ଟେରାପଣ କ’ଣ? ଏହା କାହିଁକି ହୋଇଥାଏ? ଆଖିରେ ଟେରାପଣ ହେଲେ କେଉଁ କେଉଁ ସମସ୍ୟା ହୋଇପାରେ ଏବଂ ଏହାର ଚିକିତ୍ସା ସମ୍ଭବ କି? ଏନେଇ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମିହିର କୁମାର ବଳ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଟେରାପଣ, ଯାହାକୁ ଇଂରାଜୀରେ ସ୍କୁଇଣ୍ଟ (Squint) କୁହାଯାଏ ଓ ମେଡିକାଲ ଭାଷାରେ ଷ୍ଟ୍ରାବିସ୍‌ମସ୍‌ (Strabismus) କହିଥାଉ। ଟେରାପଣକୁ ଲୋକେ ଜନ୍ମଗତ ତ୍ରୁଟି ଭାବି ଏହାର ଚିକିତ୍ସା ଅସମ୍ଭବ ବୋଲି ଭାବିଥା’ନ୍ତ, ଫଳରେ ଏହାର ଚିକିତ୍ସା କରାଇନଥା’ନ୍ତି।

ଟେରାପଣକୁ ନେଇ ଲୋକଙ୍କ ମନରେ ଅନେକ ଅନ୍ଧବିଶ୍ୱାସ ମଧ୍ୟ ରହିଛି। ଯେପରିକି ଗର୍ଭାବସ୍ଥାରେ ମହିଳା ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ଦେଖିଦେଇଥିଲେ ଜନ୍ମିତ ଶିଶୁର ଆଖି ଟେରା ହୋଇଯାଏ। ମାତ୍ର ଏସବୁ ସମ୍ପୂର୍ଣ୍ଣ ଭୁଲ ଧାରଣା।

ଟେରାପଣ କାହିଁକି ହୋଇଥାଏ? (What is Crossed Eyes (Strabismus) in Odia)

ଦୁଇ ଆଖିରେ ୬ଟି ମାଂସପେଶୀ ରହିଛି, ଯେଉଁମାନେ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି ସନ୍ତୁଳିତ ଉପାୟରେ ଉପରକୁ, ତଳକୁ, ବାମ ଓ ଡାହାଣ ଆଡ଼କୁ ନିୟନ୍ତ୍ରଣ ହୋଇଥାଆନ୍ତି। ଯେତେବେଳେ ଏମାନଙ୍କ ଭିତରେ ସନ୍ତୁଳନର ଅଭାବ ଦେଖାଯାଏ, ସେତେବେଳେ ଗୋଟେ ପଟ ଆଖିର ଡୋଳା ସିଧା ଥିବା ବେଳେ ଆଉ ଗୋଟେ ଆଖିର ଡୋଳା ଅନ୍ୟ ଆଡ଼କୁ ଥାଏ, ଯାହାକୁ ଟେରାପଣ ବୋଲି କୁହାଯାଏ।

ଅଧିକ ପଢ଼ନ୍ତୁ: ସବୁ ବୟସରେ ଆଖିର ଯତ୍ନ କିପରି ନେବେ?

ଜନ୍ମରୁ ପିଲାଙ୍କର ଟେରାପଣ ହୋଇଥାଏ କାହିଁକି? (Cross-eyed baby from birth in Odia)

ପ୍ରାୟ ୭୦ରୁ ୮୦ ଭାଗ ପିଲାଙ୍କର ଜନ୍ମରୁ ଟେରାପଣ ସମସ୍ୟା ଥାଏ, ଯାହାକି ଧୀରେ ଧୀରେ କମିଯାଏ। କେତେକ କ୍ଷେତ୍ରରେ ଆଖିର ଟେରାପଣ ସବୁବେଳେ ଦେଖାଯାଏ ନାହିଁ, ଏହା ବେଳେ ବେଳେ ଦେଖାଯାଇପାରେ ଓ ବେଳେବେଳେ ନ ଦେଖାଯାଇପାରେ। ଏହାକୁ ଇଣ୍ଟରମିଟେଣ୍ଟ ସ୍କୁଇଣ୍ଟ କୁହାଯାଏ।

