ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ? ଋତୁସ୍ରାବ ସମୟରେ ପେଟ ବ୍ୟଥା ହୁଏ କାହିଁକି? ଏନେଇ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଯେତେବେଳେ ଛୋଟ ଝିଅଟିଏ କିଶୋର ଅବସ୍ଥାକୁ ପହଞ୍ଚେ ତାହାକୁ ପ୍ୟୁବର୍ଟି ବୋଲି କୁହାଯାଏ। କିଶୋର ଅବସ୍ଥାରେ ପହଞ୍ଚିଲେ ଝିଅଠାରେ ଋତୁସ୍ରାବ ବା ମାସିକ ଋତୁଚକ୍ର ଆରମ୍ଭ ହୋଇଥାଏ। ଏହା ସହିତ ଝିଅର ଶରୀରରେ ପରିବର୍ତ୍ତନ ଦେଖାଦେଇଥାଏ। ଏଥିରେ ଡରିବାର କୌଣସି କଥା ନାହିଁ, କାହିଁକି ନା ଏହା ପ୍ରତ୍ୟେକ ମହିଳାମାନଙ୍କ ଏକ ସାଧାରଣ ଜୀବନ ପର୍ଯ୍ୟାୟ।

ସବୁ ଝିଅମାନଙ୍କୁ ପ୍ୟୁବର୍ଟି, ମାସିକ ଋତୁସ୍ରାବ ବିଷୟରେ ଜାଣିବା ନିହାତି ଦରକାର। ଏସବୁ ବିଷୟରେ ପରିବାର ଲୋକ କିମ୍ବା ଝିଅର ମା’ ନିଜ ଝିଅକୁ ବୁଝାଇବା ଦରକାର। ପ୍ୟୁବର୍ଟି ସମୟରେ ଅନେକ ଝିଅ ମୋଟା ହୋଇଯା’ନ୍ତି ଓ ସେମାନେ ଏହାର କାରଣ ଜାଣିପାରନ୍ତି ନାହିଁ। ଏଭଳି କ୍ଷେତ୍ରରେ ସେମାନଙ୍କ ପରିବାର ଲୋକ ସେମାନଙ୍କର ଝିଅକୁ ସଠିକ୍‌ ଆହାର ଦେବା ଜରୁରୀ।

ସାଧାରଣତଃ ଝିଅମାନଙ୍କର ୧୧ରୁ ୧୩ ବର୍ଷ ବୟସ ମଧ୍ୟରେ ଋତୁସ୍ରାବ ଆରମ୍ଭ ହୋଇଥାଏ। ହେଲେ, ବର୍ତ୍ତମାନ ସମୟରେ ୧୦ ବର୍ଷରୁ କମ୍‌ ବୟସର ଝିଅମାନଙ୍କର ଋତୁଚକ୍ର, ଶାରୀରିକ ପରିବର୍ତ୍ତନ ହେବା ଦେଖାଯାଉଛି।

ଅଧିକ ପଢ଼ନ୍ତୁ: ପ୍ରତି ୬ଜଣ ମହିଳାଙ୍କ ମଧ୍ୟରେ ଜଣଙ୍କୁ ହୋଇଥାଏ ପିସିଓଏସ୍‌ – ଜାଣନ୍ତୁ ଏହା କ’ଣ ଓ ଏହାର ଲକ୍ଷଣ?

ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ? (Why do irregularities happen in menstruation in Odia)

ଝିଅମାନଙ୍କ ଶରୀରରେ ହରମୋନ ପରିବର୍ତ୍ତନ ଯୋଗୁଁ ଋତୁସ୍ରାବ ଆରମ୍ଭ ହୋଇଥାଏ। ମସ୍ତିଷ୍କରେ ପିଟ୍ୟୁଟାରି ଓ ହାଇପୋଥାଲାମସ୍‌ ଗ୍ରନ୍ଥି ସୃଷ୍ଟି ହେବା ପରେ ହିଁ ହରମୋନାଲ ଚକ୍ର ସଠିକ୍‌ ଭାବେ ଚାଲେ। ଏହି ହରମୋନ୍‌ ଚକ୍ର ଚାଲିଲେ ଋତୁଚକ୍ର ଚାଲିଥାଏ।

