ଋତୁସ୍ରାବ ସମୟରେ କେତେକ ମହିଳାଙ୍କର ସାମାନ୍ୟ ଭୁଲ ତାଙ୍କୁ ଅନେକ ରୋଗରେ ପକାଇଥାଏ।

ଅଧିକ ପଢ଼ନ୍ତୁ: ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ?

ଋତୁସ୍ରାବ ଏକ ଶାରୀରିକ ପ୍ରକ୍ରିୟା। ପ୍ରତି ମାସରେ ମହିଳାମାନଙ୍କୁ ଏହାର ସାମ୍ନା କରିବାକୁ ପଡ଼ିଥାଏ। ଏହି ସମୟରେ ମହିଳାମାନଙ୍କ ଶରୀରରୁ ରକ୍ତ ଯିବା କାରଣରୁ ସେମାନେ ଦୁର୍ବଳ ହୋଇପଡ଼ନ୍ତି। ଅନେକ ମହିଳାଙ୍କ ଅଣ୍ଟା, ପେଟ ଯନ୍ତ୍ରଣା ହେଉଥିବା ବେଳେ କେତେକ ମହିଳାମାନେ କୌଣସି କଷ୍ଟ ଅନୁଭବ କରି ନଥାନ୍ତି। ଋତୁସ୍ରାବ ସମୟରେ ଅଜାଣତରେ ହେଉ କିମ୍ବା ଜାଣତରେ ପ୍ରାୟ ମହିଳା ଭୁଲ କରନ୍ତି। ସେହି ସାମାନ୍ୟ ଭୁଲ ସେମାନଙ୍କ ଶରୀର ପ୍ରତି ବିପଦ ଆଣିଦେଇଥାଏ।

ଋତୁସ୍ରାବ ସମୟରେ ମହିଳାମାନଙ୍କ ଶରୀରରେ ହରମୋନ ପରିବର୍ତ୍ତନ ହୋଇଥାଏ। ଫଳରେ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଯନ୍ତ୍ରଣା ହୋଇଥାଏ। ତେଣୁ ଏସବୁରୁ ମୁକ୍ତି ପାଇବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ସନ୍ତୁଳିତ ଜୀବନଶୈଳୀ ଆପଣେଇବା ଆବଶ୍ୟକ।

ଠିକ ତାରିଖ ବାବଦରେ ନ ଜାଣିବା

ଋତୁସ୍ରାବ ତାରିଖ ବାବଦରେ ମନେ ରଖିବା ଉଚିତ। ନଚେତ ଗର୍ଭଧାରଣ କରିବାରେ ଅନେକ ସମସ୍ୟା ଦେଖାଦେଇଥାଏ। ମହିଳାମାନଙ୍କ ମନରେ ଏନେଇ ଅନେକ ସମୟରେ ଦ୍ଵନ୍ଦ୍ଵ ରହିଥାଏ। ଋତୁସ୍ରାବ ହେବା ସମୟ ମନେ ରଖିଲେ ଆପଣ ସେହି ସମୟରେ ଅଧିକ ସର୍ତକ ରହିପାରିବେ ଏବଂ ଯନ୍ତ୍ରଣାକୁ ଦୂର କରିବା ପାଇଁ ବିଭିନ୍ନ ଉପାୟ ଆପଣେଇ ପାରିବେ। ଋତୁସ୍ରାବ ହେବାର ତାରିଖରେ ଅନିୟମିତତା ଦେଖା ଦେଲେ ଏହାର କାରଣ ସ୍ପଷ୍ଟ ଭାବେ ଜାଣି ହୋଇଥାଏ। ଯଦି ଆପଣଙ୍କ ତାରିଖ ମନେ ରହୁ ନାହିଁ ତେବେ ଡାଏରୀ କିମ୍ବା କ୍ୟାଲେଣ୍ଡରରେ ଲେଖି ରଖନ୍ତୁ। ଆଜିକାଲି ସବୁ ସମୟରେ ପାଖରେ ଫୋନ ରହୁଛି। ତେଣୁ ଆପଣ ଫୋନରେ ମଧ୍ୟ ତାରିଖ ରଖିପାରିବେ।

