ଡାକ୍ତର ରାଧାମାଧବ ସାହୁ

Dr Radhamadav

ବିଶ୍ୱ ଶ୍ରବଣ ଶକ୍ତି ଦିବସ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୩ ତାରିଖରେ ପାଳନ କରାଯାଏ। ବଧିରତାରୁ ମନୁଷ୍ୟ କିଭଳି ନିଜକୁ ବଞ୍ଚାଇପାରିବେ ସେ ଦିଗରେ ସଚେତନତା ସୃଷ୍ଟି ଏବଂ କାନର ଯତ୍ନ ନେବାକୁ କେନ୍ଦ୍ର କରି ଏହି ଦିବସକୁ ପାଳନ କରାଯାଏ। ପ୍ରତ୍ୟେକ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ନିମନ୍ତେ ଏକ ଥିମ୍ ରଖିଥିବା ବେଳେ ଚଳିତବର୍ଷ ବିଶ୍ୱ ଶ୍ରବଣ ଶକ୍ତି ଦିବସର -୨୦୨୧ର ଥିମ୍ ରହିଛି  “ ହିୟରିଂ କେୟାର ଫର୍ ଅଲ୍ ! ସ୍କ୍ରିନ୍‌, ରିହାବିଲିଟେଟ୍‌, କମ୍ୟୁନିକେଟ୍‌”।

କର୍ଣ୍ଣ ମଣିଷ ଶରୀରର ଏକ ପ୍ରମୁଖ ଅଙ୍ଗ। ଏହାଦ୍ୱାରା ବିଭିନ୍ନ ଶବ୍ଦ ଏବଂ କମ୍ପନକୁ ଅନୁଭବ କରୁଥିବା ସକ୍ଷମତାକୁ ଶ୍ରବଣ କୁହାଯାଏ। ତେବେ ବଧିରତା ହେଉଛି ସମ୍ପୂର୍ଣ୍ଣ ଭାବେ ବା ଆଂଶିକ ଭାବେ ଶ୍ରବଣ ଶକ୍ତି ହରାଇବା। ବଧିରତା ଦେଖାଯାଏ ନାହିଁ ତେଣୁ ଅନ୍ୟମାନେ ଏହା ଜାଣିପାରନ୍ତି ନାହିଁ।

ବିଶ୍ୱର ପ୍ରାୟ ୪୬.୬ କୋଟି ଲୋକଙ୍କର ଶ୍ରବଣ ଶକ୍ତି ନଥିବା ବେଳେ ଏମାନଙ୍କ ମଧ୍ୟରୁ ଶିଶୁମାନଙ୍କ ସଂଖ୍ୟା ହେଉଛି ୩.୪ କୋଟି। ଶୈଶବରେ ଶ୍ରବଣ ଶକ୍ତି ହରାଉଥିବା ଶିଶୁମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଶିଶୁଙ୍କର ଏହି ଅବସ୍ଥାର ପ୍ରତିକାର କରାଯାଇପାରନ୍ତା।

ଭାରତ ସମେତ ସାରା ବିଶ୍ୱରେ ଥିବା ବଧିରତା ସମସ୍ୟାର ପ୍ରତିକାର ବା ଦୂର କରିବା ସମ୍ଭବ। ଦେଶବ୍ୟାପି କରାଯାଇଥିବା ଅକ୍ଷମତା ସର୍ଭେ ଅନୁଯାୟୀ ଏହା ହେଉଛି ଦେଶର ଅକ୍ଷମତାର ଦ୍ୱିତୀୟ ସାଧାରଣ କାରଣ। ୬୩ ପ୍ରତିଶତ ଲୋକଙ୍କର ଗୁରୁତର ଶ୍ରବଣ ସମସ୍ୟା ରହିଛି। ଏହା ବର୍ତ୍ତମାନ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି।

