ଶୋଇବା ବେଳେ ଅଧିକାଂଶ ଲୋକ ଘୁଙ୍ଗୁଡ଼ି ମାରିଥାଆନ୍ତି। ତେବେ କାହିଁକି ଘୁଙ୍ଗୁଡ଼ି ହୁଏ? ଆସନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ ବିଷୟରେ ବରିଷ୍ଠ ଶ୍ୱାସ ଏବଂ ନିଦ୍ରାରୋଗ ବିଶେଷଜ୍ଞ ଡାକ୍ତର ଦାମୋଦର ବିନ୍ଧାଣିଙ୍କଠାରୁ ଅଧିକ ଜାଣିବା।

ଘୁଙ୍ଗୁଡ଼ି ସମସ୍ୟା କ’ଣ? (What is Snoring problem in Odia)

ରାତିରେ ଶୋଇବା ଅବସ୍ଥାରେ ନିଶ୍ୱାସ ନେଲା ବେଳକୁ ନିଶ୍ୱାସ ରନ୍ଧ୍ର ସରୁ ହୋଇଯାଉଛି। ସେ ସମୟରେ ପବନ ଯିବା ବେଳେ ସାଉଣ୍ଡ ତିଆରି ହୁଏ, ଯାହାକୁ ଘୁଙ୍ଗୁଡ଼ି ବୋଲି କୁହାଯାଏ। ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଜୀବନରେ କେବେ ନା କେବେ ଘୁଙ୍ଗୁଡ଼ିର ସମସ୍ୟାର ଶିକାର ହେଉଛନ୍ତି।

ବୟସ ବଢ଼ିବା ସହିତ ଘୁଙ୍ଗୁଡ଼ିର ମାତ୍ରା ମଧ୍ୟ ବଢ଼ିଥାଏ। ଘୁଙ୍ଗୁଡ଼ିର ମାତ୍ରା ବଢ଼ିବା ଦ୍ୱାରା ନିଶ୍ୱାସ ମଝିରେ ମଝିରେ ଅଟକିଯାଏ ଓ ନିଦରେ ବ୍ୟାଘାତ ସୃଷ୍ଟି ହେବା ଓ ଏହାର ପ୍ରଭାବରେ ଅକ୍ସିଜେନ୍‌ର ମାତ୍ରା ଦେହରେ କମିଯିବାର ଆଶଙ୍କା ଥାଏ।

ଘୁଙ୍ଗୁଡ଼ି ହେବାର କାରଣ କ’ଣ? (Cause of Snoring problem in Odia)

ଛୋଟ ପିଲାଙ୍କର ଶ୍ୱାସନଳୀ ବହୁତ ସରୁ। ଆଜିକାଲି ପିଲାମାନଙ୍କଠାରେ ଥଣ୍ଡା, କାଶ, ଜ୍ଵର ଲାଗି ରହିବା ଯୋଗୁଁ ତନ୍ତୁ ମୋଟା ହୋଇଯାଏ। ତେଣୁ ଶୋଇବା ଅବସ୍ଥାରେ ସେମାନେ ନିଶ୍ୱାସ ଟାଣି ହୋଇ ନିଅନ୍ତି। ବର୍ତ୍ତମାନ ବାୟୁ ପ୍ରଦୂଷଣ ଯୋଗୁଁ ଛୋଟ ପିଲାଙ୍କର ଟନ୍‌ସିଲ ବଢ଼ିଯାଉଛି। ଫଳରେ ଶ୍ୱାସ ରନ୍ଧ୍ର ଆହୁରି ସରୁ ହୋଇଯାଏ। ତ’ଦ୍ୱାରା ପିଲାମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି ଏବଂ ଏହାଦ୍ଵାରା ଘୁଙ୍ଗୁଡ଼ି ହୋଇଥାଏ। ଏହାଯୋଗୁଁ ଛୋଟ ପିଲାମାନେ ଦିନବେଳା ଚିଡ୍‌ଚିଡ଼ା ହେବା ସହ ଭୋକର ମାତ୍ରା ବଢ଼ିଯାଏ।