ବିଭିନ୍ନ କାରଣରୁ ଋତୁସ୍ରାବରେ ଅନିୟମିତତା ହୋଇଥାଏ। ଶୋଇବା, ଉଠିବା, ଖାଇବା, ବ୍ୟାୟାମ କରିବା ଆଦି ସବୁ ଋତୁସ୍ରାବ ଉପରେ ପ୍ରଭାବ ପକାଇଥାଏ। ହରମୋନ୍‌ ଉପରେ କିଛି ବି ପ୍ରଭାବ ପଡ଼ିଲେ ଏହା ଋତୁଚକ୍ର ଉପରେ ପଡ଼ିଥାଏ। ଶୋଇବା ଏପଟ ସେପଟ ହେଲେ ମାସିକ ଋତୁସ୍ରାବ ଅନିୟମିତ ହେବ। ମାନସିକ ଚାପ, ଏଙ୍ଗଜାଇଟି ହେଲେ ଋତୁଚକ୍ରରେ ଅନିୟମିତତା ହୁଏ।

କେତେକ ଝିଅମାନଙ୍କର ୧୮ ବର୍ଷ ବୟସରେ କିମ୍ବା ୨୦ ବର୍ଷ ବୟସରେ ପିଟ୍ୟୁଟାରି ଓ ହାଇପୋଥାଲାମସ୍‌ ଗ୍ରନ୍ଥି ସୃଷ୍ଟି ହୋଇଥାଏ। ଏହି ସମୟରେ ଋତୁଚକ୍ରରେ କିଛି ନା କିଛି ସମସ୍ୟା ଦେଖାଦିଏ। କେତେକ ଝିଅଙ୍କର ପିରିୟଡ୍‌ ହେବାର ୩ ମାସ ପରେ ପୁଣି ପିରିୟଡ୍‌ ହେବ। ଆଉ କେତେକ ଝିଅଙ୍କର ଅତ୍ୟଧିକ ରକ୍ତସ୍ରାବ ହେବା ସହ ଗୋଟେ ମାସରେ ଦୁଇଥର ଋତୁଚକ୍ର ହୋଇଥାଏ। ଏଭଳି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନିହାତି ଦରକାର।

ଅଧିକ ପଢ଼ନ୍ତୁ: କରୋନା ମହାମାରୀ ଓ ଋତୁସ୍ରାବ ପରିଚ୍ଛନ୍ନତା

ଋତୁସ୍ରାବ ସମୟରେ ପେଟ ବ୍ୟଥା ହୁଏ କାହିଁକି? (Why does stomach ache occur during menstruation in Odia)

ଋତୁଚକ୍ର ସମୟରେ ପାଖାପାଖି ୮୦ ପ୍ରତିଶତ ଝିଅଙ୍କର ପେଟ ବ୍ୟଥା ହୋଇଥାଏ। ଏହି ପେଟ ବ୍ୟଥାକୁ ଡିସ୍‌ମେନୋରିଆ କୁହାଯାଏ। ଡିସ୍‌ମେନୋରିଆ ଦୁଇ ପ୍ରକାରର ଯେପରିକି ପ୍ରାଇମେରି ଡିସ୍‌ମେନୋରିଆ ଓ ସେକେଣ୍ଡାରି ଡିମେନୋରିଆ।

