଭାବିବେ ସେମାନଙ୍କୁ ସେତେ ଚାପଗ୍ରସ୍ତ ଲାଗିବ। ତେଣୁ ରୋଗୀ ବିଭିନ୍ନ କାର୍ଯ୍ୟକଳାପରେ ଜଡ଼ିତ ରହିବା ଦରକାର। ଫଳରେ ରୋଗୀର ଧ୍ୟାନ ଶରୀର ଉପରୁ ହଟିଯିବ।

ସୋମାଟୋଫର୍ମ ରୋଗୀଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ପରାମର୍ଶ ଦିଆଯାଏ। ଯେପରିକି ୩୦ ମିନିଟ୍‌ ଡିପ୍‌ ବ୍ରିଥିଂ ଏକ୍ସରସାଇଜ୍‌ କରିପାରିବେ। ଏହାଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ହୋଇଥାଏ, ଶରୀରକୁ ଆରାମ ମିଳିଥାଏ ଏବଂ ମାନସିକ ଶାନ୍ତି ବଜାୟ ରହିଥାଏ।

ମଦ୍ୟପାନ, ତମାଖୁ ସେବନରୁ ନିବୃତ୍ତ ରହନ୍ତୁ।

ପ୍ରତିଦିନ ଶାରୀରିକ ବ୍ୟାୟାମ କରନ୍ତୁ କିମ୍ବା ଶାରୀରିକ ପରିଶ୍ରମ କରନ୍ତୁ। ଏଭଳି କରିବା ଦ୍ୱାରା ଶାରୀରିକ ଳକ୍ଷଣ ଧୀରେ ଧୀରେ କମିଯିବ।

ନିୟମିତ ବ୍ୟବଧାନରେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

consult doctor

ଅଧିକ ପଢ଼ନ୍ତୁ: କୋଭିଡ୍‌ରୁ ସୁସ୍ଥ ହେବା ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ

ସୋମାଟୋଫର୍ମ ରୋଗୀ ଜାଣିରଖନ୍ତୁ (Somatoform Patient needs to know in Odia)

ସୋମାଟୋଫର୍ମ ରୋଗୀଙ୍କର ନିଦ୍ରାହୀନତା ସମସ୍ୟା ଦେଖାଦେଇଥାଏ। ତେଣୁ, ସେମାନେ ନିଦ୍ରାରେ ସଞ୍ଜମ ଆଣିବା ଦରକାର। ପ୍ରତ୍ୟେହ ୭ରୁ ୮ ଘଣ୍ଟା ଶୋଇବା ଦରକାର। ଶୋଇବାର ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ।

ବିଳମ୍ବ ରାତି ପର୍ଯ୍ୟନ୍ତ ମୋବାଇଲ କିମ୍ବା ଟିଭିର ବ୍ୟବହାର କମ୍‌ କରନ୍ତୁ।

ସନ୍ଧ୍ୟା ପରେ ଉତ୍ତେଜକ ଖାଦ୍ୟପଦାର୍ଥ ଯେପରିକି କ୍ୟାଫେନ୍‌, ଚା’, କୋଲଡ୍ରିଙ୍କ, ଡାର୍କ ଚକୋଲେଟ୍‌ ଖାଇବା କମ୍‌ କରନ୍ତୁ।

ସନ୍ଧ୍ୟା ପରେ ମୋବାଇଲର କମ୍‌ ବ୍ୟବହାର କରି ଗୀତ ଶୁଣିପାରିବେ, ବହି ପଢ଼ିପାରିବେ। ଏହାଦ୍ୱାରା ନିଦ ଭଲ ହୋଇଥାଏ।

ଦିନରେ ଅଧିକ ପାଣି ପିଅନ୍ତୁ ଓ ରାତିରେ ପାଣିର ମାତ୍ରା କମ୍‌ କରନ୍ତୁ। ଯାହାଫଳରେ ନିଦ ମଝିରେ ଉଠି ପରିସ୍ରା ଯିବାକୁ ପଡ଼ିବନାହିଁ।

ନିଜର ମନର କଥା ପରିବାର ଲୋକଙ୍କ ସହ ସେୟାର କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସତ୍ୟକାମ ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Somatoform Disorder, in Odia language, is based on an extensive interview with Neuropsychiatrist Dr. Satyakam Mohapatra.

ଡାକ୍ତର ସତ୍ୟକାମ ମହାପାତ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ। ବିଭିନ୍ନ ମାନସିକ ରୋଗ ଓ ଏହାର ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମହାପାତ୍ର କଟକରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 8895293997 ନମ୍ବରରେ କଲ୍ କରିପାରିବେ।