ମୁହଁରେ ବ୍ରଣ ହେବାର କାରଣ କ’ଣ? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ କୁମାର ଅଭିଷେକ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

  • ମୁଖ ବ୍ରଣର କାରଣ ?
  • ଘରୋଇ ଉପଚାର କେତେ ସୁରକ୍ଷିତ?
  • ମୁଖ ବ୍ରଣର ଚିକିତ୍ସା
  • ମୁଖ ବ୍ରଣର ନିରାକରଣ
  • ମୁହଁରେ ସାବୁନ ବ୍ୟବହାର କରିବା କେତେ ଭଲ?

ଯୁବାବସ୍ଥାରେ ମୁଖ ବ୍ରଣ ଏକ ସାଧାରଣ ସମସ୍ୟା। ଏହା ମୁଖ୍ୟତଃ ଯୌବନର ଆରମ୍ଭରେ ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ଦେଖାଯାଏ। ପାଖାପାଖି ୨୫ବର୍ଷ ପର୍ଯ୍ୟନ୍ତ ମୁହଁରେ ବ୍ରଣ ବାହାରିଥାଏ। ଅନେକ ଲୋକଙ୍କର ୨୫ବର୍ଷ ପରେ ମଧ୍ୟ ବ୍ରଣ ହେବାର ଦେଖାଯାଇଛି।

ମୁହଁରେ ବିଭିନ୍ନ ପ୍ରକାର ବ୍ରଣ ଦେଖାଯାଏ। ହ୍ଵାଇଟ ହେଡ୍‌, ଵ୍ଲାକ ହେଡ୍‌ ଭଳି ବ୍ରଣ ମୁହଁରେ ବାହାରିଥାଏ। ଅନେକ ସମୟରେ ବ୍ରଣ ଲାଲି ଦାନା ଭଳି ମଧ୍ୟ ସଦୃଶମାନ ହୋଇଥାଏ।

ବ୍ରଣ ହେବାର କାରଣ (Cause of facial acne in Odia)

ଯୁବାବସ୍ଥାରେ ଶରୀରରେ ଆଣ୍ଡ୍ରୋଜେନ ନାମକ ହରମୋନ କ୍ଷରିତ ହୋଇଥାଏ। ଏହି ହରମୋନ ଅଧିକ ମାତ୍ରାରେ କ୍ଷରଣ ହେବା ଯୋଗୁଁ ମୁହଁରେ ବ୍ରଣ ହୋଇଥାଏ। ଏହାଛଡ଼ା ଆମ ମୁହଁର ଚର୍ମରେ ଥିବା ପ୍ରୋପିନିବ୍ୟାକ୍ଟେରିୟମ କୌଣସି କାରଣରୁ ସଂକ୍ରମିତ ହୋଇଯାଏ। ଫଳରେ ମୁହଁରେ ବ୍ରଣ ହୋଇଥାଏ।

ଅଧିକ ଶର୍କରା ଜାତୀୟ ଖାଦ୍ୟ, କ୍ଷୀରଜାତୀୟ ଦ୍ରବ୍ୟ, ଜଙ୍କଫୁଡ୍‌, ଫାଷ୍ଟଫୁଡ ଏବଂ ଛଣାଛଣି ଖାଦ୍ୟ ଖାଇବା ଫଳରେ ଶରୀରରେ ଆଇଜିଏଫ ପରିମାଣ ବଢ଼ିଯାଏ। ଏଥିପାଇଁ ଆମ ଚର୍ମରେ ବ୍ରଣ ହୋଇଥାଏ।

ଅଧିକ ପଢ଼ନ୍ତୁ: ବ୍ରଣ ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ବ୍ରଣ ଜନିତ ବିଭିନ୍ନ ସମସ୍ୟା

