ଡାକ୍ତର ସତ୍ୟକାମ ମହାପାତ୍ର

ଅଟିଜିମ୍‌ ହେଉଛି ଏକ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ରୋଗ (childhood developmental disorder), ଯାହା ସାଧାରଣତଃ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ। ଏହି ରୋଗରେ ପିଲାଠାରେ ତିନୋଟି ମୁଖ୍ୟ ଲକ୍ଷଣ ଦେଖା ଦେଇଥାଏ।    

  • ପ୍ରଥମଟି ହେଲା poor social communication ଅର୍ଥାତ ଶିଶୁର ଅନ୍ୟମାନଙ୍କ ସହିତ ସାମାଜିକ ସମ୍ପର୍କ ସ୍ଥାପନ  ଓ ଭାବର ଆଦାନ ପ୍ରଦାନରେ ଅସୁବିଧା ହୋଇଥାଏ।
  • Restricted & repetitive behaviour- ପିଲା କେତେକ ନିର୍ଦ୍ଧିଷ୍ଟ ବ୍ୟବହାରକୁ ବାରମ୍ବାର ଯାଇଥାଏ।
  • Poor language development- ପିଲାର ଭାଷାର ବିକାଶରେ ଅସୁବିଧା ଦେଖାଦେଇଥାଏ।

ଆମ ଦେଶରେ ପ୍ରାୟ ୫୦ ଲକ୍ଷ ପିଲା ଏହି ରୋଗ ଦ୍ଵାରା ପ୍ରଭାବିତ। ଜାତୀୟ ମାନସିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ (୨୦୧୫-୨୦୧୬)ର ରିପୋର୍ଟ ଅନୁସାରେ ପ୍ରତି ଶହେ ଜଣ ପିଲାମାନଙ୍କ ମଧ୍ୟରୁ ୧.୬ ପ୍ରତିଶତ ଶିଶୁ ଅଟିଜିମ୍‌ ରୋଗ ଦ୍ଵାରା ଆକ୍ରାନ୍ତ। ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତରେ ଅଟିଜିମ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କଠାରେ ଏହି ରୋଗ ୫ ଗୁଣ ଅଧିକ ଦେଖା ଯାଇଥାଏ। ଭାରତରେ ଅଟିଜିମ୍‌ ରୋଗର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ସଚେତନତାର ଘୋର ଅଭାବ ରହିଛି। ଯାହା ଫଳରେ ସଠିକ ସମୟରେ ଏହି ରୋଗର ଲକ୍ଷଣକୁ ଚିହ୍ନି ଉପଯୁକ୍ତ ଚିକିତ୍ସା ପ୍ରଦାନ କରା ଯାଇ ପାରୁ ନାହିଁ।

Lego boy

କେମିତି ଚିହ୍ନିବା ଅଟିଜିମ୍‌ ରୋଗର ଲକ୍ଷଣ ?

ଅଟିଜିମ୍‌ ରୋଗରେ ଶିଶୁ  ଅନ୍ୟମାନଙ୍କ ସହିତ ସାମାଜିକ ସମ୍ପର୍କ ସ୍ଥାପନ କରିବାରେ ଅସୁବିଧାର ସମ୍ମୁଖୀନ  ହୋଇ ଥାଏ।

  • ଏକ ବର୍ଷ ବୟସ ସୁଦ୍ଧା ଏହି ଶିଶୁମାନଙ୍କୁ ନିଜ ନା ଧରି ଡାକିଲେ ସେମାନେ ଜାଣିପାରନ୍ତି ନାହିଁ।
  • ନିଜ ଆଖପାଖ ଲୋକଙ୍କ ସହିତ ମିଳାମିଶା କରନ୍ତି ନାହିଁ ଓ କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରି ପାରନ୍ତି ନାହିଁ।
  • ୧ରୁ ୩ ବର୍ଷ ବୟସ୍କ ଶିଶୁମାନେ ଅନ୍ୟମାନଙ୍କ ନକଲ କରିପାରନ୍ତି ନାହିଁ,
  • ସବୁବେଳେ ଏକୁଟିଆ କେତେକ ନିର୍ଦ୍ଧିଷ୍ଟ ଖେଳ ହିଁ ଖେଳନ୍ତି।
  • ସେମାନେ ଅନ୍ୟମାନଙ୍କ ଆଖିରେ ଆଖି ମିଳାଇ ପାରନ୍ତି ନାହିଁ। ଅନ୍ୟର ମନର ଭାବନା ଓ ସ୍ନେହକୁ ଠିକ୍‌ ଭାବେ ବୁଝି ପାରନ୍ତି ନାହିଁ।
  • ନିଜର ପାରିପାର୍ଶ୍ଵିକ ଅବସ୍ଥା ପ୍ରତି କମ୍‌ ସମ୍ବେଦନଶୀଳ ରହିଥା’ନ୍ତି।

