ଥାଇରଏଡ୍‌ ରୋଗର କାରଣ କ’ଣ? ଥାଇରଏଡ୍‌ ଔଷଧ ଖାଇବା କେତେ ଜରୁରୀ? ଏନେଇ ଜଣାଶୁଣା ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡାକ୍ତର ସମ୍ବିତ ଦାସ କ’ଣ କହୁଛନ୍ତି, ଜାଣନ୍ତୁ।

ଥାଇରଏଡ୍‌ ରୋଗ କ’ଣ? (What is Thyroid Disease in Odia)

ଆମ ଶରୀରର ସମସ୍ତ କାର୍ଯ୍ୟ ଥାଇରଏଡ୍ ହରମୋନ ଉପରେ ନିର୍ଭର କରିଥାଏ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଥାଇରଏଡ୍‌ ରୋଗ ଅଧିକ ଦେଖିବାକୁ ମିଳିଥାଏ। ଏହା ଏକ ଅଟୋ-ଇମ୍ୟୁନ୍ ରୋଗ।

ଥାଇରଏଡ୍‌ ଗ୍ରନ୍ଥି ପ୍ରଜାପତି ଆକୃତିର ଅନ୍ତଃସ୍ରାବୀ ଗ୍ରନ୍ଥି। ଥାଇରଏଡ୍‌ ଗ୍ରନ୍ଥି ଆମ ଶରୀରର ବେକର ମୁଖ ଭାଗରେ ଥାଏ। ସରଳ ଭାଷାରେ କହିବାକୁ ଗଲେ ଥାଇରଏଡ୍‌ ଗ୍ରନ୍ଥି ହେଉଛି ମଣିଷ ଶରୀରର ବ୍ୟାଟେରି ସଦୃଶ। ଥାଇରଏଡ୍‌ ହରମୋନ୍‌ ଶରୀରର ମେଟାବଲିଜିମ୍‌, ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ।

ଥାଇରଏଡ୍‌ ଗ୍ରନ୍ଥିରୁ T୩ ଓ T୪ ହରମୋନ୍‌ କ୍ଷରଣ ହୋଇଥାଏ। ଯଦି କୌଣସି କାରଣରୁ ସେହି ହରମୋନ୍‌ ଅଧିକ ପରିମାଣର କ୍ଷରଣ ହୁଏ ବା କମ୍‌ ପରିମାଣରେ କ୍ଷରଣ ହୁଏ, ତାହାହେଲେ ଥାଇରଏଡ୍‌ ରୋଗ ହୋଇଥାଏ।

ଥାଇରଏଡ୍‌ କାରଣରୁ ଦୁଇ ପ୍ରକାର ରୋଗ ହୋଇଥାଏ।

ହାଇପୋ ଥାଇରଏଡିଜିମ୍‌ –  ଥାଇରଏଡ୍‌ ଗ୍ରନ୍ଥିରୁ ଥାଇରଏଡ୍‌ ହରମୋନ୍‌ କମ୍‌ କ୍ଷରଣ ହେଲେ, ତାହାକୁ ହାଇପୋ ଥାଇରଏଡିଜିମ୍‌ କୁହାଯାଏ।

ହାଇପର ଥାଇରଏଡିଜିମ୍‌ –  ଥାଇରଏଡ୍‌ ଗ୍ରନ୍ଥିରୁ ଥାଇରଏଡ୍‌ ହରମୋନ୍‌ ଅଧିକ କ୍ଷରଣ ହେଲେ ତାହାକୁ ହଇପର ଥାଇରଏଡିଜିମ୍‌ ବୋଲି କହିବା।

ଗଏଟର୍‌ ବା ଗଳଗଣ୍ଡ – ଯଦି କୌଣସି କାରଣରୁ ଗ୍ରନ୍ଥିର ଆକାର ବଢ଼ିଯାଏ ବା ସେଥିରେ ଆବୁ ଭଳି ବାହାରେ, ତାହାକୁ ଗଏଟର୍‌ ବା ଗଳଗଣ୍ଡ ରୋଗ ବୋଲି କହିଥାଉ।

ଥାଇରଏଡ୍‌ କ୍ୟାନ୍‌ସର – କେତେକ କ୍ଷେତ୍ରରେ ଥାଇରଏଡ୍‌ରେ କର୍କଟ ହେଲେ, ତାକୁ ଥାଇରଏଡ୍‌ କ୍ୟାନ୍‌ସର କୁହାଯାଏ।

