କିଡ୍‌ନି ଫେଲ୍ୟୁଅର କାହିଁକି ହୁଏ ଓ ଏହାର ଲକ୍ଷଣ କ’ଣ? ଏନେଇ ଜାଣନ୍ତୁ, ଜଣାଶୁଣା ବିଶେଷଜ୍ଞ ଡାକ୍ତର ନିଶିଥ କୁମାର ମହାନ୍ତିଙ୍କ ପରାମର୍ଶ। (KIDNEY FAILURE: CAUSES SYMPTOMS AND TREATMENT IN ODIA)

  • କିଡ୍‌ନିର କାମ କ’ଣ?
  • କିଡ୍‌ନି ରୋଗର କାରଣ ଓ ଲକ୍ଷଣ
  • କିଡ୍‌ନି ରୋଗର ଚିକିତ୍ସା
  • କୌଣସି ଔଷଧର କୁପ୍ରଭାବରୁ କିଡ୍‌ନି ଖରାପ ହୋଇପାରେ କି?
  • କିଡ୍‌ନିକୁ ସୁସ୍ଥ ରଖିବେ କିପରି?
  • କିଡ୍‌ନି ଡାଏଲିସିସ୍ ଓ କିଡ୍‌ନି ଟ୍ରାନ୍ସପ୍ଲାଣ୍ଟେସନ କ’ଣ?
  • କାଡାଭେରିକ ଟ୍ରାନ୍ସପ୍ଲାଣ୍ଟେସନ୍‌ କ’ଣ?
  • କିଡ୍‌ନିକୁ କିପରି ରଖିବେ ସୁସ୍ଥ?

ଆମ ଶରୀରରେ ଦୁଇଟି କିଡ୍‌ନି ରହିଛି। ରକ୍ତରେ ଥିବା ବର୍ଜ୍ୟ ବସ୍ତୁକୁ ଛାଣି ଶରୀରରୁ ନିଷ୍କାସନ କରିବା ହେଉଛି କିଡ୍‌ନିର ମୁଖ୍ୟ କାମ। ଏପରିକି  ଶରୀରରେ ପାଣିର ମାତ୍ରାକୁ କିଡ୍‌ନି ନିୟନ୍ତ୍ରଣ କରିଥାଏ। ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ଫସ୍‌ଫରସ୍‌କୁ କିଡ୍‌ନି ସନ୍ତୁଳିତ ରଖେ। ରକ୍ତ ତିଆରି କରିବାରେ ବି ସାହାଯ୍ୟ କରେ କିଡ୍‌ନି। ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ କିଡ୍‌ନି। ଏହା ଆମ ଶରୀରରେ ଦିନ ରାତି ୨୪ ଘଣ୍ଟା କାମ କରି ଚାଲିଥାଏ।

କିଡ୍‌ନି ଫେଲ୍ୟୁଅରର କାରଣ (Causes of Kidney Failure in Odia)

ମଧୁମେହ, ଉଚ୍ଚ ରକ୍ତଚାପ, ନେଫ୍ରିଟିସ୍‌ ତଥା ଜନ୍ମଗତ କାରଣରୁ କିଡନି ଖରାପ ହେବାର ବେଶୀ ଆଶଙ୍କା ଥାଏ। ବଂଶଗତ କାରଣରୁ ମଧ୍ୟ କିଡ୍‌ନି ଖରାପ ହୋଇଥାଏ। ଏହାଛଡ଼ା ଆମମାନଙ୍କର ଭୁଲ ଯୋଗୁଁ ବି କିଡ୍‌ନି ଫେଲ୍ୟୁଅର ହୋଇଥାଏ।