ଯେକୌଣସି ବୟସରେ ମଧ୍ୟ ଜଣେ ଶ୍ରବଣ ଶକ୍ତି ହରାଇପାରେ। ଏହା ଶରୀରର ଏକ ପ୍ରମୁଖ ଅଂଶ ହୋଇଥିବା ବେଳେ ଏହାକୁ ଆମେ ଅଣଦେଖା କରିପାରିବା ନାହିଁ। ସବୁ ବୟସବର୍ଗରେ ସଚେତନତାର ଅଭାବ ହିଁ ଆମ ସମାଜ ପାଇଁ ଏକ ବୋଝ ସୃଷ୍ଟି କରିଛି। ଶିଶୁର ଜନ୍ମ ସମୟରେ ଶ୍ରବଣ ଶକ୍ତିର ପରୀକ୍ଷା କରାଗଲେ ପ୍ରଥମରୁ ହିଁ ଏହି ସମସ୍ୟା ସମ୍ପର୍କରେ ଜଣାପଡ଼ନ୍ତା ଏବଂ ଆମ ସମାଜ ଏକ ବଡ଼ ସମସ୍ୟାରୁ ରକ୍ଷା ପାଇପାରନ୍ତା। ଓଏଇ (ଓଟୋଆକାଉସ୍‌ଟିକ୍ ଏମିସନ୍ସ) ଏବଂ ବେରା ଟେଷ୍ଟ ଦ୍ୱାରା ହିଁ ପ୍ରାଥମିକ ପ୍ରର୍ଯ୍ୟାୟରୁ ଶ୍ରବଣ ଶକ୍ତି ହରାଇବା ସମ୍ପର୍କରେ ଜାଣିହେବ।

ଜନ୍ମରୁ ବଧିର ଥିବା ଶିଶୁଙ୍କ କ୍ଷେତ୍ରରେ ସଠିକ୍ ସମୟରେ କୋକ୍‌ଲିୟର୍ ଇମ୍‌ପ୍ଲାଣ୍ଟ ସର୍ଜରୀ ଦ୍ୱାରା ଏହି ସମସ୍ୟାକୁ ଦୂର କରାଯାଇପାରିବ। ଯେଉଁ ଶିଶୁମାନେ ଜନ୍ମରୁ ବଧିର ସେମାନେ ପ୍ରାୟତଃ କଥା ମଧ୍ୟ କହିପାରନ୍ତି ନାହିଁ। କୋକ୍‌ଲିୟର୍ ଇମ୍‌ପ୍ଲାଣ୍ଟ ସର୍ଜରୀ ଦ୍ୱାରା ଏବଂ ଉପଯୁକ୍ତ ପୁନଃପ୍ରତିଷ୍ଠା ଦ୍ୱାରା ଶିଶୁଟିକୁ ଆମେ ମୂକ ହେବାରୁ ରକ୍ଷା କରିପାରିବା।

କେନ୍ଦ୍ର ସରକାର ଏଡିଆଇପି ସ୍କିମ୍ ମାଧ୍ୟମରେ ଚୟନଯୋଗ୍ୟ ପରିବାରରୁ ଆସୁଥିବା ବଧିର ଶିଶୁମାନଙ୍କ ପାଇଁ ୬ ଲକ୍ଷ ଟଙ୍କାର କୋକ୍‌ଲିୟର୍ ପ୍ରତ୍ୟାରୋପଣ ପ୍ରକ୍ରିୟାକୁ ମାଗଣାରେ କରାଉଛନ୍ତି। ଏହା କେବଳ ଗରୀବ ଶିଶୁମାନଙ୍କ ନିମନ୍ତେ ଉପଲବ୍ଧ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଧୀନରେ ଆମ ରାଜ୍ୟରେ ଏଭଳି ସମସ୍ୟା ସହ ଲଢ଼ୁଥିବା ଗରିବ ଶିଶୁମାନଙ୍କର ସାହାଯ୍ୟ ଓ ଚିକିତ୍ସା ନିମନ୍ତେ ଏକ କେନ୍ଦ୍ର ସୃଷ୍ଟି କରାଯାଇଛି।

