ଚାଳିଶିଆ ହେଲେ କ’ଣ ଅସୁବିଧା ହୁଏ? ଏହାର ଚିକିତ୍ସା କେମିତି କରାଯାଏ? ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ସାମନ୍ତଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।

ଚାଳିଶିଆ କ’ଣ? (What is Presbyopia in Odia)

ଚାଳିଶିଆ ହେଉଛି ଏକ ପ୍ରକାରର ବୟସ ଜନିତ ଆଖି ସମସ୍ୟା। ଏହା କୌଣସି ରୋଗ ନୁହେଁ। ସାଧାରଣତଃ ୪୦ ବର୍ଷ ବୟସ ଅତିକ୍ରମ କରିବା ପରେ ଆଖିରେ ସମସ୍ୟା ଦେଖାଦେଇଥାଏ। ଆଖିର ଲେନ୍ସର ଆକାରରେ ପରିବର୍ତ୍ତନ ହେଲେ ଦୂର ଓ ପାଖ ବସ୍ତୁ ଦେଖିହୁଏ। ବୟସ ସହିତ ସେହି ଲେନ୍ସ ଟାଣ ହୋଇଯାଏ, ଫଳରେ ପାଖ ଜିନିଷ ଦେଖାଯାଏ ନାହିଁ।

ଚାଳିଶିଆର ଲକ୍ଷଣ ସବୁ କ’ଣ? (Symptoms of Presbyopia in Odia)

ଚାଳିଶିଆ ହେଲେ ପାଖ ଜିନିଷ ଦେଖାଯାଏ ନାହିଁ।

କୌଣସି ଜିନିଷ ପାଖରୁ ଦେଖିଲେ ଜାଲଜୁଲିଆ ଦେଖାଯାଏ।

ଛୋଟ ଛୋଟ ଲେଖା ଜାଲଜୁଲିଆ ଦେଖାଯାଏ।

ଅଧିକ ପଢ଼ନ୍ତୁ: ଲମ୍ବା ସମୟ ଧରି କମ୍ପ୍ୟୁଟର ଆଗରେ କାମ କରୁଥିଲେ, ହୋଇଯାଆନ୍ତୁ ସତର୍କ

କେଉଁ ବୟସରେ ଦେଖାଯାଏ ଚାଳିଶିଆ? (At what age does Presbyopia appear in Odia)

ସାଧାରଣତଃ ଚାଳିଶିଆ ୪୦ ବର୍ଷରେ ଆରମ୍ଭ ହୋଇଥାଏ। କେତେକ ଲୋକଙ୍କର ୪୦ ବର୍ଷ ବୟସ ପୂର୍ବରୁ କିମ୍ବା ପରେ ଚାଳିଶିଆ ସମସ୍ୟା ଆରମ୍ଭ ହୋଇପାରେ। ସମୟକ୍ରମେ ୬୦ରୁ ୬୫ ବର୍ଷ ଯାଏଁ ଚାଳିଶିଆ ସମସ୍ୟା ବଢ଼ିଯାଏ।

ଚାଳିଶିଆ ଚିକିତ୍ସା କେମିତି ହୁଏ? (Treatment of Presbyopia in Odia)

ଚଳିଶିଆର ସବୁଠୁ ସହଜ ଚିକିତ୍ସା ହେଉଛି ଚଷମା। ଚାଳିଶିଆ ଥିବା ଲୋକେ ସଠିକ୍‌ ପାଓ୍ୱାର ଥିବା ଚଷମା ପିନ୍ଧିବା ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ। ଏଥିପାଇଁ ବ୍ୟକ୍ତିଙ୍କୁ କନ୍‌ଭେକ୍ସ ଲେନ୍ସ ପିନ୍ଧିବାକୁ ପରାମର୍ଶ କରାଯାଇଥାଏ। ଏହାଛଡ଼ା ଚଷମା ପିନ୍ଧିବାକୁ ଚାହୁଁନଥିବା ବ୍ୟକ୍ତି କଣ୍ଟାକ୍ଟ ଲେନ୍ସ ପିନ୍ଧିପାରିବେ।

ବିଭିନ୍ନ ପ୍ରକାର ଚାଳିଶିଆ ଚଷମା ରହିଛି। ଯେପରି ବାଇଫୋକାଲ ଲେନ୍ସ। ଏହି ଲେନ୍ସ ସାହାଯ୍ୟରେ ଦୂର ଓ ପାଖ ବସ୍ତୁ ସହଜରେ ଦେଖିହୁଏ। ଏହାଛଡ଼ା ଟ୍ରାଇଫୋକାଲ ଲେନ୍ସ ସାହାଯ୍ୟାରେ ତିନୋଟି ଦୂରତା ପାଇଁ ରହିଛି। ଆଜିକାଲି ପ୍ରୋଗ୍ରେସିଭ୍‌ ଲେନ୍ସ ରହିଛି, ଯେଉଁଥିରେ ଧୀରେ ଧୀରେ ଦୂରରୁ ପାଖ ଯାଏଁ ଦେଖାଯାଏ।

ଚାଳିଶିଆକୁ ରୋକି ପାରିବା କି? (Can we prevent Presbyopia in Odia)

