ଶରୀର ଗଠନ ପାଇଁ ଆବଶ୍ୟକୀୟ ଭିଟାମିନ୍‌ଠାରୁ ଆରମ୍ଭ କରି ଖଣିଜଶକ୍ତି ଭରପୂର ହୋଇ ରହିଥିବାରୁ ଅଣ୍ଡାକୁ ପୌଷ୍ଟିକ ଆହାର ଭାବେ ବିବେଚନା କରାଯାଏ।

ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସମସ୍ତଙ୍କର ଦାୟିତ୍ୱ ଏବଂ ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହୋଇଥାଏ ସଠିକ୍‌ ପୋଷଣ। ସଠିକ୍‌ ପୋଷଣ ଉଭୟ ଶାରୀରିକ ଓ ମାନସିକ ବିକାଶରେ ସାହାଯ୍ୟ କରିଥାଏ। ଶରୀରକୁ ଉପଯୁକ୍ତ ପୋଷଣ ଦେବାରେ ବା ଶରୀରରେ ପୁଷ୍ଟିର ଅଭାବକୁ ପରିପୂର୍ଣ୍ଣ କରିବାରେ ଅଣ୍ଡା ହେଉଛି ପାଓ୍ୱାର ହାଉସ୍‌ ସଦୃଶ।

ଗୋଟେ ଅଣ୍ଡାରେ ୭୭ କ୍ୟାଲୋରି, ଭିଟାମିନ୍‌ ଏ, ବି୫, ବି୧୨, ଡି, ଇ, କେ, ବି୬, ଫୋଲେଟ୍‌, କୋଲିନ୍‌, ଫସ୍‌ଫରସ୍‌, ସେଲେନିୟମ୍‌, କ୍ୟାଲସିୟମ୍‌, ଜିଙ୍କ୍‌, ୬ଗ୍ରାମ୍‌ ପ୍ରୋଟିନ୍‌, ରିବୋଫ୍ଲାବିନ୍‌, ପଣ୍ଟୋଥେନିକ୍‌ ଏସିଡ୍‌, ଭିଟାମିନ୍‌ ଇ। ଅଣ୍ଡା ପ୍ରୋଟିନ୍‌ର ଏକ ଉତ୍ତମ ଉତ୍ସ। ଆସନ୍ତୁ, ଜାଣିବା ଅଣ୍ଡା ଖାଇବା ଦ୍ୱାରା କ’ଣସବୁ ଲାଭ ମିଳିଥାଏ।

ଭଲ କୋଲେଷ୍ଟ୍ରୋଲ ବୃଦ୍ଧି କରେ

ଅଣ୍ଡା ଖାଇବା ଦ୍ୱାରା ଭଲ କୋଲେଷ୍ଟ୍ରଲ (HDL) ବୃଦ୍ଧି ପାଏ। ଯେଉଁମାନଙ୍କର HDL ସ୍ତର ଅଧିକ ଥାଏ ସେମାନଙ୍କୁ ହୃଦଘାତ, ଷ୍ଟ୍ରୋକ୍ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା କମ୍ ଥାଏ। ଏକ ଅଧ୍ୟୟନ ଅନୁଯାୟୀ, ଦୈନିକ ଦୁଇଟା ଅଣ୍ଡା ଛଅ ସପ୍ତାହ ଯାଏଁ ଖାଇବା ଦ୍ୱାରା HDL ସ୍ତର ୧୦ ପ୍ରତିଶତ ବୃଦ୍ଧି ପାଇଥାଏ।

ଅଧିକ ପଢ଼ନ୍ତୁ: ପୋଷଣରେ ଭରପୂର ସ୍ପିରୁଲିନା – ଜାଣନ୍ତୁ ଏହାର ଫାଇଦା

ପ୍ରୋଟିନ୍‌ ମାତ୍ରା ଅଧିକ

ମାଂସପେଶୀ, ଚର୍ମ, ଶରୀରର ଟିସୁ ଇତ୍ୟାଦିର ପୁନଃନିର୍ମାଣ ପାଇଁ ଉପାଦେୟ ପୁଷ୍ଟିସାର ମଧ୍ୟ ଅଣ୍ଡାରେ ରହିଛି। ହରମୋନ, ଏଞ୍ଜାଇମ ଓ ରୋଗ ପ୍ରତିରୋଧକ ଆଣ୍ଟିବଡି ତିଆରିରେ ମଧ୍ୟ ପୁଷ୍ଟିସାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶରୀରରେ ପୁଷ୍ଟିର ଅଭାବ ଦୂର କରିବା ପାଇଁ ଏବଂ ଓଜନକୁ ନିୟନ୍ତ୍ରଣ ରଖିବା ପାଇଁ ପ୍ରୋଟିନ୍‌ ଆବଶ୍ୟକ। ଏଭଳି କ୍ଷେତ୍ରରେ ଏହି ଆବଶ୍ୟକତା ପୂରଣ କରିଥାଏ ଅଣ୍ଡା।