ହାଇପୋ-ଥାଇରଏଡଜିମ୍‌ କ’ଣ? (What is Hypo-Thyroidism in Odia)

ଅଧିକାଂଶ କ୍ଷେତ୍ରରେ ହାଇପୋ-ଥାଇରଏଡଜିମ୍‌ ଦେଖାଯାଏ। ଯଦି କୌଣସି କାରଣରୁ ଥାଇରଏଡ୍‌ ଗ୍ରନ୍ଥିରୁ T3 ବା T4 ହରମୋନ୍‌ କମିଯାଇଥାଏ, ତେବେ ଶରୀରର ମେଟାବଲିଜିମ୍‌ କମିଯାଏ ଓ ଶରୀରର ତାପମାତ୍ରା ମଧ୍ୟ କମିଯାଏ।

ବିଶେଷତଃ ମହିଳାଙ୍କଠାରେ ହାଇପୋ-ଥାଇରଏଡଜିମ୍‌ ଦେଖାଯାଏ।

ହାଇପୋଥାଇରଏଡଜିମ୍‌ର ଲକ୍ଷଣଗୁଡ଼ିକ ହେଉଛି – ଓଜନ ବଢ଼ିଯିବା, କେଶ ଅଧିକ ଝଡ଼ିବା, ଶୁଷ୍କ ତ୍ୱଚା, ଦୁର୍ବଳ ଲାଗିବା, କୌଣସି କାମ କରିବାରେ ଆଗ୍ରହ ନ ଲାଗିବା, ଶୋଇକି ରହିବେ, ମାନସିକ ଶକ୍ତି କମିଯିବା ଭଳି ଲକ୍ଷଣ ଦେଖାଦିଏ।

ଅଧିକ ପଢ଼ନ୍ତୁ: ଯେତେ ଖାଇଲେ ବି ଦେହରେ ଲାଗୁନି କି? ହୋଇପାରେ ହାଇପର-ଥାଇରଏଡିଜମ୍‌

ହାଇପର-ଥାଇରଏଡଜିମ୍‌ ହେଲେ କ’ଣ ହୁଏ? (What happens to Hyper-Thyroidism in Odia)

ଥାଇରଏଡ୍‌ ଗ୍ରନ୍ଥିରୁ ଥାଇରଏଡ୍‌ ହରମୋନ୍‌ ଅଧିକ କ୍ଷରଣ ହେବାକୁ ହଇପର ଥାଇରଏଡିଜିମ୍‌ କୁହାଯାଏ। ଏହି ରୋଗ ହେଲେ ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ସକ୍ରିୟ ହୋଇଯାଆନ୍ତି। ସେମାନଙ୍କର ମେଟାବଲିଜିମ୍‌ ବଢ଼ିଯାଏ, ଓଜନ କମିଯାଏ, ହାତ ପାଦ ଥରେ, ଛାତି ଧଡ଼ ଧଡ଼ ହୁଏ, କେଶ ଝଡ଼େ, କେତେକ କ୍ଷେତ୍ରରେ ବ୍ୟକ୍ତିଙ୍କ ଆଖି ବଡ଼ ବଡ଼ ଦେଖାଦେଇଥାଏ।

ଥାଇରଏଡ୍‌ ରୋଗର କାରଣ (Causes of Thyroid Disease in Odia)

ପୂର୍ବରୁ ଥାଇରଏଡ୍‌ ରୋଗର ମୁଖ୍ୟ କାରଣ ଥିଲା ଆୟୋଡିନ୍‌ ଅଭାବ। ସମଗ୍ର ଭାରତବର୍ଷରେ ପାଣିରେ ଆୟୋଡିନ୍‌ର ମାତ୍ରା କମ୍‌ ଥିଲ।। ସେହି କାରଣରୁ ଥାଇରଏଡ୍‌ ରୋଗ ହେଉଥିଲା।