ଅତ୍ୟଧିକ ପେନକିଲର ସେବନ କିଡ୍‌ନି ଉପରେ ଖରାପ ପ୍ରଭାବ ପକାଇଥାଏ। ବହୁ ବ୍ୟକ୍ତି ଛୋଟମୋଟ ବିନ୍ଧା ଛିଟକା ହେଲେ ପେନ କିଲର ମେଡିସିନ୍‌ ଖାଇଥା’ନ୍ତି, ଯାହା କିଡ୍‌ନି ପାଇଁ କ୍ଷତିକାରକ। ଏହାସହ ଆଜିକାଲି ଆମେ ଏସିଡି କିମ୍ବା ଗ୍ୟାସଟ୍ରିକ ହେଲେ ବହୁତ କିଛି ଔଷଧ ସେବନ କରିଦେଉ। ଏପରି ଅଧିକ ଦିନ ଧରି ଖାଇଲେ ମଧ୍ୟ କିଡନି ଖରାପ ହୋଇପାରେ।

କିଡ୍‌ନି ୮୦ ପ୍ରତିଶତ ଖରାପ ନ ହେଲା ଯାଏଁ ଏହାର ଲକ୍ଷର ଜଣାପଡ଼ି ନଥାଏ। ତେଣୁ ଅଧିକାଂଶ ଲୋକ ରୋଗ ସମ୍ପର୍କରେ ଜାଣିପାରନ୍ତି ନାହିଁ। ତେବେ କିଛି ଲୋକଙ୍କଠାରେ କିଡ୍‌ନି ସମସ୍ୟାର ଲକ୍ଷଣ ଜଣାପଡ଼ିଥାଏ, ତେବେ ଆସନ୍ତୁ ଜାଣିବା କିଡ୍‌ନି ଫେଲ୍ୟୁଅରର ଲକ୍ଷଣସବୁ କ’ଣ?

kidney

କିଡନି ଫେଲ୍ୟୁଅରର ଲକ୍ଷଣ (Symptoms of Kidney Failure in Odia)

  • ଦେହ, ହାତ ଓ ମୁହଁ ଫୁଲିଯିବା
  • ଦୁର୍ବଳ ଲାଗିବା ଓ କାମରେ ମନ ନ ଲାଗିବା
  • ରାତିରେ ଅଧିକ ଥର ପରିସ୍ରା ହେବା
  • ଭୋକ ନ ହେବା
  • ରକ୍ତ ହୀନତା ହେବା
  • ହଠାତ୍ ଜଣେ ବ୍ୟକ୍ତିର ରକ୍ତଚାପ ବଢ଼ିଯାଏ, ତେବେ କିଡ୍‌ନି ରୋଗ ହୋଇପାରେ
  • ଦେହ ହାତ କୁଣ୍ଡେଇ ହେବା
  • ଅଣନିଶ୍ୱାସ ଲାଗିବା
  • ରାତିରେ ନିଦ ନ ହୋଇ ଦିନରେ ନିଦ ଲାଗିବା
  • କିଡ୍‌ନି ସମ୍ପୂର୍ଣ୍ଣ କାମ କରିବା ବନ୍ଦ କରିଲେ ବ୍ୟକ୍ତି ବେହୋସ ହୋଇଯାଇପାରନ୍ତି

ଏସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ହଳଦିଆ ପରିସ୍ରା କିଡ୍‌ନି ରୋଗର ଲକ୍ଷଣ କି?

ହଳଦିଆ ପରିସ୍ରା କିଡ୍‌ନି ରୋଗର ଲକ୍ଷଣ ନୁହେଁ। ବିଭିନ୍ନ କାରଣରୁ ହଳଦିଆ ପରିସ୍ରା ହୋଇଥାଏ। ପରିସ୍ରାରେ ୟୁରୋକମ୍‌ ବୋଲି ଏକ ପିଗ୍‌ମେଣ୍ଟ ଥାଏ, ଯେତେବେଳେ ଆମେ କମ୍‌ ପାଣି ପିଉ ତାହାଲେ ପରିସ୍ରାର ରଙ୍ଗ ହଳଦିଆ ହୋଇଯାଏ। ଏହାଛଡ଼ା ଜଣ୍ଡିସ, ଭିଟାମିନ୍‌ ଔଷଧ ଓ କିଛି କିଛି ଖାଦ୍ୟ ଖାଇବା ପରେ ପରିସ୍ରା ରଙ୍ଗ ହଳଦିଆ ହୋଇପାରେ।

ପରୀକ୍ଷା କରି ଜାଣନ୍ତୁ କିଡ୍‌ନି ସୁସ୍ଥ ନା ଅସୁସ୍ଥ?

