ଆଖି ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ଏହାର ଯତ୍ନ ନେବା ନିହାତି ଜରୁରୀ। ତେବେ ସବୁ ବୟସର ଲୋକଙ୍କଠାରେ କ’ଣ କ’ଣ ଆଖି ସମସ୍ୟା ଦେଖାଦିଏ ଓ ଏହାର ସମାଧାନ ଏବଂ ଯତ୍ନ କିପରି ନେବେ? ଏନେଇ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମିହିର କୁମାର ବଳ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ମୋବାଇଲ ବ୍ୟବହାର ଯୋଗୁଁ ପିଲା ଓ ଯୁବପିଢ଼ିଙ୍କର ଆଖି ସମସ୍ୟା (Children and young people have eye problems due to mobile use in Odia)

ପ୍ରତି ଘରେ ଘରେ ଦେଖିବାକୁ ମିଳୁଛି ଯେ, ଛୋଟ ପିଲାମାନେ ମୋବାଇଲର ବ୍ୟବହାର କରୁଛନ୍ତି। ପିଲା ଖାଉ ନଥିଲେ, ଦୁଷ୍ଟ ହେଉଥିଲେ, ତାଙ୍କ ଅଭିଭାବକମାନେ ତାଙ୍କୁ ମୋବାଇଲ ଧରେଇ ଦେଉଛନ୍ତି। ବାପାମା’ ପିଲାଙ୍କୁ ସମୟ ଦେଇପାରୁନଥିବାରୁ ସେମାନେ ତାଙ୍କ ପିଲାମାନଙ୍କୁ ମୋବାଇଲ ଧରେଇ ଦେଇ ଅନ୍ୟ କାମ କରୁଛନ୍ତି। ଫଳରେ ମୋବାଇଲରୁ ବାହାରୁଥିବା ନୀଳରଶ୍ମୀ ଆଖିକୁ କ୍ଷତି ପହଞ୍ଚାଏ ଓ ଧୀରେ ଧୀରେ ରେଟିନା ମଧ୍ୟ ଖରାପ ହୋଇଯାଏ। ତେଣୁ ପିଲାମାନଙ୍କୁ ମୋବାଇଲ ବ୍ୟବହାରରୁ ନିବୃତ୍ତ ରଖନ୍ତୁ।

ସେହିପରି ଯୁବପିଢ଼ିମାନେ ଘଣ୍ଟା ଘଣ୍ଟା ସମୟ କମ୍ପ୍ୟୁଟର ଆଗରେ କାର୍ଯ୍ୟ କରୁଛନ୍ତି। ଫଳରେ ସେମାନଙ୍କର ଆଖି ଜନିତ ସମସ୍ୟା ଅଧିକ ଦେଖାଦେଉଛି। ତେଣୁ କମ୍ପ୍ୟୁଟର ଆଗରେ କାମ କରିବା ବେଳେ କମ୍ପ୍ୟୁଟର ସ୍କ୍ରିନ୍‌ ଆଖିଠାରୁ ତଳକୁ ରଖନ୍ତୁ ଓ ରୁମ୍‌ର ଆଲୋକ ଯେପରି ଅଧିକ କିମ୍ବା କମ୍‌ ନ ରହେ। ରୁମ୍‌ର ଲାଇଟ୍‌ ବନ୍ଦ କରି ବା ଅନ୍ଧାର ଘରେ କମ୍ପ୍ୟୁଟର ବ୍ୟବହାର କରନ୍ତୁ ନାହିଁ। ଏହାସହ ବେଶୀ ସମୟ କମ୍ପ୍ୟୁଟର ଦେଖିଲେ ଆଖିର ପତା ପଡ଼ିବା ବା ବ୍ଲିଙ୍କ୍‌ କରିବା କମିଯାଇଥାଏ। ତେଣୁ ଆଖି ଶୁଷ୍କ ହୋଇଯାଏ, ଯାହାକୁ ଡ୍ରାଏ ଆଇ ସିଣ୍ଡ୍ରୋମ୍‌ କୁହାଯାଏ। ଏହି ସିଣ୍ଡ୍ରୋମ୍‌ ଆଖିକୁ ଧୀରେ ଧୀରେ ଖରାପ କରିଦେଇଥାଏ।