୧୯୮୪ରେ ସର୍ବଭାରତୀୟ ସ୍ତରରେ ଆୟୋଡାଇଜେସନ୍‌ ହେଲା। ସବୁ ଲୁଣ ଆୟୋଡିନ୍‌ଯୁକ୍ତ ହେଲା। ଫଳରେ ଆୟୋଡିନ୍‌ ଅଭାବ ଯୋଗୁଁ ଥାଇରଏଡ୍‌ ରୋଗ ବହୁତ କମ୍‌ ପରିମାଣରେ ଦେଖାଦେଲା। ବର୍ତ୍ତମାନ ଅଟୋ ଇମ୍ୟୁନ୍‌ କାରଣ ଯୋଗୁଁ ଥାଇରଏଡ୍‌ ରୋଗ ହେଉଛି। ଶରୀରର ଇମ୍ୟୁନୋ ସିଷ୍ଟମ୍‌ ଥାଇରଏଡ୍‌ ବିପକ୍ଷରେ କାମ କଲେ, ତାକୁ ଥାଇରଏଡ୍‌ ଅଟୋ ଇମ୍ୟୁନ୍‌ ଡିସ୍‌ଅର୍ଡର ବୋଲି କହିଥାଉ। ଏହି ଡିସ୍‌ଅର୍ଡର କାରଣରୁ ହରମୋନ୍‌ରେ ବଢ଼ିଯାଏ କିମ୍ବା କମିଯାଏ।

ଥାଇରଏଡ୍‌ ରୋଗର ପରୀକ୍ଷା (Diagnosis of Thyroid Disease in Odia)

ଥାଇରଏଡ୍‌ ରୋଗର ପ୍ରଥମ ପରୀକ୍ଷା ହେଉଛି ରୋଗୀର ପରିଲିକ୍ଷିତ ହେଉଥିବା ଲକ୍ଷଣ। କିଛିଟା ଲକ୍ଷଣରୁ ଜଣାପଡ଼ିଯାଏ ଯେ, ବ୍ୟକ୍ତିଙ୍କୁ ହାଇପୋ-ଥାଇରଏଡ୍‌ କିମ୍ବା ହାଇପର-ଥାଇରଏଡ୍‌ ହୋଇଛି କି ନାହିଁ। ଯଦି ବ୍ୟକ୍ତିଙ୍କର କୌଣସି ଲକ୍ଷଣ ଅଛି, ତେବେ ରକ୍ତ ପରୀକ୍ଷାରେ କରାଯାଏ। ଏଥିରେ T3, T4, TSH ପରୀକ୍ଷା କରାଯାଏ। ଯଦି TSH ବଢ଼ିକିଥାଏ, ତାହାହେଲେ ହାଇପୋ-ଥାଇରଏଡ୍‌ ହୋଇଛି। ଯଦି TSH କମିଥାଏ, ତାହାହେଲେ ହାଇପର-ଥାଇରଏଡ୍‌ଜିମ୍‌ କହିଥାଉ।

ଏହାଛଡ଼ା ଗଳାର ଆକାର ବଡ଼ ଥିଲେ ଅଲଟ୍ରାସାଉଣ୍ଡ କରି ନୁଡ୍ୟୁଲ୍‌ ଅଛି କି ନାହିଁ ଦେଖାଯାଏ। ଯଦି ନୁଡ୍ୟୁଲ୍‌ ଅଛି, ତେବେ FNAC (Fine needle aspiration cytology) କରି କର୍କଟ ଅଛି ନା ନାହିଁ ଦେଖାଯାଏ।

ଅଧିକ ପଢ଼ନ୍ତୁ: ଥାଇରଏଡ୍ କ୍ୟାନ୍ସରର ଲକ୍ଷଣ ସମ୍ପର୍କରେ ଜାଣନ୍ତୁ

ଥାଇରଏଡ୍‌ ରୋଗର ଚିକିତ୍ସା (Treatment of thyroid disease in Odia)

ହାଇପୋ-ଥାଇରଏଡଜିମ୍‌ ରୋଗରେ ବାହାରୁ ଥାଇରକ୍ସିନ୍‌ ହରମୋନ୍‌କୁ ବଟିକା ହିସାବରେ ଦିଆଯାଏ। ଏହି ଔଷଧକୁ ଅଧିକ ଦିନ ଧରି ଖାଇବାକୁ ପଡ଼ିଥାଏ। ଏହି କ୍ଷେତ୍ରରେ ଆଣ୍ଟି ଟିପିଓ ଏବଂ ଆଣ୍ଟିବଡି ପଜିଟିଭ୍‌ ଆସିଲେ ଥାଇରକ୍ସିନ୍‌ ହରମୋନ୍‌କୁ ଜୀବନସାରା ଖାଇବାକୁ ପଡ଼ିଥାଏ।

