ବେକ ଓ କାନ୍ଧ ବିନ୍ଧାରୁ କେମିତି ପାଇବେ ମୁକ୍ତି? ଏନେଇ ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସ୍ମରଜିତ ପଟ୍ଟନାୟକ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ବୟସ୍କ ବ୍ୟକ୍ତି ହୁଅନ୍ତୁ ବା ଛୋଟ ପିଲା, ଆଜିକାଲି ପ୍ରାୟ ସମସ୍ତଙ୍କର ବେକ ଓ କାନ୍ଧ ଯନ୍ତ୍ରଣା ଭଳି ସମସ୍ୟା ଦେଖିବାକୁ ମିଳୁଛି। ସାଧାରଣତଃ ୩୦ରୁ ୫୦ ବର୍ଷ ବୟସ ମଧ୍ୟରେ ବେକ ଓ କାନ୍ଧ ବିନ୍ଧା ଅଧିକ ହୋଇଥାଏ। ଯେଉଁ ଲୋକମାନେ ଗୋଟିଏ ସ୍ଥାନରେ ଅଧିକ ସମୟ ପାଇଁ ଭୁଲ ଶୈଳୀରେ ବସି ରହୁଛନ୍ତି, ସେମାନଙ୍କଠାରେ ବେକ ଓ କାନ୍ଧ ବିନ୍ଧା ସମସ୍ୟା ଅଧିକ ଦେଖାଦେଉଛି।

ଅଧିକ ସମୟ ଗୋଟିଏ ଜାଗାରେ ବସି ରହି କାର୍ଯ୍ୟ କରୁଥିଲେ ଏବଂ ଭୁଲ ଶୈଳୀରେ ବେଶି ସମୟ ବସୁଥିଲେ ବେକ, କାନ୍ଧ ଯନ୍ତ୍ରଣା ହୋଇଥାଏ। ଯଦି ବେକ କିମ୍ବା ଅଣ୍ଟାରେ ଯନ୍ତ୍ରଣା ଅନୁଭୂତ ହେଉଛି, ତେବେ ଜାଣିବେ ଯେ ବେକ ଓ ଅଣ୍ଟାର ମାଂସପେଶୀ ଉପରେ ଅଧିକ ଚାପ ପଡ଼ୁଛି। ବେକ ବିନ୍ଧାରୁ ଧୀରେ ଧୀରେ କରି କାନ୍ଧ ଆଡ଼କୁ ଯାଇଥାଏ ଓ ଅଣ୍ଟା ବ୍ୟଥା ଧୀରେ ଧୀରେ ଗୋଡ଼ ଆଡ଼କୁ ବ୍ୟାପି ଥାଏ।

ଯେଉଁ ଲୋକମାନେ ଅଧିକାଂଶ ସମୟ ଡାହାଣ ହାତରେ କାମ କରନ୍ତି, ସେମାନଙ୍କର ବାମ ପଟ କାନ୍ଧରେ ଅଧିକ ଯନ୍ତ୍ରଣା ହୁଏ। ଯେହେତୁ କାନ୍ଧ ଗୋଟିଏ ଅବସ୍ଥାରେ ରହୁଛି ଓ ଗତି କରୁନାହିଁ। ସେହି ବେକ ଯନ୍ତ୍ରଣା ଧୀରେ ଧୀରେ କାନ୍ଧକୁ ଯାଉଛି ଏବଂ କାନ୍ଧ ଷ୍ଟିଫ୍‌ ହୋଇଯାଉଛି।

neck pain

ଅଧିକ ପଢ଼ନ୍ତୁ: କାହିଁକି ହୁଏ ଅଷ୍ଟିଓପୋରୋସିସ୍‌?

ବେକ ଓ କାନ୍ଧ ବିନ୍ଧାକୁ କିଭଳି କରିବେ ଦୂର? (How to get rid of Neck and Shoulder pain in Odia)

ସବୁବେଳେ ନିଜର ପୋଶ୍ଚର ବା ବସିବାର ଶୈଳୀ ଠିକ୍‌ ରଖିବା ଦରକାର।

କମ୍ପ୍ୟୁଟରକୁ ସବୁବେଳେ ମୁହଁ ସିଧାରେ ରଖନ୍ତୁ, ଯେପରିକି ଆପଣଙ୍କ ମନିଟର ଆପଣଙ୍କ ଆଖିର ସିଧାରେ ଥିବ। ଫଳରେ କମ୍ପ୍ୟୁଟରକୁ ସିଧା ଦେଖିପାରିବେ ଏବଂ ଆପଣଙ୍କ ବେକ ସବୁବେଳେ ସିଧା ରହିବା ଦରକାର।

ଯଦି ଡେସ୍କ କାମରେ ୭ରୁ ୮ ଘଣ୍ଟା ବସି ରହି କାମ କରୁଛନ୍ତି, ତେବେ ପ୍ରତ୍ୟେକ ଅଧଘଣ୍ଟାରେ ଥରେ ବ୍ରେକ୍‌ ନିଅନ୍ତୁ। ଗୋଟେ ମିନିଟ୍‌ ପାଇଁ ଛିଡ଼ା ହୋଇ ଷ୍ଟ୍ରେଚ୍‌ କରନ୍ତୁ ବା ଗୋଟିଏ ରାଉଣ୍ଡ ବୁଲିକି ଆସନ୍ତୁ ଏବଂ ତା ପରେ ପୁଣି କାମ କରନ୍ତୁ।

