ଆସନ୍ତୁ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଜାଣିବା ମାନସିକ ରୋଗକୁ ନେଇ ଆମ ସମାଜରେ କ’ଣ ସବୁ ଭୁଲ ଧାରଣା ରହିଛି। ଏହାକୁ ଜାଣିବା ଏବଂ ସଚେତନ ହେବା

ସୁସ୍ଥ ମଣିଷ କହିଲେ ଆମେ ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତାକୁ ବୁଝି ଥାଉ। ହେଲେ ଆମ ସମାଜରେ ମାନସିକ ସ୍ଵାସ୍ଥ୍ୟ ଏବଂ ମାନସିକ ରୋଗକୁ ନେଇ ସଚେତନତା ନାହିଁ। ଏହି ମାନସିକ ରୋଗକୁ ନେଇ ଲୋକମାନଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିବା ସହିତ ବିଭିନ୍ନ ଅନ୍ଧବିଶ୍ୱାସ ମଧ୍ୟ ଦେଖିବାକୁ ମିଳୁଛି।

ସୁସ୍ଥ ମଣିଷଟିଏ କହିଲେ ଉଭୟ ଶାରୀରିକ ସୁସ୍ଥତା ଓ ମାନସିକ ସୁସ୍ଥତାକୁ ବୁଝାଏ। ମାତ୍ର ସୁନ୍ଦର ସ୍ୱାସ୍ଥ୍ୟ ନିମନ୍ତେ ଲୋକମାନେ ମୁଖ୍ୟତଃ ଶରୀର ଉପରେ ହିଁ ବେଶୀ ଧ୍ୟାନ ଦେଇଥାନ୍ତି। ମାନସିକ ସୁସ୍ଥତା ଓ ମାନସିକ ରୋଗ ସମ୍ବନ୍ଧରେ ଆମ ଦେଶର ଲୋକମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ରହିଛି।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସାଂପ୍ରତିକ ସର୍ବେକ୍ଷଣରୁ ଜଣାପଡିଛି ଯେ ସାରା ବିଶ୍ଵରେ ପ୍ରାୟ ୪୫ କୋଟି ଲୋକ ବିଭିନ୍ନ ମାନସିକ ସମସ୍ୟା ଦ୍ଵାରା ଆକ୍ରାନ୍ତ। ଭାରତ ବର୍ଷରେ ମାନସିକ ରୋଗୀଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢିବାରେ ଲାଗିଛି। ଅନୁମାନରୁ ଜଣା ପଡିଛି ୨୦୨୨ ମସିହା ସୁଦ୍ଧା  ଆମ ଦେଶରେ ପ୍ରାୟ ୨୦ ପ୍ରତିଶତ ଲୋକ ବିଭିନ୍ନ ମାନସିକ ସମସ୍ୟାର ଶିକାର ହେବେ। ଏବେ କାରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ  ସାରା ବିଶ୍ୱରେ  ବିଭିନ୍ନ ମାନସିକ ସମସ୍ୟା ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଉଛି।

କିନ୍ତୁ ଦୁର୍ଭାଗ୍ୟ ବଶତଃ ଆମ ଦେଶର ଲୋକମାନଙ୍କ ମଧ୍ୟରେ ମାନସିକ ରୋଗ ଓ ତାହାର ଚିକିତ୍ସା ସମ୍ବନ୍ଧରେ ଅନେକ ଭୁଲ ଧାରଣା ଅଛି। ମାନସିକ ରୋଗ କହିଲେ ଲୋକମାନେ ସାଧାରଣତଃ ପାଗଳାମି କିମ୍ବା ମେଣ୍ଟାଲ ରୋଗ ବୋଲି ଭାବିଥାନ୍ତି। ମାତ୍ର ତାହା ସଂପୂର୍ଣ୍ଣ ଭୁଲ ଧାରଣା।

mental-health-girl

ଅଧିକ ପଢ଼ନ୍ତୁ: ଅଳ୍ପ ବୟସରୁ ଅଟିଜିମକୁ କିପରି ଚିହ୍ନିବେ?