ଅନେକ ଶିଶୁମାନଙ୍କ କ୍ଷେତ୍ରରେ ଜନ୍ମରୁ ଏହି ସମସ୍ୟା ନଥାଏ ମାତ୍ର ଭାଇରାଲ୍ ଫିଭର୍ ହେବା ଦ୍ୱାରା ଅଳ୍ପ ବୟସରେ ସେମାନେ ଶ୍ରବଣ ଶକ୍ତି ହରାଇଥା’ନ୍ତି। ଉପଯୁକ୍ତ ଚିକିତ୍ସା ଏବଂ କୋକ୍‌ଲିୟର ପ୍ରତ୍ୟାରୋପଣ ସର୍ଜରୀ ଦ୍ୱାରା ସେମାନଙ୍କ ଶ୍ରବଣ ଶକ୍ତିକୁ ପୁଣି ଥରେ ଫେରାଇ ହେବ। ୧ରୁ ୧୫ ବର୍ଷ ବୟସ ଶିଶୁଙ୍କ କ୍ଷେତ୍ରରେ କାନରେ କୌଣସି ପ୍ରକାର ସଂକ୍ରମଣ ଦ୍ୱାରା ବଧିରତା ସୃଷ୍ଟି ହୋଇଥାଏ। ତେବେ ଇଏନ୍‌ଟି ଡାକ୍ତରଙ୍କ ପରାମର୍ଶ ନେଇ ଉପଯୁକ୍ତ ସମୟରେ ଚିକିତ୍ସା କରାଇଲେ ଏହି ସମସ୍ୟାକୁ ଦୂର କରିହେବ।

ଶବ୍ଦ ପ୍ରଦୂଷଣ, ଅଟୋ ଟକ୍ସିକ୍ ଡ୍ରଗ୍ସ ଓ ଅଟୋ ଟକ୍ସିକ୍ କେମିକାଲ୍ ବ୍ୟବହାର ଦ୍ୱାରା ବୃଦ୍ଧାବସ୍ଥାରେ ବଧିରତା ସମସ୍ୟା ବୃଦ୍ଧି ପାଉଛି। ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଉପୁଜୁଥିବାରୁ ଏହା ଆମ ଦେଶ ପାଇଁ ମଧ୍ୟ ବଡ଼ ସମସ୍ୟା। ତେଣୁ ଆମକୁ ଉପଯୁକ୍ତ ପଦକ୍ଷେପ ନେବାକୁ ପଡ଼ିବ।

ବର୍ତ୍ତମାନ ଇୟରଫୋନ୍‌ର ବ୍ୟବହାର ଏବଂ ଉଚ୍ଚ ଶବ୍ଦରେ ଗୀତ ଶୁଣିବା ଦ୍ୱାରା ଆମ ଯୁବପିଢ଼ିଙ୍କ କ୍ଷେତ୍ରରେ ଖୁବ୍ କମ୍ ବୟସରୁ ହିଁ ଶ୍ରବଣ ଶକ୍ତିର ସମସ୍ୟା ସୃଷ୍ଟି ହେଉଛି, ଯାହାକୁ ଏସ୍‌ଏନ୍‌ଏଚ୍‌ଏଲ୍ (ସେନ୍ସୋରିନ୍ୟୁରାଲ୍ ହିୟରିଂ ଲସ୍‌) କୁହାଯାଉଛି। ସେହିପରି କୋଭିଡ୍‌-୧୯ ମହାମାରୀ ଯୋଗୁଁ ୱାର୍କ ଫର୍ ହୋମ୍ ବା ଘରେ ଥାଇ କାମ କରିବା ପରମ୍ପରା ବଢ଼ି ଯାଇଥିବାରୁ ଇୟରଫୋନ୍‌ର ବ୍ୟବହାର ବୃଦ୍ଧି ପାଇଛି। ଏହା ଫଳରେ କାନରେ ସଂକ୍ରମଣ ସୃଷ୍ଟି ହେବା ସମସ୍ୟା ଏବଂ ଆଗାମୀ ଦିନରେ ଖୁବ୍ କମ୍ ବୟସରୁ ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ରହିଛି। ବୟସ୍କମାନଙ୍କର ନିୟମିତ ଶ୍ରବଣ ଶକ୍ତିର ପରୀକ୍ଷା (ପ୍ୟୁଓର୍ ଟୋନ୍ ଅଡିଓମେଟ୍ରୀ) ଏବଂ କାନର ପରୀକ୍ଷା ଦ୍ୱାରା ପ୍ରାଥମିକ ଅବସ୍ଥାରେ ବଧିରତା ସମସ୍ୟାକୁ ଚିହ୍ନଟ କରିହେବ।

ଶ୍ରବଣ ଶକ୍ତି ହରାଇବାରୁ ବର୍ତ୍ତିବେ କିପରି?