ପରିସ୍ରା ହେଉଛି କିଡ୍‌ନିର ଦର୍ପଣ। ପରିସ୍ରା ପରୀକ୍ଷା କରି କିଡ୍‌ନି ରୋଗ ସମ୍ପର୍କରେ ଜାଣିହୁଏ। ଦ୍ୱିତୀୟରେ ରକ୍ତ ପରୀକ୍ଷାରୁ ଜାଣି ହେବ ଯେ ଜଣଙ୍କ କିଡ୍‌ନି ସୁସ୍ଥ ଅଛି କି ନାହିଁ। ରକ୍ତରେ କ୍ରିଏଟିନିନ୍‌ର ମାତ୍ରା ବଢ଼ିଯାଇଥିଲେ, କିଡ୍‌ନି କାମ କମ୍‌ କରୁଛି ବୋଲି ଜାଣିହୁଏ।

କିଡ୍‌ନି ରୋଗର ଚିକିତ୍ସା (Treatment of Kidney Disease in Odia)

କିଡ୍‌ନି ରୋଗର ଚିକିତ୍ସାକୁ ଦୁଇ ଭାଗରେ ବିଭକ୍ତ କରିଛୁ। ଗୋଟେ କିଡ୍‌ନି ଖରାପ ହେବା ପୂର୍ବରୁ ଓ ଅନ୍ୟଟି କିଡ୍‌ନି ସମ୍ପୂର୍ଣ୍ଣ ଖରାପ ହେଲା ପରେ ଚିକିତ୍ସା କରାଯାଏ।

ପ୍ରଥମେ ଯେଉଁ କାରଣ ପାଇଁ କିଡ୍‌ନି ଖରାପ ହୋଇଛି ବା ହେବାକୁ ଯାଉଛି ତାହାକୁ ନିୟନ୍ତ୍ରଣ କରିବାକୁ ହେବ। ଉଦାହରଣ ସ୍ୱରୂପ, ଆପଣଙ୍କର ଡାଏବେଟିସ ଏବଂ ବ୍ଲଡ୍‌ ପ୍ରେସର ବଢ଼ିଯାଇଛି, ତେବେ ଆପଣ ତାହା ନିୟନ୍ତ୍ରଣ କଲେ ସୁସ୍ଥ ହେବାର ସମ୍ଭାବନା ରହିଛି। ଏହା ସହ ଆପଣଙ୍କୁ ହେଲ୍‌ଦି ଡାଏଟ୍‌ ବା ସୁସ୍ଥ ଓ ସନ୍ତୁଳିତ ଆହାର ଆପଣାଇବାକୁ ପଡ଼ିବ। ପ୍ରତିଦିନ ୪ ଗ୍ରାମ୍‌ରୁ କମ୍‌ ଲୁଣ ଖାଇବାକୁ ହେବ। ଲୁଣ କମ୍‌ ନ କଲେ ଉଚ୍ଚ ରକ୍ତଚାପ କମ୍‌ ହେବ ନାହିଁ ଓ ଏହା କିଡ୍‌ନି ରୋଗ ଠିକ୍‌ ନ ହେବାର କାରଣ ହେବ। ପୋଟାସିୟମ୍‌ଯୁକ୍ତ ଖାଦ୍ୟ କମ୍‌ ଖାଇବେ। କାରଣ ଶରୀରରେ ପୋଟାସିୟମ୍‌ ବଢ଼ିଗଲେ ହାର୍ଟ ଆଟାକ ହେବାର ଆଶଙ୍କା ଥାଏ। ଏହାସହ ପୋଟାସିୟମ୍‌ଯୁକ୍ତ ଖାଦ୍ୟ କମ୍‌ ଖାଇବାକୁ ହେବ। କିଡ୍‌ନି ରୋଗୀମାନେ ଅଧିକ ପାଣି ପିଇଲେ ଧଇଁସଇଁ ହୋଇପଡ଼ନ୍ତି। ଏଭଳି କ୍ଷେତ୍ରରେ ଡାକ୍ତରଙ୍କୁ ପରାମର୍ଶ କରି ଉପଯୁକ୍ତ ପରିମାଣର ପାଣି ପିଅନ୍ତୁ।

