ଦିନକୁ ଦିନ ମାନସିକ ରୋଗ ବଢ଼ୁଛି କାହିଁକି? ଏହାର ଚିକିତ୍ସା କ’ଣ ରହିଛି? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ନୀଳମାଧବ ରଥ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ସାମାଜିକ ଆଶାର ପୃଷ୍ଠଭୂମିରେ ମଣିଷର ବ୍ୟବହାରର ତାରତମ୍ୟତାକୁ ମାନସିକ ରୋଗ ବୋଲି କୁହାଯାଏ। ଏହା ହେଉଛି ମନର ଏକ ଅସାଧାରଣ ଅବସ୍ଥା ଯାହା ମଣିଷର ବ୍ୟବହାରରୁ ଜଣାପଡ଼ିଥାଏ। ଶାରୀରିକ ସମସ୍ୟା. ମାନସିକ ଚାପ, ନିଶାଦ୍ରବ୍ୟ ସେବନ କାରଣରୁ ଆମେ ମାନସିକ ରୋଗର ଶିକାର ହୋଇଥାଉ।

ମସ୍ତିଷ୍କରେ ଅନେକ ସମୟରେ ଅନେକ ପ୍ରକାର ନ୍ୟୁରୋ ଟ୍ରାନ୍ସମିଟର ବା ଜୀବ ରସର ଅଭାବ କିମ୍ବା ଅଧିକ ହେଲେ ବ୍ୟବହାରରେ ପରିବର୍ତ୍ତନ ପାଇଁ ଦାୟୀ। ଏହାସହ ସମାଜର ଆଶା ଅନୁଯାୟୀ ମଣିଷର ବ୍ୟବହାରରେ ପରିବର୍ତ୍ତନ ହୋଇଥାଏ।

ମାନସିକ ରୋଗର କାରଣ (Causes of mental illness in Odia)

ଯେକୌଣସି ମାନସିକ ରୋଗର ଚାରି ପ୍ରକାର କାରଣ ଥାଏ। ପ୍ରଥମଟି ହେଉଛି ଶାରୀରିକ ମାନସିକ ରୋଗ, ଚାପ ଜନିତ ମାନସିକ ରୋଗ, ସାମାଜିକ ମାନସିକ ରୋଗ, ଆଧ୍ୟାତ୍ମିକ ମାନସିକ ରୋଗ।

ଶାରୀରିକ ମାନସିକ ରୋଗ: ମସ୍ତିଷ୍କରେ ଆଘାତ ଲାଗିଲେ ବା ଅନ୍ୟ ଶାରୀରିକ ରୋଗ ହେଲେ ମଣିଷର ମନ ଓ ବ୍ୟବହାର ବଦଳିଥାଏ।

ଚାପ ଜନିତ ମାନସିକ ରୋଗ: ପ୍ରେମରେ ଅସଫଳତା, ବେକାରି, ଦୁଃଖ ଯୋଗୁଁ ମଣିଷ ଚାପଗ୍ରସ୍ତ ହୋଇଥାଏ। ବର୍ତ୍ତମାନ ସମୟରେ ଚାପ ଜନିତ ମାନସିକ ରୋଗ ବହୁଳ ଭାବରେ ବଢ଼ିଯାଇଛି। କରୋନା ମହାମାରୀ ଯୋଗୁଁ ପ୍ରାୟ ଲୋକ ଘରେ ବନ୍ଦ ହୋଇ ରହିଛନ୍ତି। ଏଥିପାଇଁ ଆର୍ଥିକ ଚାପ ମଣିଷକୁ ଚାପଗ୍ରସ୍ତ କରିଦେଉଛି।

ଆଧ୍ୟାତ୍ମିକ ମାନସିକ ରୋଗ: ଯଦି କିଛି ଭୁଲ କାମ କରୁଛନ୍ତି ଓ ଆପଣଙ୍କ ବିବେକକୁ ବାଧା ହେଉଛି, ତାକୁ ଆଧ୍ୟାତ୍ମିକ ମାନସିକ ରୋଗ କୁହାଯାଏ।

mental illness

ଅଧିକ ପଢ଼ନ୍ତୁ: ମାନସିକ ଉଦ୍‌ବେଗ ରୋଗ କ’ଣ?

