ଆସନ୍ତୁ ଜାଣିବା ପ୍ରୋଷ୍ଟେଟ୍ କ୍ୟାନସର କ’ଣ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ମହିଳାଙ୍କୁ ସ୍ତନ କର୍କଟ ହେବା ପରି ପ୍ରୋଷ୍ଟେଟ କ୍ୟାନସର ପୁରୁଷମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ପ୍ରାପ୍ତ ବୟସ୍କ ବିଶେଷ କରି ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ରୋଗ ହେବାର ଆଶଙ୍କା ରହିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଭାରତରେ ଦୁଇ ଦଶନ୍ଧି ମଧ୍ୟରେ ପ୍ରୋଷ୍ଟେଟ କର୍କଟର ସଂଖ୍ୟା ଅନେକ ପରିମାଣରେ ବୃଦ୍ଧିପାଇଛି। ଏହା ଆନୁବଂଶିକ କାରଣରୁ ମଧ୍ୟ ହୋଇପାରେ।

ପୁରୁଷଙ୍କ ଶରୀରର ମୂତ୍ରାଶୟର ମୁଖ ଭାଗରେ ଏକ ଗ୍ରନ୍ଥି ଥାଏ, ଯାହାକୁ ପ୍ରୋଷ୍ଟେଟ୍ ଗ୍ରନ୍ଥି ବୋଲି କୁହାଯାଏ। ଧାତୁ ତିଆରି କରିବା ଏହି ଗ୍ରନ୍ଥିର କାମ। ବୟସ ବଢ଼ିବା ସହିତ ଶରୀରରେ ହର୍‌ମୋନ ପରିବର୍ତ୍ତନ ହେଲେ ଏହି ପ୍ରୋଷ୍ଟେଟ୍‌ ଗ୍ରନ୍ଥି ଫୁଲି ବଡ଼ ହୋଇଯାଇଥାଏ। ଏହି ଗ୍ରନ୍ଥି ବଡ଼ ହୋଇଗଲେ ପରିସ୍ରା ବାରମ୍ବାର ହେବା, ପରିସ୍ରାକୁ ରୋକି ନ ପାରିବା ଭଳି ଲକ୍ଷଣମାନ ଦେଖାଯାଏ। ସେହିପରି ପ୍ରୋଷ୍ଟେଟ୍‌ ଗ୍ରନ୍ଥିରେ କର୍କଟ ହେଲେ ଗ୍ରନ୍ଥିଟି ବଢ଼ିଥାଏ ଓ ବିଭିନ୍ନ ମୂତ୍ରାଶୟ ଜନିତ ଲକ୍ଷଣ ଦେଖାଦିଏ। ଯେପରିକି: ବାରମ୍ବାର ପରିସ୍ରା ଲାଗିବା, ପରିସ୍ରାକୁ ରୋକି ନ ପାରିବା, ପ୍ରତି ଘଣ୍ଟାରେ ଥରେ ଥରେ ପରିସ୍ରା ଯିବା ଭଳି ଲକ୍ଷଣ ଦେଖାଦିଏ। ସାଧାରଣତଃ ୫୦ରୁ ୬୦ ବର୍ଷ ବୟସ ପରେ ପ୍ରୋଷ୍ଟେଟ୍‌ କର୍କଟ ହେବାର ଦେଖାଯାଏ।

ପ୍ରୋଷ୍ଟେଟ୍‌ କ୍ୟାନ୍‌ସରର ପରୀକ୍ଷା (Prostate cancer screening in Odia)

ପ୍ରାୟ ବୟଷ୍କ ଲୋକମାନେ ପରିସ୍ରା ଜନିତ ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଯାଇଥା’ନ୍ତି। ସେଥିରୁ ଅଧିକାଂଶ ଲୋକଙ୍କର ପ୍ରୋଷ୍ଟେଟ୍‌ କର୍କଟ ହୋଇନଥାଏ।