ପ୍ରାଇମେରି ଡିସ୍‌ମେନୋରିଆରେ ଝିଅମାନଙ୍କର ଋତୁସ୍ରାବ ହେବା ପୂର୍ବରୁ ପେଟ ବ୍ୟଥା ହୋଇଥାଏ। ସେକେଣ୍ଡାରି ଡିସ୍‌ମେନୋରିଆରେ ୟୁଟେରସ୍‌ କିମ୍ବା ଓଭାରିରେ କିଛି ଅସୁବିଧା ଥିଲେ ପେଟ ବ୍ୟଥା ହୋଇଥାଏ। କିନ୍ତୁ ପ୍ରାୟ ଝିଅମାନଙ୍କର ପ୍ରାଇମେରି ଡିସ୍‌ମେନୋରିଆ ଯୋଗୁଁ ପେଟ ବ୍ୟଥା ହୋଇଥାଏ। ଅଳ୍ପ କିଛି ଔଷଧ ଖାଇବା ଦ୍ୱାରା ଏଥିରେ ସୁଧାର ଆସିଥାଏ। କିନ୍ତୁ, ଏହି ପେଟ ବ୍ୟଥା ଯୋଗୁଁ ପ୍ରାୟ ଝିଅମାନେ ସ୍କୁଲ ଯିବା ବନ୍ଦ କରି ଦିଅନ୍ତି।

ଝିଅମାନଙ୍କର ଋତୁଚକ୍ର ଆରମ୍ଭରେ ସଂକ୍ରମଣ, କୁଣ୍ଡେଇ ହେବା ଓ ଜ୍ୱଳାପୋଡ଼ା ହେବା ଭଳି ସମସ୍ୟା ହୋଇଥାଏ। ତେଣୁ ଝିଅମାନଙ୍କୁ ପରିଚ୍ଛନତା ବିଷୟରେ ଅବଗତ କରାଇବା ଜରୁରୀ।

ଋତୁସ୍ରାବ ସମୟରେ କେମିତି ସଫାସୁତରା ରହିବେ (How to maintain hygiene during menstruation in Odia)

ଋତୁଚକ୍ର ସମୟରେ ଝିଅମାନଙ୍କର ଗୁପ୍ତାଙ୍ଗ ଅତି ଶୀଘ୍ର ସଂକ୍ରମଣ ହୋଇଯାଏ। ଏଥିପାଇଁ ପତ୍ୟେକ ଝିଅ ଓ ମହିଳାମାନଙ୍କୁ ପରିଚ୍ଛନତା ଉପରେ ଧ୍ୟାନ ଦେବା ଜରୁରୀ। ଋତୁସ୍ରାବକୁ ନେଇ ସମାଜରେ ରହିଥିବା କୁପ୍ରଥା ଓ ଭୁଲ ବିଶ୍ୱାସ ସବୁରୁ ନିଜକୁ ଦୂରେଇ ରଖିବା ଦରକାର। ତେଣୁ ଏହି ସମୟରେ କଟକଣା ନୁହଁ ବରଂ ପରିଚ୍ଛନ୍ନତାର ଶିକ୍ଷା ଦେବା ଦରକାର। ଏହି ସମୟରେ ପ୍ରତ୍ୟେକ ଝିଅମାନଙ୍କୁ ସ୍ନେହ ଓ ଆଦରର କରିବା ଦରକାର।

ସଂକ୍ରମଣରୁ ସୁରକ୍ଷିତ କେମିତି ରହିବେ? (How to protect yourself from infection in Odia)

ଋତୁସ୍ରାବ ସମୟରେ ସଂକ୍ରମଣକୁ ଏଡ଼ାଇବା ପାଇଁ ପୁରୁଣା କପଡ଼ା କିମ୍ବା ବାରମ୍ବାର ଗୋଟେ କପଡ଼ାକୁ ଧୋଇକରି ପୁଣି ବ୍ୟବହାର କରନ୍ତୁ ନାହିଁ। ଏହି ସମୟରେ ସାନିଟାରି ପ୍ୟାଡ୍‌ ବ୍ୟବହାର କରନ୍ତୁ। ହେଲେ, ଗୋଟେ ପ୍ୟାଡ୍‌କୁ ଦିନଯାକ ନ ବ୍ୟବହାର କରି, ଆବଶ୍ୟକତା ଅନୁସାରେ ବଦଳାନ୍ତୁ। ଋତୁଚକ୍ର ସମୟରେ ପରିଷ୍କାର ଶୌଚାଳୟ ବ୍ୟବହାର କରିବା ବି ଜରୁରୀ।

