ଆସନ୍ତୁ ବିଶିଷ୍ଟ ଇଏନଟି ସ୍ପେଶାଲିଷ୍ଟ୍ ଡାକ୍ତର ରବିନ୍ଦ୍ର କୁମାର ଖଟୁଆଙ୍କଠାରୁ କାନର ବିଭିନ୍ନ ସମସ୍ୟା, ଏହାର କାରଣ ଓ ଚିକିତ୍ସା ବିଷୟରେ ଜାଣିବା।

ଶୀତ ଦିନ ଆସିଲେ ଅଳ୍ପ ବହୁତେ ସମସ୍ତଙ୍କଠାରେ କାନ ବିନ୍ଧିବା ଭଳି ସମସ୍ୟା ଦେଖଦେଇଥାଏ। ହେଲେ ଆପଣଙ୍କୁ ଜାଣିବା ଦରକାର କି, କାନ ବିନ୍ଧିବା ଏକ ଜଟିଳ ସମସ୍ୟା ହୋଇପାରେ। କାନରେ କୌଣସି ରୋଗ ହେଲେ ମଧ୍ୟ କାନ ବିନ୍ଧିଥାଏ। ଯଦି ଏହାକୁ ଅଣଦେଖା କରିବେ, ତେବେ ପରବର୍ତ୍ତୀ ସମୟରେ କାନରୁ ପୂଜ ବାହାରିବା, ରକ୍ତ ପଡ଼ିବା, କାନ ଗିରି ମଧ୍ୟ ଫାଟିଯିବାର ଆଶଙ୍କା ଥାଏ।

ଛୋଟ ପିଲାଙ୍କ କାନ ରୋଗ ଓ ତା’ର ଚିକିତ୍ସା (Ear disease in young children and its treatment in Odia)

ଛୋଟ ଛୁଆଙ୍କର କାନରେ ମଇଳା ହୋଇଯାଏ, ଯାହାକୁ ଓ୍ୱାକ୍ସ କୁହାଯାଏ। ଫଳରେ କାନରେ ଯନ୍ତ୍ରଣା ହୁଏ। ଏଭଳି କ୍ଷେତ୍ରରେ ଡାକ୍ତର ଏକ କାନରେ ପକେଇବା ଡ୍ରପ୍‌ ପରାମର୍ଶ ଦେଇଥା’ନ୍ତି। ସେହି ଡ୍ରପ୍‌ ଛୁଆଙ୍କ କାନରେ ପକାଇ ମଇଳା ସଫା କରାଯାଇଥାଏ।

ଛୁଆଙ୍କଠାରେ ଏଏସ୍‌ଓଏମ୍‌ (ASOM) ନାମକ ଏକ ସମସ୍ୟା ଦେଖାଦିଏ। ଯେଉଁଥିଲେ କାନରୁ ପୂଜ ବାହାରେ, କାନକୁ ଶୁଭେ ନାହିଁ, ବେଳେ ବେଳେ କାନରୁ ରକ୍ତ ବାହାରିବ, କାନରେ ମାଂସ ମଧ୍ୟ ବଢ଼ିଯାଏ। ଛୋଟ ଛୁଆଙ୍କୁ ଦୀର୍ଘ ଦିନ ଧରି ଥଣ୍ଡା ଲାଗି ରହିଲେ, ନାକ ବ୍ଲକେଜ୍‌ ହେଲେ ତାହାହେଲେ କାନରେ ଏଏସ୍‌ଓଏମ୍‌ ସମସ୍ୟା ଦେଖାଦିଏ। ମଧ୍ୟମ କାନ ଓ ବାହ୍ୟ କାନ ମଧ୍ୟରେ ପରଦା ଥାଏ। ଯଦି ମଧ୍ୟମ କାନରେ ସଂକ୍ରମଣ ହୋଇଥାଏ, ତେବେ କାନରୁ ପୂଜ ବାହାରେ। କାନରୁ ପୂଜ ଗଡ଼ିଲେ ତାକୁ ଏଏସ୍‌ଓଏମ୍‌ ରୋଗ ବୋଲି କୁହାଯାଏ। କାନରୁ ପୂଜ ତିନି ମାସରୁ ଅଧିକ ବାହାରିଲେ ତାକୁ ସିଏସ୍‌ଓଏମ୍‌ କୁହାଯାଏ।