ଅଧିକ ପଢ଼ନ୍ତୁ: କିଶୋରୀମାନଙ୍କ ଋତୁସ୍ରାବ, ସଙ୍କୋଚ ନ କରି ଜାଣନ୍ତୁ ଏହି ସବୁ କଥା ବାବଦରେ

ସ୍ୟାନିଟାରୀ ପ୍ୟାଡ ପରିବର୍ତ୍ତନ ନ କରିବା

ଋତୁସ୍ରାବ ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ପ୍ୟାଡକୁ ବ୍ୟବହାର କରନ୍ତୁ ନାହିଁ। ଏହି ସମୟରେ କପଡ଼ା ଆଦୌ ବ୍ୟବହାର କରନ୍ତୁ ନାହିଁ। ଆବଶ୍ୟତା ଅନୁସାରେ ପ୍ୟାଡ୍‌ ବଦଳାନ୍ତୁ। ଫଳରେ କୌଣସି ସଂକ୍ରମଣ ହୋଇନଥାଏ। ଅଧିକ ସମୟ ପ୍ୟାଡ ରହିବା ଯୋଗୁଁ ବିଭିନ୍ନ ବ୍ୟାକ୍ଟେରିଆ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ।

ସ୍ୱାସ୍ଥ୍ୟକର ଖାଦ୍ୟ ନ ଖାଇବା

ଋତୁସ୍ରାବ ସମୟରେ ରକ୍ତସ୍ରାବ ଏବଂ ଅତ୍ୟଧିକ କାମର ଚାପ ଯୋଗୁଁ ମହିଳାମାନେ ଦୁର୍ବଳ ଅନୁଭବ କରିଥାନ୍ତି। ସାଧାରଣ ଦିନ ଅପେକ୍ଷା ଏହି ଦିନମାନଙ୍କରେ ସ୍ୱାସ୍ଥ୍ୟକର ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ। ବିଶେଷ କରି ଆଇରନଯୁକ୍ତ ଖାଦ୍ୟ ଏହି ସମୟରେ ଶରୀରକୁ ଶକ୍ତି ଯୋଗାଇ ଥାଏ। ଋତୁସ୍ରାବ ସମୟରେ କିଛି ଆଇରନ ରକ୍ତ ସହ ମିଶି ବାହାରକୁ ଆସିଥାଏ। ତେଣୁ ଯେତେ ସମ୍ଭବ ଆଇରନ ଜାତୀୟ ଖାଦ୍ୟ ଖାଆନ୍ତୁ। ବିଭିନ୍ନ ପ୍ରକାର ଶାଗ ଏବଂ ପନିପରିବାରେ ଆଇରନ ରହିଛି, ଯାହା ଆପଣଙ୍କ ରକ୍ତହୀନତା ଦୂର କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

drinking water

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କିଶୋରୀ ଅବସ୍ଥାରେ ହେଉଥିବା ଶାରୀରିକ ଏବଂ ମାନସିକ ପରିବର୍ତ୍ତନ

ପାଣି ପିଇବାରେ ଅବହେଳା କରିବା

ଋତୁସ୍ରାବ ସମୟରେ ଶରୀରରେ ବିଭିନ୍ନ ପ୍ରକାରର ହରମୋନ ପରିବର୍ତ୍ତନ ହୋଇଥାଏ। ତେଣୁ ଏହି ସମୟରେ ଶରୀରକୁ ଅଧିକ ପାଣିର ଆବଶ୍ୟକତା ରହିଛି। ଇଷ୍ଟ୍ରୋଜେନ ଏବଂ ପ୍ରୋଜେଷ୍ଟେରନ ଭଳି ହରମୋନ ପରିବର୍ତ୍ତନ ହୋଇ ପେଟ ଫୁଲିବା ଭଳି ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଅଧିକ ମାତ୍ରାରେ ପାଣି ପିଇବା ଉଚିତ। ଏହା ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଯାଇଥାଏ ଏବଂ ଋତୁସ୍ରାବ ସମୟରେ ଅନେକ ସମସ୍ୟା ଦେଖା ଦେଇନଥାଏ।

ପ୍ରତିମାସରେ ଋତୁସ୍ରାବ ହେବା ସୁନିଶ୍ଚିତ ଭାବି ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବା ଉଚିତ ନୁହେଁ। ନିଜ ସ୍ୱଚ୍ଛତା, ଖାଦ୍ୟପେୟ ଏବଂ ଜୀବନଶୈଳୀକୁ ନେଇ ସଚେତନ ରହିବା ଉଚିତ।

ଆଧାର: ୟୁନିସେଫ