ଅନେକ ସମୟରେ ଲୋକେ ଓଜନକୁ ନିୟନ୍ତ୍ରଣ କରିବା ଲାଗି ୱାର୍କଆଉଟ୍ କରିଥା’ନ୍ତି। ଡାଏଟ୍ ଉପରେ ଧ୍ୟାନ ଦେଇଥା’ନ୍ତି। କିଛି ଦିନ ଧରି ସେହି ରୁଟିନ୍‌କୁ ଫଲୋ ବି କରନ୍ତି। କିନ୍ତୁ ହଠାତ୍ ସେମାନଙ୍କର ଓଜନ ବଢ଼ିବାକୁ ଲାଗିଥାଏ। ଏହାର କାରଣ ୟୋ-ୟୋ ଡାଏଟ୍ ସିଣ୍ଡ୍ରୋମ୍ ହୋଇପାରେ।

ୟୋ ୟୋ ଡାଏଟ୍ ସିଣ୍ଡ୍ରୋମ୍ କ’ଣ?

ଯେତେବେଳେ ଆମେ ନିୟମିତ ଭାବେ ୱାର୍କଆଉଟ୍ କରୁ ଏବଂ ଡାଏଟ୍ ଚାର୍ଟ ଉପରେ ଧ୍ୟାନ ଦେଇଥାଉ ସେତେବେଳେ ଓଜନ ନିୟନ୍ତ୍ରଣରେ ରହିଥାଏ। କିନ୍ତୁ ସେଥିପ୍ରତି ଧ୍ୟାନ ଟିକେ ହଟିବା ମାତ୍ରେ ଓଜନ ବଢ଼ିବାକୁ ଲାଗିଥାଏ। ଓଜନ କମ୍ କରିବା ପରେ ପୁଣି ତୀବ୍ର ଗତିରେ ଓଜନ ବଢ଼ିଲେ ତାକୁ ୟୋ-ୟୋ ଡାଏଟ୍ ସିଣ୍ଡ୍ରୋମ କୁହାଯାଏ।

ଯଦି ଆପଣ ଭାବୁଛନ୍ତି ଯେ ଡାଏଟ୍ ସହିତ ଜଡ଼ିତ ଏହି ସମସ୍ୟା ଏକ ସାଧାରଣ ସମସ୍ୟା ବୋଲି ତା’ ହେଲେ ଆପଣ ଭୁଲ କରୁଛନ୍ତି। କାରଣ ଓଜନ ବଢ଼ିବା, ତାକୁ କମାଇବା ପରେ ପୁଣି ଓଜନ ବଢ଼ିବାର ପ୍ରକ୍ରିୟା ମଧ୍ୟରେ କେବଳ ଆପଣଙ୍କର ଚର୍ବି ଯେ ବଢ଼ିଥାଏ ତା’ ନୁହେଁ, ଏହା ଏକାସାଙ୍ଗରେ ବହୁ ରୋଗକୁ ସାଙ୍ଗରେ ନେଇ ଆସିଥାଏ। ମାନସିକ ଚାପ, ଡିପ୍ରେସନ୍‌, ଲିଭର, କିଡ୍‌ନି, ହୃଦ୍‌ରୋଗ ହେବାର ଆଶଙ୍କା ବଢ଼ିଯାଏ।

କ’ଣ କରିବେ?

-ଡାଏଟିସିଆନ୍‌ଙ୍କ ଅନୁସାରେ ଓଜନ କମାଇବା ଲାଗି ଡାଏଟ୍‌କୁ କେବେହେଲେ କମାଇବା କଥା ନୁହେଁ। ତା’ ବଦଳରେ ଏଭଳି ଡାଏଟ୍ ଚାର୍ଟ ପ୍ରସ୍ତୁତ କରନ୍ତୁ ଯାହାଦ୍ୱାରା ଶରୀରକୁ ଜରୁରୀ ପୋଷଣ ମିଳିବ ଏବଂ ଶରୀର ମଧ୍ୟ ନିର୍ଦ୍ଦିଷ୍ଟ ଆକାରରେ ରହିବ। ଯେହେତୁ ୯୫% ଡାଏଟିଂ ପ୍ରୋଗ୍ରାମ ସଫଳ ହୁଏନାହିଁ ତେଣୁ ଯେତେବେଳେ ଆପଣ ତାକୁ ଫଲୋ କରିବା ବନ୍ଦ କରନ୍ତି ସେତେବେଳେ ଓଜନ ପୁଣି ବଢ଼ିଚାଲେ।

-ୟୋ-ୟୋ ଡାଏଟ୍ ସିଣ୍ଡ୍ରୋମରୁ ରକ୍ଷା ପାଇବା ଲାଗି ଡାଏଟ୍‌ରେ ସବୁଦିନ ଫଳ ଓ ସାଲାଡ୍‌କୁ ନିଶ୍ଚିତ ଭାବେ ସାମିଲ କରନ୍ତୁ।

-ଥରକରେ ବହୁତ ଅଧିକ ଖାଦ୍ୟ ନ ଖାଇ ବାରମ୍ବାର ଖାଆନ୍ତୁ।

-ଡାଏଟ୍‌ରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌, ଭିଟାମିନ୍ ଏବଂ ମିନେରାଲ୍ସକୁ ସାମିଲ କରନ୍ତୁ।

-ଆପଣଙ୍କ ଶରୀରକୁ କେଉଁ ପ୍ରକାର ଡାଏଟ୍ ସୁହାଉଛି ତାହା ଲକ୍ଷ୍ୟ କରନ୍ତୁ। ସେହିପରି ପୋଷଣ ପାଇଁ ଆଉ କ’ଣ ଆବଶ୍ୟକ ସେଥିନେଇ ଡାଏଟିସିଆନ୍‌ଙ୍କ ସହ ପରାମର୍ଶ କରନ୍ତୁ।

-ଡାଏଟ୍ ସହିତ ପାଣି ପିଇବାକୁ କେବେହେଲେ ଅବହେଳା କରନ୍ତୁ ନାହିଁ। ଏହାଛଡ଼ା ଦିନରେ ଅତି କମ୍‌ରେ ଥରେ ଜୁସ୍‌, ଦହି, କ୍ଷୀର ପ୍ରଭୃତି ପିଅନ୍ତୁ। ଏସବୁ ଜାରି ରହିଲେ ଆପଣ କେବେହେଲେ ୟୋ-ୟୋ ଡାଏଟ୍ ସିଣ୍ଡ୍ରୋମର ସାମ୍ନା କରିବେ ନାହିଁ।