ମାନସିକ ରୋଗରେ ଆକ୍ରାନ୍ତ ଲୋକ ସବୁବେଳେ ଯେ ମାରପିଟ କରିବା, ଭଙ୍ଗାରୁଜା କରିବା, ଉତ୍ୟକ୍ତ ହେବା ଆଦି ଲକ୍ଷଣ ଦେଖା ଦେଇଥାଏ, ତାହା ସଂପୂର୍ଣ୍ଣ ଭୁଲ। ମାନସିକ ରୋଗ ବିଭିନ୍ନ ପ୍ରକାରର ହୋଇ ପାରେ ଓ ତାହାର ଲକ୍ଷଣ ମଧ୍ୟ ବିଭିନ୍ନ ପ୍ରକାରର ହୋଇ ପାରେ। ଯେମିତିକି ବିଭିନ୍ନ ପ୍ରକାରର ଆଙ୍ଗଜାଇଟି ରୋଗରେ ଲୋକକୁ  ସବୁବେଳେ ଅତି ଛୋଟ ଛୋଟ କଥାରେ ଅତ୍ୟଧିକ ଛାନିଆ, ବ୍ୟସ୍ତ, ବିବ୍ରତ ଲାଗିପାରେ। ଫୋବିଆ ରୋଗରେ ଲୋକକୁ କେତେକ ନିର୍ଦ୍ଧିଷ୍ଟ ବସ୍ତୁ, ସ୍ଥାନ ଓ ପରିସ୍ଥିତି ପ୍ରତି ଅସ୍ଵାଭାବିକ ଭାବରେ ଭୟ ଦେଖା ଦେଇ ପାରେ। ଡିପ୍ରେସନ ବା ଅବସାଦ ରୋଗରେ ମନ ଅଧିକାଂଶ ସମୟ ଦୁଃଖ ରହି ଥାଏ। କାହା ସହିତ ମିଳା ମିଶା କରିବାକୁ ଇଚ୍ଛା ହୁଏ ନାହିଁ। ସବୁବେଳେ ଏକୁଟିଆ ରହିବାକୁ ଭଲ ଲାଗେ। ଅବସେସିଭ କମ୍ପଲସିଭ ଡିସଅର୍ଡର (ଓସିଡି) ବା ଶୁଚିବାଇ ରୋଗ ବ୍ୟକ୍ତିର ମନରେ ଅନାବଶ୍ୟକ ଚିନ୍ତା ବାରମ୍ବାର ଆସିଥାଏ ଓ ରୋଗୀ କେତେକ କାମକୁ ବାରମ୍ବାର କରିଥାଏ ଯେମିତିକି ବାରମ୍ବାର ହାତ ଗୋଡ଼ ଧୋଇ ହେବାବାରମ୍ବାର ତାଲା ଚେକ କରିବା ଆଦି। ସୋମାଟୋଫର୍ମ ରୋଗ ଏକ ପ୍ରକାରର ମାନସିକ ରୋଗ ଅଛି ଯେଉଁଥିରେ ଦୀର୍ଘ ଦିନ ପର୍ଯ୍ୟନ୍ତ ବିଭିନ୍ନ ଶାରୀରିକ ଲକ୍ଷଣମାନ ଦେଖା ଯାଇଥାଏ, କିନ୍ତୁ ସବୁ ପ୍ରକାରର ଶାରୀରିକ ପରୀକ୍ଷା ନିରୀକ୍ଷା ପ୍ରାୟତଃ ଠିକ ଥାଏ।