ତେଣୁ, କମ୍ପ୍ୟୁଟର ଆଗରେ କାର୍ଯ୍ୟ କରିବା ବେଳେ ୨୦-୨୦-୨୦ ନିୟମ ପାଳନ କରନ୍ତୁ। ଏହାର ଅର୍ଥ ହେଉଛି ପ୍ରତି ୨୦ ମିନିଟ୍‌ରେ ଥରେ ୨୦ ଫୁଟ୍‌ ଦୂରକୁ ୨୦ ସେକେଣ୍ଡ ପାଇଁ ଚାହିଁ ରହନ୍ତୁ।

eye dark circle

ଅଧିକ ପଢ଼ନ୍ତୁ: କେମିତି ନେବେ ଆଖିର ଯତ୍ନ?

ବୟସ୍କ ଲୋକଙ୍କର ଆଖିଜନିତ ସମସ୍ୟା ଓ ସମାଧାନ (Eye problems and solutions for older people in Odia)

ସାଧାରଣତଃ ୪୦ ବର୍ଷ ପରେ ଚକ୍ଷୁଜନିତ ସମସ୍ୟା ଦେଖାଦେଇଥାଏ। ଚାଳିଶିଆ, ମୋତିଆବିନ୍ଦୁ, ଗ୍ଲକୋମା ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ୪୦ ବର୍ଷ ପରେ ନିୟମିତ ବ୍ୟବଧାନରେ ଆଖିର ପରୀକ୍ଷା କରାଇନେବା ଜରୁରୀ।

ସେହିପରି କେତେକ ରୋଗ ଯେପରିକି, ଅନିୟନ୍ତ୍ରିତ ରକ୍ତ ଶର୍କରା ହେଲେ ଚକ୍ଷୁଜନିତ ସମସ୍ୟା ହୋଇପାରେ।

ଏହାଛଡ଼ା ଆଖିରେ ଧୂଳି ପଡ଼ିଗଲେ, ପୋକ ମାଡ଼ ହେଲେ, କେମିକାଲ ପଡ଼ିଗଲେ, କୌଣସି ବି ଜିନିଷ ଆଖିରେ ଆଘାତ ହେଲେ ଆଖିକୁ କ୍ଷତି ପହଞ୍ଚିଥାଏ। ତେଣୁ ଆଖିକୁ ସୁରକ୍ଷିତ ରଖିବା ଭଳି ଚଷମା ବା ପ୍ରୋଟେକ୍ସନ୍‌ ଗ୍ଲାସ୍‌ ବ୍ୟବହାର କରିବା ଜରୁରୀ। ପଥର କାଟୁଥିଲେ , କେମିକାଲ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଆଖିରେ ଚଷମା ବ୍ୟବହାର କରନ୍ତୁ। ଗାଡ଼ି ଚଳାଇବା ବେଳେ ହେଲମେଟ୍‌ ବା ଚଷମା ବ୍ୟବହାର କରନ୍ତୁ।

ଆଖିରେ ଆଲୁ ବା କୁଣ୍ଡାଇ ହେବାର କାରଣ (Causes of dry eyes and itching in Odia)

ଆଖିରେ ସଂକ୍ରମଣ ହେଲେ ଆଖିରେ ଆଲୁଅ ହୋଇଥାଏ। ଏହାଛଡ଼ା ଆଖି ଶୁଷ୍କ ହେଲେ ଆଖି କୁଣ୍ଡାଇବାକୁ ଇଛା ହୋଇଥାଏ। ଫଳରେ ଲୋକେ ହାତ ନ ଧୋଇ ବା ମଇଳା ହାତରେ ଆଖିକୁ ମକଚି ଦିଅନ୍ତି ଓ ସେହି ମଇଳା ଆଖିକୁ ଯାଇଥାଏ, ଯାହାକି ଆଖିରେ ଆଲୁଅ ହେବା, ଆଖି ନାଲି ପଡ଼ିଯିବା ଓ ଅନ୍ୟାନ୍ୟ ଆଖିଜନିତ ସମସ୍ୟା ଦେଖାଦେଇଥାଏ।

eye problem

ଅଧିକ ପଢ଼ନ୍ତୁ: ଆଖିରୁ ପାଣି ଗଡ଼ୁଛି କି?

