ଶରୀରରେ ଶର୍କରାର ସ୍ତର ନିୟନ୍ତ୍ରଣରେ ନ ରହିଲେ ଏହା ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ। ଏହା ତ୍ୱଚା ଓ ଆଖି ସହ ଜଡ଼ିତ ସାଧାରଣ ସମସ୍ୟାରୁ ଆରମ୍ଭ କରି ବ୍ରେନଷ୍ଟ୍ରୋକ, ନର୍ଭସ ସିଷ୍ଟମ ସହ ଜଡ଼ିତ ଗୁରୁତର ରୋଗର କାରଣ ବି ପାଲଟିପାରେ।

ଅଧିକ ପଢ଼ନ୍ତୁ: ମଧୁମେହ ହୋଇଥାଏ ହୃଦରୋଗର ବଡ଼ କାରଣ

ଆଖି: ଅନେକ ସମୟରେ ମଧୁମେହ ଆଖିକୁ ପ୍ରଭାବିତ କରିଥାଏ। ଏହାଯୋଗୁଁ ପ୍ରାଥମିକ ଭାବେ ଆଖିକୁ ଜାଲଜାଲୁଆ ଦେଖାଯାଉଥିବାବେଳେ ପରେ ମୋତିଆବିନ୍ଦୁ ହେବାର ଆଶଙ୍କା ବଢ଼ିଯାଏ। ଆଖିକୁ ପ୍ରଭାବିତ କରୁଥିବା ଏହି ଗୁରୁତର ସ୍ଥିତିକୁ ଡାଇବେଟିକ୍ ରେଟିନୋପ୍ୟାଥି କୁହାଯାଏ। ଏଥିରେ ଆଖିର ରେଟିନା ଖରାପ ହେବାରେ ଲାଗିଥାଏ। କିଛି ଗୁରୁତର ମାମଲାରେ ଆଖିର ଦୃଷ୍ଟିଶକ୍ତି ବି ନଷ୍ଟ ହୋଇଯାଏ। ଡାଇପ୍‌-୨ ମଧୁମେହରେ ପୀଡ଼ିତ ୨୦-୪୦ ପ୍ରତିଶତ ଲୋକଙ୍କୁ ଡାଇବେଟିକ୍ ରେଟିନୋପ୍ୟାଥି ସମସ୍ୟା ହୋଇଥାଏ। ଯଦି ଆପଣ ନିୟମିତ ଭାବେ ଯାଞ୍ଚ କରିବେ ତା’ହେଲେ ଅଧିକାଂଶ ସମସ୍ୟା ପ୍ରାଥମିକ ଭାବେ ହିଁ ଜଣାପଡ଼ିଯିବ। ଅସ୍ତ୍ରୋପଚାର ମାଧ୍ୟମରେ ସମସ୍ୟାର ସମାଧାନ ସମ୍ଭବପର।

ତ୍ୱଚା: ମଧୁମେହ ରୋଗୀଙ୍କୁ ଚର୍ମ ସଂକ୍ରମଣ ହେବା ଅତି ସାଧାରଣ କଥା। ମଧୁମେହ ଦ୍ୱାରା ପ୍ରଭାବିତ ୩୦% ଲୋକଙ୍କୁ ତ୍ୱଚା ସଂକ୍ରମଣ ଯେପରିକି ଶୁଷ୍କ ତ୍ୱଚା, ତ୍ୱଚାରେ ଫୋଟକା ହୋଇଯିବା, ତ୍ୱଚା କୁଣ୍ଡାଇ ହେବା, ତ୍ୱଚାରେ କଳାଦାଗ ସୃଷ୍ଟି ହେବା ଭଳି ସମସ୍ୟା ଦେଖାଯାଇଥାଏ। ଏଥିରୁ ରକ୍ଷା ପାଇବା ଲାଗି ତ୍ୱଚାରେ ହେଉଥିବା ଯେକୌଣସି ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ। ଏ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ। ଦୀର୍ଘ ଦିନ ଧରି ମଧୁମେହ ଲାଗି ରହିଲେ ହାତ ଓ ପାଦରେ ସମ୍ବେଦନଶୀଳତା କମିଯାଏ। ଏହାକୁ ଅଣଦେଖା କରନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: ମଧୁମେହ ରୋଗୀ! ଜାଣନ୍ତୁ ଏବଂ ଆପଣାନ୍ତୁ ଏହି ଟିପ୍ସ

କିଡ୍‌ନି: ମଧୁମେହ ରୋଗୀ କିଡ୍‌ନି ଜନିତ ସମସ୍ୟା ଦ୍ୱାରା ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି। ସେମାନଙ୍କଠାରେ କିଡ୍‌ନି ଫେଲ୍ ହେବାର ସମସ୍ୟା ଅଧିକ ଦେଖାଯାଏ। ଟାଇପ୍‌-୨ ମଧୁମେହ ଦ୍ୱାରା ପ୍ରଭାବିତ ୭% ଲୋକଙ୍କଠାରେ ମଧୁମେହ ଚିହ୍ନଟ ହେବାର ପୂର୍ବରୁ କିଡ୍‌ନି ରୋଗ ଚିହ୍ନିତ ହୋଇଥାଏ। ନିୟମିତ ଭାବେ ରକ୍ତ ଶର୍କରାର ଯାଞ୍ଚ କରିବା, ଠିକ୍ ଭାବେ ଖାଦ୍ୟପେୟ ଗ୍ରହଣ କରିବା ଏବଂ ବ୍ୟାୟାମ ମାଧ୍ୟମରେ ଏହି ସମସ୍ୟାରୁ ରକ୍ଷା ମିଳିପାରିବ।

ରକ୍ତର ଶିରା ପ୍ରଭାବିତ ହେବା: ମଧୁମେହ ରୋଗୀଙ୍କୁ ଉଚ୍ଚ ରକ୍ତଚାପ ଏବଂ ହାଇ କୋଲେଷ୍ଟେରୋଲ ହେବାର ଆଶଙ୍କା ଅଧିକ ଥାଏ। ଏଭଳି କ୍ଷେତ୍ରରେ ରକ୍ତର ଶିରା ଶକ୍ତ ହୋଇଯାଇଥାଏ। ଏହାଫଳରେ ହୃଦରୋଗ ଏବଂ ହୃଦ୍‌ଘାତ ହେବାର ଆଶଙ୍କା ବଢ଼େ। ପାଦ ଓ ଶିରାରେ ରକ୍ତପ୍ରବାହ କମିବା ଯୋଗୁଁ ନର୍ଭସ ସିଷ୍ଟମ ଉପରେ ପ୍ରଭାବ ପଡ଼େ। ଅନେକ ସମୟରେ ଏହାଯୋଗୁଁ ବ୍ରେନଷ୍ଟ୍ରୋକ୍ ହୋଇଥାଏ।

ଅଧିକ ପଢ଼ନ୍ତୁ: ଆକ୍ୟୁପଙ୍କଚର ମାଧ୍ୟମରେ କରନ୍ତୁ ମଧୁମେହ ରୋଗର ଚିକିତ୍ସା