ସେହିପରି ବିଭିନ୍ନ ନିଶା ସେବନ। ଏହା ମଧ୍ୟ ଏକ ପ୍ରକାରର ମାନସିକ ସମସ୍ୟା। ଅନେକ ଲୋକ ନିଶା ସେବନକୁ ଏକ ଷ୍ଟାଇଲ ବା ବ୍ୟବହାରିକ ସମସ୍ୟା ବୋଲି ଭାବି ଥାନ୍ତି। ମାତ୍ର ଏହା ସଂପୂର୍ଣ୍ଣ ଭୁଲ। ଠିକ ସେହିପରି ଛୋଟପିଲା ମାନଙ୍କଠାରେ ଦେଖା ଦେଉଥିବା ଅନେକ ବ୍ୟବହାରିକ ସମସ୍ୟା ବିଭିନ୍ନ ମାନସିକ ସମସ୍ୟା ହୋଇପାରେ। ଭୁତ ଲାଗିବା, କାଳେଶି ଲାଗିବା, ଠାକୁରାଣୀ ଆସିଛନ୍ତି, ଏସବୁ ମଧ୍ୟ ଏକ ମାନସିକ ସମସ୍ୟା ଓ ତାହାର ଚିକିତ୍ସା ମଧ୍ୟ ଆଜିକାଲିର ଆଧୁନିକ ଚିକିତ୍ସା ପଦ୍ଧତିରେ ସମ୍ଭବ।

ମାନସିକ ରୋଗର କାରଣ ସମ୍ବନ୍ଧରେ ମଧ୍ୟ ଲୋକମାନଙ୍କର ଅନେକ ଭୁଲ ଧାରଣା ରହିଛି। ଲୋକମାନେ ଭାବି ଥାନ୍ତି ଗୁଣୀଗାରେଡ଼ି ଯୋଗୁଁ ସାଧାରଣତ ମାନସିକ ରୋଗ ହୋଇଥାଏ। ମସ୍ତିଷ୍କରେ ଥିବା କେତେକ ନିର୍ଦ୍ଧିଷ୍ଟ ରାସାୟନିକ ପଦାର୍ଥ (ନିଉରୋଟ୍ରାନ୍ସମିଟର)ର ମାତ୍ରାରେ ଅସନ୍ତୁଳନ ଯୋଗୁଁ ମାନସିକ ରୋଗଗୁଡ଼ିକ ଦେଖା ଦେଇଥାଏ। ଜିନଗତ କାରଣ, ସାମାଜିକ କିମ୍ବା ପାରିପାର୍ଶ୍ଵିକ ଚାପ କାରଣରୁ ଏହି ରାସାୟନିକ ଅସନ୍ତୁଳନ ଘଟି ପାରେ। ଅନେକ ଲୋକଙ୍କ କ୍ଷେତ୍ରରେ ଏହି ରୋଗ ବଂଶାନୁକ୍ରମିକ ହୋଇ ଥାଏ। ଅନେକ ଲୋକଙ୍କଠାରେ ନିଶାସେବନ ମୁଖ୍ୟତଃ ଗଞ୍ଜେଇ, ଭାଙ୍ଗ ଓ  ମଦ ସେବନ ଦ୍ଵାରା ମାନସିକ ରୋଗ ଆରମ୍ଭ ହୋଇ ପାରେ।

