ଆଖି ତଳେ କଳା ଦାଗ ପଡ଼ିଲେ ମୁହଁର ସୌନ୍ଦର୍ଯ୍ୟ ନଷ୍ଟ କରିଦେଇଥାଏ। ତେଣୁ ଏହି କଳା ଦାଗରୁ ମୁକ୍ତି ପାଇବା ପାଇଁ କ’ଣ କରିବେ ଜାଣନ୍ତୁ।

ମୁହଁର ସୁନ୍ଦରତା ପାଇଁ ଆଖିର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ସୁନ୍ଦର ଆଖି ଅନ୍ୟକୁ ଆକୃଷ୍ଟ କରିଥାଏ। କିନ୍ତୁ ଆଖି ତଳେ ପଡ଼ିଥିବା କଳା ଦାଗ ମୁହଁର ଆକର୍ଷଣକୁ ନଷ୍ଟ କରିଦେଇଥାଏ। ଆଖି ତଳେ କଳା ଦାଗ କାହିଁକି ହୋଇଥାଏ ସେ ବାବଦରେ ଜାଣିବା ନିହାତି ଆବଶ୍ୟକ। ଏହା ଦ୍ୱାରା କଳା ଦାଗ ସମସ୍ୟାର ସମାଧାନ କରିବା ସମ୍ଭବ ହୋଇଥାଏ।

କାହିଁକି ଆଖି ତଳେ କଳା ଦାଗ ପଡ଼ିଥାଏ?

ବାର୍ଦ୍ଧକ୍ୟ, ନୀଳ ରଶ୍ମିର କ୍ଷତିକାରକ ପ୍ରଭାବ, ହିମୋଗ୍ଲୋବିନ୍‌ ଅଭାବ ଯୋଗୁଁ ଆଖି ତଳେ କଳା ଦାଗ ପଡ଼ିଯାଇଥାଏ। UV ରଶ୍ମି ବା ନୀଳ ରଶ୍ମି ସଂସ୍ପର୍ଶରେ ଆସିବା ଫଳରେ ଚର୍ମରେ ପିଗମେଣ୍ଟେସନ୍ ହୋଇଥାଏ। ତେଣୁ ନିୟମିତ ଭାବରେ ଏକ ଭଲ ସନସ୍କ୍ରିନ ବ୍ୟବହାର କରନ୍ତୁ।

ପୁଷ୍ଟିର ଅଭାବ ଯୋଗୁଁ ମଧ୍ୟ ଆଖି ତଳ କଳା ଦାଗ ପଡ଼ିଥାଏ। ତେଣୁ ଖାଦ୍ୟରେ ଲୌହଯୁକ୍ତ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ। ଶରୀରରେ ଡିହାଇଡ୍ରେସନ କିମ୍ବା ତରଳ ପଦାର୍ଥର ଅଭାବ ଯୋଗୁଁ ଆଖି କଳା ଦାଗ ହୋଇଥାଏ। ତେଣୁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ।

ଶରୀରରେ ଥାଇରଏଡ୍‌ ଅସନ୍ତୁଳନ ହେଲେ ପିଗମେଣ୍ଟେସନ୍ ସୃଷ୍ଟି ହୋଇଥାଏ। ଫଳରେ ଆଖି ତଳେ କଳା ଦାଗ ହୋଇଯାଇଥାଏ। ସେଥିପାଇଁ ଥାଇରଏଡ ସ୍ତର ଠିକ ରଖିବାକୁ ଚେଷ୍ଟା କରନ୍ତୁ।

ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଖାଉଥିବା ମେଡିସିନ ଆଖି ତଳେ କଳା ଦାଗ ଆଣିଦେଇଥାଏ। ଆଲର୍ଜି କାରଣରୁ ମଧ୍ୟ ଆଖି ତଳେ କଳା ପଡ଼ିଥାଏ।

ଅନିଦ୍ରା ଯୋଗୁଁ ଆଖି ତଳ କଳା ପଡ଼ିଥାଏ। ବେଶି ରାତି ଯାଏଁ ନ ଶୋଇବା କାରଣରୁ କିମ୍ବା ଆଦୌ ନ ଶୋଇବା ଯୋଗୁଁ ଆଖି ତଳେ କଳା ଦାଗ ପଡ଼ିଯାଇଥାଏ।

ଅଧିକ ସମୟ କମ୍ପ୍ୟୁଟର ଏବଂ ମୋବାଇଲ ଦେଖିବା ଦ୍ୱାରା ଆଖିରେ ଷ୍ଟ୍ରେନ ହୋଇଥାଏ। ଏହା ଫଳରେ ଆଖିର ଚାରିପାଖରେ ରକ୍ତ ଠିକ୍‌ ଭାବେ ପ୍ରବାହିତ ହୋଇପାରିନଥାଏ। ତେଣୁ ଆଖି କଳା ଦେଖା ଯାଇଥାଏ।