ଚାଳିଶି ବର୍ଷ ପରେ ଚାଳିଶିଆ ହେବା ସ୍ୱାଭାବିକ। ତେଣୁ, ୪୦ ବର୍ଷ ବୟସରେ ଆଖି ପରୀକ୍ଷା କରାଇନେବା ଜରୁରୀ। ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ଥରେ ଆଖି ପରୀକ୍ଷା କରାଇବା ଆବଶ୍ୟକ।

ଅଧିକ ପଢ଼ନ୍ତୁ: ଆଖିରୁ ପାଣି ଗଡ଼ିବା ସମସ୍ୟା, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

୪୦ ବର୍ଷ ବୟସ ପରେ ଚାଳିଶିଆ ଭଲ ହୋଇଯାଏ କି? (Does Presbyopia get better after the age of 40 in Odia)

ଅଧିକାଂଶ ଲୋକ ଭାବନ୍ତି ଯେ ଚାଳିଶିଆ ୪୦ ବର୍ଷରେ ହୋଇ ଭଲ ହୋଇଯାଏ। କିନ୍ତୁ, ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ। ଚାଳିଶିଆ ବଢ଼ି ବଢ଼ି ଯିବ ପଛେ ଭଲ ହେବ ନାହିଁ।

୪୦ ବର୍ଷ ପୂର୍ବରୁ ଚାଳିଶିଆ ହୁଏ କି? (Can Presbyopia appear before the age of 40 in Odia)

୪୦ ବର୍ଷ ବୟସ ପୂର୍ବରୁ ଚାଳିଶିଆ ହୋଇପାରେ। ଯଦି ଜଣେ ବ୍ୟକ୍ତିଙ୍କର ଡାଏବେଟିସ୍‌, କାର୍ଡିଆକ୍‌ ସମସ୍ୟା ଥାଏ ବା ଆଣ୍ଟି ଡିପ୍ରେସନ୍‌ ଭଳି ଔଷଧ ସେବନ କରୁଥାଆନ୍ତି, ତାହାହେଲେ ଚାଳିଶିଆ ୪୦ ବର୍ଷ ବୟସ ପୂର୍ବରୁ ହୋଇପାରେ।

ପୂର୍ବରୁ ଆଖି ସମସ୍ୟା ଥିଲେ କ’ଣ କରିବେ? (What to do if you already have eye problems in Odia)

ଯଦି ଜଣେ ବ୍ୟକ୍ତି ଆଖିଜନିତ ସମସ୍ୟା ପାଇଁ ପୂର୍ବରୁ ଚଷମାର ବ୍ୟବହାର କରୁଛନ୍ତି ଏବଂ ଉକ୍ତ ବ୍ୟକ୍ତି ୪୦ ବର୍ଷରେ ପଦାର୍ପଣ କରୁଛନ୍ତି, ତାହାହେଲେ ତାଙ୍କ ଚଷମାରେ ଚାଳିଶିଆ ସମ୍ବନ୍ଧୀୟ ପାଓ୍ୱାର ଲେନ୍ସ ସଂଯୋଗ କରାଯାଏ।

ଚାଳିଶିଆର ଚିକିତ୍ସା ନକଲେ କ’ଣ ଅସୁବିଧା ହେବ? (Complication of Presbyopia in Odia)

ଯଦି ଜଣେ ବ୍ୟକ୍ତି ଚାଳିଶିଆର ଚିକିତ୍ସା ନ କରନ୍ତି ଏବଂ ପାଖର ସମସ୍ତ କାମ କରନ୍ତି, ତେବେ ଆଖି ଉପରେ ଅଧିକ ଚାପ ପଡ଼ି ମୁଣ୍ଡ ବିନ୍ଧା ହୋଇପାରେ। ଯେଉଁମାନେ ପାଖ କାମ କରୁନାହାନ୍ତି, କେବଳ ଦୂର କାମ କରୁଛନ୍ତି ତାଙ୍କୁ ଚାଳିଶିଆ ଯୋଗୁଁ କୌଣସି ଅସୁବିଧା ନ ହୋଇପାରେ।

ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)

୪୦ ବର୍ଷ ହେଲେ ଚାଳିଶିଆ ଛଡ଼ା ଅନ୍ୟ ଆଖିଜନିତ ସମସ୍ୟା ହେବାର ଆଶଙ୍କା ଥାଏ। ସାଧାରଣତଃ ଯେଉଁମାନଙ୍କର ଡାଏବେଟିସ୍‌, ଉଚ୍ଚ ରକ୍ତଚାପ, ହୃଦୟଜନିତ ସମସ୍ୟା ଥାଏ, ସେମାନଙ୍କୁ ଚାଳିଶିଆ ସମସ୍ୟା ୪୦ ବର୍ଷ ବୟସ ପୂର୍ବରୁ ହୋଇପାରେ। ତେଣୁ, ୪୦ ବର୍ଷ ହେଲେ ଆଖିର ପରୀକ୍ଷା କରିବା ଜରୁରୀ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସ୍ୱାତୀ ସାମନ୍ତଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Presbyopia, in Odia language, is based on an extensive interview with ophthalmologist Dr Swati Samant.