ଅଟିଜିମ୍‌ ରୋଗରେ ଆକ୍ରାନ୍ତ ପିଲାର ଭାଷାର ବିକାଶରେ ଅସୁବିଧା ହୋଇ ଥାଏ। ସେମାନଙ୍କର ଭାଷାର ବିକାଶ ବିଳମ୍ବ ହୋଇ ପାରେ କିମ୍ବା ଭାଷା ଅସ୍ଵାଭାବିକ ହୋଇ ପାରେ। କଥା ବାର୍ତ୍ତା କଲାବେଳେ ସେମାନେ ବିଭିନ୍ନ ଶବ୍ଦର ସଠିକ ଭାବରେ ବ୍ୟବହାର କରିପାରନ୍ତି ନାହିଁ।

ଏହି ରୋଗରେ ପିଲାମାନେ କେତେକ ନିର୍ଦ୍ଧିଷ୍ଟ ବ୍ୟବହାରକୁ ବାରମ୍ବାର କରିଥା’ନ୍ତି। ଯେମିତିକି ଆଗକୁ ପଛକୁ ଦୋହଲିବା, ଆଖି ଆଗରେ ଆଙ୍ଗୁଠି ମୋଡ଼ିବା, ଗୋଲ ଗୋଲ ହୋଇ ଘୁରିବା, କେତେକ ନିର୍ଦ୍ଧିଷ୍ଟ ଶବ୍ଦକୁ ବାରମ୍ବାର କହିବା ଆଦି।

ଅଟିଜିମ୍‌ ରୋଗରେ ପିଲାମାନଙ୍କ ଖେଳିବାର ଶୈଳୀରେ ମଧ୍ୟ ଅସ୍ଵାଭାବିକତା ଦେଖା ଯାଇଥାଏ। ସେମାନେ ସାଧାରଣ ଭାବରେ ବ୍ୟବହାର ହେଉ ଥିବା ଖେଳଣା ସହିତ ଖେଳି ନ ଥାନ୍ତି। ଘରକରଣା ଜିନିଷ ଯଥା ସାବୁନ, ଦଉଡ଼ି ଓ ମଗ୍‌ ଆଦି ସହିତ ଖେଳିବାକୁ ବେଶୀ ପସନ୍ଦ କରିଥା’ନ୍ତି। ଅନ୍ୟ ପିଲାମାନଙ୍କ ସହିତ ନ ଖେଳି ସବୁବେଳେ ଏକୁଟିଆ ଖେଳିଥା’ନ୍ତି।  

ଏହି ରୋଗରେ ପିଲାମାନେ କୌଣସି ଉଚ୍ଚ ଶବ୍ଦ କିମ୍ବା  ଅତି ଉଜ୍ଵଳ ଆଲୋକ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥା’ନ୍ତି ଏବଂ ଏସବୁ ପ୍ରତି ଅସ୍ଵାଭାବିକ ପ୍ରତିକ୍ରିୟା ପ୍ରକାଶ କରନ୍ତି।

ଏହି ପିଲାମାନେ ନିଜ ମନର ଆବେଗକୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ, ଯାହା ଫଳରେ ସେମାନେ ବିନା କାରଣରେ ହସନ୍ତି, କାନ୍ଦନ୍ତି ଏବଂ ରାଗନ୍ତି। କେତେକ ପିଲା ନିଜକୁ କ୍ଷତି କଲା ଭଳି ବ୍ୟବହାର ଯଥା ନିଜକୁ କାମୁଡ଼ିବା, ମୁଣ୍ଡ ବାଡ଼େଇବା, ଚୁଟି ଟାଣିବା ଆଦି ବାରମ୍ବାର କରିଥା’ନ୍ତି।

ଅଟିଜିମ୍‌ ରୋଗର ପ୍ରାକ ସୂଚନା: ଯାହା କି ମନରେ ଅଟିଜିମ୍‌ ରୋଗର ସନ୍ଦେହ ସୃଷ୍ଟି କରେ

୧) ୧୨ ମାସ ବୟସ ସୁଦ୍ଧା ପିଲା କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରି ନ ପାରିବା।

୨) ୧୨ ମାସ ବୟସ ସୁଦ୍ଧା ପିଲା କୌଣସି ଜିନିଷକୁ ଆଙ୍ଗୁଠି ଦେଖାଇ ନ ପାରିବା କିମ୍ବା କୌଣସି ଅଙ୍ଗଭଙ୍ଗୀ ଦେଖାଇ ନ ପାରିବା।