ତ୍ୱଚା ଓ କେଶ ପାଇଁ ଭଲ

ଅଣ୍ଡାରେ ଭିଟାମିନ୍ ବି୧୨, ବି୫, ବାୟୋଟିନ୍, ରାଇବୋଫ୍ଲାଭିନ, ଥିଏମାଇନ୍ ଏବଂ ସେଲେନିୟମ୍ ସହିତ ଭିଟାମିନ୍ ବି ଭରପୂର ମାତ୍ରାରେ ରହିଛି। ଏହି ସମସ୍ତ ଭିଟାମିନ୍ କେଶ, ଚର୍ମ ଏବଂ ନଖର ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଭଲ। ଅଣ୍ଡା ଚର୍ମରେ ଇଲାସ୍ଟିସିଟିକୁ ଭଲ କରିବା ସହ କୋଲାଜେନ୍‌ ବୃଦ୍ଧି କରିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ

ଗୋଟେ ଅଣ୍ଡାରେ ୫୯ ପ୍ରତିଶତ ସେଲେନିୟମ୍‌, ୩୨ ପ୍ରତିଶତ ଭିଟାମିନ୍‌ ଏ, ୧୪ ପ୍ରତିଶତ ଆଇରନ୍‌ ଥାଏ। ଏହି ସମସ୍ତ ପୋଷକ ତତ୍ୱ ପତିରକ୍ଷା ପ୍ରଣାଳୀକୁ ମଜଭୁତ କରିଥାଏ।

ଅଧିକ ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ଶୁଣ୍ଠି

ଭିଟାମିନ୍‌ ଡି ଥାଏ

ଭାରତରେ ଅଧିକାଂଶ ଲୋକ ଭିଟାମିନ୍‌ ଡି ଅଭାବ ଜନିତ ସମସ୍ୟା ଯେପରିକି ଆଣ୍ଠୁଗଣ୍ଠି ସମସ୍ୟା, ଅଷ୍ଟିଓପୋରସିସ୍‌, ଅଷ୍ଟିଓଆର୍ଥାଇଟିସ୍‌ ରୋଗରେ ପୀଡ଼ିତ। ତେଣୁ ଖାଦ୍ୟରେ ଅଣ୍ଡା ସାମିଲ କରିବା ନିହାତି ଜରୁରୀ। ଅଣ୍ଡାରେ ଥିବା ଭିଟାମିନ୍ ଡି ଶରୀରରେ କ୍ୟାଲସିୟମ୍‌କୁ ଭଲ ଭାବରେ ଅବଶୋଷିତ କରିବାରେ ସାହାଯ୍ୟ କରିଥାଏ, ଯାହା ହାଡ଼ ଏବଂ ଦାନ୍ତକୁ ସୁସ୍ଥ ରଖେ।

ସ୍ମୃତିଶକ୍ତି ବୃଦ୍ଧି କରେ

ଅଣ୍ଡାରେ ପ୍ରସ୍ତୁତ ଥିବା କୋଲିନ୍‌ ସ୍ନାୟୁ ଓ ମାଂଶପେଶୀ ଚାଳନାରେ ସାହାଯ୍ୟ କରେ ଏବଂ ସ୍ମୃତିଶକ୍ତିର ଅଭିବୃଦ୍ଧି କରେ। 

ଗର୍ଭବତୀ ମହିଳାଙ୍କ ପାଇଁ ଅଣ୍ଡା

ଅଣ୍ଡାରେ ଥିବା ଲୋହିତ ରକ୍ତକଣିକା ତିଆରି କରିବା ସହ ଫଲିକ ଏସିଡ ଗର୍ଭସ୍ଥ ଶିଶୁର ଅଭିବୃଦ୍ଧିରେ ସହାୟକ ହୁଏ। ତେଣୁ ଗର୍ଭବତୀ ମହିଳାମାନେ ଅଣ୍ଡା ଖାଇବା ଦରକାର।