ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ ମା’ମାନେ ନିର୍ଦ୍ଦିଷ୍ଟ ଡାଏଟ୍ ଗ୍ରହଣ କରିବା ଉଚିତ୍। ଏହାଦ୍ୱାରା ସେମାନଙ୍କୁ ଥକ୍କାପଣ ଅନୁଭବ ହେବନାହିଁ, ପିଲାଟି ବି ଉପଯୁକ୍ତ ପୋଷଣ ପାଇପାରିବ।

  • ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ ମା’ଙ୍କୁ ଦିନକୁ ୫୦୦-୬୦୦ କ୍ୟାଲୋରୀର ଅଧିକ ଡାଏଟ୍ ଆବଶ୍ୟକ ପଡ଼ିଥାଏ। ତେଣୁ ପ୍ରୋଟିନ୍ ଜାତୀୟ ଖାଦ୍ୟ ଯେପରିକି ମାଛ, ଅଣ୍ଡାକୁ ନିୟମିତ ଭାବେ ଖାଇବା ଅଭ୍ୟାସ କରନ୍ତୁ। ନିରାମିଶାଷୀ ହୋଇଥିଲେ ଡ୍ରାଏଫ୍ରୁଟ, ଫଳକୁ ଅଧିକ ଖାଆନ୍ତୁ। ପୁରୁଣା କାଳରେ ପ୍ରସୂତୀମାନଙ୍କୁ ଘିଅ ଦିଆଯାଉଥିଲା। ଘିଅ ବଦଳରେ ଇଚ୍ଛା ହେଲେ ଦୁଗ୍ଧ ଜାତୀୟ ଉତ୍ପାଦ ଖାଇପାରିବେ।
  • ମୁଗ ଡାଲି, ସୋୟାବିନ୍‌, ରାଜ୍‌ମା, ଛୋଲେ, ଗଜାଜାତୀୟ ଖାଦ୍ୟ ଖାଆନ୍ତୁ। ସେଥିରେ ପ୍ରୋଟିନ୍‌ର ପରିମାଣ ଅଧିକ ଥାଏ।
  • ସବୁଜ ପନିପରିବାକୁ ଗୁରୁତ୍ୱ ଦିଅନ୍ତୁ। ଭିଟାମିନ୍ ଏର ଅଭାବ ନ ହେବା ଲାଗି ଅମୃତଭଣ୍ଡା, ଗାଜର, ବଥୁଆ ଶାଗ, ଟମାଟୋ, ବ୍ରୋକୋଲି ପ୍ରଭୃତି ଖାଆନ୍ତୁ।
  • ଲୌହ ଏବଂ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଯେପରିକି ଗୁଡ଼, କିସମିସ୍‌, ଖଜୁରୀ ପ୍ରଭୃତି ଖାଆନ୍ତୁ। ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହାର ଟାବଲେଟ୍ ଖାଇପାରିବେ।
  • ସ୍ତନ୍ୟପାନ କରାଉଥିଲେ ପାଣି ପିଇବାର  ବହୁତ ଗୁରୁତ୍ୱ ରହିଛି। ଦିନକୁ ଅତି କମ୍‌ରେ ୮-୧୦ ଗ୍ଲାସ ପାଣି ପିଅନ୍ତୁ। ଫଳରେ ଆପଣଙ୍କ ଶରୀରରେ ଜଳାଭାବ ହେବନାହିଁ। ଡାଲି ପାଣି, ସୁପ୍ ପ୍ରଭୃତି ପିଇଲେ ବି ଉପକାର ମିଳିବ।
  • ଖାଦ୍ୟରେ ଓଟ୍‌ସକୁ ସାମିଲ କରନ୍ତୁ। ଏହା ମା’ଙ୍କର କ୍ଷୀରକୁ ବୃଦ୍ଧି କରେ। ଏଥିରେ କୋଲେଷ୍ଟେରୋଲ କମ୍ ଥିବାବେଳେ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରିଥାଏ।
  • ସ୍ତନ୍ୟପାନ କରାଉଥିବା ମା’ଙ୍କ ପାଇଁ ରସୁଣ ଖାଇବା ନିହାତି ଆବଶ୍ୟକ। ଏହା ଉଭୟ ମା’ ଓ ପିଲାର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। କେବଳ ସେତିକି ନୁହେଁ, ମା’ କ୍ଷୀରକୁ ବୃଦ୍ଧି କରେ।
  • ବାଦାମରେ ଭିଟାମିନ୍ ଏ, ଡି, ଇ ପ୍ରଭୃତି ପ୍ରଚୁର ପରିମାଣରେ ମହଜୁଦ ଥାଏ। ତେଣୁ ନିୟମିତ ଭାବେ ଏହାକୁ ଖାଇଲେ ଶକ୍ତି ମିଳିବ।