କିଛି ଲୋକଙ୍କର କ୍ଷେତ୍ରରେ ଆବଶ୍ୟକ ଔଷଧ ଦେଇ କିଡ୍‌ନି ରୋଗର ଚିକିତ୍ସା କରାଯାଏ।

କିଡ୍‌ନି ଡାଏଲିସିସ୍‌ କ’ଣ? (Kidney Transplantation in Odia)

କିଡ୍‌ନି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ପରେ କିଡ୍‌ନି ଡାଏଲିସିସ୍‌ କିମ୍ବା ପ୍ରତିରୋପଣ କରିବାକୁ ପଡ଼ିଥାଏ।

ଦୁଇ ପ୍ରକାରର କିଡ୍‌ନି ଡାଏଲିସିସ୍‌ ହୋଇଥାଏ।

ହିମୋ ଡାଏଲିସିସ୍‌: ଏହା ରକ୍ତରେ ଡାଏଲିସିସ୍‌ କରାଯାଏ। ରୋଗୀ ସପ୍ତାହରେ ଦୁଇରୁ ତିନିଥର ଏବଂ ମାସକୁ ୮ରୁ ୧୦ ଥର ମେଡିକାଲ ଯାଇ ଏହି ଡାଏଲିସିସ୍‌ କରିବାକୁ ପଡ଼ିଥାଏ।

ପେରିଟୋନିଆଲ ଡାଏଲିସିସ୍‌: ଏହି ଡାଏଲିସିସ୍‌ ପେଟରେ ପାଇପ୍‌ ଲଗାଯାଇ କରାଯାଏ। ଏହି ଡାଏଲିସିସ୍‌ ଜଣେ ବ୍ୟକ୍ତି ତାଙ୍କ ଘରେ କରିପାରିବେ।

କିଡ୍‌ନି ପ୍ରତିରୋପଣ କ’ଣ? (Kidney Dialysis in Odia)

ଜଣେ ସୁସ୍ଥ ଲୋକଠାରୁ କିଡ୍‌ନି ଆଣି ରୋଗୀର ଦେହରେ ପ୍ରତିରୋପଣ କରିବାକୁ କିଡ୍‌ନି ଟ୍ରାନ୍ସପ୍ଲାଣ୍ଟେସନ କୁହାଯାଏ।ସାଧାରଣତଃ ୧୮ରୁ ୬୦ ବର୍ଷର କୌଣସି ସୁସ୍ଥ ବ୍ୟକ୍ତି କିଡ୍‌ନି ଦାନ କରିପାରିବେ। ଅର୍ଥାତ୍‌ ତାଙ୍କର ଡାଏବେଟିସ୍ କିମ୍ବା ବ୍ଲଡ୍‌ ପ୍ରେସର ନଥିବ ବା ଅନ୍ୟ କୌଣସି ଜଟିଳ ରୋଗ ହୋଇନଥିବା। ତା’ ଛଡ଼ା ରୋଗୀର ବ୍ଲଡ୍‌ଗ୍ରୁପ୍ ସହିତ ସୁସ୍ଥ ବ୍ୟକ୍ତିଙ୍କ ବା ଦାତାଙ୍କ ବ୍ଲଡ୍‌ଗ୍ରୁପ୍ ମ୍ୟାଚ୍‌ କରୁଥିବା ଆବଶ୍ୟକ। କିଡ୍‌ନିକୁ ମ୍ୟାଚ୍‌ କରି କିଡ୍‌ନି ପ୍ରତିରୋପଣ କରାଯାଏ।