ଥାଇରଏଡ୍‌ ହରମୋନ୍‌ ନେବା ଦ୍ୱାରା କୌଣସି କ୍ଷତି ହୁଏ ନାହିଁ। ଥାଇରଏଡ୍‌ ଔଷଧକୁ ଡାକ୍ତରଙ୍କର ପରାମର୍ଶ କ୍ରମେ ଖାଇବା ଜରୁରୀ।

ଜାଣିରଖନ୍ତୁ, ସବୁବେଳେ ଥାଇରଏଡ୍‌ ମେଡିସିନ୍‌ ବିଞ୍ଛଣାରୁ ଉଠିବା ମାତ୍ରେ ଖାଇବାର ଅଛି। ଥାଇରଏଡ୍‌ ଔଷଧ ଖାଇବାର ଗୋଟେ ଘଣ୍ଟା ପର୍ଯ୍ୟନ୍ତ ପାଣି ଛଡ଼ା ଅନ୍ୟ କୌଣସି ଜିନିଷ ଖାଇବା ମନା। ଯାହା ବି ଆପଣ ଖାଇବେ ଗୋଟେ ଘଣ୍ଟା ପରେ ଖାଇବେ।

ଧରାଯାଉ, ଆପଣ ଅନ୍ୟ କୌଣସି ରୋଗ ପାଇଁ କିଛି ଔଷଧ ଖାଉଛନ୍ତି ଏବଂ ଡାକ୍ତର ଆପଣଙ୍କୁ ଖାଲିପେଟରେ ଖାଇବାକୁ ପରାମର୍ଶ ଦେଇଛନ୍ତି ତେବେ ସେହି ମେଡିସିନ୍‌କୁ ଥାଇରଏଡ୍‌ ମେଡିସିନ୍‌ ଖାଇବାର ୪ ଘଣ୍ଟା ପରେ ଖାଇପାରିବେ।

ହାଇପର-ଥାଇରଏଡ୍‌ର ଚିକିତ୍ସା ବିଭିନ୍ନ ପ୍ରକାରର। ଏଥିପାଇଁ ରୋଗୀଙ୍କୁ ଆଣ୍ଟି-ଥାଇରଏଡ୍‌ ଡ୍ରଗ୍ସ ଦେବା ସହ ରେଡିଓ ଆବୋଲିସନ୍‌ ବା ଆୟୋଡିନ୍‌-୧୩୧ର ହରମୋନ୍‌ ପିଇବାକୁ ଦେଇ ଥାଇରଏଡ୍‌ ଗ୍ରନ୍ଥିକୁ ନଷ୍ଟ କରିଯାଇଥାଏ, ଯାହାକୁ ରେଡିଓ ଆୟୋଡିନ୍‌ ଥେରାପି (radioiodine therapy) କୁହାଯାଏ।

ଯଦି ଥାଇରଏଡ୍‌ ଗ୍ରନ୍ଥିର ଆକାର ବହୁତ ବଡ଼ ଥାଏ କିମ୍ବା ନିଶ୍ୱାସ ନେବାରେ, କଥା କହିବାରେ ବା ଛେପ ଢୋକିବାରେ ଅସୁବିଧା ହୁଏ, ତେବେ ସଲ୍ୟ ଚିକିତ୍ସା ପରାମର୍ଶ ଦିଆଯାଇଥାଏ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଥାଇରଏଡ୍ ସମସ୍ୟାର କିପରି କରିବେ ଚିକିତ୍ସା?

ଛୁଆଙ୍କ କ୍ଷେତ୍ରରେ ଥାଇରଏଡ୍‌ ସମସ୍ୟା (Thyroid problems in children in Odia)

ଛୁଆଙ୍କୁ ଥାଇରଏଡ୍‌ ରୋଗ ଥିଲେ ତାକୁ କଞ୍ଜିନେଟାଲ ହାଇପୋ-ଥାଇରଏଡିଜମ୍‌ କହିଥାଉ। ଯଦି ଜନ୍ମରୁ ଛୁଆ କାନ୍ଦନ୍ତି ନାହିଁ, ତାଙ୍କ ପେଟ ବଡ଼ ଥାଏ, ଖାଦ୍ୟ ଖାଉନଥିବେ, ତେବେ ପରୀକ୍ଷା କରି ଚିକିତ୍ସା କରିବା ଜରୁରୀ। ଛୁଆମାନଙ୍କ କ୍ଷେତ୍ରରେ ହାଇପୋ-ଥାଇରଏଡଜିମ୍‌ ହେଉଛି ଜରୁରୀକାଳୀନ ପରିସ୍ଥିତି।