ବାରମ୍ବାର ପରିସ୍ରା ଲାଗିବା, ପରିସ୍ରାକୁ ରୋକି ନ ପାରିବା ଭଳି କିଛି ବି ଲକ୍ଷଣ ଥିଲେ ଡାକ୍ତର ପ୍ରଥମେ ପିଏସ୍‌ଏ (ପ୍ରୋଷ୍ଟେଟ୍ ସ୍ପେସିଫିକ୍‌ ଏଣ୍ଟିଜେନ୍‌)ପରୀକ୍ଷା କରିଥା’ନ୍ତି। ଏହି ପିଏସ୍‌ଏ ସ୍ତର ୪ରୁ ଅଧିକ ଥିଲେ, ପ୍ରୋଷ୍ଟେଟ୍‌ରେ କିଛି ସମସ୍ୟା ଥିବା ଡାକ୍ତର ମନେ କରନ୍ତି। ଏହାପରେ ସୋନୋଗ୍ରାଫି କରି ପ୍ରୋଷ୍ଟେଟ୍‌ ଗ୍ରନ୍ଥିର ଆକାର ଓ ଏହାର ଅବସ୍ଥା ବିଷୟରେ ପରୀକ୍ଷା କରାଯାଏ। ଯଦି କୌଣସି ସମସ୍ୟା ଥାଏ, ତେବେ ଏମ୍‌ଆରଆଇ କରିବାକୁ ଡାକ୍ତର ପରାମର୍ଶ ଦେଇଥା’ନ୍ତି। ଏହାପରେ ଟ୍ରସ୍‌ ବାୟୋପ୍ସି ମାଧ୍ୟମରେ ପ୍ରୋଷ୍ଟେଟ୍ ଗ୍ରନ୍ଥିର ବିଭିନ୍ନ ପାର୍ଶ୍ୱରୁ ସେଲ୍ସ ନିଆଯାଏ ଓ କର୍କଟ ଅଛି କି ନାହିଁ ପରୀକ୍ଷା କରାଯାଏ।

ଯଦି ଜଣେ ବୟସ୍କ ଲୋକଙ୍କର ପ୍ରୋଷ୍ଟେଟ୍‌ ଜନିତ କିଛି ବି ଲକ୍ଷଣ ଜଣାପଡ଼ିଲା, ତେବେ ଡାକ୍ତରଙ୍କ ପରାମର୍ଶ ନିହାତି କରିବା ଆବଶ୍ୟକ।

ଅଧିକ ପଢ଼ନ୍ତୁ: ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ କ୍ୟାନସର କ’ଣ ଓ ଏହା କାହିଁକି ହୁଏ?

ପ୍ରୋଷ୍ଟେଟ୍‌ କ୍ୟାନ୍‌ସରର ଚିକିତ୍ସା (Treatment of prostate cancer in Odia)

ପ୍ରୋଷ୍ଟେଟ୍‌ କ୍ୟାନ୍‌ସରର ଚିକିତ୍ସା କରିବା ପୂର୍ବରୁ ରୋଗୀଙ୍କର ପିଏସ୍‌ଏ କେତେ ଅଛି ପରୀକ୍ଷା କରାଯାଏ। ସାଧାରଣତଃ ପ୍ରୋଷ୍ଟେଟ୍‌ କର୍କଟ ହାଡ଼, ପେଲ୍‌ଭିକ୍‌ ନୋଡ୍‌କୁ ମାଡ଼ିଯାଇଥାଏ। ଏଥିପାଇଁ ବୋନ୍‌ ସ୍କାନ, ସିଟିସ୍କାନ, ଏମ୍‌ଆରଆଇ ତଥା ପିଏସ୍‌ଏମ୍‌ଏ ପେଟ୍‌ ସ୍କାନ କରାଯାଏ।  ପିଏସ୍‌ଏମ୍‌ଏ ପେଟ୍‌ ସ୍କାନ ଦ୍ୱାରା ପ୍ରୋଷ୍ଟେଟ୍‌ କର୍କଟ କେଉଁ କେଉଁ ସ୍ଥାନକୁ ମାଡ଼ିଯାଇଛି ନା ପ୍ରୋଷ୍ଟେଟ୍‌ ଗ୍ରନ୍ଥିରେ ଅଛି ତାହା ସ୍ପଷ୍ଟ ଭାବରେ ଜଣାପଡ଼ିଥାଏ।

