କିଡ୍‌ନି ଫେଲ୍ୟୁଅର ବିଷୟରେ ଜଣାଶୁଣା କିଡ୍‌ନି ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ ନନ୍ଦଙ୍କଠାରୁ ଆସନ୍ତୁ ଜାଣିବା।


ରକ୍ତକୁ ଛାଣି ଆମ ଶରୀରରେ ଥିବା ବର୍ଯ୍ୟବସ୍ତୁକୁ ମୁତ୍ର ଆକାରରେ ବାହାରକୁ ଛାଡ଼ିବା ହେଉଛି କିଡ୍‌ନିର ମୁଖ୍ୟ କାର୍ଯ୍ୟ। ତେଣୁ କିଡ୍‌ନି ବିନା ଆମ ଜୀବନ ଅସମ୍ଭବ। ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଏବଂ ଅନିୟନ୍ତ୍ରିତ ଖାଦ୍ୟପେୟ ଯୋଗୁଁ କିଡ୍‌ନି ଫେଲ୍ ହେବାର ଆଶଙ୍କା ରହିଛି। ଆସନ୍ତୁ କିଡ୍‌ନି ଫେଲ୍ୟୁଅର ହେବାର କାରଣ, ଲକ୍ଷଣ ଓ ଚିକିତ୍ସା ସଂପର୍କରେ ବିଶେଷ ଭାବେ ଜାଣିବା।

କିଡ୍‌ନି ଫେଲ୍ୟୁଅରର କାରଣ (Cause of Kidney Failure in Odia)

କିଡ୍‌ନି ଫେଲ୍ୟୁଅରର ପ୍ରଥମ କାରଣ ହେଲା ମଧୁମେହ। ଏମିତି ନୁହେଁ ଯେ, ଆଜି ଆପଣଙ୍କୁ ଡାଏବେଟିସ୍‌ ହେଲା ଓ କାଲି ଆପଣଙ୍କ କିଡ୍‌ନି ଖରାପ ହୋଇଯିବ। ଅଧିକ ଦିନ ଧରି ଡାଏବେଟିସ୍‌ ନିୟନ୍ତ୍ରଣରେ ନ ରହିଲେ, ତେବେ କିଡ୍‌ନି ଖରାପ ହୋଇପାରେ।

ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରୋଲ ଓ ଟ୍ରାଇ ଗ୍ଲିସେରାଇଡ୍ ସ୍ତର ଲମ୍ବା ସମୟ ଧରି ବଢ଼ି ରହିଲେ ମଧ୍ୟ କିଡ୍‌ନି ଖରାପ ହୋଇପାରେ।

ବାରମ୍ବାର ପରିସ୍ରା ସଂକ୍ରମଣ ସହ ଜ୍ଵର ହେଲେ କିଡ୍‌ନି ଖରାପ ହୋଇଥାଏ। ଛୋଟ ଛୋଟ ସ୍ଵାସ୍ଥ୍ୟ ସମସ୍ୟାରେ ପେନ୍‌କିଲର୍‌ ମେଡିସିନ୍‌ ଖାଇବା ଦ୍ୱାରା କିଡ୍‌ନି ଖରାପ ହୋଇପାରେ। ତେଣୁ ସବୁବେଳେ ଔଷଧକୁ ଡାକ୍ତରଙ୍କ ପରାମର୍ଶରେ ଖାଇବା ଦରକାର।

kidney

ଅଧିକ ପଢ଼ନ୍ତୁ: ଅତ୍ୟଧିକ ପେନ୍‌କିଲର ଖାଇବା ହୋଇପାରେ କିଡ୍‌ନି ଫେଲ୍ୟୁଅରର କାରଣ

କିଡ୍‌ନି ଫେଲ୍ୟୁଅରର ଲକ୍ଷଣ (Symptoms of Kidney Failure in Odia)

ଦୁର୍ବଳ ଲାଗିବା

ମୁହଁ, ପାଦ ଫୁଲିଯିବା

ପରିସ୍ରା କମିଯିବ

ଅଳ୍ପ ଚାଲିଲେ ମଧ୍ୟ ଧଇଁସଇଁ ଲାଗିବ

ରକ୍ତହୀନତା ସମସ୍ୟା ହେବା

କିଡ୍‌ନି ଖରାପ ହୋଇଛି କି ନାହିଁ ଜାଣିବା ପାଇଁ ରକ୍ତ ପରୀକ୍ଷା କରି ୟୁରିଆ ଓ କ୍ରିଏଟିନ୍‌ ପରୀକ୍ଷା କରାଯାଏ।