ଅଧିକ ପଢ଼ନ୍ତୁ: ଖରାଦିନେ ଏଭଳି ନିଅନ୍ତୁ ନିଜ ସ୍ୱାସ୍ଥ୍ୟର ଯତ୍ନ

ଘରୋଇ ଉପାୟରେ ଦୂର କରନ୍ତୁ ଆଖି ତଳ କଳା ଦାଗ

ଆଳୁ

ଆଖିତଳେ ଯଦି ଆପଣଙ୍କର କଳା ଦାଗ ପଡ଼ିଛି କୌଣସି ଔଷଧ ବଦଳରେ ଆଳୁ ବ୍ୟବହାର କରନ୍ତୁ। ରାତିରେ ଶୋଇବା ପୂର୍ବରୁ ମୁହଁକୁ ଭଲରେ ଧୋଇ ଦିଅନ୍ତୁ। ଏହାପରେ ଆଳୁକୁ ପତଳା କରି କାଟି ଆଳୁର ଗୋଟିଏ ସ୍ଲାଇଡ ଆଖିରେ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ଓ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କରିବା ଦ୍ୱାରା ଆସ୍ତେ ଆସ୍ତେ ଆଖି ତଳ କଳାଦାଗ ଦୂର ହୋଇଥାଏ।

ଗୋଲାପ ଜଳ

ଆଖି ତଳେ କଳା ଦାଗ ପାଇଁ ଗୋଲାପ ଜଳକୁ ବ୍ୟବହାର କରନ୍ତୁ। ଆଖି ବନ୍ଦ କରି ଗୋଲାପ ଜଳରେ ଭିଜା ତୁଳାକୁ ଆଖି ଉପରେ ୧୦ ମିନିଟ ରଖନ୍ତୁ। ଏପରି କରିବା ଦ୍ୱାରା ଆଖିର ଚାରିପାଖ ତ୍ୱଚା ଆସ୍ତେ ଆସ୍ତେ ଚମକି ଉଠିଥାଏ।

ଟମାଟୋ

ଟମାଟୋ ରସରେ କିଛି ବୁନ୍ଦା ଲେମ୍ବୁରସ ଏବଂ ଏକ ଚାମଚ ବେସନ ଓ ହଳଦୀ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଆଖିର ଚାରି ପାଖରେ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ। ଏହି ମିଶ୍ରଣକୁ ସପ୍ତାହରେ ଅତିକମରେ ୩ ଥର ଲଗାନ୍ତୁ। ଏହା ଫଳରେ ଆଖି ତଳ କଳା ଦାଗ ଦୂର ହୋଇଥାଏ।

ଅଧିକ ପଢ଼ନ୍ତୁ: ଲଗାନ୍ତୁ ଏହି ୫ଟି ତେଲ, ଆଣନ୍ତୁ ମୁହଁ ସହ ଚର୍ମରେ ଚମକ

କାକୁଡ଼ି

କାକୁଡ଼ି ରସ କଳାଦାଗ ପାଇଁ ବହୁତ ଉପକାରୀ। କାକୁଡ଼ିକୁ ଛୋଟ କରି କାଟି ଆଖି ଉପରେ ରଖନ୍ତୁ। ୧୫ ମିନିଟ ପରେ ଧୋଇଦିଅନ୍ତୁ। ଏପରି ନିୟମିତ କରିବା ଦ୍ୱାରା ଆଖି କଳା ଦାଗ ଭଲ ହୋଇଥାଏ।

ପୋଦିନା

ପୋଦିନରେ ଥିବା ପୋଷକ ତତ୍ତ୍ୱ ଆଖି ତଳର କଳା ଦାଗକୁ ଦୂର କରିଥାଏ। ଏଥିରେ ଥିବା ପ୍ରାକୃତିକ ପୋଷକ ଗୁଣ ହେତୁ ଆଖି ତଳେ ରକ୍ତପ୍ରବାହ ସୂଚାରୁ ରୂପେ ହୋଇଥାଏ ଏବଂ ଚର୍ମକୁ ପୁର୍ନଃଜୀବିତ କରିଥାଏ। ପୋଦିନାରେ ଥିବା ଆଣ୍ଟିସେଫ୍ଟିକ, ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଆଖି ତଳକୁ କଳା ହେବାରୁ ରକ୍ଷା କରିଥାଏ।

ବାଦାମ ତେଲ

ଆଖି ତଳ କଳାଦାଗରୁ ରକ୍ଷା ପାଇବା ପାଇଁ ବାଦାମ ତେଲ ବହୁତ ଲାଭଦାୟକ। ବାଦାମ ତେଲକୁ ଆଖିର ଚାରିପାଖେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା କଳାଦାଗ ବା ଡାର୍କ ସର୍କଲ ଧୀରେ ଧୀରେ କମିଯାଇଥାଏ।