ଏଏସ୍‌ଓଏମ୍‌ ହେଲେ ଏହାର ସଠିକ୍‌ ସମୟରେ ଚିକିତ୍ସା କରିବା ଆବଶ୍ୟକ। କାରଣ ଏହାର ଚିକିତ୍ସା କରାନଗଲେ କାନର ପରଦା ଫାଟିଯିବ। ଫଳରେ ଛୁଆକୁ ଶୁଭିବ ନାହିଁ, ଶୁଣିବା ଶକ୍ତି କମିଯିବ। ତେଣୁ ଏହାର ସଠିକ୍‌ ସମୟରେ ଚିକିତ୍ସା କରିବା ଆବଶ୍ୟକ।

ସ୍ତନ୍ୟପାନ କରୁଥିବା ଛୁଆଙ୍କର କ୍ଷୀର ଖାଇବା ବେଳେ କ୍ଷୀର କାନ ଭିତରେ ପସିଯାଏ। ଫଳରେ କାନରେ ଫଙ୍ଗାଲ ଇନ୍‌ଫେକ୍ସନ ହୋଇଯାଏ, ଯାହାକୁ ଅଟୋ ମାଇକୋସିସ୍‌ କୁହାଯାଏ। ଏଥିପାଇଁ ଡାକ୍ତରଙ୍କୁ ପରାମର୍ଶ କରି ଆଣ୍ଟିଫଙ୍ଗାଲ କାନ ଡ୍ରପ୍‌ ପକାଇଲେ ସୁଫଳ ମିଳିବ।

କେତେକ କ୍ଷେତ୍ରରେ ଛୋଟ ଛୁଆଙ୍କୁ ଥଣ୍ଡା ଲାଗିରହିଲେ ସେମାନଙ୍କର କାନର ପରଦା ଚାପି ହୋଇଯାଏ, ଫଳରେ ଛୁଆଙ୍କୁ ସଠିକ୍‌ ଭାବେ ଶୁଭାଯାଏ ନାହିଁ। ଏହାଛଡ଼ା କାନରେ ପାଣି ଜମି ଯିବା ଯୋଗୁଁ ଓଟାଇଟିସ୍ ମିଡିଆ ଇଫ୍ୟୁଜନ୍‌ କୁହାଯାଏ। ତେଣୁ ଏହାର ଚିକିତ୍ସା କରିବା ଆବଶ୍ୟକ।

ear phone

ଅଧିକ ପଢ଼ନ୍ତୁ: କାନ ବିନ୍ଧା, ନାକରୁ ରକ୍ତ ପଡ଼ିବା ଏବଂ ଟନସିଲାଇଟିସ୍ ସମସ୍ୟାର ନିରାକରଣ କେମିତି କରିବେ?

ବଡ଼ ଲୋକଙ୍କ କାନ ରୋଗ ଓ ତା’ର ଚିକିତ୍ସା (Ear disease in Adult and its treatment in Odia)

ବଡ଼ ଲୋକଙ୍କଠାରେ ମଧ୍ୟ କାନ ଜନିତ ସମସ୍ୟା ହୋଇଥାଏ। ଯେପରିକି, କାନରେ ଓ୍ୱାକ୍ସ ହେବା, ସିଏସ୍‌ଓଏମ୍‌ ବା ପରଦା କଣା ହୋଇଯିବା। ଏହା ହେଲେ କାନରୁ ପୂଜ ବାହାରିବ, କାନକୁ କମ୍‌ ଶୁଭିବ, କାନରୁ ରକ୍ତ ବାହାରିବ, ଥଣ୍ଡା ପବନ ବାଜିଲେ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଦିଏ। ଏହାର ସଠିକ୍‌ ସମୟରେ ଚିକିତ୍ସା କରାନଗଲେ ମସ୍ତିଷ୍କରେ ମେନିନ୍‌ଜାଇଟିସ୍‌ ହୋଇଯିବ, ବେକରେ ଥ୍ରମ୍ବୋସିସ୍‌ ହୁଏ, ମୁହଁ ବଙ୍କା ହୋଇଯିବା ଭଳି ସମସ୍ୟା ସୃଷ୍ଟି ହୁଏ।