କିଡ୍‌ନି ଫେଲ୍ୟୁଅରର ଚିକିତ୍ସା (Treatment of Kidney Failure in Odia)

କିଡ୍‌ନି ଖରାପ ହୋଇଥିଲେ ଭଳୟ କରନ୍ତୁ ନାହିଁ। ଯାହାର କିଡ୍‌ନି ଅଳ୍ପ ଖରାପ ହୋଇଛି ବା ଯାହାକୁ କୌଣସି ପ୍ରକାର ଔଷଧ ଦରକାର ନାହିଁ, ସେମାନଙ୍କର ଯେଉଁ କାରଣ ଯୋଗୁଁ କିଡ୍‌ନି ଖରାପ ହୋଇଛି, ତାକୁ ନିୟନ୍ତ୍ରଣ କରିବା ଦରକାର।

ଅନ୍ୟ କେତେକ ଲୋକଙ୍କର କିଡ୍‌ନି ଖରାପ ହେଲାଣି, ଯେଉଁମାନଙ୍କୁ ଔଷଧ ଖାଇବାର ଆବଶ୍ୟକତା ରହିଛି।

ଆଉ କେତେକ ଲୋକଙ୍କର କିଡ୍‌ନି ଡାଏଲିସିସ୍‌ କରିବାକୁ ପଡ଼ିଥାଏ। ଡାଏଲିସିସ୍‌ ଦ୍ୱାରା ଆର୍ଟିଫିସିଆଲ ଭାବେ ରକ୍ତକୁ ଛଣାଯାଇଥାଏ। ରୋଗୀଙ୍କୁ ସପ୍ତାହରେ ଦୁଇରୁ ତିନିଥର ଡାଏଲିସିସ୍‌ କରିବାକୁ ପଡ଼ିଥାଏ।

କିଡ୍‌ନି ଖରାପ ହେବାର ଚିକିତ୍ସା ହେଲା କିଡ୍‌ନି ଟ୍ରାନ୍ସପ୍ଲାଣ୍ଟେସନ୍‌ ବା କିଡ୍‌ନି ପ୍ରତିରୋପଣ। ଜଣେ ସୁସ୍ଥ ଲୋକଠାରୁ କିଡ୍‌ନି ଆଣି ରୋଗୀର ଦେହରେ ପ୍ରତିରୋପଣ କରିବାକୁ କିଡ୍‌ନି ଟ୍ରାନ୍ସପ୍ଲାଣ୍ଟେସନ କୁହାଯାଏ। ସାଧାରଣତଃ ୧୮ରୁ ୬୦ ବର୍ଷର କୌଣସି ସୁସ୍ଥ ବ୍ୟକ୍ତି କିଡ୍‌ନି ଦାନ କରିପାରିବେ, ଯାହାକୁ ଡାଏବେଟିସ୍ କିମ୍ବା ବ୍ଲଡ୍‌ ପ୍ରେସର ନଥିବ ବା ଅନ୍ୟ କୌଣସି ଜଟିଳ ରୋଗ ହୋଇନଥିବା। ତା’ ଛଡ଼ା ରୋଗୀର ବ୍ଲଡ୍‌ଗ୍ରୁପ୍ ସହିତ ସୁସ୍ଥ ବ୍ୟକ୍ତିଙ୍କ ବା ଦାତାଙ୍କ ବ୍ଲଡ୍‌ଗ୍ରୁପ୍ ମିଶୁଥିବ। କିଡ୍‌ନି ଦାନ କରୁଥିବା ବ୍ୟକ୍ତି ଜଣକ ଯଦି ଗୋଟିଏ କିଡ୍‌ନିରେ ସୁସ୍ଥ ଭାବେ ବଞ୍ଚିପାରିବେ, ତେବେ ଯାଇ ତାଙ୍କଠାରୁ କିଡ୍‌ନି ନେଇ ଟ୍ରାନ୍ସପ୍ଲାଣ୍ଟେସନ କଥା ଆଗକୁ ବଢ଼ିପାରିବ। 

କିଡ୍‌ନି ପ୍ରତିରୋପଣ କରିବାକୁ ପାଖାପାଖି ୪ ଘଣ୍ଟା ଲାଗିଥାଏ। କିଡ୍‌ନି ଦାତା ୪ରୁ ୫ ଦିନ ଭିତରେ ଚିକିତ୍ସାଳୟରୁ ଡିସ୍‌ଚାର୍ଜ ହୋଇପାରିବେ।

people, woman, exercise

ଅଧିକ ପଢ଼ନ୍ତୁ: କାହିଁକି ହୁଏ କିଡ୍‌ନି ଷ୍ଟୋନ୍‌?