ଘୁଙ୍ଗୁଡ଼ି ଯୋଗୁଁ ନିଦ ଉପରେ ପ୍ରଭାବ (Effect of Snoring on sleep in Odia)

ଶୋଇବା ପାଇଁ ଗଭୀର ନିଦର ଆବଶ୍ୟକତା ରହିଛି। ଶୋଇବା ସମୟରେ ନିଶ୍ୱାସ ଅଟକି ଗଲେ କିମ୍ବା ନିଶ୍ୱାସ ନେଲା ବେଳେ ଶଦ୍ଦ ହେଲେ ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଫଳରେ ଦିନ ବେଳା ବ୍ୟକ୍ତିଙ୍କୁ ସତେଜ ଲାଗି ନଥାଏ, ଆଗ୍ରହ ଆସିନଥାଏ ଓ ସକାଳୁ ବ୍ୟକ୍ତିଙ୍କୁ ହାଲିଆ ଲାଗିଥାଏ।

ଘୁଙ୍ଗୁଡ଼ିର ବିଭିନ୍ନ ଲକ୍ଷଣ (Symptoms of Snoring in Odia)

ନିଶ୍ୱାସ ନେଲା ବେଳକୁ ଶବ୍ଦ ହେବା।

ନିଶ୍ୱାସ ଅଟକି ଯିବା, ଯାହାକୁ ଆପ୍‌ନିଆ କୁହାଯାଏ।

ନିଶ୍ୱାସ ନେବା ବେଳେ ଯେତିକି ପରିମାଣରେ ଅକ୍ସିଜେନ୍‌ ଯିବା କଥା, ସେତିକି ପରିମାଣରେ ଯାଇପାରେ ନାହିଁ, ଯାହାକୁ ହାଇପୋ ଆପ୍‌ନିଆ କୁହାଯାଏ।

ମଝିରେ ମଝିରେ ନିଶ୍ୱାସ ଅଟକିଯିବ।

ପାଟିରୁ ଲାଳ ବାହାରିବା।

ଶୋଇବା ବେଳେ ଗୋଡ଼ ହାତ ଛାଟିବା।

ଘୁଙ୍ଗୁଡ଼ିଜନିତ ସମସ୍ୟାକୁ ଚିହ୍ନିବା ପାଇଁ STOP BANG ଫର୍ମୁଲା (STOP-BANG formula to diagnose snoring problems in Odia)

ଘୁଙ୍ଗୁଡ଼ି ସମସ୍ୟାକୁ ଚିହ୍ନିବା ପାଇଁ STOP BANG ଫର୍ମୁଲା ଆପଣେଇବାକୁ ପଡ଼ିଥାଏ।

S – snoring ବା ଘୁଙ୍ଗୁଡ଼ି: ଶୋଇବା ଅବସ୍ଥାରେ ଘୁଙ୍ଗୁଡ଼ି ଲାଗିବା

T – Tiredness – ଥକ୍କାପଣ: ଦିନବେଳା ଥକ୍କା ଲାଗିବା

O – Observed apnea – ନିଶ୍ୱାସ ବନ୍ଦ ହୋଇଯିବା

P – Blood pressure – ଦୀର୍ଘ ଦିନ ଧରି ଘୁଙ୍ଗୁଡ଼ି ହେଲେ ରକ୍ତଚାପ ବଢ଼ିଥାଏ। ଯେଉଁମାନେ ରକ୍ତଚାପ ପାଇଁ ଔଷଧ ଖାଉଛନ୍ତି, ସେମାନଙ୍କ କ୍ଷେତ୍ରରେ ଘୁଙ୍ଗୁଡ଼ି ସମସ୍ୟା ବଢ଼ିଥାଏ।

