ହ୍ୱାଇଟ୍‌ ଫଙ୍ଗସ୍‌ କ’ଣ? ଏଥିରୁ ସୁରକ୍ଷିତ ରହିବେ କିପରି? ଏନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନୀଲ କୁମାର କୋଟା କ’ଣ କହୁଛନ୍ତି, ଜାଣନ୍ତୁ।

ହ୍ୱାଇଟ୍ ଫଙ୍ଗସ୍ କ’ଣ? (What is White Fungus in Odia)

ବ୍ଲାକ୍‌ ଫଙ୍ଗସ୍‌ ପରେ ବର୍ତ୍ତମାନ ହ୍ୱାଇଟ୍‌ ଫଙ୍ଗସ୍‌ ସଂକ୍ରମଣ ଦେଖାଦେବାରେ ଲାଗିଛି। କୋଭିଡ୍‌-୧୯ରେ ଆକ୍ରାନ୍ତ ରୋଗୀମାନେ ହ୍ଵାଇଟ୍‌ ଫଙ୍ଗସ୍‌ରେ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇଥାଆନ୍ତି। କାରଣ ଏହା ରୋଗ ପ୍ରତିରୋଧକ କ୍ଷମତାକୁ କ୍ଷୀର କରିଥାଏ ତଥା ଏହା ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ। ହ୍ଵାଇଟ୍‌ ଫଙ୍ଗସ୍‌ ପାଇଁ କ୍ୟାଣ୍ଡିଡା ଏବଂ ଆସ୍ପର୍ଗିଲସ୍‌ ହେଉଛି ମୁଖ୍ୟ ଦାୟୀ କବକ। ବ୍ଲାକ୍‌ ଫଙ୍ଗସ୍‌ ଅପେକ୍ଷା ଏହା ଅଧିକ ମାତ୍ରାରେ ଦେଖାଦିଏ ଓ ଅଧିକ ଗୁରୁତର ରୋଗର କାରଣ ହୋଇପାରେ।

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ, ଡାଏବେଟିସ୍‌, ଷ୍ଟିରୋଏଡ୍‌, ଆଣ୍ଟିବାୟୋଟିକ୍‌ ଅପବ୍ୟବହାର, ଏଡ୍‌ସ, ଅଙ୍ଗ ପ୍ରତିରୋପଣ, ଇମ୍ୟୁନୋ ସପ୍ରେସାଣ୍ଟ ଥେରାପି, କର୍କଟ, କେମୋଥେରାପି ବ୍ୟବହାର କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ଅଧିକ ମାତ୍ରାରେ ଦେଖାଦିଏ।

ଅଧିକ ପଢ଼ନ୍ତୁ: ହ୍ୱାଇଟ୍ ଫଙ୍ଗସ୍‌କ’ଣ? କେଉଁମାନେ ରହିବେ ସତର୍କ, ଜାଣନ୍ତୁ

କ୍ୟାଣ୍ଡିଡିଆସିସ୍ କ’ଣ ଓ ଏହାର ଲକ୍ଷଣ (What is Candidiasis and its symptoms in Odia)

ସୁସ୍ଥ ମଣିଷ ଶରୀରରେ କ୍ୟାଣ୍ଡିଡା କବକ ଚର୍ମ, ମୁଖ ଏବଂ ଅନ୍ତନଳୀରେ ଥାଏ। ଏହାର ସଂକ୍ରମଣ ଶିଶୁ, ବୃଦ୍ଧ ଏବଂ ମହିଳାମାନଙ୍କଠାରେ ଅଧିକ ଦେଖାଦିଏ।

