ଆସନ୍ତୁ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟସ୍ନାତ ରଥଙ୍କଠାରୁ ଆଖିରୁ ପାଣି ଗଡ଼ିବା ସମସ୍ୟା ଓ ଏହାର ଚିକିତ୍ସା ବିଷୟରେ ଅଧିକ ଜାଣିବା।

ଆଖି ହେଉଛି ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ। ଆଖି ଭିତର ପୃଷ୍ଠକୁ ଆର୍ଦ୍ର ରଖିଥାଏ ଆମ ଆଖିର ଲୁହ। ଏହା ସହିତ ଆଖିରେ ପଡୁଥିବା ଛୋଟ କଣିକାଗୁଡ଼ିକୁ ସଫା କରିବାରେ ମଧ୍ୟ ଲୁହ ସାହାଯ୍ୟ କରିଥାଏ। ହେଲେ କେତେକଙ୍କଠାରେ ଆଖିରୁ ଅତ୍ୟଧିକ ପାଣି ଗଡୁଥିବା ଦେଖିବାକୁ ମିଳେ। ଏହା ଏକ ଚକ୍ଷୁଜନିତ ସମସ୍ୟା। ଏହି ଅବସ୍ଥାକୁ ହେୟଜ୍ଞାନ କରନ୍ତୁ ନାହିଁ।

eye problem

ଆଖିର ଟିଅର ଗ୍ଲାଣ୍ଡ ବା ଲୁହ ଗ୍ରନ୍ଥିରେ କୌଣସି କାରଣରୁ ଲୁହ ଅଧିକ ପରିମାଣର ନିର୍ଗତ ହେଲେ, ଆଖିରୁ ପାଣି ଗଡ଼ିଥାଏ। ଏହାଛଡ଼ା ଶରୀରର ଅନ୍ୟ କୌଣସି ସମସ୍ୟା ଯୋଗୁଁ ମଧ୍ୟ ଆଖିରୁ ପାଣି ବାହାରିଥାଏ। ପାଖାପାଖି ୮୫୦ରୁ ୧୦୦୦ ରୋଗୀ ଆଖିରୁ ପାଣି ଗଡ଼ିବା ଯୋଗୁଁ ଆଖିର ସର୍ଜରୀ କରାନ୍ତି। କ୍ରୋନିକ ଡାକ୍ରୋସାଇଷ୍ଟିସ୍‌ ଯୋଗୁଁ ମଧ୍ୟ ଆଖିରୁ ପାଣି ଗଡ଼ିଥାଏ।

ଡାକ୍ତରଙ୍କୁ କେତେବେଳେ ପରାମର୍ଶ କରିବେ? (When to consult a doctor in Odia)

ଆଖିରେ କୌଣସି ସଂକ୍ରମଣ ହେଲେ ବା ଆଖି ନାଲି ପଡ଼ିଗଲେ ଆଖିରୁ ପାଣି ଗଡ଼ିଥାଏ। ହେଲେ ଯେତେବେଳେ କୌଣସି ଆଲର୍ଜି ଯୋଗୁଁ ଆଖିରୁ ପାଣି ଗଡ଼େ, ସେତେବେଳେ ତାହା ଆପେ ଆପେ ବା କିଛି ଔଷଧ ଦ୍ୱାରା ଭଲ ହୋଇଯାଏ। ଯଦି ଡାକ୍ରୋସିଷ୍ଟ ଯୋଗୁଁ ଆଖି ସମସ୍ୟା ହୋଇଥାଏ, ତେବେ ଯାହା ବି ଔଷଧ ବ୍ୟବହାର କଲା ପରେ ବି ସୁଫଳ ମିଳି ନଥାଏ। ଯେତେବେଳେ ଆଖିରୁ ପାଣି ଗଡ଼ିବା ସମସ୍ୟା ମାସେରୁ ଅଧିକ ଦିନ ଧରି ଲାଗି ରହୁଛି, ସେତେବେଳେ ଚକ୍ଷୂ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ନିହାତି ଜରୁରୀ।

ଯଦି ଆଖିରୁ ପାଣି ଗଡ଼ିବା ସହିତ ଆଖିରେ ଅଧିକ ଲେଞ୍ଜେରା ହେଉଛି ବା ସକାଳୁ ଉଠିବା ବେଳେ ଆଖିର ଦୁଇ ପତା ଲାଗିଯାଉଛି, ତେବେ ନିଶ୍ଚିତ ଭାବରେ ଚକ୍ଷୁ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ଏହାସହ ଆଖିରେ ଯଦି କିଛି ଅବରୋଧ ଥିବ, ତାହାହେଲେ ଆଖିର ତଳ ପତା, ନାକ ପାଖରେ ଫୁଲିଯାଏ ଓ ଯନ୍ତ୍ରଣା ଅନୁଭୂତ ହୋଇଥାଏ।

eye problem

ଅଧିକ ପଢ଼ନ୍ତୁ: ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି ସମସ୍ୟା କ’ଣ?

