ear phone

ସାଧାରଣତଃ ଥଣ୍ଡା, ଜ୍ୱର, ପାଣି ଜମିବା ଓ ଅନ୍ୟାନ୍ୟ ସଂକ୍ରମଣ ଯୋଗୁଁ କାନରେ ଯନ୍ତ୍ରଣା ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କାନରେ ମଳି ଜମିବା, ଥଣ୍ଡା, ସଂକ୍ରମଣ ଓ ଅନ୍ୟାନ୍ୟ କାରଣରୁ ଅନେକଙ୍କର କାନ ଯନ୍ତ୍ରଣା ହୋଇଥାଏ। କାନ ଯନ୍ତ୍ରଣା ହେଲେ କିଛି ଲୋକ ଡାକ୍ତରଙ୍କୁ ନ ଦେଖାଇ ମନଇଚ୍ଛା ପେନକିଲର ଖାଇ ଦେଇଥାନ୍ତି। ଏହି ଅଭ୍ୟାସ ଭଲ ନୁହେଁ। ପେନକିଲର ବଦଳରେ ଉପଶମ ପାଇଁ କିଛି ଘରୋଇ ଉପାୟ ଆପଣେଇ ପାରିବେ।

ମସାଜ କରନ୍ତୁ: କାନ ଯନ୍ତ୍ରଣା ହେଉଥିଲେ କାନର ଆଖପାଖ ଶିରାରେ ମସାଜ କଲେ ଉପକାର ମିଳିଥାଏ। ମସାଜର ନିୟମ ହେଲା ଯେଉଁ ଶିରାରେ ଯନ୍ତ୍ରଣା ହେଉଥିବ ସେଥିରେ ମାଲିସ ନ କରି ଆଖପାଖ ସ୍ଥାନରେ ମାଲିସ କରିବା। କାନର ପଛପଟେ ଯନ୍ତ୍ରଣା ହେଉଥିଲେ ମସାଜ କରିବା ସମୟରେ ହାତ ତଳକୁ ଆଣନ୍ତୁ। କାନର ଉପରପଟେ ଯନ୍ତ୍ରଣା ହେଉଥିଲେ ତଳୁ ମସାଜ ଆରମ୍ଭ କରି ଧୀରେ ଧୀରେ ଉପରକୁ ନିଅନ୍ତୁ।

କାନ ସେକନ୍ତୁ: କାନ ଯନ୍ତ୍ରଣା ହେଉଥିଲେ ବହୁ ଲୋକ ଇୟରବଡ୍ ବ୍ୟବହାର କରି କାନକୁ ସଫା କରିବାକୁ ଚେଷ୍ଟା କରିଥା’ନ୍ତି। ଏପରି ବିଲକୁଲ କରନ୍ତୁ ନାହିଁ। ତୀବ୍ର ଯନ୍ତ୍ରଣାକୁ ରୋକିବା ଲାଗି ହଟ୍‌ ପ୍ୟାଡ ବ୍ୟବହାର କରିପାରିବେ। ଏଭଳି ପ୍ୟାଡ ମେଡିକାଲ ଷ୍ଟୋର ତଥା ଅନଲାଇନରେ ମିଳିପାରିବ। ଯଦି ଏହି ପ୍ୟାଡ ନ ଥାଏ ତା’ ହେଲେ ଗ୍ୟାସରେ ତାୱା ଗରମ କରି ଏକ ସୂତା ରୁମାଲକୁ ସେଥିରେ ତତାଇ କାନର ଆଖପାଖ ଏବଂ ଗଳାରେ ସେକ ଦିଅନ୍ତୁ। କିଛି ମିନିଟ ବ୍ୟବଧାନରେ ଏହାକୁ କରିପାରିବେ। ତେବେ ୨୦ ମିନିଟରୁ ଅଧିକ ସମୟ ସେକ ଦିଅନ୍ତୁ ନାହିଁ। ଏହା କଲେ ଉପଶମ ମିଳିଥାଏ।

-ସେହିପରି ଗରମ ପାଣି ବୋତଲରେ ବି ଆପଣ ସେକ ଦେଇପାରିବେ। ଗରମ ପାଣି ବୋତଲକୁ ଏକ କପଡ଼ାରେ ଗୁଡ଼ାଇ ସେକ ଦେଲେ ଉପଶମ ମିଳିଥାଏ।

-କେବଳ ହଟ୍ ପ୍ୟାଡ ନୁହେଁ, କୋଲ୍ଡ ପ୍ୟାଡ ଦ୍ୱାରା ସେକ ବି ଆପଣଙ୍କ ପାଇଁ ଲାଭଦାୟକ ହୋଇପାରିବ। ଘରେ ଫ୍ରିଜରେ ଥିବା ଆଇସକ୍ୟୁବକୁ ଗୋଟିଏ ପଲିଥିନରେ ଭରି ତାକୁ ଟାୱେଲ ଦ୍ୱାରା ଗୁଡ଼ାଇ କାନର ଆଖପାଖ ସ୍ଥାନରେ ସେକ ଦେଇପାରିବେ। ତେବେ କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ କାନ ରୋଗ ହେଲେ ଏହାକୁ ଦିଆଯାଇଥାଏ।

-ଘରେ ଅଲିଭ ଅଏଲ ଥିଲେ ତାକୁ ହାଲୁକା ଭାବେ ଗରମ କରନ୍ତୁ। ସେଥିରୁ ୨-୩ ବୁନ୍ଦା କାନରେ ପକାଇଲେ ଯନ୍ତ୍ରଣା ବହୁ ପରିମାଣରେ କମିଯାଇଥାଏ।

-ତୁଳସୀ ପତ୍ରର ରସ ବି କାନ ଯନ୍ତ୍ରଣା ପାଇଁ ଖୁବ୍ ଉପାଦେୟ। ୨-୪ଟି ପତ୍ରକୁ ହାତରେ ଦଳି ଦେଇ ତାର ରସକୁ କାନରେ ପକାନ୍ତୁ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥିବାରୁ ସହଜରେ ଉପଶମ ମିଳିଥାଏ।

-ପିଆଜ ରସ ବି କାନ ଯନ୍ତ୍ରଣାକୁ ଦୂର କରିଥାଏ। ଏକ ଚାମଚ ପିଆଜ ରସକୁ ହାଲୁକା ଭାବେ ଉଷୁମ କରିନିଅନ୍ତୁ। ସେଥିରୁ ୨-୩ ବୁନ୍ଦା କାନରେ ପକାନ୍ତୁ।

– ଅଧିକାଂଶ ଲୋକ କାନରେ ତେଲ ପକାନ୍ତି। ହେଲେ କାନରେ ତେଲ ପକାଇବା ଦ୍ୱାରା କାନଜନିତ ସଂକ୍ରମଣ ହୋଇଥାଏ।