ବର୍ତ୍ତମାନ ସାଧାରଣ ଯୁବପିଢ଼ି ବ୍ରଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବ୍ରଣ ହେଲେ ମୁହଁ ଅସୁନ୍ଦର ଦେଖାଯାଏ ଓ ଚମକ ବା ଉଜ୍ୱଳତା କମିଯାଏ। ଅଧିକାଂଶ ଲୋକଙ୍କର ଭୁଲ ଧାରଣା ରହିଛି ଯେ, ବ୍ରଣକୁ ହାତରେ ଚିପି ପୂଜ ବାହାର କରିଦେଲେ ବ୍ରଣ ଭଲ ହୋଇଯାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ବ୍ରଣରେ ଅଧିକ ହାତ ମାରିବା ଫଳରେ ତ୍ଵଚାରେ କଳାଦାଗ ହେବା ସହ ମୁହଁରେ ଗାତ ସୃଷ୍ଟି ହୁଏ, ଯାହାକୁ ଆକ୍ନିସ୍କାର ବୋଲି କହିଥାଉ।

ବ୍ରଣ ସମସ୍ୟା କେବଳ ସୁନ୍ଦରତା ନଷ୍ଟ କରେନି ବରଂ ମାନସିକ ଅବସାଦ ଆଣିଦିଏ। ଯୁବାବସ୍ଥାରେ ସମସ୍ତେ ପ୍ରାୟ ନିଜ ସୁନ୍ଦରତାକୁ ନେଇ ବିଶେଷ ଧ୍ୟାନ ଦିଅନ୍ତି। ବ୍ରଣ ହେବା ଦ୍ଵାରା କିଛି ପିଲାମାନଙ୍କର ମାନସିକ ଚାପ ବଢ଼ିଯାଏ। ଏପରିସ୍ଥଳେ ବ୍ରଣକୁ ନେଇ ଅନ୍ୟମାନଙ୍କ ଆକ୍ଷେପକୁ ବରଦାସ୍ତ କରିପାରନ୍ତି ନାହିଁ। ଫଳରେ ଡିପ୍ରେସନର ଶୀକାର ହୁଅନ୍ତି। ହେଲେ ମାନସିକ ଚାପ ବଢ଼ିଲେ ବ୍ରଣ ଅଧିକ ମାତ୍ରାରେ ବାହାରେ।

ଘରୋଇ ଉପଚାର କେତେ ସୁରକ୍ଷିତ? (How good is home remedies for acne)

ବ୍ରଣର ସମସ୍ୟାକୁ ଦୂର କରିବାକୁ ଲୋକେ ବିଭିନ୍ନ କ୍ରିମର ସାହାରା ନେଇଥା’ନ୍ତି। ପାଖ ମେଡିସିନ ଦୋକାନରୁ ବ୍ରଣ ପାଇଁ ମେଡିସିନ ଆଣି ଲଗାଇଥାନ୍ତି। ସାଙ୍ଗସାଥୀମାନଙ୍କ ପାଖରୁ ଶୁଣି ବିଭିନ୍ନ ଔଷଧ ଏବଂ ଘରୋଇ ଉପଚାର ବ୍ୟବହାର କରିଥା’ନ୍ତି। ହେଲେ ଏହିସବୁ କ୍ରିମ୍‌ ଲଗାଇବା ଦ୍ୱାରା ବ୍ରଣ ଅଧିକ ହୋଇଥାଏ ଓ ଅନ୍ୟାନ୍ୟ ତ୍ଵଚା ସମ୍ବନ୍ଧୀୟ ସମସ୍ୟା ହେବାର ଆଶଙ୍କା ଥାଏ।

ଏହାସହ କେତେକ ଲୋକ ମୁହଁରେ ସାବୁନ ବ୍ୟବହାର କରିଥା’ନ୍ତି। ହେଲେ ସାବୁନର ପିଏଚ୍‌ ମୁହଁର ଚର୍ମର ପିଏଚ୍‌ ସହ ସମାନ ନୁହେଁ। ମୁହଁରେ ସାବୁନ ଲଗାଇବା ଯୋଗୁଁ ମୁହଁର ପିଏଚ୍‌ ସ୍ତର ଅସନ୍ତୁଳିତ ହୁଏ। ଫଳରେ ମୁହଁରେ ସଂକ୍ରମଣ ବଢ଼ି ବ୍ରଣ ଅଧିକ ହୋଇଥାଏ।