B –  BMI – ଯଦି ଉଚ୍ଚତା ଅନୁସାରେ ଓଜନ ଅଧିକା ରହୁଛି, ତେବେ ଶୋଇବା ଅବସ୍ଥାରେ ଘୁଙ୍ଗୁଡ଼ି ହୋଇଥାଏ।

A – ବୟସ – ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଘୁଙ୍ଗୁଡ଼ି ହୋଇଥାଏ।

N – neck circumference – ବେକର ଚଉଡ଼ା ୪୦ ସେଣ୍ଟିମିଟରରୁ ଅଧିକା ଥିଲେ ଘୁଙ୍ଗୁଡ଼ି ହେବାର ସମ୍ଭାବନା ରହିଛି।

G – Gender – ପୁରୁଷମାନଙ୍କ କ୍ଷେତ୍ରରେ ଘୁଙ୍ଗୁଡ଼ି ସମସ୍ୟା ଅଧିକ ଦେଖାଦିଏ।

ଘୁଙ୍ଗୁଡ଼ି ସମସ୍ୟାର ପରୀକ୍ଷଣ (Diagnosis for Snoring in Odia)

ଘୁଙ୍ଗୁଡ଼ି ସମସ୍ୟା ଜାଣିବା ପାଇଁ ଅବ୍‌ଷ୍ଟ୍ରକ୍‌ଟିଭ୍‌ ସ୍ଲିପ୍‌ ଆପ୍‌ନିଆ ସ୍କ୍ରିନିଂ ଟେଷ୍ଟ (Obstructive sleep apnea screening test) କରାଯାଏ। ଏହି ପରୀକ୍ଷା କରିବା ପାଇଁ ରାତିରେ ଶୋଇଲା ବେଳେ ଛାତିରେ ଗୋଟେ ବେଲ୍ଟ ବନ୍ଧାଯାଏ, ନାକରେ ଅକ୍ସିଜେନ୍‌ ଲଗାଯାଏ ଓ ହାତରେ ପଲ୍ସ ଅକ୍ସିମିଟର ବନ୍ଧାଯାଏ। ଏହାଦ୍ୱାରା ରାତିରେ କେତେ ଥର ଘୁଙ୍ଗୁଡ଼ି ହେଉଛି, କେତେ ଥର ନିଶ୍ୱାସ ବନ୍ଦ ହେଉଛି, କେତେ ମାତ୍ରାରେ ଅକ୍ସିଜେନ୍‌ କମୁଛି ଓ ହାର୍ଟରେଟ୍‌ କେତେ କମୁଛି ଓ କେତେ ବଢ଼ୁଛି ତାହା ଜଣାପଡ଼ିଥାଏ।

ଘୁଙ୍ଗୁଡ଼ିର ନିରାକରଣ କେମିତି କରିବେ? (How to get rid of Snoring in Odia)

ଘୁଙ୍ଗୁଡ଼ି ନ ହେବା ପାଇଁ ସବୁବେଳେ ସଠିକ୍‌ ସମୟରେ ଖାଆନ୍ତୁ ଓ ଠିକ୍‌ ସମୟରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ।

ରାତିରେ ଚର୍ବିଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ଯାହାଦ୍ୱାରା ଏସିଡିଟି ସୃଷ୍ଟି ହୋଇ ଶୋଇବାରେ ଅସୁବିଧା ହୁଏ।

ରାତିରେ କୌଣସି ପ୍ରକାର ମାଦକଦ୍ରବ୍ୟ ନିଅନ୍ତୁ ନାହିଁ।

ସବୁବେଳେ କଡ଼ମାଡ଼ି ଶୁଅନ୍ତୁ।

ଶୋଇବା ବେଳେ ତକିଆ ୩୦ରୁ ୩୫ ଡିଗ୍ରୀ ଉଚ୍ଚା ରଖି ଶୁଅନ୍ତୁ।

ଓଜନ ଅଧିକ ଥିଲେ କମାନ୍ତୁ।

ନିୟମିତ ୭ରୁ ୮ ଘଣ୍ଟା ଶୁଅନ୍ତୁ।

ରାତି ସାଢ଼େ ୧୦ଟା ଭିତରେ ଶୁଅନ୍ତୁ ଓ ସକାଳ ୬ରୁ ଉଠନ୍ତୁ।

ଘୁଙ୍ଗୁଡ଼ିର ଚିକିତ୍ସା କେମିତି ହୁଏ? (Treatment of Snoring in Odia)

