ଗର୍ଭାବସ୍ଥା ସମୟରେ ମହିଳାଙ୍କ ମୁଣ୍ଡ ବୁଲାଇବା ଏବଂ ବାନ୍ତି ଲାଗିବା ସାମାନ୍ୟ ଲକ୍ଷଣ। ଅନେକଙ୍କୁ ପ୍ରଥମ ତିନି ମାସ ଯାଏଁ ଏହି ସମସ୍ୟା ହୋଇଥାଏ। ବିଶେଷ କରି ସକାଳୁ ଏହି ଲକ୍ଷଣ ଅଧିକ ଦେଖାଯାଏ। ହରମୋନ୍ ପରିବର୍ତ୍ତନ, ଥକ୍କା ପଣ ଏହାର ମୁଖ୍ୟ କାରଣ। ଏଭଳିକ୍ଷେତ୍ରରେ କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ଆପଣଙ୍କୁ ଏଥିରୁ ମୁକ୍ତି ଦେଇପାରିବ।

ଅଚାନକ ବିଛଣାରୁ ଉଠନ୍ତୁ ନାହିଁ: ବିଛଣାରୁ ଅଚାନକ ଉଠନ୍ତୁ ନାହିଁ। ଧୀରେ ଧୀରେ ଉଠି ପିଠିକୁ ଭରାଦେଇ କିଛି ସମୟ ବସନ୍ତୁ। ତା’ ପରେ ଛିଡ଼ା ହୁଅନ୍ତୁ।

ଭୋକିଲା ପେଟରେ ରହନ୍ତୁ ନାହିଁ: ଖାଲି ପେଟରେ ରହିଲେ ଏହି ସମସ୍ୟା ଅଧିକ ହୋଇଥାଏ। ତେଣୁ ବିଛଣାରେ ଉଠି ବସିଥିବା ଅବସ୍ଥାରେ ବିସ୍କୁଟ୍ ଡ୍ରାଇଫ୍ରୁଟ୍ ଖାଇପାରିବେ।

ପେଟ ପୂରା ଖାଆନ୍ତୁ ନାହିଁ: ଗର୍ଭାବସ୍ଥାରେ ପେଟ ପୂରା କରି ଖାଆନ୍ତୁ ନାହିଁ। ଖାଦ୍ୟକୁ ଧୀରେ ଧୀରେ ଚୋବେଇ କରି ଖାଆନ୍ତୁ। ଏହାଦ୍ୱାରା ଅଚାନକ ବ୍ୟସ୍ତବିବ୍ରତ ଲାଗିବ ନାହିଁ କିମ୍ବା ବାନ୍ତି ହେବ ନାହିଁ।

କମଳା ରସ ପିଅନ୍ତୁ: ସକାଳୁ ମୁଣ୍ଡ ବୁଲାଇବା ସମସ୍ୟା  ଦେଖାଯାଉଥିଲେ କିଛି ଖାଦ୍ୟ ଖାଇ ପରେ କମଳା ଜୁସ୍ ପିଅନ୍ତୁ। ଏହାଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିବ। ବାନ୍ତି ରୋକିବାରେ ବି ସହାୟକ ହେବ। ତେବେ ଖାଲି ପେଟରେ ଏହାକୁ ପିଇବା ଅନୁଚିତ୍।

ଲେମ୍ବୁ ପାଣି: ଶରୀରକୁ ତୁରନ୍ତ ଶକ୍ତି ଦେବାରେ ଲେମ୍ବୁ ପାଣିର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ। ତେବେ ତାକୁ ମଧ୍ୟ କିଛି ଖାଦ୍ୟ ଖାଇବା ପରେ ପିଅନ୍ତୁ।

କରୋନାରୁ ରକ୍ଷା ପାଇବା ଲାଗି ଜିମ୍ ଯିବା ସମୟରେ ସତର୍କ ହୁଅନ୍ତୁ

ସରକାର ଅଗଷ୍ଟ ୫ ତାରିଖରୁ ଜିମ୍ ଏବଂ ଯୋଗ ଅନୁଷ୍ଠାନଗୁଡ଼ିକୁ ଖୋଲିବା ଲାଗି ମଞ୍ଜୁରି ଦେଇଛନ୍ତି। ଏହାଯୋଗୁ ଫିଟନେସ୍ ପ୍ରିୟ ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ତେବେ ଜିମ୍ ଯାଉଥିଲେ କରୋନାରୁ ରକ୍ଷା ପାଇବା ଲାଗି ସତର୍କତା ପାଳନ ଜରୁରୀ।

-ଜିମ୍ ଯିବା ସମୟରେ ସୋସିଆଲ ଦୂରତା ପାଳନ କରନ୍ତୁ। ଅତି କମ୍‌ରେ ୬ ଫୁଟ ଦୂରତା ବଜାୟ ରଖନ୍ତୁ।

-ମାସ୍କ, ଗ୍ଲୋଭ୍‌ସ ନିଶ୍ଚିତ ଭାବେ ପିନ୍ଧନ୍ତୁ। ନିଜ ସହିତ ପାଣି ବୋତଲ, ଯୋଗ ମ୍ୟାଟ, ଏକ୍ସରସାଇଜ୍ ବେଲ୍ଟ ନିଶ୍ଚିତ ଭାବେ ନେଇଯାନ୍ତୁ।

-ଜିମ୍‌ର ପୋଷାକ ଘରୁ ପିନ୍ଧି ଯାଆନ୍ତୁ। ସେଠାରେ ଚେଞ୍ଜିଂ ରୁମ୍‌ର ବ୍ୟବହାର କରନ୍ତୁ ନାହିଁ।

-ୱାର୍କଆଉଟ୍ ପୂର୍ବରୁ ଜିମ୍ ଉପକରଣକୁ ନିଜ ସହ ନେଇଥିବା ସାନିଟାଇଜର ଦ୍ୱାରା ସାନିଟାଇଜ୍ କରନ୍ତୁ।

-ଜିମ୍‌ରୁ ଫେରିବା ପରେ ପ୍ରଥମେ ବାଥରୁମ୍ ଯାଆନ୍ତୁ। ଗ୍ଲୋଭ୍‌ସକୁ ଖୋଲି ସଫା କରନ୍ତୁ। ହାତକୁ ହ୍ୟାଣ୍ଡୱାସରେ ଧୁଅନ୍ତୁ। ଏଥରକ ଜୋତା ଓ ପୋଷାକକୁ ଭଲ ଭାବେ ପରିଷ୍କାର କରନ୍ତୁ। ଉଷୁମ ପାଣିରେ ସ୍ନାନ କରନ୍ତୁ।

-ଥଣ୍ଡା, କାଶ ଭଳି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।