ବଡ଼ ଲୋକଙ୍କୁ ସିଏସ୍‌ଓଏମ୍‌ ହେଲେ ତା’ର ଚିକିତ୍ସା କରିବା ଆବଶ୍ୟକ। ଆଜିକାଲି ମାଇକ୍ରୋସ୍କୋପ୍‌ ଦ୍ୱାରା ଅସ୍ତ୍ରୋପ୍ରଚାର ଦ୍ୱାରା ନୂଆ ପରଦା ଲଗାଯାଇପାରିବ, ନୂଆ ହାଡ଼ ବି ଲଗାଯାଇପାରିବ।

ବୃଦ୍ଧ ବ୍ୟକ୍ତିଙ୍କ କାନ ସମସ୍ୟା ଓ ତା’ର ଚିକିତ୍ସା (Ear disease in young Old Age and its treatment in Odia)

ସାଧାରଣତଃ ବୃଦ୍ଧାବସ୍ଥାରେ କାନର ସ୍ନାୟୁ ଦୁର୍ବଳ ହୋଇଯାଏ, ଫଳରେ କାନକୁ ଠିକ୍‌ ଭାବେ ଶୁଣାଯାଏନି। ଏଥିପାଇଁ ସେମାନଙ୍କୁ ଡିଜିଟାଲ ହିଅରିଂ ଏଡ୍‌ ଦିଆଯାଏ। ଯେଉଁ ବ୍ୟକ୍ତିମାନଙ୍କୁ ଶୁଭାଯାଏନି, ସେମାନଙ୍କର କେତେ ପ୍ରତିଶତ ଶୁଣାଯାଉନି ସେନେଇ ପରୀକ୍ଷା କରାଯାଏ ଓ ସେହି ଅନୁସାରେ ଡିଜିଟାଲ ହିଅରିଂ ଏଡ୍‌ ଦିଆଯାଏ।

ଅଧିକ ପଢ଼ନ୍ତୁ: ନାକରୁ ରକ୍ତ ପଡ଼ିଲେ କ’ଣ କରିବେ?

କାନ ଉପରେ ଶବ୍ଦ ପ୍ରଦୂଷଣର ପ୍ରଭାବ (The effect of noise pollution on the ears in Odia)

ବର୍ତ୍ତମାନ ସମୟରେ ଗାଡ଼ିର ଶଦ୍ଦ, ଗାଡ଼ି ହର୍ଣ୍ଣ୍‌ର ଶବ୍ଦ, ଡିଜେ, ବାଣ ଆଦିର ଶବ୍ଦ ଅଧିକ ପରିମାଣରେ ହେଉଛି। ଶବ୍ଦ ପ୍ରଦୂଷଣ ଯୋଗୁଁ ସ୍ଥାୟୀ ଭାବେ ଶ୍ରବଣ ଶକ୍ତି ହ୍ରାସ ପାଇଥାଏ। ତେଣୁ ଶବ୍ଦ ପ୍ରଦୂଷଣକୁ ରୋକିବା ଦରକାର। ଯେପରିକି ବାଣ ଫୁଟିବା ବେଳେ ଇୟର ବଡ୍‌ କିମ୍ବା ଇୟର ପ୍ଲଗ୍‌ ଲଗାଇବା ଦରକାର। ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଗାଡ଼ିର ହର୍ଣ୍ଣ କମ୍‌ କରିବା ଦରକାର, ମ୍ୟୁଜିକ୍‌ ସିଷ୍ଟମ୍‌ର ସାଉଣ୍ଡ କମ୍‌ କରିବା ଦରକାର। ବେଶୀ ସାଉଣ୍ଡ ଶୁଣିଲେ ଶ୍ରବଣ ଶକ୍ତି କମିଯିବାର ଆଶଙ୍କା ଅଧିକ।

କାନ ଉପରେ ଇୟରଫୋନ୍ ବ୍ୟବହାରର ପ୍ରଭାବ (The effect of earphone use on the ear in odia)

ଅଧିକାଂଶ ଲୋକ ସବୁବେଳେ ବ୍ଲୁଟୁଥ୍‌ ଓ ଇୟରଫୋନ୍‌ କାନରେ ଲଗାଇ ରଖନ୍ତି। ଏହାଦ୍ୱାରା ବାହ୍ୟ କାନ ସଂକ୍ରମଣ ହେବାର ସମ୍ଭାବନା ଥାଏ। ତେଣୁ, ଇୟରକର୍ଡ ବେଶୀ ବ୍ୟବହାର କରିବା ଅନୁଚିତ। ସବୁବେଳେ କାନରେ ଇୟରକର୍ଡ ଲଗାଇ ରଖିଲେ କାନରେ ପବଳ ଚଳାଚଳ ସଠିକ୍‌ ଭାବରେ ହୋଇପାରିନଥାଏ ଓ ସ୍ନାୟୁ ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଥାଏ। ଫଳରେ ଫଙ୍ଗାଲ ଇନ୍‌ଫେକ୍ସନ୍‌ ହେବ।

