ଆଖିରୁ ପାଣି ଗଡ଼ୁଥିଲେ ଆପଣାନ୍ତୁ ଏହି ଉପାୟ।

ଆଖି ହେଉଛି ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ। ଆଖି ଭିତର ପୃଷ୍ଠକୁ ଆର୍ଦ୍ର ରଖିଥାଏ ଆମ ଆଖିର ଲୁହ। ଏହା ସହିତ ଆଖିରେ ପଡୁଥିବା ଛୋଟ କଣିକାଗୁଡ଼ିକୁ ସଫା କରିବାରେ ମଧ୍ୟ ଲୁହ ସାହାଯ୍ୟ କରିଥାଏ। ହେଲେ କେତେକଙ୍କଠାରେ ଆଖିରୁ ଅତ୍ୟଧିକ ପାଣି ଗଡୁଥିବା ଦେଖିବାକୁ ମିଳେ। ଏହା ଏକ ଚକ୍ଷୁଜନିତ ସମସ୍ୟା।

ଆଖିରୁ ପାଣି ଗଡ଼ିବା ସମସ୍ୟାକୁ ରୋକିବା ପାଇଁ ହେଲେ ଆଖିର ଯତ୍ନ ନେବା ନିହାତି ଦରକାର। ସବୁବେଳେ ଗୋଟେ ସଫା କଟନ କପଡ଼ାକୁ ଉଷୁମ କରି ଆଖି ଉପରେ ରଖି ଦିଅନ୍ତୁ। ଏହାଦ୍ଵାରା ଆଖିର ଗ୍ରନ୍ଥିଗୁଡ଼ିକ ସକ୍ରିୟ ହୋଇଯାଆନ୍ତି। ଏହାପରେ ଆଙ୍ଗୁଠିରେ ଆଖି ଉପରକୁ ହାଲ୍‌କା ମସାଜ କରିଦେବେ। ପ୍ରତିଦିନ ରାତିରେ ଶୋଇବା ବେଳେ ଉଷୁମ କପଡ଼ା ସେକ ଓ ଆଙ୍ଗୁଠିରେ ହାଲକା ମସାଜ କରାଯାଏ, ତେବେ ଆଖିକୁ ଆରାମ ମିଳିଥାଏ।

କେତେକ କ୍ଷେତ୍ରରେ ରୁପି ଯୋଗୁଁ ଆଖିରେ ସଂକ୍ରମଣ ହୋଇଥାଏ। ମୁଣ୍ଡରୁ ରୁପି ଆଖିର ପତା ଉପରେ ପଡ଼ି ସଂକ୍ରମଣ ସୃଷ୍ଟି କରିଥାଏ, ଯାହାକୁ ବ୍ଲେଫରାଇଟିସ୍‌ କୁହାଯାଏ। ଏଭଳି କ୍ଷେତ୍ରରେ ଛୋଟ ଛୁଆଙ୍କ ସାମ୍ପୋକୁ ପାଣିରେ ମିଶାଇ ଏକ କଟନ ସାହାଯ୍ୟରେ ଆଖିର ପତାକୁ ସଫା କରିପାରିବେ।

ଲମ୍ବା ସମୟ ଧରି କମ୍ପ୍ୟୁଟର କିମ୍ବା ମୋବାଇଲ ବ୍ୟବହାର କରିବା ଦ୍ଵାରା ବ୍ୟକ୍ତିଙ୍କୁ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ୍‌ ହୋଇଥାଏ। ଏହି ସିଣ୍ଡ୍ରୋମ୍‌ରେ ବ୍ୟକ୍ତି ଆଖି ମିଟ୍‌ମିଟ୍‌ (Blink) ବହୁତ କମ୍‌ କରିଥାଏ। ତେଣୁ, ଦୀର୍ଘ ସମୟ ଧରି କମ୍ପ୍ୟୁଟର ବ୍ୟବହାର କରିବା ପରେ ଆଖିକୁ ବିଶ୍ରାମ ଦେବା ଆବଶ୍ୟକ। କମ୍ପ୍ୟୁଟର ବ୍ୟବହାରର ପ୍ରତି ଘଣ୍ଟେ ଘଣ୍ଟେରେ ଆଖିକୁ ବିଶ୍ରାମ ଦିଅନ୍ତୁ। ମଝିରେ ମଝିରେ ଆଖିରେ ଥଣ୍ଡା ପାଣି ଛାଟନ୍ତୁ। ଅଥବା ଡାକ୍ତରଙ୍କୁ ପରାମର୍ଶ କରି ଟିଅର ଡ୍ରପ୍‌ ମଧ୍ୟ ବ୍ୟବହାର କରିପାରିବେ।