୩) ୧୬ ମାସ ବୟସ ସୁଦ୍ଧା ଗୋଟିକିଆ ଶବ୍ଦ କହି ନ ପାରିବା ।

୪)  ୨୪  ମାସ ବୟସ ସୁଦ୍ଧା ଆପେ ଆପେ ଦୁଇ ଶବ୍ଦ ବିଶିଷ୍ଟ ବାକ୍ୟ କହି ନ ପାରିବା।

ଅଟିଜିମ୍‌ ରୋଗରେ ଆକ୍ରାନ୍ତ ପିଲାମାନଙ୍କଠାରେ ନାନା ପ୍ରକାରର ଶାରୀରିକ ସମସ୍ୟା ଯଥା ଅପସ୍ମାର ବାତ ରୋଗ, ବିଭିନ୍ନ ପେଟ ଜନିତ ସମସ୍ୟା ( ବାରମ୍ବାର ବଦହଜମି ହେବା, ତରଳ ଝାଡ଼ା ହେବା, କୋଷ୍ଠକାଠିନ୍ୟ ହେବା, ବାରମ୍ବାର ପେଟ କାଟିବା, ବାନ୍ତି ହେବା) ଏବଂ କେତେକ ନିର୍ଦ୍ଧିଷ୍ଟ ଜିନଗତ ରୋଗ ଆଦି ଦେଖା ଯାଇଥାଏ।

ଏଥିସହିତ ଅନ୍ୟ କେତେକ ମାନସିକ ସମସ୍ୟା ଯଥା ଚଞ୍ଚଳାମି ରୋଗ (ଏଡିଏଚଡି), ମାନସିକ ଉଦବେଗ ରୋଗ, ଅବସାଦ ରୋଗ ଓ ନିଦ୍ରାହୀନତା ଆଦି ମଧ୍ୟ ଦେଖା ଯାଇ ଥାଏ। ଏହି ରୋଗରେ ଅନେକ ପିଲାଙ୍କର ବୁଦ୍ଧିର ସଠିକ୍‌ ବିକାଶ ହୋଇ ନ ଥାଏ।

କାରଣ

ଅଟିଜିମ୍‌ ରୋଗର କୌଣସି ଏକ ନିର୍ଦ୍ଧିଷ୍ଟ କାରଣ ନାହିଁ।

ଜିନ୍‌ଗତ ଓ ପାରିପାର୍ଶ୍ଵିକ କାରଣଗୁଡ଼ିକ ଯୋଗୁଁ ଏହି ରୋଗ ଆରମ୍ଭ ହୋଇ ପାରେ।

 ଗର୍ଭଧାରଣ ସମୟରେ ମାତା ପିତାଙ୍କର ବୟସ ଅଧିକ ହୋଇ ଥିଲେ, ଗର୍ଭଧାରଣ ସମୟରେ ମାଆର ଶାରୀରିକ ଅସୁସ୍ଥତା, ନିର୍ଦ୍ଧାରିତ ସମୟ ପୂର୍ବରୁ ପିଲାର ଜନ୍ମ, ଜନ୍ମ ସମୟରେ ପିଲାର ଓଜନ କମ ହେବା ଓ  ଜନ୍ମ ପରେ ପିଲା ଡେରିରେ କାନ୍ଦିବା ଆଦି କାରଣଗୁଡ଼ିକ ଯୋଗୁଁ ଅଟିଜିମ୍‌ ରୋଗ ହୋଇ ପାରେ। କୌଣସି ଏକ ନିର୍ଦ୍ଧିଷ୍ଟ କାରଣ ଯୋଗୁଁ ଅଟିଜିମ୍‌ ରୋଗ ହୋଇ ନ ଥାଏ। ଏକାଧିକ କାରଣ ମିଶିଗଲେ ଅଟିଜିମ୍‌ ରୋଗ ହୋଇଥାଏ।