ମାନସିକ ରୋଗ ବଢ଼ୁଛି କାହିଁକି? (Why is mental illness on the rise in Odia)

ବର୍ତ୍ତମାନ ସମୟର ଜୀବନଶୈଳୀ, ଅଭାବ, କୌଣସି ସଂକ୍ରମଣ ଓ ନିଶାଜନିତ ମାନସିକ ଚାପ ବଢ଼ିଚାଲିଛି। ୧୫ରୁ ୩୦ ପ୍ରତିଶତ ଯୁବକମାନେ ନିଶାଗ୍ରସ୍ତର ଶିକାର ହେଉଛନ୍ତି। ଏହାଛଡ଼ା ପାଠର ଚାପ, ପରୀକ୍ଷାର ଚାପ, ପ୍ରେମରେ ବିଫଳତା, ଅସଫଳତା କାରଣରୁ ଅନେକ ଲୋକ ମାନସିକ ଚାପରେ ରହୁଛନ୍ତି।

ପ୍ରତିଯୋଗିତା ମୂଳକ ଜୀବନରେ ମଣିଷ ତା’ର ଆତ୍ମିକ ସାନ୍ତ୍ୱନା ପାଇପାରୁ ନାହିଁ।

ନିଶାଦ୍ରବ୍ୟ ମାନସିକ ରୋଗକୁ ଡାକେ

ଗ୍ରାମାଞ୍ଚଳମାନଙ୍କରେ ଗଞ୍ଜେଇର ବହୁଳ ବ୍ୟବହାର ହୋଇଥାଏ। ଗଞ୍ଜେଇ ସେବନ ଦ୍ୱାରା ମାନସିକ ରୋଗ ବୃଦ୍ଧି ପାଇଥାଏ। ଭାରତରେ ମିଳୁଥିବା ଗଞ୍ଜେଇରେ ଟିଏସ୍‌ଇ ୯ ଓ ଟିଏସ୍‌ଇ ୧୧ ରହିଛି, ଯାହା ମସ୍ତିଷ୍କର ମାନାବିସ୍‌ ରିସେପ୍‌ଟରକୁ ପ୍ରଭାବିତ କରିଥାଏ। ଫଳରେ ବ୍ୟକ୍ତି ମାନସିକ ରୋଗାଗ୍ରସ୍ତ ହୋଇଥା’ନ୍ତି। ବହୁତ ଦିନ ଧରି ଗଞ୍ଜେଇ ଖାଇଲେ ଜଣେ ଅନ୍ୟକୁ ହତ୍ୟା କରିବାକୁ ପଛାଇ ନଥାଏ। ଏହାଛଡ଼ା ମଣିଷର କୌଣସି କାମ କରିବାକୁ ଇଛା ହୋଇନଥାଏ ଏବଂ ବ୍ୟକ୍ତି କେବଳ ଶୋଇ ରହିଥା’ନ୍ତି।

ବର୍ତ୍ତମାନ ଯୁଗରେ ପ୍ରାୟ ଲୋକ ଅଧିକାଂଶ ସମୟରେ ମଦ୍ୟପାନ କରୁଛନ୍ତି। ବେଳେ ବେଳେ ଲୋକ ମଦ ପିଇବା ନିଶାରେ ବିଶାକ୍ତ ମଦ ମଧ୍ୟ ପିଉଛନ୍ତି। ମଦ୍ୟପାନ ଯୋଗୁଁ ବ୍ୟକ୍ତି ସନ୍ଦେହୀ ହୋଇପଡ଼େ, ଲିଭର ଖରାପ ହୋଇଯାଏ, ଯୌନ ସମସ୍ୟା ଦେଖାଦିଏ।

ଦୁନିଆରେ ସବୁଠୁ ବଡ଼ ବିଷ ହେଲା ତମାଖୁ। ତମାଖୁ ମାନସିକ ରୋଗ ବୃଦ୍ଧି କରିଥାଏ।

mental sress

ଅଧିକ ପଢ଼ନ୍ତୁ: ଅଳ୍ପ ବୟସରୁ ଅଟିଜିମକୁ କିପରି ଚିହ୍ନିବେ?