ବ୍ଲଡ୍‌ଗ୍ରୁପ୍‌, ଏଚ୍‌ଏଲ୍‌ଏ ଏବଂ କ୍ରସ୍‌ ମ୍ୟାଚିଂ ପରୀକ୍ଷା କରି ଡାକ୍ତର ଯଦି ନିଶ୍ଚିତ ହେବେ ଯେ କିଡନି ଦାନ କରିବାକୁ ଆଗ୍ରହୀ ଥିବା ବ୍ୟକ୍ତି ଜଣକ ଗୋଟିଏ କିଡ୍‌ନିରେ ସୁସ୍ଥ ଭାବେ ବଞ୍ଚିପାରିବେ, ତେବେ ଯାଇ ତାଙ୍କଠାରୁ କିଡ୍‌ନି ନେଇ ଟ୍ରାନ୍ସପ୍ଲାଣ୍ଟେସନ କଥା ଆଗକୁ ବଢ଼ିପାରିବ। ଏହାପରେ ଅତ୍ୟାଧୁନିକ ଅପରେସନ ସାହାଯ୍ୟରେ ସୁସ୍ଥ ବ୍ୟକ୍ତିର ଶରୀରରୁ କିଡ୍‌ନି ଆଣି ରୋଗୀ ଶରୀରରେ ପ୍ରତିରୋପଣ କରାଯାଇଥାଏ।

କିଡ୍‌ନି ପ୍ରତିରୋପଣ ନିଶ୍ଚିତ ଭାବରେ ଡାଏଲିସିସ୍‌ ଅପେକ୍ଷା ଭଲ।

କାଡାଭେରିକ୍‌ କିଡ୍‌ନି ଟ୍ରାନ୍ସପ୍ଲାଣ୍ଟେସନ୍‌ କ’ଣ? (Cadaveric Kidney Transplant in Odia)

ମୃତ ବ୍ୟକ୍ତିଙ୍କ ଶରୀରରୁ କିଡ୍‌ନି ଆଣି ଜଣେ ସୁସ୍ଥ ବ୍ୟକ୍ତିଠାରେ ପ୍ରତିରୋପଣ କରିବାକୁ କାଡାଭେରିକ୍‌ କିଡ୍‌ନି ପ୍ରତିରୋପଣ କୁହାଯାଏ।

ଧରାଯାଉ ଜଣେ ବ୍ୟକ୍ତିଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଛି ବା ମସ୍ତିଷ୍କ କାମ କରୁନି କିନ୍ତୁ ହୃଦୟ କାମ କରୁଛି ଏବଂ ଆର୍ଟିଫିସିଆଲ ରେସ୍‌ପିରେସନ୍‌ ଦ୍ୱାରା ନିଶ୍ୱାସ ପ୍ରଶ୍ଵାସ ନେଉଛି। ସେହି ବ୍ୟକ୍ତିଠାରୁ କିଡ୍‌ନି ଆଣି ଆଉ ଜଣେ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଗଲେ ଏହାକୁ କାଡାଭେରିକ କିଡ୍‌ନି ପ୍ରତିରୋପଣ କୁହାଯାଏ।