କାନ ସଫା କରିବା ନିମନ୍ତେ କୌଣସି ତୀକ୍ଷ୍ଣ ପଦାର୍ଥ ବ୍ୟବହାର କରନ୍ତୁ ନାହିଁ।

ପିନ୍‌, ପେନ୍‌ସିଲ୍‌, ଛୁଂଚି କିମ୍ବା କୌଣସି ଧାରୁଆ ପଦାର୍ଥ କାନ ସଫା କରିବା ପାଇଁ ବ୍ୟବହାର କରନ୍ତୁ ନାହିଁ। ଏହା କାନର ଭିତର ଅଂଶ ଓ ଡ୍ରମ୍‌କୁ ନଷ୍ଟ କରିଦେଇପାରେ। ଏହାଦ୍ୱାରା ଶ୍ରବଣ ଶକ୍ତି ହରାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି କାନରେ ଅତ୍ୟଧିକ ମଇଳା ଜମେ ତେବେ କାନକୁ ସଫା କରିବା ନିମନ୍ତେ ଇଏନ୍‌ଟି ଡାକ୍ତରଙ୍କର ସାହାଯ୍ୟ ନିଅନ୍ତୁ।

କାନ ଭିତରେ କିଛି ଭର୍ତ୍ତି କରନ୍ତୁ ନାହିଁ।

ପିଲାମାନେ ପ୍ରାୟତଃ ଖେଳିବା ସମୟରେ କାନରେ କୌଣସି ପ୍ରକାର ମଞ୍ଜି, ଗୋଡ଼ି କିମ୍ବା ମାଟି ଭର୍ତ୍ତି କରିଦେଇଥା’ନ୍ତି। ବଡ଼ମାନଙ୍କ କ୍ଷେତ୍ରରେ ମଧ୍ୟ କେତେବେଳେ କିଛି ପୋକ କାନରେ ପଶିଯାଇଥାଏ। ଏଭଳି ଘଟିଲେ ତୁରନ୍ତ ଇଏନ୍‌ଟି ଡାକ୍ତରଙ୍କ ପାଖକୁ ଯାଆନ୍ତୁ। କାନରେ ପାଣି ଭର୍ତ୍ତି କରନ୍ତୁ ନାହିଁ।

କାନରୁ କିଛି ତରଳ ପଦାର୍ଥ ବାହାରିଲେ କିମ୍ବା କାନ ବିନ୍ଧିଲେ ଅଣଦେଖା କରନ୍ତୁ ନାହିଁ।

କାନର ସଂକ୍ରମଣକୁ ତୁରନ୍ତ ଚିକିତ୍ସା ନ କରାଇଲେ ଆପଣ ଶ୍ରବଣ ଶକ୍ତି ହରାଇ ପାରନ୍ତି। ଯଦି କାନ ବିନ୍ଧୁଛି, କାନରୁ ତରଳ ପଦାର୍ଥ ବାହାରୁଛି, କୁଣ୍ଡାଇ ହେଉଛି, କାନ ଭିତରେ କିଛି ଶବ୍ଦ ହେଲା ପରି ଅନୁଭବ କରୁଛନ୍ତି ତେବେ ତୁରନ୍ତ ଇଏନ୍‌ଟି ଡାକ୍ତରଙ୍କୁ ଦେଖାନ୍ତୁ।

ଗାଡ଼ି ଚଳାଇବା ବେଳେ ହେଲ୍‌ମେଟ ପିନ୍ଧନ୍ତୁ।

ମୁଣ୍ଡ ଏବଂ କାନର କୌଣସି ପ୍ରକାର ଆଘାତ ହେବାରୁ ନିଜକୁ ସୁରକ୍ଷିତ ରଖନ୍ତୁ। ରାସ୍ତା ଦୁର୍ଘଟଣା ଦ୍ୱାରା ଶ୍ରବଣ ଶକ୍ତି ଚାଲିଯିବାର ସମ୍ଭାବନା ରହିଛି। ମୁଣ୍ଡରେ କୌଣସି ଆଘାତ ଲାଗିଲେ ମଧ୍ୟ ଶ୍ରବଣ ଶକ୍ତି ଚାଲିଯାଇପାରେ। ତେଣୁ ରାସ୍ତା ଦୁର୍ଘଟଣାରୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ହେଲ୍‌ମେଟ ପିନ୍ଧନ୍ତୁ।