ଅନେକ ଲୋକ ଚନ୍ଦନ, ହଳଦୀ, ପିଆଜରସ, ଘିକୁଆଁରି ଓ ଲେମ୍ବୁରସ ଭଳି ଘରୋଇ ଉପଚାର ବି ମୁହଁରେ ଲଗାଇଥା’ନ୍ତି। କିନ୍ତୁ, ଅତ୍ୟଧିକ ଲେମ୍ବୁରସ ବା ପିଆଜ ରସ ଲଗାଇଲେ ମୁହଁ ପୋଡ଼ିଯାଏ। ତେଣୁ ମୁହଁରେ ବ୍ରଣ ହେଲେ ଚର୍ମ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ପରେ ହିଁ ଔଷଧ ବ୍ୟବହାର କରନ୍ତୁ।

skin care

ଅଧିକ ପଢ଼ନ୍ତୁ: ସବୁ ତ୍ୱଚା ପାଇଁ ଉପକାରୀ ଏହି ୩ଟି ଫେସ୍ ପ୍ୟାକ୍

ବ୍ରଣର ଚିକିତ୍ସା (Treatment of facial acne in Odia)

ସାଧାରଣତଃ ପ୍ୟୁବର୍ଟି ସମୟରେ ହରମୋନ୍‌ ପରିବର୍ତ୍ତନ ଯୋଗୁଁ ମୁହଁରେ ବ୍ରଣ ବାହାରିଥାଏ। ଏହାଛଡ଼ା ପିସିଓଡି ସମସ୍ୟା ଥିବା ମହିଳାମାନଙ୍କଠାରେ ବ୍ରଣ ବେଶି ହୋଇଥାଏ। ପିସିଓଡି ସମସ୍ୟା ଥିବା ମହିଳାଙ୍କର ବ୍ରଣ ହେବା ସହ ଚୁଟି ଝଡ଼େ, ଋତୁସ୍ରାବ ଅନିୟମିତତା ହୁଏ ଏବଂ ଓଜନ ବଢ଼ିଯାଏ। ଏହି ସବୁ ସମସ୍ୟାର ସମାଧାନ ପାଇଁ ହରମୋନାଲ ଥେରାପି କରାଯାଏ। ଏହାଦ୍ଵାରା ସେମାନଙ୍କର ପିସିଓଡି ସମସ୍ୟା ଠିକ୍‌ ହେବା ସହ ତ୍ଵଚାରେ ବ୍ରଣ ହେବା ବନ୍ଦ ହୋଇଯାଏ।

ସାଧାରଣ ବ୍ରଣ ପାଇଁ ବିଭିନ୍ନ କ୍ରିମ୍‌ ଏବଂ ଔଷଧ ପରାମର୍ଶ କରାଯାଇଥାଏ।

ବ୍ରଣର ନିରାକରଣ (Prevention of facial acne in Odia)

ବ୍ରଣରୁ ମୁକ୍ତି ପାଇବାକୁ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ପ୍ରଚୁର ପରିମାଣରେ ସବୁଜ ପନିପରିବା ଏବଂ ଫଳ ଖାଆନ୍ତୁ।

ଭିଟାମିନ ଏ’ ଓ ସି’ ଥିବା ଖାଦ୍ୟ ଖାଆନ୍ତୁ।

କ୍ଷୀର ଖାଇବା କମ କରନ୍ତୁ।

ଓମେଗା ଥ୍ରୀ ଫ୍ୟାଟି ଏସିଡ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ।

ଖରାକୁ ବାହାରିଲେ ସନ ସ୍କ୍ରିନ ବ୍ୟବହାର କରନ୍ତୁ।

ମୁହଁକୁ ଅଧିକ ତେଲିଆ ହେବାକୁ ଦିଅନ୍ତୁ ନାହିଁ।

ମୁହଁରେ ସାବୁନ ବ୍ୟବହାର କରନ୍ତୁ ନାହିଁ।

ଦିନକୁ ଅତିକମ୍‌ରେ ୩ ଥର ଫେସଓ୍ଵାସରେ ମୁହଁ ଧୁଅନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର କୁମାର ଅଭିଷେକଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Acne care, in Odia language, is based on an extensive interview with Consultant Dermatologist Dr. Kumar Abhishek.