ବଦହଜମି ସମସ୍ୟାରୁ ମୁକ୍ତି ପାଇବାର ମୂଳ ମନ୍ତ୍ର ହେଉଛି ସୁସ୍ଥ ଲାଇଫ୍‌ଷ୍ଟାଇଲ୍‌ ଓ ସଠିକ୍‌ ଡାଏଟ୍‌।

ବର୍ତ୍ତମାନ ସମୟରେ କେବଳ ବୟସ୍କ ନୁହେଁ ଛୁଆ ମଧ୍ୟ ବଦହଜମି ରୋଗର ଶିକାର ହେଉଛନ୍ତି। ବଦହଜମି କାରଣରୁ ଅଧିକାଂଶ ଲୋକ ନିତିଦିନିଆ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖାଦ୍ୟ ଖାଇବା ପରେ ସଠିକ ଭାବରେ ହଜମ ନ ହେଲେ ହାକୁଟି ହେବା, ଆମ୍ବିଳା ହାକୁଟି ହେବା, ପେଟ ଫୁଲିଯିବା, ଅସହଜ ମନେ ହୋଇଥାଏ। ଏହି ସମସ୍ୟା ଦୂର କରିବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର ଔଷଧ ଖାଇଥାନ୍ତି। କିନ୍ତୁ ସବୁବେଳେ ଔଷଧ ସେବନ କରିବା ଦ୍ୱାର ତା’ର ପାର୍ଶ୍ୱପ୍ରତିକ୍ରିୟା ହେବାର ଆଶଙ୍କା ଥାଏ।

ଠିକ ସମୟରେ ଖାଆନ୍ତୁ

ସବୁବେଳେ ସଠିକ ସମୟରେ ଖାଦ୍ୟ ଗ୍ରହଣ କରିବା ଜରୁରୀ। ନିୟମିତ ଭାବେ ଯେଉଁ ସମୟରେ ଖାଇବା ଖାଉଛନ୍ତି ସେହି ସମୟରେ ଖାଇବାକୁ ଚେଷ୍ଟା କରନ୍ତୁ। ଏହା ସହିତ ଖାଇବା ସମୟରେ ଖାଦ୍ୟକୁ ଶୀଘ୍ର ନଖାଇ ଧୀରେ ଧୀରେ ଚୋବାଇ ଚୋବାଇ ଖାଆନ୍ତୁ। ରାତିରେ ଶୋଇବାର ୩ ରୁ ୪ ଘଣ୍ଟା ପୂର୍ବରୁ ଖାଇବା ଉଚିତ। ଏହାସହ ରାତିରେ ଗରିଷ୍ଠ ଖାଦ୍ୟ ବଦଳରେ ହାଲକା ଖାଦ୍ୟ ଖାଆନ୍ତୁ।

ଯଦି ରାତିରେ ୧୦ଟାରେ ଶୋଉଛନ୍ତି, ତେବେ ୮.୩୦ ସୁଦ୍ଧା ରାତି ଭୋଜନ କରିଦିଅନ୍ତୁ। ଏହାପରେ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ।

ଦିନରେ ଅଳ୍ପ ଅଳ୍ପ କରି ୫ରୁ ୬ ଥର ଖାଇବା ଜରୁରୀ। ଅଧିକ ସମୟ ଧରି ଖାଲି ପେଟରେ ରହିବା ଉଚିତ ନୁହେଁ କିମ୍ବା ଏକାଥରରେ ଅଧିକ ଖାଇବା ବି ଠିକ୍‌ ନୁହେଁ। ଖାଦ୍ୟରେ ସବୁଜ ପନିପରିବା, ଫଳମୂଳ ଆଦିକୁ ଅଧିକ ଖାଇବା ଦରକାର। ତେଲ ମସଲା, ଛଣାଛଣିଯୁକ୍ତ ଖାଦ୍ୟରୁ ନିବୃତ୍ତ ରହନ୍ତୁ। ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ।

ଖାଇବା ପରେ ୧୦ରୁ ୧୫ ମିନିଟ୍‌ ଏପଟ ସେପଟ ହେବା ଭଲ। ଏହାଛଡ଼ା ଖାଇବାର ୧ ଘଣ୍ଟା ଯାଏ ଶୁଅନ୍ତୁ ନାହିଁ। ଯଦି ଖାଇବା ପରେ ପରେ ଶୋଇପଡ଼ିବେ, ତେବେ ଖାଦ୍ୟ ଉପରକୁ ଉଠିଯିବାର ଆଶଙ୍କା ଅଧିକ। ଫଳରେ ଛାତି ପୋଡ଼ିବା ଓ ଛାତିରେ କିଛି ଅଟକିଲା ଭଳି ଲାଗିବା।