ସୁସ୍ଥ କିଡ୍‌ନି ପାଇଁ ଜୀବନଶୈଳୀ (Lifestyle for a Healthy Kidney in Odia)

ପ୍ରତିଦିନ ୩୦ ମିନିଟ୍‌ରୁ ଗୋଟେ ଘଣ୍ଟା ବ୍ୟାୟାମ କରିବା ଜରୁରୀ। ସପ୍ତାହକୁ ଗୋଟେ ଦିନ ବିଶ୍ରାମ କରିପାରିବେ।

କିଡ୍‌ନିକୁ ସୁସ୍ଥ ରଖିବାକୁ ହେଲେ କାର୍ବୋହାଇଡ୍ରେଟ ଓ ଚର୍ବିଯୁକ୍ତ ଖାଦ୍ୟ କମ୍‌ ଖାଇବେ ଏବଂ ଫାଇବର୍‌ ଓ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଅଧିକ ଖାଇବେ।

ଆମିଷ ଖାଉଥିବା ଲୋକ ମଟନ୍‌, ଚିକେନ୍‌ କମ୍‌ ଖାଇବେ।

ଶାଗ, ସବୁଜ ପନିପରିବା, ଫଳମୂଳକୁ ପ୍ରଚୁର ପରିମାଣରେ ଖାଇବେ।

ଧୂମପାନ, ମଦ୍ୟପାନ, ଗୁଟ୍‌ଖା, ଗଞ୍ଜେଇ ଖାଇବାରୁ ନିବୃତ୍ତ ରହନ୍ତୁ। କାରଣ ଏସବୁ ମଧୁମେହ ଓ ଉଚ୍ଚରକ୍ତଚାପକୁ ବଢ଼ାଇଥାଏ, ଯାହା କିଡ୍‌ନି ଖରାପର ମୁଖ୍ୟ କାରଣ।

ମଧୁମେହ ଓ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ।

କିଡ୍‌ନିକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟରେ ଲୁଣର ମାତ୍ରା କମ୍‌ କରନ୍ତୁ।

ଜଙ୍କଫୁଡ୍, ଫାଷ୍ଟଫୁଡ୍‌, ପ୍ୟାକେଟ୍‌ ଫୁଡ୍‌, ସୋଡ଼ା, କୋଲ୍ଡ ଡ୍ରିଙ୍କ୍‌ରୁ ନିବୃତ୍ତ ରହନ୍ତୁ।

କମ୍‌ ଶୋଇଲେ ଓ ଚାପରେ ରହିଲେ ରକ୍ତଚାପ ବଢ଼ିଥାଏ। ତେଣୁ ଚିନ୍ତାମୁକ୍ତ ରହନ୍ତୁ ଓ ୭ରୁ ୮ ଘଣ୍ଟା ଶୁଅନ୍ତୁ।

ସ୍ଵାସ୍ଥ୍ୟ ପରୀକ୍ଷା କରନ୍ତୁ (Need for Regular Health Checkups in Odia)

କୌଣସି ରୋଗର ଲକ୍ଷଣ ଜଣାପଡ଼ିଲ ହିଁ ରୋଗ ସମ୍ପର୍କରେ ଜାଣିହୁଏ। ହେଲେ ସବୁବେଳେ ସବୁ ସମସ୍ୟାର ଲକ୍ଷଣ ଜଣାପଡ଼ିନଥାଏ। ଶରୀର ଭିତରେ ରୋଗ ଧୀରେ ଧୀରେ ବଢ଼ିଚାଲିଥାଏ ଓ ରୋଗୀକୁ କିଛି ଜଣାପଡ଼ିନଥାଏ। ଏଭଳି କ୍ଷେତ୍ରରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଜରୁରୀ। ୪୦ ବର୍ଷରୁ ଅଧିକ ବୟସର ଲୋକ ବର୍ଷକୁ ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦରକାର।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ବିଶ୍ୱଜିତ ନନ୍ଦଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on causes, symptoms and treatment of Kidney failure, in Odia language, is based on an extensive interview with Urologist Dr Biswajit Nanda.