ଘୁଙ୍ଗୁଡ଼ିର ଦୁଇ ପ୍ରକାର ଚିକିତ୍ସା କରାଯାଏ। ଯଥା: ମେଡିକାଲ ମ୍ୟାନେଜ୍‌ମେଣ୍ଟ ଓ ସର୍ଜିକାଲ ମ୍ୟାନେଜ୍‌ମେଣ୍ଟ

ଘୁଙ୍ଗୁଡ଼ିର କୌଣସି ଔଷଧ ନାହିଁ। ନାକରେ କୌଣସି ସମସ୍ୟା ଥିଲେ ଇନ୍‌ଟି ବିଶେଷଜ୍ଞ ସହ ପରାମର୍ଶ କରନ୍ତୁ।

ଯଦି ଗୁରୁତର ସମସ୍ୟା ନଥାଇ ଘୁଙ୍ଗୁଡ଼ି ହେଉଛି ଏବଂ ସ୍କ୍ରିନିଂ ଟେଷ୍ଟ ଦ୍ଵାରା ମଡରେଟ୍‌ରୁ ସିଭିୟର ବାହାରୁଛି, ତାହାହେଲେ CPAP ମେସିନ୍‌ ଲଗାଯାଏ। ଏହି ଚିକିତ୍ସାରେ ନାକରେ ଗୋଟେ ମେସିନ୍‌ ଲାଗିବ ଓ ମେସିନ୍‌ ଦ୍ଵାରା ପବନ ଆପଣଙ୍କର ନାକ ବାଟେ ଯିବ। ଯଦ୍ୱାରା ଘୁଙ୍ଗୁଡ଼ି ଜନିତ ସମସ୍ୟା ୯୯.୯ ପ୍ରତିଶତ ଭଲ ହୋଇଯିବ।

ଭଲ ନିଦରେ କେମିତି ଶୋଇବେ? (Sleep Hygiene for better sleep in Odia)

ନିଦ ବିନା ଜୀବନ ଅସମ୍ଭବ। ଖାଦ୍ୟ, ପାନୀୟ ଓ ବସ୍ତ୍ର ଭଳି ନିଦ ମଧ୍ୟ ମଣିଷ ପାଇଁ ବେଶ୍‌ ଜରୁରୀ। ଠିକ୍‌ ଭାବରେ ନିଦ ନ ହେଲେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଅନିଦ୍ରା ସମସ୍ୟାରୁ ବର୍ତ୍ତିବା ପାଇଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତି ହେବା ଦରକାର।

ନିୟମିତ ସାଢ଼େ ୧୦ଟା ଭିତରେ ଶୋଇବାକୁ ଚେଷ୍ଟା କରନ୍ତୁ।

ଶୋଇବା ଗୃହରେ ମୋବାଇଲ, ଟିଭି, ନୀଳ ରଶ୍ମୀ ଭଳି ବସ୍ତୁ ରଖନ୍ତୁ ନାହିଁ।

ଘରର ପରିବେଶକୁ ସଫା ରଖନ୍ତୁ।

ଶୋଇବା ପୂର୍ବରୁ ଧୀର ସଙ୍ଗୀତ ଶୁଣନ୍ତୁ କିମ୍ବା ଉଷୁମ ପାଣିରେ ଗାଧାନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦାମୋଦର ବିନ୍ଧାଣିଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Snoring, in Odia language, is based on an extensive interview with a senior Pulmonologist & Sleep specialist Dr Damodar Bindhani.