ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କଠାରୁ ପିସିଓଏସ୍ ସମସ୍ୟା ବିଷୟରେ ଅଧିକ ଜାଣନ୍ତୁ। (PCOS: Causes, Symptoms, Tests and Treatments in Odia)

ଅଧିକ ପଢ଼ନ୍ତୁ: ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ?

ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ। ଏହା ଏକ ହରମୋନ୍‌ଜନିତ ସମସ୍ୟା, ଯାହା ମହିଳାମାନଙ୍କଠାରେ ଦେଖାଯାଇଥାଏ। କିଛି ବର୍ଷ ପୂର୍ବରୁ ପିସିଓଏସ୍‌କୁ ପିସିଓଡି (ପଲିସିଷ୍ଟିକ୍‌ ଓଭାରିଆନ୍‌ ଡିଜିଜ୍‌) ବୋଲି କୁହାଯାଉଥିଲା।

ବର୍ତ୍ତମାନ ସମୟରେ କିଶୋରୀଙ୍କଠାରୁ ଆରମ୍ଭ କରି ୪୦ ବର୍ଷର ମହିଳାଙ୍କ ଯାଏଁ ପିସିଓଏସ୍‌ ସମସ୍ୟା ଦେଖାଦେଉଛି। ଏହି ସମସ୍ୟା ଥିଲେ ମହିଳାଙ୍କର ଋତୁଚକ୍ରରେ ଅନିୟମିତତା ହୁଏ, ବହୁତ ଦିନ  ବା ମାସ ମାସ ପର୍ଯ୍ୟନ୍ତ ଋତୁସ୍ରାବ ବନ୍ଦ ହୋଇଯାଏ ଏବଂ ବହୁତ ଶୀଘ୍ର ଋତୁଚକ୍ର ହୋଇଥାଏ। ମହିଳାଙ୍କ ଶରୀରରେ ପୁରୁଷ ହରମୋନ୍‌ ଅଧିକ ଥିବାରୁ  ମୁହଁରେ ବ୍ରଣ, ଅତ୍ୟଧିକ କେଶ ଝଡ଼ିବା ବା ଚନ୍ଦାପଣ, ହର୍ସୁଟିଜିମ୍‌ (ମୁହଁରେ କିମ୍ବା ହାତ ଗୋଡ଼ରେ ଅଦରକାରି କେଶ ହେବା) ଏବଂ ମହିଳାମାନଙ୍କ ଓଭାରି ବା ଅଣ୍ଡକୋଷରେ ପଲିସିଷ୍ଟିକ୍‌ ଓଭାରି ଦେଖିବାକୁ ମିଳିଥାଏ।

ପିସିଓଏସ୍‌ର କାରଣ (Causes of PCOS in Odia)

ଏଯାବତ୍‌ ପିସିଓଏସ୍‌ର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ। ଏହା ଜେନେଟିକ୍‌ କାରଣରୁ ହୋଇଥାଇପାରେ। ଆଜିକାଲି ମେଦବହୁଳତା ଯୋଗୁଁ ପିଲିସିଷ୍ଟିକ୍‌ ଓଭାରିଆନ୍‌ ସିଣ୍ଡ୍ରୋମ ଦିନକୁ ଦିନ ବଢ଼ିବାରେ ଲାଗିଛି।

pcos

ଅଧିକ ପଢ଼ନ୍ତୁ: ମହିଳାମାନଙ୍କ ଓଭାରିଆନ ସିଷ୍ଟ କ’ଣ?

ପିସିଓଏସ୍‌ର ଲକ୍ଷଣ (Symptoms of PCOS in Odia)

ଋତୁସ୍ରାବରେ ଅନିୟମିତତା

ମୁହଁରେ ଅନାବଶ୍ୟକ କେଶ ଉଠିବା

ଶରୀରର ବିଭିନ୍ନ ସ୍ଥାନରେ କେଶ ଉଠିବା

ଅତ୍ୟଧିକ ବ୍ରଣ ହେବା

କେଶ ଝଡ଼ିବା

ମେଲ୍‌ ପାର୍ଟନ୍‌ କେଶ ଝଡ଼ିବା (ସାଧାରଣତଃ ସାମ୍ନା ପଟୁ କେଶ ଝଡ଼ିବା)

ମୋଟାପଣ ନିୟନ୍ତ୍ରଣ କରିବାରେ ଅସୁବିଧା ହେବା

ଗର୍ଭଧାରଣରେ ଅସୁବିଧା ହେବା

ପିସିଓଏସ୍‌ ସମସ୍ୟା ଥିଲେ ମଧୁମେହ, ଉଚ୍ଚରକ୍ତଚାପ, ହୃଦ୍‌ରୋଗ, କରୋନାରି ଆର୍ଟେରି ରୋଗ ହେବାର ଆଶଙ୍କା ଅଧିକ ଥାଏ।

ଅଧିକ ପଢ଼ନ୍ତୁ: କିପରି କରିବେ ପିସିଓଡି ସମସ୍ୟାର ଚିକିତ୍ସା?

