healthy eye

ବର୍ତ୍ତମାନ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ଓ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି। ପିଲାମାନେ ମୋବାଇଲରେ କାର୍ଟୁନ୍‌, ଭିଡିଓଗେମ୍‌ ଓ ଅନ୍ୟାନ୍ୟ ଗେମ୍‌ ଖେଳିବାକୁ ପସନ୍ଦ କରୁଛନ୍ତି। ଅନ୍ୟପଟେ ଯୁବକମାନେ ଓ ମଧ୍ୟ ବୟସ୍କର ଲୋକମାନେ ଦିନକୁ ୮ରୁ ୧୦ ଘଣ୍ଟା ଧରି କମ୍ପ୍ୟୁଟର ଆଗରେ କାମ କରୁଛନ୍ତି ଓ ଅଫିସ୍‌ କାମ ସରିବା ପରେ ମୋବାଇଲ ଦେଖୁଛନ୍ତି। ଫଳରେ ଅଳ୍ପ ବୟସରୁ ଆଖି ସମସ୍ୟା ଦେଖାଦେଉଛି। ତେବେ ଆଖିର କିଭଳି ନେବେ ଯତ୍ନ, ସେନେଇ ଜାଣନ୍ତୁ। 

୨୦-୨୦-୨୦ ନିୟମ  

ଲଗାତାର କମ୍ପ୍ୟୁଟର, ମୋବାଇଲ କିମ୍ବା ବହି ଦେଖୁଥିଲେ ଆଖି ଉପରେ ଚାପ ପଡ଼ିଥାଏ। ତେଣୁ ପ୍ରତି ୨୦ ମିନିଟ୍‌ରେ ଥରେ କମ୍ପ୍ୟୁଟର, ମୋବାଇଲ କିମ୍ବା ବହିରୁ ଆଖି ହଟାଇ ୨୦ ଫୁଟ୍‌ ଦୂରକୁ ୨୦ ସେକେଣ୍ଡ ପାଇଁ ଚାହିଁ ରହନ୍ତୁ। ଏହା କରିବା ଦ୍ଵାରା ଆଖିକୁ ବିଶ୍ରାମ ମିଳିଥାଏ।

କମ୍ପ୍ୟୁଟରର ବ୍ରାଇଟନେସ୍ କମାନ୍ତୁ 

ଆଖିରେ ମାତ୍ରାଧିକ ଆଲୋକ ପଡ଼ିବା ଯୋଗୁଁ ଆଖି ଶୀଘ୍ର ଖରାପ ହୋଇଯାଏ। ଯାହାଦ୍ୱାରା ଆଖିର ପାୱାର ଉପରେ ପ୍ରଭାବ ପଡ଼ିଥାଏ। ଆଖିର ପାୱାରକୁ ନିୟନ୍ତ୍ରଣରେ ରଖିବା ପାଇଁ ନିଜ କମ୍ପ୍ୟୁଟରର ବ୍ରାଇଟନେସ୍‌କୁ କମାନ୍ତୁ।

ଆଙ୍ଗୁଠି ଉପରେ ଧ୍ୟାନ ଦିଅନ୍ତୁ

ପ୍ରଥମେ ନିଜ ଆଙ୍ଗୁଠିକୁ ଆଖି ସିଧାରେ ସାମାନ୍ୟ ଦୂରରେ ରଖନ୍ତୁ। ଆପଣଙ୍କ ଆଙ୍ଗୁଠି ଉପରେ ଧ୍ୟାନ ଦିଅନ୍ତୁ। ଆଙ୍ଗୁଠିକୁ ବାମ ଓ ଡାହାଣ ବୁଲାନ୍ତୁ ଓ ଧୀରେ ଧୀରେ ଆଖିର ନଜର ଆଙ୍ଗୁଠି ଅନୁସାରେ ବୁଲାନ୍ତୁ। ତିନିଥର ଏହି ଅଭ୍ୟାସକୁ ପୁନରାବୃତ୍ତି କରନ୍ତୁ।