ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ କ୍ୟାନସର କାହିଁକି ହୁଏ? ଏହାର କାରଣ ଓ ଲକ୍ଷଣ ବିଷୟରେ ବିଶିଷ୍ଟ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Gastrointestinal Cancer: Causes, Symptoms, Diagnosis and treatment in Odia)

ଆମ ଶରୀରରେ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ ଟ୍ରାକ୍ଟ ପାଟିଠାରୁ ଆରମ୍ଭ କରି ମଳଦ୍ୱାର ଯାଏଁ ଲମ୍ବିଛି। ଏହି ଟ୍ରାକ୍ଟର ଯେକୌଣସି ସ୍ଥାନରେ କ୍ୟାନସର ହେଲେ ଏହାକୁ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ କ୍ୟାନସର ବା ଜିଆଇ କ୍ୟାନସର ବୋଲି କୁହାଯାଏ। ଖାଦ୍ୟନଳୀରେ ହେଲେ ଖାଦ୍ୟନଳୀ କ୍ୟାନସର, ପେଟରେ ହେଲେ ପାକସ୍ଥଳୀ କ୍ୟାନସର, ମଳଦ୍ୱାରରେ ହେଲେ ମଳଦ୍ୱାର କ୍ୟାନସର, ଏସମସ୍ତ କର୍କଟ ରୋଗ ଜିଆଇ କ୍ୟାନସର ଅନ୍ତର୍ଗତ।

ଜିଆଇ କ୍ୟାନ୍‌ସରର ଲକ୍ଷଣ (Symptoms of GI cancer in Odia)

ଖାଦ୍ୟନଳୀରେ କ୍ୟାନ୍‌ସର ହୋଇଥିଲେ ଖାଦ୍ୟନଳୀ ଚିପି ହୋଇଯାଇଥାଏ। ଫଳରେ ରୋଗୀ ଖାଦ୍ୟ ଗିଳିବାରେ କଷ୍ଟ ହୋଇଥାଏ। ଖାଇବା ବେଳକୁ ତଣ୍ଟିରେ କଷ୍ଟ ହେବା ସହ ଖାଦ୍ୟ ପେଟକୁ ଯାଉ ନଥିବ।

ପାକସ୍ଥଳୀରେ କର୍କଟ ହୋଇଥିଲେ ବ୍ୟକ୍ତିଙ୍କର କଳା ଝାଡ଼ା ହୋଇପାରେ, ଭୋକ ନ ହେବା, ବାନ୍ତି ହେବା ଭଳି ଲକ୍ଷଣ ଜଣାପଡ଼ିଥାଏ।

କୋଲୋନ୍‌ କ୍ୟାନ୍‌ସର ହେଲେ ରୋଗୀଙ୍କର ହିମୋଗ୍ଲୋବିନ୍‌ ସ୍ତର କମି କମି ଯାଏ। କାରଣ କୋଲୋନ୍‌ କ୍ୟାନ୍‌ସର ହେଲେ, ଧୀରେ ଧୀରେ ରକ୍ତସ୍ରାବ ହୋଇଥାଏ। ସମୟକ୍ରମେ ରକ୍ତର ଅଭାବ ହୋଇଥାଏ।

ରେକ୍ଟମ୍‌ କ୍ୟାନ୍‌ସର ହୋଇଥିଲେ, ଝାଡ଼ାରେ ରକ୍ତ ପଡ଼ିଥାଏ।

ଅଧିକ ପଢ଼ନ୍ତୁ: ହେଡ୍‌ ଆଣ୍ଡ ନେକ୍‌ କ୍ୟାନ୍‌ସର କ’ଣ? ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

ଜିଆଇ କ୍ୟାନ୍‌ସରର କାରଣ (Causes of GI cancer in Odia)

ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ କ୍ୟାନ୍‌ସରର କାରଣ ଭିନ୍ନ ଭିନ୍ନ। ପ୍ରଥମେ ଜାଣିବାକୁ ପଡ଼ିଥାଏ ଯେ, ଜିଆଇ ଟ୍ରାକ୍ଟର କେଉଁ ସ୍ଥାନରେ କର୍କଟ ହେଉଛି। ସେହି ଅନୁଯାୟୀ ଏହାର କାରଣ ଭିନ୍ନ ଭିନ୍ନ ହୋଇଥାଏ।

ପାକସ୍ଥଳୀରେ କର୍କଟର ମୁଖ୍ୟ କାରଣ ହେଉଛି, ରାଗ ଓ ତେଲମସଲାଯୁକ୍ତ ଖାଦ୍ୟ ଅଧିକ ଖାଇବା, ମଦ୍ୟପାନ କରିବା ଦ୍ଵାରା ହୋଇଥାଏ।

ବଂଶଗତ କାରଣରୁ କୋଲୋନ୍‌ କ୍ୟାନ୍‌ସରର ହୋଇପାରେ।

ଅଧିକ ପଢ଼ନ୍ତୁ: କେମିତି ଚିହ୍ନିବା ସ୍ତନ କର୍କଟ? ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି

ଜିଆଇ କ୍ୟାନ୍‌ସରର ପରୀକ୍ଷା ଏବଂ ଚିକିତ୍ସା (Diagnosis and treatment of GI cancer in Odia)