ଅଧିକ ପଢ଼ନ୍ତୁ: କାନ ବିନ୍ଧୁଛି କି? ଜାଣନ୍ତୁ ଘରୋଇ ଟିପ୍ସ

କାନରେ ତେଲ ପକାନ୍ତୁ ନାହିଁ (Do not put oil in the ears in Odia)

ବାହ୍ୟ କାନ ଓ ମଧ୍ୟମ କାନ ମଧ୍ୟରେ ଶୁଣିବା ପାଇଁ ଗୋଟେ ଝିଲ୍ଲି ଅଛି। ଏହା ସବୁଠାରୁ ପତଳା। ଏହି ଝିଲ୍ଲି ଯଦି ନଷ୍ଟ ହୋଇଯାଏ, ତାହାହେଲେ ଆମର ଶୁଣିବା ଶକ୍ତି କମିଯିବ। ହେଲେ ଅଧିକାଂଶ ଲୋକ କାନ ବିନ୍ଧା ହେଲେ କିମ୍ବା କାନରୁ ପୂଜ ବାହାରିଲେ ରସୁଣ ସୋରିଷ ତେଲକୁ ଉଷୁମ କରି କାନ ଭିତରେ ପକାଇଦିଅନ୍ତି। କିନ୍ତୁ, ଏହା କରିବା ଅନୁଚିତ। ଏହା ଦ୍ୱାରା କାନ ନଷ୍ଟ ହୋଇଯାଏ।

କାନରେ ପୋକ ପଶିଗଲେ କ’ଣ କରିବେ? (What to do if an insect enters your ear in Odia)

ଶୋଇଥିବା ବେଳେ କାନ ଭିତରେ ବେଳେ ବେଳେ ପୋକ ପଶିଯାଏ। ଏଭଳି କ୍ଷେତ୍ରରେ ଦୋକାନରେ ମିଳୁଥିବା ସାଲାଇନ୍‌କୁ ଆଣି କାନରେ ପକାଇବା ଦ୍ୱାରା ପୋକ ମରିଯାଏ ବା ବାହାରିଯାଏ। ଏସବୁ କରିବା ପରେ ଯଦି ପୋକ ନ ବାହାରେ ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଏହାର ଚିକିତ୍ସା ସବୁଠୁ ସରଳ।

ଶୀତଦିନେ କେମିତି ନେବେ କାନର ଯତ୍ନ? (How to take care of the ears in the winter in Odia)

ଶୀତଦିନେ ଥଣ୍ଡା ପବନ ବାଜିଲେ କାନର ଟିମ୍ପାନିକ ମେମ୍ବରେନ୍‌ ସଙ୍କୁଚିତ ହୋଇଯାଏ। ଯାହାଫଳରେ କାନ ଯନ୍ତ୍ରଣା ହୁଏ। ସାଧାରଣତଃ ଛୋଟ ପିଲା ବାହାରକୁ ଯାଉଥିଲେ ସେମାନଙ୍କ କାନକୁ ଘୋଡ଼ାଇ ରଖିବା ଆବଶ୍ୟକ। ଫଳରେ ଥଣ୍ଡା ପବନ କାନ ଭିତରକୁ ପଶିନଥାଏ।

କେମିତି ରୋକିବେ କାନ ସମସ୍ୟା (How to prevent ear problems in Odia)

ପାଣିରେ ବୁଡ଼ିକରି ଗାଧାନ୍ତୁ ନାହିଁ। ଯଦି ଗାଧୋଉଛନ୍ତିଳ ତେବେ ଇୟର ପ୍ଲଗ୍‌ ଲଗାଇ ଗାଧାନ୍ତୁ।

ବାହାରକୁ ଯାଉଥିଲେ କାନକୁ ଘୋଡ଼ାଇ ରଖନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ରବିନ୍ଦ୍ର କୁମାର ଖଟୁଆଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Ear Diseases, in Odia language, is based on an extensive interview with a ENT specialist Dr Rabindra Kumar Khatua.