ଶବ୍ଦ ପ୍ରଦୂଷଣ ପ୍ରତି ସଚେତନ ରହନ୍ତୁ। ଏହା ଶ୍ରବଣ ଶକ୍ତି ହରାଇବାର ଏକ ପ୍ରମୁଖ କାରଣ। ଉଚ୍ଚ ସ୍ୱରରେ ଗୀତ ଶୁଣିବାରୁ ନିଜକୁ ଦୂରେଇ ରଖନ୍ତୁ। ଯଦି କୌଣସି ପ୍ରକାର ଶବ୍ଦ ପ୍ରଦୂଷଣ ହେଉଥିବା ସ୍ଥାନରେ ଆପଣ କାର୍ଯ୍ୟ କରୁଛନ୍ତି ତେବେ ଇୟର୍ ପ୍ଲଗ୍ ବ୍ୟବହାର କରନ୍ତୁ। ଏ ସଂକ୍ରାନ୍ତରେ ଆପଣଙ୍କ ଅଡିଓଲଜିଷ୍ଟ ଉପଯୁକ୍ତ ଡିଭାଇସ୍ ଯୋଗାଇବାରେ ସାହାଯ୍ୟ କରିପାରିବେ।

ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ ନାହିଁ।

କେତେକ ଆଣ୍ଟିବାୟୋଟିକ୍ (ଯେପରିକି ଷ୍ଟ୍ରେପ୍‌ଟୋମାଇସିନ୍‌, କାନାମାଇସିନ୍ ଏବଂ ଜେଣ୍ଟାମାଇସିନ୍‌) ଏବଂ ଆସ୍ପିରିନ୍ ଶ୍ରବଣ ଶକ୍ତି ହରାଇବାର କାରଣ ହୋଇଥାଏ। ଯଦି ଆପଣକୁ ଦୀର୍ଘ ସମୟ ଧରି ଏହି ଔଷଧ ସେବନ କରିବାକୁ ପଡ଼ୁଛି ତେବେ ନିୟମିତ ଭାବେ କାନ ପରୀକ୍ଷା କରାନ୍ତୁ।

ଗର୍ଭଧାରଣ ସମୟରେ ଶରୀରର ଯତ୍ନ ନିଅନ୍ତୁ।

ମିଜିଲ୍‌ସ, ମମ୍‌ସ, ସିଫଲିସ୍ ଏବଂ ରୁବେଲା ଭଳି ରୋଗ ଗର୍ଭବତୀଙ୍କ କ୍ଷେତ୍ରରେ ଘଟିଲେ ପେଟରେ ଥିବା ଶିଶୁର ଶ୍ରବଣ ଶକ୍ତି ଉପରେ ପ୍ରଭାବ ପଡ଼ିଥାଏ। ଗର୍ଭଧାରଣ ସମୟରେ ଏକ୍ସ-ରେ ରେଡିଏସନ୍‌, ଔଷଧ ସେବନ କିମ୍ବା କୌଣସି ଆଘାତ ଘଟିଲେ ଶିଶୁ ଉପରେ ଏହାର ପ୍ରଭାବ ପଡ଼ିଥାଏ। ତେଣୁ ଗର୍ଭବତୀମାନେ ନିୟମିତ ଭାବରେ ଡାକ୍ତରଙ୍କ ପରାମର୍ଶ ନେଇ ଖାଦ୍ୟ ଗ୍ରହଣ କରନ୍ତୁ, ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଭ୍ୟାକ୍ସିନ୍ ନିଅନ୍ତୁ। ଏହାଦ୍ୱାରା ଜନ୍ମ ହେବାକୁ ଥିବା ଶିଶୁର ଶ୍ରବଣ ଶକ୍ତି ସୁରକ୍ଷିତ ରହିଥାଏ।