Apple

ଆମେ ଛୁଆବେଳୁ ଗୋଟିଏ କଥା ଶୁଣି ଶୁଣି ଆସୁଛୁ ଯେ, ‘An apple a day keeps the doctor away’। ଅର୍ଥାତ୍‌ ଦିନକୁ ଗୋଟେ ସେଓ ଖାଇଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ। କିନ୍ତୁ, ଏହା କେତେ ସତ?

ଛୁଆକୁ ଛଅ ମାସ ପରଠାରୁ ମା’ମାନେ ସେଓ ରସ ପିଇବାକୁ ଦିଅନ୍ତି। କାରଣ ସମସ୍ତେ ଭାବନ୍ତି ସେଓ ଖାଇବା ସହଜ, ସ୍ୱାଦିଷ୍ଟ ଓ ପୁଷ୍ଟିକର। ହେଲେ ସେଓରେ କ’ଣ ସବୁ ପ୍ରକାର ଭିଟାମିନ୍‌, ମିନେରାଲ୍ସ ଥାଏ?

ସେଓ ଚୋପା ଆଣ୍ଟି ଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ। ଏଥିରେ କ୍ୱେରେସିଟିନ୍, କ୍ୟାଟେଚିନ୍ ଏବଂ କ୍ଲୋରୋଜେନିକ୍ ଏସିଡ୍ ଭରପୂର ମାତ୍ରାରେ ଥାଏ। ସେଓରେ ଥିବା ଆଣ୍ଟିଅକ୍ସିଡାଣ୍ଟ କର୍କଟ ଓ ହୃଦରୋଗ ଭଳି ରୋଗ ବିରୋଧରେ ଲଢ଼ିବାରେ ସାହାଯ୍ୟ କରେ।

ବିଶ୍ୱରେ ବିଭିନ୍ନ ପ୍ରକାର ସେଓ ରହିଛି ଏବଂ ଭିନ୍ନ ଭିନ୍ନ ସେଓର ବିବିଧତା ଅନୁଯାୟୀ ଭିନ୍ନ। ଯେପରିକି, ନାଲି ସେଓରେ ସବୁଠୁ ଅଧିକ ଆର୍ଟିଅକ୍ସିଡାଣ୍ଟ ରହିଛି।

ସେଓରେ ଅଧିକ ମାତ୍ରାରେ ଫାଇବର ଥିବାରୁ ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ରୋଗିଥାଏ ଓ ପେଟ ସଫା ରଖେ। ସେଓରେ ଭିଟାମିନ୍‌ ସି’ ମଧ୍ୟ ରହିଛି, ଯାହା ତ୍ୱଚା ପାଇଁ ବେଶ୍‌ ଭଲ।

ସେଓରେ ସମସ୍ତ ଭିଟାମିନ୍‌ ନଥାଏ

ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ସେଓରେ ଅନେକ ପୋଷକ ତତ୍ୱର ଅଭାବ ରହିଛି, ଯାହା ସୁସ୍ଥ ଶରୀର ପାଇଁ ଜରୁରୀ। ଆମର ନିତିଦିନିଆ ଖାଦ୍ୟରେ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌ ଓ ମାକ୍ରୋନ୍ୟୁଟ୍ରିଏଣ୍ଟସ୍‌ ରହିବା ଜରୁରୀ।

ମାକ୍ରୋନ୍ୟୁଟ୍ରିଏଣ୍ଟରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଏବଂ ଫ୍ୟାଟ୍ ଅନ୍ତର୍ଭୂକ୍ତ ଥାଏ, ଯାହା ଆମ ଶରୀରକୁ କ୍ୟାଲୋରୀ କିମ୍ବା ଶକ୍ତି ଯୋଗାଇଥାଏ। ନିତିଦିନିଆ କାର୍ଯ୍ୟଗୁଡ଼ିକ କରିବା ପାଇଁ ଶରୀର ଶକ୍ତି ଦରକାର କରିଥାଏ। ଆଇରନ୍, ଜିଙ୍କ୍, କ୍ୟାଲସିୟମ୍, ଆୟୋଡିନ୍, ଭିଟାମିନ୍ ଏ, ଭିଟାମିନ୍ ବି ଏବଂ ଭିଟାମିନ୍ ସି ପରି ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଶରୀରର ଉପଯୁକ୍ତ ଅଭିବୃଦ୍ଧି ଏବଂ ବିକାଶ ପାଇଁ ଆବଶ୍ୟକ ହୋଇଥାଏ, ଯାହାକି ସେଓରେ ନାହିଁ।

ତେଣୁ, ସେଓ ଆପଣଙ୍କୁ ସମ୍ପୂର୍ଣ୍ଣ ପୁଷ୍ଟି ଯୋଗାଇ ପାରିବ ନାହିଁ।