ଆଖିରୁ ପାଣି ଗଡ଼ିବା ସମସ୍ୟାର କାରଣ (Causes of Watery Eyes in Odia)

ମନେକର, ହାତ ଧୋଇବା ବେସିନ୍‌ରେ ଗୋଟେ ଟ୍ୟାପ୍‌ ଥାଏ ଓ ପାଣି ବାହାରକୁ ଯିବା ପାଇଁ ଗୋଟେ ଡ୍ରେନେଜ୍‌ ପାଇପ୍‌ ଥାଏ। ସେହିଭଳି ଆମ ଆଖି ହେଉଛି ବେସିନ୍‌ ଓ ଲୁହ ଗ୍ରନ୍ଥି ହେଉଛି ପାଣି ଟ୍ୟାପ୍। ଯଦି ଲୁହ ଗ୍ରନ୍ଥିରୁ କୌଣସି କାରଣରୁ ଲୁହ ବେଶି ବାହାରେ ତେବେ ଆଖିରୁ ପାଣି ଗଡ଼େ। ଅଥବା ଲୁଅ ଅବରୋଧ ହେଲେ ବି ଆଖିରୁ ପାଣି ଗଡ଼େ।

କେମିତି କରାଯାଏ ପରୀକ୍ଷା? (How to Diagnosis Watery Eyes in Odia)

ଆଖିରୁ ନାକକୁ ଲୁହ ନେଇକରି ଯାଉଥିବା ଟ୍ୟୁବ୍‌ରେ ଷ୍ଟେରାଇଲ୍‌ ପାଣିକୁ ଛଡ଼ାଯାଏ, ଯାହାକି ରୋଗୀଙ୍କୁ ଅନୁଭୂତ ହୁଏ। ଏହି ପଦ୍ଧିତକୁ ଲାକ୍ରିମାଲ ଇରିଗେସନ୍‌ କୁହାଯାଏ। ଏହି ପରୀକ୍ଷା ଦ୍ଵାରା ଆଖିରେ ଅବରୋଧ ଅଛି କି ନାହିଁ ଜଣାପଡ଼ିଥାଏ।

ଆଖିରୁ ପାଣି ଗଡ଼ିବା ସମସ୍ୟାର ଚିକିତ୍ସା (Treatment of Watery Eyes in Odia)

ଯଦି ଆଖିର ଟିଅର ଗ୍ରାଣ୍ଡରୁ ଲୁହ ନିର୍ଗତ ବେଶି ହେଉଛି, ତେବେ ଏହା କେଉଁଥିପାଇଁ ହେଉଛି, ତାହାର ଚିକିତ୍ସା କରିଯାଏ। କିନ୍ତୁ, ଯେଉଁ ରୋଗୀଙ୍କର ଆଖିର ବାହାର ପଥରେ ଅବରୋଧ ହେଉଛି, ତେବେ ଡାକ୍ରୋସିଷ୍ଟୋର୍‌ହାଇନୋଷ୍ଟୋମି (ଡିସିଆର୍‌) ସର୍ଜରୀ କରିବାକୁ ପଡ଼ିଥାଏ। ୧୦୦ ବର୍ଷ ଧରି ଏହି ପଦ୍ଧତିରେ ଚିକିତ୍ସା କରାଯାଇ ଆସୁଛି। ଏହି ସର୍ଜରୀ ଯେହେତୁ ନାକ ବାଟେ କରାଯାଏ, ତେଣୁ ନାକରେ କୌଣସି ଦାଗ ହୁଏ ନାହିଁ। ସର୍ଜରୀ ହେବାର ଗୋଟେ କିମ୍ବା ଦୁଇ ଦିନ ଭିତରେ ଆପଣ ସାଧାରଣ ଲୋକଙ୍କ ଭଳି କାମ କରିପାରିବେ। ସର୍ଜରୀ କଲା ବେଳେ ଓ ସର୍ଜରୀ କଲା ପରେ ବହୁତ କମ୍‌ ଯନ୍ତ୍ରଣା ଅନୁଭୂତ ହୁଏ।

computer effect on eye

ଅଧିକ ପଢ଼ନ୍ତୁ: ଅଧିକ କମ୍ପ୍ୟୁଟର ସାମ୍ନାରେ ବସି କାମ କଲେ ହୋଇପାରେ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ

କେମିତି କରିବେ ନିରାକରଣ? (Prevention of Watery Eyes in Odia)

ଆଖିରୁ ପାଣି ଗଡ଼ିବା ସମସ୍ୟାକୁ ରୋକିବା ପାଇଁ ହେଲେ ଆଖିର ଯତ୍ନ ନେବା ନିହାତି ଦରକାର। ସବୁବେଳେ ଗୋଟେ ସଫା କଟନ କପଡ଼ାକୁ ଉଷୁମ କରି ଆଖି ଉପରେ ରଖି ଦିଅନ୍ତୁ। ଏହାଦ୍ଵାରା ଆଖିର ଗ୍ରନ୍ଥିଗୁଡ଼ିକ ସକ୍ରିୟ ହୋଇଯାଆନ୍ତି। ଏହାପରେ ଆଙ୍ଗୁଠିରେ ଆଖି ଉପରକୁ ହାଲ୍‌କା ମସାଜ କରିଦେବେ। ପ୍ରତିଦିନ ରାତିରେ ଶୋଇବା ବେଳେ ଉଷୁମ କପଡ଼ା ସେକ ଓ ଆଙ୍ଗୁଠିରେ ହାଲକା ମସାଜ କରାଯାଏ, ତେବେ ଆଖିକୁ ଆରାମ ମିଳିଥାଏ।

କେତେକ କ୍ଷେତ୍ରରେ ରୁପି ଯୋଗୁଁ ଆଖିରେ ସଂକ୍ରମଣ ହୋଇଥାଏ। ମୁଣ୍ଡରୁ ରୁପି ଆଖିର ପତା ଉପରେ ପଡ଼ି ସଂକ୍ରମଣ ସୃଷ୍ଟି କରିଥାଏ, ଯାହାକୁ ବ୍ଲେଫରାଇଟିସ୍‌ କୁହାଯାଏ। ଏଭଳି କ୍ଷେତ୍ରରେ ଛୋଟ ଛୁଆଙ୍କ ସାମ୍ପୋକୁ ପାଣିରେ ମିଶାଇ ଏକ କଟନ ସାହାଯ୍ୟରେ ଆଖିର ପତାକୁ ସଫା କରିପାରିବେ।

ଲମ୍ବା ସମୟ ଧରି କମ୍ପ୍ୟୁଟର କିମ୍ବା ମୋବାଇଲ ବ୍ୟବହାର କରିବା ଦ୍ଵାରା ବ୍ୟକ୍ତିଙ୍କୁ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ୍‌ ହୋଇଥାଏ। ଏହି ସିଣ୍ଡ୍ରୋମ୍‌ରେ ବ୍ୟକ୍ତି ଆଖି ମିଟ୍‌ମିଟ୍‌ (Blink) ବହୁତ କମ୍‌ କରିଥାଏ। ତେଣୁ, ଦୀର୍ଘ ସମୟ ଧରି କମ୍ପ୍ୟୁଟର ବ୍ୟବହାର କରିବା ପରେ ଆଖିକୁ ବିଶ୍ରାମ ଦେବା ଆବଶ୍ୟକ। କମ୍ପ୍ୟୁଟର ବ୍ୟବହାରର ପ୍ରତି ଘଣ୍ଟେ ଘଣ୍ଟେରେ ଆଖିକୁ ବିଶ୍ରାମ ଦିଅନ୍ତୁ। ମଝିରେ ମଝିରେ ଆଖିରେ ଥଣ୍ଡା ପାଣି ଛାଟନ୍ତୁ। ଅଥବା ଡାକ୍ତରଙ୍କୁ ପରାମର୍ଶ କରି ଟିଅର ଡ୍ରପ୍‌ ମଧ୍ୟ ବ୍ୟବହାର କରିପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୂର୍ଯ୍ୟସ୍ନାତ ରଥଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on causes and treatment of Watery eyes, in Odia language, is based on an extensive interview with ophthalmologist Dr Suryasnata Rath.