ପିସିଓଏସ୍‌ କ’ଣ? (What is PCOS in Odia)

ପିସିଓଏସ୍‌ ହେଉଛି ପଲିସିଷ୍ଟିକ ଓଭାରିଆନ୍‌ ସିଣ୍ଡ୍ରୋମ୍‌। ପିସିଓଏସ୍‌ ସମସ୍ୟା ହେବାର ମୁଖ୍ୟ କାରଣ ହେଉଛି ଜୀବନଶୈଳୀ। ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ, ଜଳବାୟୁ, ଫାଷ୍ଟଫୁଡ୍‌ର ଅତ୍ୟଧିକ ସେବନ, ଶାରୀରିକ ପରିଶ୍ରମ ନ କରିବା ଓ ମୋଟାପଣ ଥିବା ପିଲାଙ୍କର ପିସିଓଏସ୍‌ ହେବାର ଆଶଙ୍କା ଅଧିକ। ପିସିଓଏସ୍‌ ହେଲା ମାନେ ହିଁ ଆପଣଙ୍କୁ ବାରମ୍ବାର ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବ। କିନ୍ତୁ, ପିସିଓଏସ୍‌ର ଚିକିତ୍ସା ବହୁତ ସରଳ। ଅଳ୍ପ ଔଷଧ ଖାଇଲେ ଏହି ସମସ୍ୟା ଦୂର ହୋଇପାରିବ। କିନ୍ତୁ, ପିସିଓଏସ୍‌ ସମସ୍ୟା  ଦୂର କରିବା ପାଇଁ ସଠିକ୍‌ ପୋଷଣ, ନିୟମିତ ବ୍ୟାୟାମ କରିବାକୁ ହେବ।

କିଶୋରୀଙ୍କ ପାଇଁ ଜରୁରୀ ଯୌନ ଶିକ୍ଷା (Sex education is essential for adolescents)

ବର୍ତ୍ତମାନ ସମୟରେ ପିଲାମାନଙ୍କ ଉପରେ ଆପଣ ନିୟନ୍ତ୍ରଣ କରିପାରିବେ ନାହିଁ। ହେଲେ ଯୌନ ସମ୍ବନ୍ଧିୟ ଶିକ୍ଷା ଦେଇପାରିବେ। ଯୌନ ସମ୍ବନ୍ଧୀୟ ରୋଗ ଯେପରି ନ ହେବ, ଯୋଜନାବଦ୍ଧ ଗର୍ଭଧାରଣ ନ ହେବା ପାର୍ଇ ଶିକ୍ଷା ଦେବା ଦରକାର।

ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ (It is important to consult a doctor in Odia)

କିଶୋରୀ ଅବସ୍ଥାରେ ଋତୁଚକ୍ରକୁ ନେଇ ଅନେକ ସମସ୍ୟା ହୋଇଥାଏ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନିହାତି ଜରୁରୀ। ଅତ୍ୟଧିକ ରକ୍ତସ୍ରାବ ହେଲେ, ରକ୍ତ ବିକାର ସମସ୍ୟା ହେଲେ ଡାକ୍ତରଙ୍କୁ ଦେଖାଇଲେ ଏହାର ସମାଧାନ କରିହେବ। ବେଳେ ବେଳେ ଏହି ସମସ୍ୟାରୁ ଆମେ ବଡ଼ ବଡ଼ ରୋଗର ସଙ୍କେତ ପାଇଥାଉ, ଯାହା ଡାକ୍ତରଙ୍କ ସହ ଆଲୋଚନା କଲେ ହିଁ ଜାଣିପାରିବା।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଚିନ୍ମୟୀ କରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Menstrual cycle based on the interview with Dr. Chinmayee Kar, Gynecologist & Obstetrician.