ମାନସିକ ରୋଗର ଚିକିତ୍ସା ସମ୍ବନ୍ଧରେ ଲୋକମାନଙ୍କ ପାଖରେ ସଠିକ ସୂଚନା ନାହିଁ ଏବଂ ଲୋକମାନଙ୍କଠାରେ ମାନସିକ ରୋଗର ଚିକିତ୍ସା ସମ୍ବନ୍ଧରେ ଅନେକ ଭ୍ରାନ୍ତ ଧାରଣା ଅଛି। ଅନେକ ଲୋକ ଭାବିଥା’ନ୍ତି ମାନସିକ ରୋଗର ଚିକିତ୍ସା ଆଦୌ ସମ୍ଭବ ନୁହେଁ ବା ମାନସିକ ରୋଗ କେବେ ଠିକ ହୋଇ ପାରିବ ନାହିଁ। ମାତ୍ର ଏହା ସଂପୂର୍ଣ୍ଣ ଭୁଲ ଧାରଣା। ସମସ୍ତ ମାନସିକ ରୋଗଗୁଡ଼ିକର ଚିକିତ୍ସା ସଂପୂର୍ଣ୍ଣ ସମ୍ଭବ। ଆଜିକାଲିର ଆଧୁନିକ ଚିକିତ୍ସା ବିଜ୍ଞାନରେ ସବୁ ମାନସିକ ରୋଗର ସଫଳ ଚିକିତ୍ସା କରାଯାଇ ପାରୁଛି। ପ୍ରାରମ୍ଭିକ ଅବସ୍ଥାରେ ରୋଗର ଲକ୍ଷଣକୁ ଚିହ୍ନିବାରେ ସାଧାରଣତଃ ବିଳମ୍ବ କରି ଥାଆନ୍ତି। ଆଜିକାଲି ବି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଅନ୍ଧ ବିଶ୍ଵାସ ଯୋଗୁଁ ରୋଗର ଚିକିତ୍ସା ନ କରାଇ ଗୁଣିଗାରେଡ଼ି ପାଖକୁ ଯାଇ ଅଯଥାରେ ସମୟ ନଷ୍ଟ କରନ୍ତି। ଏହା ଦ୍ଵାରା ରୋଗର ପ୍ରକୋପ ବଢ଼େ। ଡେରିରେ  ଚିକିତ୍ସା  ଆରମ୍ଭ କଲେ ବେଶୀ ଦିନ ଔଷଧ ସେବନ କରିବାକୁ ପଡ଼ିଥାଏ ଏବଂ ରୋଗ ସମ୍ପୂର୍ଣ ଭାବେ ଠିକ  ହେବାର ସମ୍ଭାବନା କମି ଯାଇ ଥାଏ।

mental stress

ଅଧିକ ପଢ଼ନ୍ତୁ: ମାନସିକ ଉଦ୍‌ବେଗ ରୋଗ କ’ଣ?

ସେହିପରି ବହୁ ଲୋକ ମାନସିକ ସମସ୍ୟା ଦେଖାଦେଲେ ସେମାନେ କେଉଁ ବିଭାଗର ଡାକ୍ତରଙ୍କୁ ପରାମର୍ଶ କରିବେ ତାହା ଜାଣି ନ ଥାନ୍ତି କିମ୍ବା କିଛି ଲୋକ ଜାଣିଥାନ୍ତି ଯେ ମାନସିକ ରୋଗର ଚିକିତ୍ସା ପାଇଁ ମାନସିକ ରୋଗ ବିଶେଷଙ୍ଗ୍ୟଙ୍କୁ ପରାମର୍ଶ କରିବା ଉଚିତ, କିନ୍ତୁ ଯଦି ସେ ଜଣେ ମାନସିକ ରୋଗ ବିଶେଷଙ୍ଗ୍ୟଙ୍କ ପାଖକୁ ଗଲେ ଅନ୍ୟମାନେ ସମାଜରେ ତାଙ୍କ ବିଷୟରେ କଣ ଭାବିବେ? କାଳେ ତାଙ୍କୁ ପାଗଳ ବୋଲି ଭାବିବେ କି? ଏସବୁ ଭୁଲ ଧାରଣା ମନରେ ରଖି ଲୋକ ମାନସିକ ରୋଗ ବିଶେଷଙ୍ଗ୍ୟଙ୍କ ପାଖକୁ ପରାମର୍ଶ ପାଇଁ ଯିବା ପାଇଁ କୁଣ୍ଠାବୋଧ କରନ୍ତି।