ଚିକିତ୍ସା

ଅଟିଜିମ୍‌ ରୋଗର ଚିକିତ୍ସା କରିବା ନିମନ୍ତେ କୌଣସି ଏକ ନିର୍ଦ୍ଧିଷ୍ଟ ଔଷଧ ନାହିଁ।

ପ୍ରାରମ୍ଭିକ ଅବସ୍ଥାରେ ଅଟିଜିମ୍‌ ରୋଗର ଲକ୍ଷଣକୁ ଚିହ୍ନି ଡାକ୍ତରଙ୍କୁ  ପରାମର୍ଶ କରିବା ଉଚିତ।

ଏଥି ନିମନ୍ତେ ମୁଖ୍ୟତଃ ବିଭିନ୍ନ ବ୍ୟବହାରିକ ଚିକିତ୍ସା ପଦ୍ଧତି – ସେନସୋରୀ ଇଣ୍ଟିଗ୍ରେସନ ଥେରାପି ବା SIT ସବୁଠାରୁ ଅଧିକ ଜରୁରୀ। ଏଥିପାଇଁ  regularly SITର Sessions କରିବାକୁ ପଡ଼ିଥାଏ। ଏହାଦ୍ୱାରା ପିଲାର communication skills ବଢ଼ିଥାଏ। ପିଲାର eye to eye contact ବଢ଼ିଥାଏ।

ଭାଷାର ବିକାଶ ନିମନ୍ତେ ସ୍ପିଚ ଥେରାପି କରିବାକୁ ପଡ଼ିଥାଏ।

ପିଲାର ବ୍ୟବହାରିକ ସମସ୍ୟା ଯେମିତିକି ଚଞ୍ଚଳାମି, ରାଗିବା, ଚିଡ଼ି ଚିଡ଼ା ଆଦିକୁ କମ କରିବା ପାଇଁ ଔଷଧ ବ୍ୟବହାର କରା ଯାଇଥାଏ। ଆଜିକାଲି ବ୍ୟବହାର କରାଯାଉଥିବା ଔଷଧଗୁଡ଼ିକ ସଂପୂର୍ଣ୍ଣ ସୁରକ୍ଷିତ ଓ ଏହାର କୌଣସି side effect ନାହିଁ। ଅଭିଭାବକମାନେ ନ ଡରି ଉଚିତ ଚିକିତ୍ସା କରିବା ଜରୁରୀ।

ଅଟିଜିମ୍‌ ସହିତ ଦେଖା ଯାଉଥିବା ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାର ମଧ୍ୟ ଉପଯୁକ୍ତ ଚିକିତ୍ସା ଜରୁରୀ ଅଟେ। 

ଅଟିଜିମ୍‌ ରୋଗର ଚିକିତ୍ସା ପାଇଁ ଏକ team work ଦରକାର ପଡ଼ିଥାଏ। psychiatrist, occupational therapist, speech therapist ଙ୍କ ମିଳିତ ଉଦ୍ୟମ ଦରକାର ପଡ଼ିଥାଏ।

ଅଭିଭାବକମାନେ ଡାକ୍ତରଙ୍କଠାରୁ ସମସ୍ତ ବ୍ୟବହାରିକ ଚିକିତ୍ସା ପଦ୍ଧତିଗୁଡ଼ିକୁ ସଠିକ ରୂପରେ ଜାଣି ରଖିବା ଉଚିତ।  ପିଲା ସହିତ ଏହି ଚିକିତ୍ସା ପଦ୍ଧତି ଅନୁସାରେ ବ୍ୟବହାର କଲେ ତା’ର ସାମାଜିକ ଓ ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇଥାଏ। ତା’ର ଭାଷାରେ ମଧ୍ୟ ଧୀରେ ଧୀରେ ବିକାଶ ଘଟି ଥାଏ।

ସରକାରଙ୍କ ତରଫରୁ ଅଟିଜିମ୍‌ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରା ଯାଉଛି। ଯାହା ଫଳରେ ସେମାନେ ଅନେକ ସୁବିଧା ଓ ସୁଯୋଗ ପାଇ ପାରୁଛନ୍ତି।

ଅଟିଜିମ୍‌ ପିଲାଙ୍କର ସ୍ଵତନ୍ତ୍ର ଯତ୍ନ ନିଅନ୍ତୁ। ସେମାନଙ୍କୁ ଯଥେଷ୍ଟ ସମୟ ଦିଅନ୍ତୁ। ସେମାନଙ୍କୁ ଅବହେଳା କରନ୍ତୁ ନାହିଁ।

ସାଧାରଣତଃ ଅଟିଜିମ୍‌ ରୋଗର ଚିକିତ୍ସା ଦୀର୍ଘ ଦିନ ଧରି ଚାଲି ଥାଏ। ଅଭିଭାବକମାନେ ଧୈର୍ଯ୍ୟର ସହିତ ପିଲାର ଚିକିତ୍ସା କରାଇଲେ ଧୀରେ ଧୀରେ ପିଲାର ବ୍ୟବହାରରେ ଉନ୍ନତି ଦେଖା ଯାଇଥାଏ।

Early detection and proper treatment is very essential.