water

ଆବଶ୍ୟକ ପରିମାଣର ପାଣି ପିଅନ୍ତୁ

ଖାଦ୍ୟ ହଜମ ପାଇଁ ସବୁବେଳେ ଆବଶ୍ୟକ ପରିମାଣର ପାଣି ପିଇବା ଉଚିତ। ମହିଳାଙ୍କୁ ଗୋଟିଏ ଦିନରେ ୨ରୁ ୪ଲିଟର ପାଣି ଓ ପୁରୁଷମାନଙ୍କୁ ୨ରୁ ୬ଲିଟର ପାଣି ପିଇବାର ଆବଶ୍ୟକତା ରହିଛି। ଶରୀରକୁ ଆବଶ୍ୟକ ପରିମାଣର ପାଣି ମିଳିଲେ ଖାଦ୍ୟ ହଜମ ହେବାରେ ସହଜ ହୋଇଥାଏ। ରାତିରେ ଶୋଇବା ଆଗରୁ ଅଳ୍ପ ଉଷୁମ ପାଣି ପିଇବା ଶରୀର ପାଇଁ ଭଲ ହୋଇଥାଏ। ହେଲେ ଖାଇବାର ଠିକ୍‌ ପରେ ପାଣି ପିଅନ୍ତୁ ନାହିଁ। ଖାଇବାର ଘଣ୍ଟେ ପୂର୍ବରୁ ଓ ଘଣ୍ଟେ ପରେ ପାଣି ପିଅନ୍ତୁ।

ଅଳ୍ପ ମାତ୍ରାରେ ଖଟାଫଳ ଖାଆନ୍ତୁ

ଖାଦ୍ୟ ହଜମ ନହେବା ସମୟରେ ଖଟା ଖାଇବାକୁ ମନା କରାଯାଇଥାଏ। କିନ୍ତୁ କିଛି ଖଟାଜାତୀୟ ଫଳ ଶରୀର ପାଇଁ ଉପାଦେୟ ହୋଇଥାଏ। ଖାଇବା ପରେ କିମ୍ବା ଖାଇବା ସମୟରେ ଲେମ୍ବୁ ଖାଇବା ଦ୍ଵାରା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ। ଅଁଳା ଓ କମଳା ଖାଇବା ଦ୍ଵାରା ମଧ୍ୟ ଖାଦ୍ୟ ସହଜରେ ହଜମ ହୋଇଯାଏ। ଏହାସହ ନିୟମିତ ଖାଦ୍ୟରେ ବା ଖାଇସାରିବା ପରେ ଅଳ୍ପ ଦହି ଖାଇଲେ ବଦହଜମି ଦୂର ହୋଇଥାଏ। ଖାଦ୍ୟ ସଠିକ ଭାବରେ ହଜମ ହେବା ପାଇଁ ଭୋଜନରେ ଅଧିକ ମାତ୍ରରେ କଞ୍ଚା ପରିବା ବ୍ୟବହାର କରନ୍ତୁ।

lemon water

ବଦହଜମି ପାଇଁ କେତେକ ଘରୋଇ ଉପଚାର

ପ୍ରତିଦିନ ଜିରା, ବେଲପତ୍ର, ତୁଳସୀପତ୍ର ପ୍ରଭୃତି ଖାଇବା ଦ୍ଵାରା ବଦହଜମି ସମସ୍ୟାରୁ ମୁକ୍ତି ମିଳିଥାଏ।

ଏକ କପ୍‌ ପାଣିରେ ଅଧ ଇଞ୍ଚର ଅଦା ରସ ଓ ପୋଦିନା ପତ୍ର ୩ଟି ମିଶାଇ ଫୁଟାଇ ଦିଅନ୍ତୁ। ଖାଇବାର ୧୦ ମିନିଟ୍‌ ପୂର୍ବରୁ ଏହି ପାଣିକୁ ପିଅନ୍ତୁ।

ଅଧଗ୍ଲାସ ଗାଜର ରସରେ ଅଧଗ୍ଲାସ ପାଣି ମିଶାଇ ଦିନକୁ ଥରେ ପିଇଲେ ଏବଂ ଖାଇବା ପରେ କିଛି ଗାଜର ଚୋବାଇ ଖାଇଲେ ବଦହଜମି ସମସ୍ୟାରୁ ଉପଶମ ମିଳିପାରେ।

ଏକ ଚାମଚ ପୋଦିନା ରସରେ ଚାମଚେ ମହୁ ଏବଂ ଚାମଚେ ଲେମ୍ବୁରସ ମିଶାଇ ଦିନକୁ ଦୁଇଥର ଖାଇଲେ ବଦହଜମି ରୋଗ ଭଲ ହୋଇଯାଏ।

ଏହାଛଡ଼ା ଯେଉଁ ଖାଦ୍ୟ ଖାଇଲେ ଆପଣଙ୍କର ଗ୍ୟାସ୍‌ ହେଉଛି, ତାହାକୁ ଖାଆନ୍ତୁ ନାହିଁ।