କେତେକ କ୍ଷେତ୍ରରେ କିଛି କାମ ଛିଡ଼ା ହୋଇ ମଧ୍ୟ କରିହେବ। ତେଣୁ ଅଫିସ୍‌ରେ କିଛି ଜିନିଷ ଛିଡ଼ା ହୋଇ କରିବେ ଓ କିଛି ଜିନିଷ ବସିକି କରିପାରିବେ।

ଏସବୁ କରିବା ଦ୍ଵାରା ବେକ ମାଂସପେଶୀ ଷ୍ଟିଫ୍‌ ହେବ ନାହିଁ।

ଏହାଛଡ଼ା ସଠିକ୍‌ ସମୟରେ ଡାକ୍ତରଙ୍କୁ ଦେଖାନ୍ତୁ।

shoulder pain

ସ୍ପଣ୍ଡିଲାଇଟିସ୍‌ କ’ଣ? (What is Spondylitis in Odia)

ବେକ ଓ ଅଣ୍ଟାରେ ଛୋଟିଆ ଛୋଟିଆ ଗଣ୍ଠି ରହିଛି। ସେହି ଗଣ୍ଠିରେ ଇନ୍‌ଫ୍ଲାମେସନ୍‌ ହେବା ଯୋଗୁଁ ଅଣ୍ଟା ଓ ବେକରେ କଷ୍ଟ ଅନୁଭୂତ ହୁଏ, ଯାହାକୁ ସ୍ପଣ୍ଡିଲାଇଟିସ୍‌ କୁହାଯାଏ। ଏହା କୌଣସି ରୋଗ ନୁହେଁ।

ମେକାନିକାଲ କାରଣ ଯୋଗୁଁ ସ୍ପଣ୍ଡିଲାଇଟିସ୍‌ ହୋଇଥାଏ। ଆମ ବସିବାର ଭୁଲ ଶୈଳୀ, ଅଣ୍ଟାରେ ଅଧିକ ଚାପ, କାମ କରିବା ଓ ଜୀବନଶୈଳୀ କାରଣରୁ ସ୍ପଣ୍ଡିଲାଇଟିସ୍‌ ହୋଇଥାଏ।

ସ୍ପଣ୍ଡିଲାଇଟିସ୍‌ ସମସ୍ୟାକୁ ଦୂର କରିବା ପାଇଁ ହେଲେ ଷ୍ଟ୍ରେଚିଂ କରନ୍ତୁ, ବସିବା ଶୈଳୀକୁ ଠିକ୍‌ କରନ୍ତୁ, କାର୍ଯ୍ୟ ମଝିରେ ମଝିରେ ବିରାମ ନିଅନ୍ତୁ, ସବୁବେଳେ ସକ୍ରିୟ ରହନ୍ତୁ। ଏହାଛଡ଼ା ଓଜନକୁ ନିୟନ୍ତ୍ରଣ ରଖନ୍ତୁ, ଅନୁଲମ୍‌ ବିଲୋମ୍‌ କରନ୍ତୁ ଓ ପ୍ରାଣାୟାମ କରିବାକୁ ହେବ।

ଯେଉଁମାନଙ୍କ ବେକ ଯନ୍ତ୍ରଣା ହେଉଛି, ସେମାନେ ସବୁବେଳେ ପତଳା ତକିଆ ବ୍ୟବହାର କରନ୍ତୁ। ଯଦି ମୋଟା ତକିଆ ଦେଇ ଶୋଇବାର ଅଭ୍ୟାସ ଅଛି, ତେବେ ତକିଆକୁ କାନ୍ଧ ତଳେ ଦିଅନ୍ତୁ।

ଧୀରେ ଧୀରେ କରି ବେକର ବ୍ୟାୟାମ କରନ୍ତୁ। ଏହାସହ କାନ୍ଧର ବ୍ୟାୟାମ କରିବା ଅଧିକ ଜରୁରୀ।

exercise

ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରନ୍ତୁ (Doctor’s Advice in Odia)

ଯଦି ଜୀବନଶୈଳୀରେ ପରିବର୍ତ୍ତନ କରିବା ପରେ ଏବଂ ବ୍ୟାୟାମ କରିବା ସତ୍ତ୍ୱେ ଯନ୍ତ୍ରଣା ହେଉଛି, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଡାକ୍ତର ଏକ୍ସରେ କରି ସମସ୍ୟା ଦେଖି କିଛି ଔଷଧ ସେବନ କରିବାକୁ ପରାମର୍ଶ ଦେଇଥା’ନ୍ତି। ଯଦି ଏସବୁ କରିବା ପରେ ବି ସୁଧାର ଆସୁନି, ତେବେ ଏମ୍‌ଆର୍‌ଆଇ କରିବାକୁ ପଡ଼ିଥାଏ। ଏମ୍‌ଆର୍‌ଆଇ କରିବାର ମାନେ ନୁହେଁ ଯେ ଅପରେସନ୍‌ ଦରକାର ପଡ଼ିଥାଏ। ଏସବୁ କରିବାର ଅର୍ଥ ହେଉଛି ମୂଳ ସମସ୍ୟା ଜାଣି ହୁଏ। କାରଣ ସମସ୍ୟା ଜାଣିଲେ ଏହାର ଚିକତ୍ସା କରିବା ସହଜ ହୋଇଥାଏ।

ବର୍ତ୍ତମାନ ନୂଆ ନୂଆ ପଦ୍ଧତିରେ ମେରୁଦଣ୍ଡ ସର୍ଜରୀ କରିହେଉଛି, ତେଣୁ ଡରିବାର କୌଣସି ଆବଶ୍ୟକତା ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସ୍ମରଜିତ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Neck and Shoulder pain, in Odia language, is based on an extensive interview with senior orthopaedic surgeon Dr Smarajit Patnaik.