ବେଳେବେଳେ ପିଲାଟିକୁ ହାଲିଆ ଲାଗୁଥିଲେ ବା ନିଦ ଲାଗୁଥିଲେ ଆଖିର ମାଂସପେଶୀ ଠିକ୍‌ ଭାବରେ କାମ କରେ ନାହିଁ, ଫଳରେ ଟେରାପଣ ଜଣାପଡ଼ିଥାଏ।

ଏହାଛଡ଼ା ଆଖିର ସ୍ନାୟୁରେ ସମସ୍ୟା ହେଲେ ମଧ୍ୟ ଟେରାପଣ ହୋଇପାରେ। ପ୍ରସବ ବେଳେ ଅତ୍ୟଧିକ ଯନ୍ତ୍ରଣା ହେଲେ ଶିଶୁର ଆଖିର ମାଂସପେଶୀ ପ୍ରଭାବିତ ହୋଇଥାଏ, ଫଳରେ ଟେରାପଣ ହୋଇପାରେ।

କେତେକ କ୍ୟାନ୍‌ସରଜନିତ ଟ୍ୟୁମର ଆଖି ଭିତରେ ହୋଇଥିଲେ, ଆଖିରେ ଟେରାପଣ ହୋଇପାରେ।

ଟେରାପଣର ପ୍ରକାର (Types of Crossed Eyes in Odia)

ଇସୋଟ୍ରୋପିଆ (Esotropia) : ଯେତେବେଳେ ଆଖିର ଡୋଳା ଭିତର ଆଡ଼କୁ ବା ନାକ ଆଡ଼କୁ ଥାଏ। ଏହାର ଚିକିତ୍ସା ହୋଇନପାରିଲେ ଦୃଷ୍ଟି ଶକ୍ତି କମିଯିବାର ଆଶଙ୍କା ଥାଏ। ଏଭଳି ଟେରାପଣ ହେଲେ ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ।

ଏକ୍ସୋଟ୍ରୋପିଆ (Exotropia): ଯେତେବେଳେ ଆଖିର ଡୋଳା ଦୁଇଟି ବାହାର ଆଡ଼କୁ ଥାଏ।

ଅଧିକ ପଢ଼ନ୍ତୁ: କେମିତି ନେବେ ଆଖିର ଯତ୍ନ?

ଟେରାପଣର ଚିକିତ୍ସା ସମ୍ଭବ କି? (Is Strabismus treatment possible in Odia)

ଟେରାପଣ ଚିକିତ୍ସା ସମ୍ଭବ, କିନ୍ତୁ ଯେତେ ଶୀଘ୍ର କରିପାରିବେ ସେତେ ଭଲ।

ଚିକିତ୍ସା କରିବା ପୂର୍ବରୁ ଦେଖାଯାଏ ଯେ, ଆଖି କେତେ ମାତ୍ରାରେ ଟେରା ରହିଛି। ଯଦି ଆଖିର ମାଂସପେଶୀ ଦୁର୍ବଳ ଅଛି, ତେବେ କେତେକ ଏକ୍ସରସାଇଜ ଦ୍ୱାରା ଆଖିର ମାଂସପେଶୀକୁ କାର୍ଯ୍ୟକ୍ଷମ କରାଯାଏ।

ଯଦି ଦୃଷ୍ଟି ସମସ୍ୟା ଅଛି, ତା’ହେଲେ ସେହି ଅନୁସାରେ ଚଷମା ଦିଆଯାଏ।

ଟେରାପଣର ମାତ୍ରା କେତେ ଅଛି, ତାହା ମପାଯାଏ, କେତେମାତ୍ରାରେ ଦୃଷ୍ଟିଶକ୍ତି କମିଛି, ସେହି ଅନୁସାରେ ଚଷମା ଦିଆଯାଏ ଓ ଅସ୍ତ୍ରୋପ୍ରଚାରର ଆବଶ୍ୟକତା ପଡ଼ିଲେ ତାହା ମଧ୍ୟ କରାଯାଏ।

ଟେରାପଣର ଚିକିତ୍ସା ଯେତେ ଶୀଘ୍ର ଆରମ୍ଭ ହୋଇଯାଇପାରିବ, ତାହା ସଫଳ ହୋଇପାରିବ। ତେଣୁ ୭ ବର୍ଷ ପୂର୍ବରୁ ଟେରାପଣର ଚିକିତ୍ସା କରାଇ ନିଅନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମିହିର କୁମାର ବଳଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Squint or Crossed Eyes, in Odia language, is based on an extensive interview with Ophthalmologist Dr Mihir Kumar Bal.