ମାନସିକ ରୋଗର ଚିକିତ୍ସା (Mental illness treatment in Odia)

୫୦ ବର୍ଷ ତଳେ ମାନସିକ ରୋଗର ଚିକିତ୍ସା ପାଇଁ ବେଶି ଔଷଧ ନଥିଲା। ମାନସିକ ରୋଗୀମାନଙ୍କୁ ମାନସିକ ରୋଗ ହସ୍ପିଟାଲରେ ଭର୍ତ୍ତି କରିଦିଆ ଯାଉଥିଲା। ହେଲେ ବର୍ତ୍ତମାନ ମାନସିକ ରୋଗ ପାଇଁ ବିଭିନ୍ନ ଔଷଧ ରହିଛି। ଯେକୌଣସି ମାନସିକ ରୋଗୀ ୬ମାସ ପୂର୍ବରୁ ଔଷଧ ଛାଡ଼ିବା ଉଚିତ ନୁହେଁ। ଯଦି ୬ମାସରେ ଔଷଧ ଭଲ ନ ହୁଏ, ତେବେ ଅତିକମ୍‌ରେ ଦେଢ଼ ବର୍ଷ ଯାଏଁ ଔଷଧ ଦେଇଥାଉ। ଏଥିରେ ପ୍ରାୟ ୬୦ ପ୍ରତିଶତ ରୋଗୀ ସମ୍ପୂର୍ଣ୍ଣ ଭଲ ହେଉଛନ୍ତି। କେତେକ କ୍ଷେତ୍ରରେ ମାନସିକ ରୋଗୀଙ୍କୁ ଅଧିକ ବର୍ଷ ଯାଏଁ ଔଷଧ ଦିଆଯାଏ।

ମାନସିକ ରୋଗୀଙ୍କୁ ସଠିକ୍‌ ଭାବେ ଔଷଧ ଦେବା ପାଇଁ ପରିବାରର ସହଯୋଗ ଦରକାର।

ମାନସିକ ରୋଗକୁ ନେଇ ଅନ୍ଧବିଶ୍ୱାସ (Myths about mental illness in Odia)

ଅନେକ ଜାଗାରେ ମାନସିକ ରୋଗୀଙ୍କୁ ଡାହାଣୀ ସନ୍ଦେହ କରି ଝଡ଼ାଫୁଙ୍କା କରାଯାଏ ତ ଅନେକ ଜାଗାରେ ହତ୍ୟା କରାଯାଏ। ସେମାନଙ୍କ ପ୍ରତି ଅତ୍ୟାଚାର କରାଯାଏ। ମାନସିକ ରୋଗୀଙ୍କୁ ଭୂତ ପ୍ରେତ ଲାଗିଥିବା ସନ୍ଦେହ କରି ଗୁଣିଆ ପାଖାରେ ଛାଡ଼ିଦିଆଯାଏ। ହେଲେ ଏହିସବୁ ଅନ୍ଧବିଶ୍ୱାସକୁ ରୋଗିବାକୁ ପଡ଼ିବ। ଏନେଇ ଲୋକଙ୍କୁ ସଚେତନ କରିବାର ଅଛି ଯେ, ଏହା ଏକ ସମସ୍ୟା ଏବଂ ଏହାର ଚିକିତ୍ସା ସମ୍ଭବ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନୀଳମାଧବ ରଥଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Mental Disorders, in Odia language, is based on an extensive interview with psychiatrist Dr Neelmadhav Rath.