ଛୁଆ ଜନ୍ମ ହେବାର ପ୍ରଥମ ତିନିମାସ ଏବଂ ଛଅମାସ ଭିତରେ ମସ୍ତିଷ୍କର ବିକାଶ ହୋଇଥାଏ। ଏହି ସମୟରେ ଥାଇରଏଡ୍‌ ହରମୋନ୍‌ ବହୁତ କମ୍‌ ପରିମାଣର ଥିଲେ ଏହା ମସ୍ତିଷ୍କକୁ ଠିକ୍‌ ଭାବେ ଯାଇପାରେ ନାହିଁ। ଫଳରେ ଛୁଆଙ୍କର ମସ୍ତିଷ୍କ ନଷ୍ଟ ହୋଇପାରେ, ଯାହାକୁ କ୍ରେଟିନିଜମ୍‌ ବୋଲି କୁହାଯାଏ। ଏହି ସମସ୍ୟା ଥିବା ଛୁଆମାନେ ମୁକ, ବଧିର ବା ପାଗଳ ହୋଇପାରନ୍ତି। ତେଣୁ ବର୍ତ୍ତମାନ ସମୟରେ ଛୁଆ ଜନ୍ମ ହେବା ପରେ ହିଁ ଥାଇରଏଡ୍‌ ପରୀକ୍ଷା କରାଯାଉଛି।

ଯଦି ଗର୍ଭବତୀ ମହିଳାଙ୍କୁ ଥାଇରଏଡ୍‌ ସମସ୍ୟା ଥାଏ, ତେବେ ଔଷଧ ନେବା ଜରୁରୀ। ଗର୍ଭାବସ୍ଥାରେ ଥାଇରଏଡ୍‌ ସମସ୍ୟା ହେଲେ ସମୟ ପୂର୍ବରୁ ପ୍ରସବ ହୋଇପାରେ, ଗର୍ଭପାତ ହେବାର ଆଶଙ୍କା ଅଧିକ ଥାଏ।

ଥାଇରଏଡ୍‌ ରୋଗକୁ ନେଇ ଅନ୍ଧବିଶ୍ୱାସ (Superstition about Thyroid in Odia)

ଥାଇରଏଡ୍ ରୋଗକୁ ନେଇ ଆମ ସମାଜରେ ବହୁ ପ୍ରକାର ଅନ୍ଧବିଶ୍ଵାସ ରହିଛି। ଯେପରି ଥାଇରଏଡ୍‌ ରୋଗୀଙ୍କୁ ଫୁଲ କୋବି, ବନ୍ଧା କୋବି ଆଦି ଖାଇବାକୁ ମନା କରାଯାଇଥାଏ। ଯଦି ଜଣେ ଥାଇରଏଡ୍‌ ରୋଗୀ ଫୁଲ କୋବି ବା ବନ୍ଧା କୋବି ଅଧିକ ମାତ୍ରାରେ ଖାଉଛନ୍ତି, ତେବେ ଗଏଟର ସମସ୍ୟା ଦେଖାଦେଇପାରେ। ନଚେତ୍‌ ଥାଇରଏଡ୍‌ ରୋଗୀ ସବୁପ୍ରକାର ଖାଦ୍ୟ ଖାଇପାରିବେ। କିନ୍ତୁ, ଥାଇରଏଡ୍‌ ଔଷଧ ଓ ଅନ୍ୟ ଖାଦ୍ୟ ମଧ୍ୟରେ ଗୋଟେ ଘଣ୍ଟାର ଗ୍ୟାପ୍‌ ରହିବା ଦରକାର।

କିନ୍ତୁ, ଜଣେ ସାଧାରଣ ଲୋକ ଫୁଲ କୋବି ଏବଂ ବନ୍ଧା କୋବି ଖାଇପାରିବେ। ଏହାଛଡ଼ା ଥାଇରଏଡ୍ ରୋଗୀ ପ୍ରତି ତିନିମାସରେ ଥରେ ଥାଇରଏଡ୍‌ ପରୀକ୍ଷା କରିବା ସହ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ଆବଶ୍ୟକ।

(ସ୍ୱାସ୍ଥ୍ୟ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ପ୍ଲାଟଫର୍ମସ୍ୱାସ୍ଥ୍ୟ ପ୍ଲସ୍ସହିତ ଡାକ୍ତର ସମ୍ବିତ ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: This information on Thyroid Diseases, in Odia language, is based on an extensive interview with Endocrinologist Dr Sambit Das.