ଏଣ୍ଡୋସ୍କୋପି ମାଧ୍ୟମରେ ଜଣାପଡ଼ିଥାଏ ଖାଦ୍ୟନଳୀରେ କର୍କଟ ହୋଇଛି କି ନାହିଁ। ଏଣ୍ଡୋସ୍କୋପି ଜରିଆରେ ପାକସ୍ଥଳୀ କର୍କଟ ବିଷୟରେ ମଧ୍ୟ ଜଣାପଡ଼ିଥାଏ। ହେଲେ, କୋଲୋନ୍‌ କିମ୍ବା ରେକ୍ଟମରେ କର୍କଟ ହୋଇଛି କି ନାହିଁ ଜାଣିବା ପାଇଁ କୋଲୋନୋସ୍କୋପି କରିଯାଏ। ମଳଦ୍ୱାର ବାଟରେ କୋଲୋନୋସ୍କୋପି ଭର୍ତ୍ତି କରି ଦେଖାଯାଏ କେଉଁ ସ୍ଥାନରେ ଘା’ ହୋଇଛି ଏବଂ ସେହି ସ୍ଥାନରୁ ଛୋଟ ମାଂସ ଆଣି ପରୀକ୍ଷା କରାଯାଏ।

ପରବର୍ତ୍ତୀ ପର୍ଯ୍ୟାୟରେ ମେଟାଷ୍ଟାଟିକ୍‌ ଓ୍ୱାର୍କଅପ୍‌ କରାଯାଏ ଯେପରିକି ସିଟିସ୍କାନ୍‌ କିମ୍ବା ପେଟ୍‌ ସ୍କାନ୍‌ କରାଯାଏ।

ଖାଦ୍ୟନଳୀର ଉପରି ଭାଗରେ କର୍କଟ ହୋଇଥିଲେ ଅପରେସନ୍‌ କରିବା ସମ୍ଭବ ହୁଏ ନାହିଁ। ଏଭଳି କ୍ଷେତ୍ରରେ କେମୋଥେରାପି ଓ ରେଡିଏସନ୍‌ ଥେରାପି ଦେଇ ଚିକିତ୍ସା କରାଯାଏ। ଏହା କରିବା ଦ୍ୱାରା କ୍ୟାନ୍‌ସର କୋଷଟି ମିଳେଇଯାଏ ଏବଂ ରୋଗୀ ପୂର୍ବ ଭଳି ଖାଇବା ପିଇବା କରିପାରିବେ।

ଖାଦ୍ୟନଳୀର ମଧ୍ୟ ଭାଗ କିମା ତଳ ଭାଗରେ କର୍କଟ ହୋଇଥିଲେ ସର୍ଜରୀ କରାଯାଏ। ଯଦି, କୌଣସି କାରଣ ଯୋଗୁଁ ରୋଗୀର ସର୍ଜରୀ ନ ହୁଏ, ତେବେ ରେଡିଏସନ୍‌ ଓ କେମୋଥେରାପି ଦିଆଯାଏ।

କୋଲୋନ୍‌ କ୍ୟାନ୍‌ସରର ଚିକିତ୍ସା ଅନ୍ୟ କ୍ୟାନ୍‌ସର ଅପେକ୍ଷା ସହଜ ଏବଂ ଏହାର ଫଳାଫଳ ଭଲ ମିଳିଥାଏ।

ରେକ୍ଟମ୍‌ କ୍ୟାନ୍‌ସର ଟିଏମ୍‌ଇ ପଦ୍ଧତିରେ ଚିକିତ୍ସା କରାଯାଏ। ଏହାର ଚିକିତ୍ସାରେ ପ୍ରି ଅପରେଟିଭ୍‌ ରେଡିଓଥେରାପି ଦିଆଯାଏ।

ମଳଦ୍ୱାର କର୍କଟକୁ କେମୋଥେରାପି ଓ ରେଡିଓଥେରାପି ମାଧ୍ୟମରେ ଚିକିତ୍ସା କରାଯାଏ। ଏହାର ଚିକିତ୍ସା କରିବା ପରେ ମଳଦ୍ୱାର କର୍କଟ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯାଏ।

ଜିଆଇ କ୍ୟାନ୍‌ସରର ନିରାକରଣ (GI Cancer Prevention in Odia)

କର୍କଟ ସୃଷ୍ଟି କରୁଥିବା ଖାଦ୍ୟ ଯେପରିକି ମଦ୍ୟପାନ, ରାଗ ଓ ତେଲମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କ୍ରୋନିକ୍‌ କୋଷ୍ଠକାଠିନ୍ୟ କୋଲୋନ୍‌ କ୍ୟାନ୍‌ସରର କାରଣ ହୋଇଥାଏ।

ଅଧିକ ପଢ଼ନ୍ତୁ: ଫୁସ୍‌ଫୁସ୍‌ କର୍କଟ କାହିଁକି ହୁଏ?

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସଞ୍ଜୀବ କୁମାର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

(ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରେଡିଏସନ୍ ଅଙ୍କୋଲୋଜିଷ୍ଟ। କ୍ୟାନସର ବା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି ବର୍ତ୍ତମାନ ଡାକ୍ତର ମିଶ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ ୯୯୩୮୬୬୮୮୪୩ ନମ୍ବରରେ କଲ୍ କରିପାରିବେ।)

Note: This information on Gastrointestinal Cancer, in Odia language, is based on an extensive interview with Radiation Oncologist Dr. Sanjib Kumar Mishra.