ଅନେକ ଲୋକ ଭାବି ଥାନ୍ତି ମାନସିକ ରୋଗଗୁଡ଼ିକର ଚିକିତ୍ସା ନିମନ୍ତେ ଉଦ୍ଧିଷ୍ଟ ଔଷଧ ସାରା ଜୀବନ ପାଇଁ ଖାଇବାକୁ ପଡ଼ିଥାଏ। ଏହା ମଧ୍ୟ ଅନେକାଂଶରେ ଭୁଲ ଧାରଣା। କେତେକ ନିର୍ଦ୍ଧିଷ୍ଟ ମାନସିକ ରୋଗ ଛଡ଼ା ଅନ୍ୟ କୌଣସି ରୋଗରେ ସାରା ଜୀବନ ଔଷଧ ଖାଇବାକୁ ପଡ଼େ ନାହିଁ। ମାନସିକ ରୋଗଗୁଡ଼ିକର ଚିକିତ୍ସା ନିମନ୍ତେ ଉଦ୍ଧିଷ୍ଟ ଔଷଧର ଏକ ନିର୍ଦ୍ଧିଷ୍ଟ କୋର୍ସ ରହି ଥାଏ। ଯାହାକି ସାଧାରଣତଃ ରୋଗର ତୀବ୍ରତା, ଲକ୍ଷଣ ଦେଖା ଦେବାର କେତେଦିନ ପରେ ରୋଗୀ ଚିକିତ୍ସା ଆରମ୍ଭ କରୁଛି, ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା ଦ୍ୱାରା ରୋଗୀ କେତେ ମାତ୍ରାରେ ଭଲ ହେଉଛି ଏସବୁ ଉପରେ ନିର୍ଭର କରିଥାଏ। ଏହି କୋର୍ସ ଅନୁସାରେ ଔଷଧ ଖାଇଲେ ଆଉ ରୋଗର ଲକ୍ଷଣ ପ୍ରାୟତଃ ଦେଖା ଯାଇ ନ ଥାଏ। ରୋଗର ତୀବ୍ରତା କମିଲେ ଔଷଧଗୁଡ଼ିକର ମାତ୍ରା ମଧ୍ୟ ଧୀରେ ଧୀରେ କମାଇ ଦିଆଯାଏ। ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ପୂର୍ବରୁ ଔଷଧ ବନ୍ଦ କରି ଦେଲେ ରୋଗ ପୁନର୍ବାର ଦେଖା ଯିବାର ସମ୍ଭାବନା ଦେଖା ଯାଇଥାଏ। ତେଣୁ କେତେ ଦିନ ପର୍ଯ୍ୟନ୍ତ ଔଷଧ ଖାଇବାକୁ ପଡିବ ତାହା ରୋଗୀ ଓ ତାଙ୍କର ପରିବାରର ଲୋକ ମାନେ ଡାକ୍ତରଙ୍କଠାରୁ ବୁଝି ରଖିବା ଉଚିତ।  କିଛି ମାନସିକ ସମସ୍ୟା ଅଛି, ଯେଉଁଥିରେ କିଛି ମାସ ମେଡିସିନ ଖାଇଲା ପରେ ରୋଗ ସମ୍ପୂର୍ଣ ଭଲ ହୋଇ ଯାଏ। ଆଉ ମେଡିସିନ ଖାଇବା ଦରକାର ପଡି ନ ଥାଏ।

ଅନେକ ଲୋକ ଭାବି ଥାଆନ୍ତି ମାନସିକ ରୋଗଗୁଡ଼ିକର ଚିକିତ୍ସା ପାଇଁ ବ୍ୟବହୃତ ଔଷଧଗୁଡ଼ିକୁ ଖାଇଲେ ଏହା ଅଭ୍ୟାସରେ ପଡ଼ି ଯାଏ, ଏସବୁ ମେଡିସିନ୍‌ ଗୁଡିକ ଏକ ପ୍ରକାରର ନିଶା ମେଡିସିନ୍‌, ଏଗୁଡ଼ିକୁ ଥରେ ଖାଇବା ଆରମ୍ଭ ଆଉ ଛାଡି ହେବନି। ମାତ୍ର ଏସବୁ ଭୁଲ ଧାରଣା। ଆଜିକାଲି ବ୍ୟବହାର କରାଯାଉଥିବା ମେଡିସିନ୍‌ ଗୁଡିକ ସଂପୂର୍ଣ୍ଣ ସୁରକ୍ଷିତ। ଯଦି ଆପଣ ମାନସିକ ରୋଗ ବିଶେଷଙ୍ଗ୍ୟଙ୍କ ପରାମର୍ଶ ଅନୁସାରେ ଖାଇବେ ତେବେ ଏସବୁ ସମସ୍ୟା କେବେ ଦେଖା ଦେବା ନାହିଁ।

mental stress

ଅଧିକ ପଢ଼ନ୍ତୁ: କାହିଁକି ବଢ଼ୁଛି ମାନସିକ ରୋଗ?

