କଞ୍ଚା ଅବସ୍ଥାରେ ଏହାକୁ ଅଦା କୁହାଯାଏ ଓ ଶୁଖିଲା ଅବସ୍ଥାରେ ଏହାକୁ ଶୁଣ୍ଠି କହନ୍ତି। ସ୍ୱାସ୍ଥ୍ୟ ପାଇଁ ଅଦା ଓ ଶୁଣ୍ଠି ବେଶ୍‌ ଉପକାରୀ।

ଅଣ୍ଟା ବିନ୍ଧା କିମ୍ବା ଦରଜ ହେଉଥିଲେ ଅଦାକୁ ଛେଚି ପାଣିରେ ସିଝାନ୍ତୁ। ଏଥିରେ ଶୁଣ୍ଠି ଚୂର୍ଣ୍ଣ ଓ ସୈନ୍ଧବ ଲୁଣ ମିଶାଇ ପ୍ରତିଦିନ ୨ରୁ ୩ ଥର ଉଷୁମ୍‌ ଥିବା ବେଳେ ପିଇଲେ ଅଣ୍ଟା ବିନ୍ଧା ଭଲ ହୋଇଥାଏ।

ବଦ୍‌ହଜମୀ ବା ଅଜୀର୍ଣ୍ଣ ହେଉଥିଲେ ହରିଡ଼ା, ଶୁଣ୍ଠି, ସୈନ୍ଧବ ଲୁଣକୁ ଗୋଟେ କପ୍‌ ଉଷୁମ ପାଣିରେ ମିଶାଇ ପିଇବା ଦ୍ୱାରା ଉପଶମ ମିଳିଥାଏ।

ଦୁଇ କିମ୍ବା ତିନି ଦିନ ଧରି ଝାଡ଼ା ସଫା ହେଉନଥିଲେ ଗରମ ପାଣିରେ ଶୁଣ୍ଠିଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଲୁଣ ମିଶାଇ ପିଇଲେ ଝାଡ଼ା ସଫା ହୋଇଥାଏ।

ମାସିକ ଋତୁସ୍ରାବଜନିତ ପୀଡ଼ାରୁ ଉପଶମ ଦେଇଥାଏ ଶୁଣ୍ଠି ଗୁଣ୍ଡ। ଏହି ସମୟରେ ପେଟ କାଟୁଥିଲେ ଉଷୁମ ପାଣିରେ ଅଦା ରସ, ଶୁଣ୍ଠି ଗୁଣ୍ଡ ମିଶାଇ ସିଝାନ୍ତୁ। ଏହି ପାଣି ଉଷୁମ କରି ଦିନକୁ ୨ରୁ ୩ ଥର ପିଇପାରିବେ। ଏହାଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ।

ବାନ୍ତି ଲାଗୁଥିଲେ ଗରମ ପାଣିରେ ଶୁଣ୍ଠିଗୁଣ୍ଡ ଓ ମହୁ ମିଶାଇ ପିଇବା ଦ୍ୱାରା ଉପଶମ ମିଳିଥାଏ।

ନିୟମିତ ଅଦା ଓ ଶୁଣ୍ଠିକୁ ଖାଦ୍ୟରେ ସାମିଲ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।