ଗର୍ଭନିରୋଧକ ବଟିକା, ହରମୋନ୍‌ ରିପ୍ଲେସ୍‌ମେଣ୍ଟ ଥେରାପି, ବନ୍ଧ୍ୟାକରଣ ଚିକିତ୍ସା ଦ୍ୱାରା ଏହି ସଂକ୍ରମଣର ସମ୍ଭାବନା ବଢ଼ିଥାଏ। ଏହି ଫଙ୍ଗସ୍‌ ଚର୍ମ, ନଖ, ପାଟି, ଗଳା, ଅନ୍ତନଳୀର ଉପର ଭାଗ ଇସୋଫାଗସ୍‌, ଯୌନାଙ୍ଗକୁ ପ୍ରଭାବିତ କରିଥାଏ। କେତେକ କ୍ଷେତ୍ରରେ ପାକସ୍ଥଳୀ, ଅନ୍ତନଳୀ, ମୂତ୍ରନଳୀ ଏବଂ ଶ୍ୱାସକ୍ରିୟାକୁ ସଂକ୍ରମିତ କରିପାରେ।

କ୍ୟାଣ୍ଡିଡିଆସିସ୍ ସଂକ୍ରମଣ କଲେ କେତେକ ଲକ୍ଷଣ ପ୍ରକାଶ ପାଇଥାଏ, ଯେପରିକି ଜିଭ, ପାଟି ଏବଂ ଗଳାରେ ଉତ୍ତେଜନା, ଧଳା ପ୍ୟାଚ୍‌ ଦେଖାଯିବା, ଇସୋଫାଗସ୍‌ ସଂକ୍ରମିତ ହେଲେ ଗିଳିବାରେ ଅସୁବିଧା, ପେଟ ଦରଜ, ବାନ୍ତି ଆଦି ଦେଖାଦିଏ। ଏଥିସହ ଚର୍ମ କୁଣ୍ଡେଇ ହେବା, ଘା’ ହେବା, ଅନ୍ତନଳୀ ସଂକ୍ରମିତ ହେଲେ ପେଟ କାଟିବା, ପେଟ ଫୁଲିବା, ବାନ୍ତି, ପତଳା ଝାଡ଼ା ହେବା, ମଳଦ୍ୱାର କୁଣ୍ଡେଇ ହେବା, ଗ୍ୟାଷ୍ଟ୍ରିକ୍‌ ଅଲସର ଦେଖାଦିଏ।

ଆସ୍ପର୍ଗିଲୋସିସ୍ କ’ଣ ଓ ଏହାର ଲକ୍ଷଣ (What is Aspergillosis and its symptoms in Odia)

ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ, ଫୁସ୍‌ଫୁସ୍‌ ରୋଗ, ଫୁସ୍‌ଫୁସ୍‌ରେ ଯକ୍ଷ୍ମା, ଏମ୍ପିସେମା ଆଦିରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଫଙ୍ଗାଲ ସ୍ପୋର ନିଶ୍ଵାସ ବାଟେ ଶରୀରରେ ପ୍ରବେଶ କରେ। କମ୍ପୋଷ୍ଟ, ଗଦା, ଗଚ୍ଛିତ ଶସ୍ୟ, ଅପରିଷ୍କାର ଜଳ, ପଚିଯାଉଥିବା ଫଳ ଓ ଫୁଲ ଏବଂ ପନିପରିବାରେ ଏହି ଫଙ୍ଗସ୍‌ ଉପସ୍ଥିତ ଥାଏ।

ଆସ୍ପର୍ଗିଲୋସିସ୍ ସଂକ୍ରମିତ ହେଲେ ଜ୍ଵର, କାଶ, କଫ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ, ଥକ୍କାପଣ, ଓଜନ କମିଯିବା ଭଳି ଲକ୍ଷଣ ଦେଖାଦିଏ।

ଏହି ଫଙ୍ଗସ୍‌ ସାଇନସ୍‌କୁ ସଂକ୍ରମିତ ହେଲେ ନାକ, ମୁଣ୍ଡ ବ୍ୟଥା, ମୁଖ ଏବଂ ଆଖିରେ ଯନ୍ତ୍ରଣା ହୋଇଥାଏ।

ଅଧିକ ପଢ଼ନ୍ତୁ: କେଉଁମାନଙ୍କୁ ହୋଇପାରେ ବ୍ଲାକ୍‌ ଫଙ୍ଗସ୍‌?