ଆଧୁନିକ ଜୀବନଶୈଳୀ ଓ ପିସିଓଏସ୍‌ (Modern lifestyle and PCOS)

ମେଦବହୁଳତା ହେଉଛି ପିସିଓଏସ୍‌ର ମୁଖ୍ୟ କାରଣ। କେତେକ କ୍ଷେତ୍ରରେ ପତଳା ମହିଳାଙ୍କୁ ବି ପିସିଓଏସ୍‌ ହୋଇପାରେ।

ଅସ୍ୱାସ୍ଥ୍ୟକର ଖାଦ୍ୟ ଶୈଳୀ ଯୋଗୁଁ ମୋଟାପଣ ବଢ଼ିବା ସହ ଏଣ୍ଡୋକ୍ରାଇନ୍‌ ସିଷ୍ଟମ୍‌ରେ ବ୍ୟାଘାତ ସୃଷ୍ଟି ହୋଇଥାଏ।

ପିସିଓଏସ୍‌ର ପରୀକ୍ଷଣ

ଅନ୍ୟ କେତେକ ରୋଗର ଲକ୍ଷଣ ଭଳି ପିସିଓଏସ୍‌ର ଲକ୍ଷଣ ପ୍ରାୟ ସମାନ। ତେଣୁ ପିସିଓଏସ୍‌ ସମସ୍ୟାର ସଠିକ୍‌ ନିରୂପଣ ହେବା ଜରୁରୀ। କାରଣ ମଧୁମେହ ଭଳି ପିସିଓଏସ୍‌ ଜୀବନସାରା ରହିଥାଏ। ତେଣୁ ପିସିଓଏସ୍‌ର ସଠିକ୍‌ ପରୀକ୍ଷଣ କରିବା ସହ ତାକୁ ନିୟନ୍ତ୍ରଣରେ ରଖିବାକୁ ଜରୁରୀ। ଏଥିପାଇଁ ଏଲ୍‌ଏଚ୍‌, ଏଫ୍‌ଏସ୍‌ଏଚ୍‌, ଇନ୍‌ସୁଲିନ୍‌ ସ୍ତର, ସିରମ୍‌ ଆଣ୍ଡ୍ରୋଜେନ୍‌ ସ୍ତର, ଥାଇରଏଡ୍‌ ଓ ପ୍ରୋଲାକ୍‌ଟିନ୍‌ର ପରିକ୍ଷା କରାଯାଏ। ଏହାଛଡ଼ା ଅଲଟ୍ରାସାଉଣ୍ଡ କରି ଓଭାରିର ଆକାର ଓ କେତେ ପରିମାଣର ଫଲିକିଲ୍ସ ଅଛି ତାହା ଦେଖାଯାଏ। ତେଣୁ ସଠିକ୍‌ ଡାକ୍ତର ପାଖରେ ପିସିଓଏସ୍‌ର ସଠିକ୍‌ ପରୀକ୍ଷଣ କରିବା ଦରକାର।

ପିସିଓଏସ୍‌ର ଚିକିତ୍ସା (Treatment of PCOS in Odia)

ପିସିଓଏସ୍‌ ନିୟନ୍ତ୍ରଣ କରିବାକୁ ହେଲେ ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ହେବ। ନିଜ ଉଚ୍ଚତା ଅନୁଯାୟୀ ଓଜନକୁ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟକର ଖାଦ୍ୟ, ବ୍ୟାୟାମ, ରାତିରେ ସଠିକ୍‌ ପରିମାଣରେ ଶୋଇବା ଦ୍ଵାରା ପିସିଓଏସ୍‌ କେତେ ମାତ୍ରାରେ ନିୟନ୍ତ୍ରଣ ରହିଥାଏ।

ଏହାଛଡ଼ା ପିସିଓଏସ୍‌ରେ ପୀଡ଼ିତ ମହିଳାଙ୍କ ସମସ୍ୟା ଦେଖି ଏହାର ଚିକିତ୍ସା ଭିନ୍ନ ଭିନ୍ନ।

ପିସିଓଏସ୍‌ ବଂଶଗତ କି? (Is PCOS hereditary in Odia)

କେତେକ କ୍ଷେତ୍ରରେ ପିସିଓଏସ୍‌ ବଂଶଗତ କାରଣରୁ ହୋଇପାରେ। ହେଲେ ଏହି ସମସ୍ୟା ଜନ୍ମଗତ।

ଗର୍ଭଧାରଣ ଉପରେ ପିସିଓଏସ୍‌ର ପ୍ରଭାବ (Effects of PCOS on pregnancy in Odia)

ପଲିସିଷ୍ଟିକ୍‌ ଓଭାରିଆନ୍‌ ସିଣ୍ଡ୍ରୋମ୍‌ କାରଣରୁ ବନ୍ଧ୍ୟାତ୍ୱ ଦେଖାଦେବାର ସମ୍ଭାବନା ରହିଛି। ପିସିଓଏସ୍‌ ଯୋଗୁଁ ମହିଳାଙ୍କର ଗର୍ଭ ରହିବାରେ ଅସୁବିଧା ହୋଇପାରେ। ତେଣୁ, ସେମାନେ ଠିକ୍‌ ସମୟରେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଚିକିତ୍ସା କରାଇବା ଜରୁରୀ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁଜାତା କରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on PCOS, in Odia language, is based on an extensive interview with obstetrician and gynaecologist Dr. Sujata Kar.