ଲୋକମାନେ ମଧ୍ୟ ଭାବି ଥାଆନ୍ତି ମାନସିକ ରୋଗଗୁଡ଼ିକର ଚିକିତ୍ସା  ପାଇଁ ବ୍ୟବହୃତ ଔଷଧଗୁଡିକ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ଉପରେ ଖରାପ ପ୍ରଭାବ ପଡି ଥାଏ। ସେଗୁଡ଼ିକୁ ଖାଇଲେ kidney, liver, heart ଉପରେ ଖରାପ ପ୍ରଭାବ ପାଇଥାଏ। ମାତ୍ର ଏସବୁ ଭୁଲ ଧାରଣା। ସମସ୍ତେ ଜାଣି ରଖିବା ଉଚିତ ଯେ ମାନସିକ ରୋଗର ଚିକିତ୍ସା ନିମନ୍ତେ ଉଦ୍ଧିଷ୍ଟ ଔଷଧଗୁଡ଼ିକୁ ଖାଇଲେ ଶରୀରର ଅଙ୍ଗ ପ୍ରତ୍ୟେଙ୍ଗ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନ ଥାଏ।

ଆମ ସମାଜରେ ଲୋକମାନଙ୍କ ମଧ୍ୟରେ ଧାରଣା ଅଛି ଯେ ବିବାହ ଦ୍ଵାରା ମାନସିକ ରୋଗ ଠିକ୍‌ ହୋଇ ଯାଏ। ମାତ୍ର ଏହି ଧାରଣା ସମ୍ପୂର୍ଣ ଭୁଲ। ବରଂ ବିବାହ ଏହି ରୋଗୀଙ୍କୁ ଅଯଥାରେ ଅତ୍ୟନ୍ତ ଦାୟୀ ପୂର୍ଣ୍ଣ ପରିସ୍ଥିତିକୁ ଠେଲିଦିଏ। ମାନସିକ ଅବସ୍ଥା ଠିକ ନ ଥିଲା ବେଳେ ସଂସାର ଆରମ୍ଭ କରିବା, ପରସ୍ପରର ଦାୟିତ୍ଵ ନେବା ବରଂ ଚିନ୍ତାଜନକ ହୋଇପାରେ ଓ ରୋଗର ପରିଣତି ଉପରେ କୁପ୍ରଭାବ ପକାଇପାରେ। ବିବାହ ପୂର୍ବରୁ ରୋଗର ଅବସ୍ଥା ତଥା ଔଷଧ ସମ୍ପର୍କରେ ରୋଗୀ ଓ ତା’ର ଜୀବନସାଥୀ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଉଚିତ।

ଲୋକମାନେ ଭାବିଥା’ନ୍ତି ମାନସିକ ରୋଗଗୁଡ଼ିକର ଚିକିତ୍ସା କେବଳ ଔଷଧ ଦ୍ଵାରା ହିଁ ହୋଇ ପାରିବ। ମାତ୍ର ସମସ୍ତଙ୍କର ଜାଣି ରଖିବା ଉଚିତ କେତେକ ମାନସିକ ସମସ୍ୟା(ଯେମିତିକି ଡିପ୍ରେସନ, ଆଙ୍ଗଜାଇଟି) ଅଛି ଯେଉଁଥିରେ ଯଦି ଆପଣ ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା ପାଇଁ ଆସୁଛନ୍ତି ତେବେ ଆପଣ କେବଳ ନିୟମିତ କାଉନ୍ସେଲିଙ୍ଗ ଦ୍ଵାରା ମଧ୍ୟ ଭଲ ହୋଇ ପାରିବେ।