ମନଇଛା ଆଖିରେ ଡ୍ରପ୍ ପକାନ୍ତୁ ନାହିଁ (Do not apply eye drops at your will in Odia)

ଆଖି କୁଣ୍ଡାଇ ହେଲେ, ଆଖି ନାଲି ପଡ଼ିଗଲେ, ଆଖି ଫୁଲିଗଲେ, ଆଖିରୁ ପାଣି ବାହାରିଲେ କିମ୍ବା ଆଖି ଶୁଷ୍କ ହୋଇଗଲେ ଲୋକେ ବିନା ଡାକ୍ତରଙ୍କ ପରାମର୍ଶରେ ପାଖ ମେଡିସିନ୍‌ ଷ୍ଟୋରରୁ ଆଖି ଡ୍ରପ୍‌ ଆଣି ପକାଇ ଦେଇଥାଆନ୍ତି। ହେଲେ ଏଥିରେ ଅଧିକ ମାତ୍ରାରେ ଷ୍ଟିରଏଡ୍‌ ଥାଏ। ଏହାକୁ ଆଖିରେ ବେଶୀ ଦିନ ପକାଇଲେ ଆଖି ଖରାପ ହେବାର ଆଶଙ୍କା ଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆଖି ଡ୍ରପ୍‌ ଓ ଟିୟର ଡ୍ରପ୍‌ ବ୍ୟବହାର କରନ୍ତୁ।

କେତେକ ଲୋକ ଗୋଟେ ଆଖି ଡ୍ରପ୍‌କୁ ମାସ ମାସ ବା ବର୍ଷ ବର୍ଷ ଧରି ବ୍ୟବହାର କରିଥାଆନ୍ତି। କିନ୍ତୁ, ଆଖି ଡ୍ରପ୍‌ ଖୋଲିବାର ମାସେ ଭିତରେ ତାକୁ ବ୍ୟବହାର କରିବା ଆବଶ୍ୟକ।

ଆଖି ପାଇଁ ଯୋଗ କେତେ ଜରୁରୀ? (How important is yoga for the eyes in Odia)

ଆଖି ପାଇଁ ଯୋଗ କରିବା ଦ୍ୱାରା ଆଖିର ମାଂସପେଶୀ ଭଲ ରହିଥାଏ। ୩୦ ସେକେଣ୍ଡ ପାଇଁ ନାକକୁ ଅନେଇ ରହନ୍ତୁ ଓ ଛାଡ଼ନ୍ତୁ। ଏସବୁ କରିବା ଦ୍ୱାରା ଆଖିର ଏକ୍ସରସାଇଜ୍‌ ହୋଇଥାଏ ଓ ଚକ୍ଷୁ ସୁସ୍ଥ ରହିଥାଏ।

ଆଖିକୁ ସୁସ୍ଥ ରଖିବା ପାଇଁ ଘରୋଇ ଉପଚାର କେତେ ସୁରକ୍ଷିତ? (How safe are home remedies to keep your eyes healthy in Odia)

କାହିଁ କେଉଁ କାଳରୁ ଲୋକେ ଆଖିରେ କଜଳ ଲଗାଇଥା’ନ୍ତି। ଲୋକଙ୍କର ଧାରଣା ଥାଏ ଯେ, ଆଖିରେ କଜଳ ଲଗାଇଲେ ଆଖି ସୁସ୍ଥ ରହିଥାଏ ଓ ବର୍ତ୍ତମାନ ସମୟରେ ଆଖିରେ କଜଳ ଲଗାଇବା ଏକ ଫ୍ୟାସନ୍‌ ପାଲଟିଗଲାଣି। ହେଲେ ଆଖିରେ କଜଳ ଲଗାଇବା ଦ୍ୱାରା ଧୀରେ ଧୀରେ ଆଖିର ରାସ୍ତାରେ ସେସବୁ ଜମା ହୋଇ ଆଖିକୁ କ୍ଷତି କରିଥାଏ କିମ୍ବା ଗ୍ଲକୋମା ଭଳି ସମସ୍ୟା ହୋଇଥାଏ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମିହିର କୁମାର ବଳଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Eye Care for All Ages, in Odia language, is based on an extensive interview with Ophthalmologist Dr Mihir Kumar Bal.