ସାଧାରଣତଃ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ବୟସ୍କ ଲୋକଙ୍କଠାରେ ଦେଖାଯାଏ। ହେଲେ, ବୟସ୍କ ଲୋକଙ୍କର ଅନ୍ୟାନ୍ୟ ଶାରୀରିକ ସମସ୍ୟା ଯେପରିକି ଉଚ୍ଚରକ୍ତଚାପ, ଡାଏବେଟିସ୍‌ ଭଳି ଅନ୍ୟ ସବୁ ରୋଗ ଥାଏ। ବୟସ୍କ ଲୋକଙ୍କର ଅନ୍ୟାନ୍ୟ ସମସ୍ୟା ଦେଖି ଏହାର ଚିକିତ୍ସା ଭିନ୍ନ ଭିନ୍ନ।

ଯଦି କର୍କଟ କୋଷଗୁଡ଼ିକ କେବଳ ପ୍ରୋଷ୍ଟେଟ୍‌ରେ ଅଛି, ତେବେ ପ୍ରୋଷ୍ଟେଟ୍‌ ଗ୍ରନ୍ଥିଟିକୁ  ବାହାର କରିଦିଆଯାଏ। ଏହାପରେ ରୋଗୀଙ୍କୁ ଦୁଇରୁ ତିନି ବର୍ଷ ଯାଏଁ ହରମୋନ୍‌ ଥେରାପି ଦିଆଯାଏ।

ଯେଉଁ ରୋଗୀମାନଙ୍କର କର୍କଟ ସେଲ୍ସଗୁଡ଼ିକ ପ୍ରୋଷ୍ଟେଟ୍‌ ଗ୍ରନ୍ଥିରୁ ହାଡ଼ ଆଡ଼େ ମାଡ଼ିଯାଇଥିବ, ସେଭଳି କ୍ଷେତ୍ରରେ ଔଷଧ ମାଧ୍ୟମରେ ବି ଚିକିତ୍ସା କରାଯାଏ। ଏହାଛଡ଼ା କେମୋଥେରାପି ମାଧ୍ୟମରେ ଚିକିତ୍ସା କରାଯାଏ।

ପ୍ରୋଷ୍ଟେଟ୍ କ୍ୟାନ୍‌ସରକୁ ଅଣଦେଖା କରନ୍ତୁ ନାହିଁ

ପ୍ରୋଷ୍ଟେଟ୍‌ କର୍କଟକୁ ଅନେକ ଲୋକ ଅଣଦେଖା କରନ୍ତି। କିନ୍ତୁ ଏହା ପ୍ରୋଷ୍ଟେଟ୍‌ ସମ୍ବନ୍ଧୀୟ ସମସ୍ୟା ଏବଂ ଏହାର ଚିକିତ୍ସା କରିବା ଆବଶ୍ୟକ। ପ୍ରୋଷ୍ଟେଟ୍‌ ସମସ୍ୟାର କୌଣସି ବି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରି ପରୀକ୍ଷା କରନ୍ତୁ। କାରଣ ପ୍ରୋଷ୍ଟେଟ୍‌ କର୍କଟ ପ୍ରାଥମିକ ଅବସ୍ଥାରୁ ଜାଣିପାରିଲେ, ଏହାର ଚିକତ୍ସାର ଫଳାଫଳ ମଧ୍ୟ ସୁଫଳ ମିଳେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସଞ୍ଜୀବ କୁମାର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Prostate Cancer, in Odia language, is based on an extensive interview with Radiation Oncologist, Dr Sanjib Kumar Mishra.

ଅଧିକ ପଢ଼ନ୍ତୁ: ମହିଳାମାନଙ୍କୁ କାହିଁକି ହୋଇଥାଏ ଓଭାରିଆନ କ୍ୟାନ୍ସର?