ଆମ ଦେଶରେ କାଡାଭରିକ୍‌ କିଡ୍‌ନି ପ୍ରତିରୋପଣ ଆଇନସମତଃ। ଯଦି କୌଣସି ବ୍ରେନ୍‌ ଡେ୍‌ଡ୍‌ ହୋଇଯାଇଥିବା ବ୍ୟକ୍ତି ଚିକିତ୍ସା ହେଉଥିବେ, ଯାହାର ବଞ୍ଚିବାର ସମ୍ଭାବନା ନ ଥିବ, ତାଙ୍କ ଘର ଲୋକଙ୍କ ଅନୁମତି କ୍ରମେ ଡାକ୍ତରୀ ଟିମ୍‌ ଯାଇ କିଡ୍‌ନି ଆଣି ଉପଯୁକ୍ତ ବ୍ୟକ୍ତି ଶରୀରରେ ଲଗାଯାଇଥାଏ।

exercise_workout_odisha

ଯୁବପିଢ଼ିଙ୍କ ଲାଇଫ୍‌ଷ୍ଟାଇଲ୍‌ କିଡ୍‌ନି ପାଇଁ ଅଡ଼ୁଆ

ବର୍ତ୍ତମାନ ଯୁବପିଢ଼ିଙ୍କ ପାଖରେ ମେଦବହୁଳତା ବଢ଼ି ବଢ଼ି ଚାଲିଛି। ମୋଟାପଣ କିଡ୍‌ନି ରୋଗର ଏକ ବଡ଼ କାରଣ ପାଲଟିଛି। କାରଣ ମେଦବହୁଳତା ହେବା ଫଳରେ ଉଚ୍ଚ ରକ୍ତଚାପ, ଡାଏବେଟିସ୍‌ ଭଳି ସମସ୍ୟା ଦେଖାଦେବ। ମଧୁମେହ, ଉଚ୍ଚ ରକ୍ତଚାପ ଓ ମୋଟାପଣ ମିଶିକରି କିଡ୍‌ନିକୁ ନଷ୍ଟ କରିଦିଏ।

ଆଜିକାଲି ଲୋକେ କାମ କମ୍‌ କରୁଛନ୍ତି କିନ୍ତୁ ଖାଉଛନ୍ତି ଅଧିକ। ଫାଷ୍ଟଫୁଡ୍‌, ଜଙ୍କ ଫୁଡ୍‌ ଯୋଗୁଁ ମଧ୍ୟ କିଡ୍‌ନି ଖରାପ ହେବାର ଆଶଙ୍କା ରହିଛି। ତେଣୁ ଖାଦ୍ୟ ଖାଇବାରେ ନିୟନ୍ତ୍ରଣ ରଖିବା ସହ ଶାରୀରିକ ପରିଶ୍ରମ ଓ ବ୍ୟାୟାମ କରିବା ଜରୁରୀ।

କିଡ୍‌ନିକୁ ସୁସ୍ଥ ରଖିବେ କିପରି?

କିଡ୍‌ନିକୁ ସୁସ୍ଥ ରଖିବା ପାଇଁ ଡାଏବେଟିସ୍‌, ଉଚ୍ଚ ରକ୍ତଚାପ ଭଳି ରୋଗର ଚିକିତ୍ସା କରିବା ଦରକାର। ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଇବା ଆବଶ୍ୟକ। ଯଦି ଆପଣ ଅଧିକ ମୋଟା ଅଛନ୍ତି, ତେବେ ଓଜନ କମ୍‌ କରନ୍ତୁ।

ଧୂମପାନଠାରୁ ଦୂରେଇ ରହନ୍ତୁ।

ପ୍ରତିଦିନ ୩୦ ମିନିଟ୍‌ ବ୍ୟାୟାମ କରନ୍ତୁ।

ଖାଦ୍ୟପେୟରେ ନିୟନ୍ତ୍ରଣ ରଖନ୍ତୁ।

ସବୁବେଳେ ଚାପ ମୁକ୍ତ ରହନ୍ତୁ।

ତେଲ ମସଲା, ଛଣାଛଣି ଓ ଚର୍ବିଜାତୀୟ ଖାଦ୍ୟ ଏଡ଼ାନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନିଶିଥ କୁମାର ମହାନ୍ତିଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Kidney Failure with their causes, symptoms & treatment based on the interview with Nephrologist Dr Nisith Kumar Mohanty.