ବେଳେବେଳେ ଦରକାର ପଡିଲେ କେତେକ ମାନସିକ ସମସ୍ୟାରେ (ସ୍କିଜୋଫ୍ରେନିଆ, କାଟାଟୋନିଆ, ବାଇପୋଲାର) ବୈଦ୍ୟୁତିକ ଚିକିତ୍ସା ପଦ୍ଧତି (ଇସିଟି) ଦରକାର ପଡ଼ିଥାଏ। ଯେତେବେଳେ ରୋଗୀ ଔଷଧରେ ଆରୋଗ୍ୟ ଲାଭ କରେ ନାହିଁ, ରୋଗୀ ଔଷଧ ଖାଇବାକୁ ଆଦୌ ରାଜି ହୁଏ ନାହିଁ, ରୋଗୀଠାରେ ଆତ୍ମହତ୍ୟା ପ୍ରବଣତା ଦେଖା ଯାଏ, ରୋଗୀ ଖାଦ୍ୟ ଖାଇବା  ବନ୍ଦ କରିଦିଏ କିମ୍ବା ରୋଗୀ ଅଧିକାଂଶ ସମୟ ଉତ୍ତେଜିତ ହୋଇ ରହେ, ସେତେବେଳେ ବୈଦ୍ୟୁତିକ ଚିକିତ୍ସା ପଦ୍ଧତି ଦରକାର ପଡ଼ିଥାଏ। ଲୋକମାନଙ୍କ ମଧ୍ୟରେ ଏକ ଧାରଣ ଅଛି ବୈଦ୍ୟୁତିକ ଚିକିତ୍ସା ପଦ୍ଧତି (ଇସିଟି) ବହୁତ କଷ୍ଟ ଦାୟକ, ଯେମିତି ଫିଲ୍ମ ମାନଙ୍କରେ ସକ ଦିଆ ଯିବାର ଦେଖା ଯାଏ, ସେହିପରି ହସ୍ପିଟାଲରେ ମଧ୍ୟ ସକ ଥେରାପି ଦିଆଯାଏ। ମାତ୍ର ବର୍ତ୍ତମାନ ବ୍ୟବହାର କରାଯାଉଥିବା ବୈଦ୍ୟୁତିକ ଚିକିତ୍ସା ପଦ୍ଧତି ସଂପୂର୍ଣ୍ଣ ସୁରକ୍ଷିତ। ଏବେ anaesthesia ଦିଆ ଯାଇବୈଦ୍ୟୁତିକ ଚିକିତ୍ସା ପଦ୍ଧତି (ଇସିଟି) ଦିଆଯାଉଛି।ଏହାର ବ୍ୟବହାର ଦ୍ୱାରା ରୋଗୀଠାରେ  କୌଣସି ବଡ଼ ପାର୍ଶ ପ୍ରତିକ୍ରିୟା ଦେଖା ଦେଉ ନାହିଁ କି ରୋଗୀ କି କୌଣସି କଷ୍ଟ ହେଉନାହିଁ।

ତେଣୁ ମାନସିକ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ଆମେ ସମସ୍ତେ ସଚେତନ ରହିବା ଉଚିତ। ମାନସିକ ରୋଗ ସହିତ ଜଡିତ ନିନ୍ଦା, ଅପବାଦ ଓ ଲାଜକୁ ଆମ ସମାଜରୁ ସଂପୂର୍ଣ୍ଣ ଭାବେ ଦୂରେଇବାର ସମୟ ଆସିଯାଇଛି। ପ୍ରାରମ୍ଭିକ ଅବସ୍ଥାରେ ଉପଯୁକ୍ତ ଚିକିତ୍ସା କଲେ ସବୁ ମାନସିକ ରୋଗର ଚିକିତ୍ସା ସଂପୂର୍ଣ୍ଣ ସମ୍ଭବ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସତ୍ୟକାମ ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Myths Regarding Mental Health, in Odia language, is based on an extensive interview with Neurologist, Dr. Satyakam Mohapatra.