ହ୍ଵାଇଟ୍ ଫଙ୍ଗସ୍‌ର ଚିକିତ୍ସା (Treatment of white fungus in Odia)

କ୍ୟାଣ୍ଡିଡିଆସିସ୍ – କ୍ଲୋଟ୍ରିମାଜୋଲ, ନିଷ୍ଟାଟିନ୍‌, ଫ୍ଲକୋନାଜୋଲ, ଭୋରିକୋନାଜୋଲ ପରି ଆଣ୍ଟିଫଙ୍ଗାଲ ବଟିକା ରୂପେ ଦିଆଯାଏ। ଶରୀରରେ ବ୍ୟାପକ ରୂପେ ସଂପ୍ରସାରିତ ହୋଇଥିବା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଧମନୀ ଦ୍ୱାରା ଆମ୍ପୋଟେରିସିନ୍‌-ବି, କ୍ୟାପସୋଫୁଙ୍ଗିନ୍‌ ଆବଶ୍ୟକ ହୋଇଥାଏ।

ଆସ୍ପର୍ଗିଲୋସିସ୍ – ଏହି କ୍ଷେତ୍ରରେ ସାଧାରଣତଃ ଚିକିତ୍ସା ଆବଶ୍ୟକତା ନ ଥାଏ। ଏଥିପାଇଁ ଆଣ୍ଟି ଫଙ୍ଗାଲ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ। ଆଲର୍ଜି ଜନିତ ଫୁସ୍‌ଫୁସ୍‌ ସମସ୍ୟା ଦେଖାଦେଲେ ଷ୍ଟିରୋଏଡ୍‌ ବ୍ୟବହାର କରାଯାଏ। ଗୁରୁତର ଧରଣର ଫୁସ୍‌ଫୁସ୍‌ ସମସ୍ୟା ଦେଖାଦେଲେ ଭୋରିକୋନାଜୋଲ ଅଥବା ଆମ୍ପୋଟେରିସିନ୍‌-ବି ବ୍ୟବହାର ସହ କିଡ୍‌ନି ତଥା ଲିଭର ପରୀକ୍ଷା ନିୟମିତ ରୂପେ କରାଯାଏ। ଫଙ୍ଗାଲ ବଲ୍‌ ହଟାଇବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଏ। ଫୁସ୍‌ଫୁସ୍‌ରୁ  ରକ୍ତସ୍ରାବ କମାଇବା ପାଇଁ ବେଳେ ବେଳେ ରେଡିଓଲୋଜିଷ୍ଟଙ୍କ ତତ୍ତ୍ୱାବଧାନରେ ଏମ୍ବୋଲାଇଜେସନ୍‌ ଚିକିତ୍ସା ମଧ୍ୟ କରାଯାଏ।

ହ୍ୱାଇଟ୍ ଫଙ୍ଗସ୍‌ରୁ ସତର୍କ ରହିବେ କିପରି? (How to be careful of white fungus in Odia)

ରକ୍ତ ଶର୍କରା ନିୟନ୍ତ୍ରଣ ରଖନ୍ତୁ। ବିନା ଡାକ୍ତରଙ୍କ ପରାମର୍ଶରେ ଷ୍ଟିରୋଏଡ୍‌ ଓ ଆଣ୍ଟିବାୟୋଟିକ୍‌ ବ୍ୟବହାର କରନ୍ତୁ ନାହିଁ। ଅମ୍ଳଜାନ ଚିକିତ୍ସାରେ ବ୍ୟବହୃତ ଜଳକୁ ପରିବର୍ତ୍ତନ କରନ୍ତୁ। ଚାଷ ଜମି, କମ୍ପୋଷ୍ଟ, ମାଟି କାର୍ଯ୍ୟ କରିବା ବେଳେ ମାସ୍କ, ଫେସ୍‌ ସିଲ୍‌ଡ, ଗ୍ଲୋଭସ୍‌ ବ୍ୟବହାର କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁନୀଲ କୁମାର କୋଟାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on White Fungus, in Odia language, is based on an extensive interview with Endocrinologist Dr Sunil Kumar Kota.