କାନ, ନାକ ଓ ଗଳା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ବିଷୟରେ ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଆମ ଶରୀରରେ କାନ, ନାକ ଏବଂ ଗଳା ପରସ୍ପର ସହିତ ଜଡ଼ିତ। ଏହି ୩ଟି ଅଙ୍ଗରେ ସମସ୍ୟା ଦେଖାଦେଲେ ସମାଧାନ ପାଇଁ ସ୍ୱତନ୍ତ୍ର ବିଭାଗ ରହିଛି, ଯାହାକୁ ଇଏନ୍‌ଟି ବିଭାଗ କୁହାଯାଏ। କାନ ବିନ୍ଧିବା, କାନ ପାଚିବା, ନାକରୁ ରକ୍ତ ପଡ଼ିବା, ତଣ୍ଟି ପଡ଼ିଯିବା ଭଳି ଆମେ ବିଭିନ୍ନ ସମସ୍ୟାରେ ପଡ଼ିଥାଉ। ଏହି ଭିଡିଓରେ ରହିଛି, କାନ ବିନ୍ଧିବା ଓ କାନ ପାଚିବାର କାରଣ ଓ ନିରାକରଣ କାହିଁକି ନାକରୁ ରକ୍ତ ପଡ଼େ? ଗଳା ଦରଜ ଓ ତଣ୍ଟି ପଡ଼ିଯିବାର ନିରାକରଣ

କାନ ସମସ୍ୟା (Ear Problems in Odia)

କାନ ସମ୍ବନ୍ଧୀୟ ସାଧାରଣ ସମସ୍ୟା ହେଉଛି କାନ ବିନ୍ଧିବା ଏବଂ କାନ ପାଚିବା। ଛୋଟ ଛୁଆଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କଠାରେ କାନ ବିନ୍ଧା ସମସ୍ୟା ଦେଖାଯାଏ। ଛୋଟ ଛୁଆ ଶୋଇଥିବା ବେଳେ ସେମାନଙ୍କ ପାଟିରୁ ବେଳେ ବେଳେ ବାନ୍ତି ବାହାରିଯାଏ ଓ ଏହା କାନ ଭିତରେ ବି ପସିଯାଏ। ଏଭଳି କ୍ଷେତ୍ରରେ ପିଲାଙ୍କର କାନରେ ଫଙ୍ଗସ୍‌ ହୋଇଯାଇ କାନ ପାଚିଥାଏ। ଏହାଛଡ଼ା ଥଣ୍ଡା ରୋଗ ହେଲେ କାନ ପରଦା ଫାଟିବାର ଆଶଙ୍କା ଥାଏ। ଏହାର କେବଳ ଅପରେସନ ଦ୍ୱାରା ଚିକିତ୍ସା କରାଯାଏ। ବୟସ ହେଲେ କିଛି ଲୋକଙ୍କୁ କମ୍‌ ଶୁଭିଥାଏ। ଫଳରେ ବୟସ୍କମାନଙ୍କୁ ଡାକ୍ତରମାନେ ଶୁଣିବା ଯନ୍ତ୍ର ଦେଇଥାଆନ୍ତି।

କାନ ବିନ୍ଧା ଅନେକ ଜିନିଷ ଉପରେ ନିର୍ଭର କରିଥାଏ। ଆମ ଶରୀରର ୫ଟି ସ୍ଥାନର ସ୍ନାୟୁ କାନ ସହିତ ଜଡ଼ିତ। ଏହାକୁ 5T ବୋଲି କୁହାଯାଏ। ଟୁଥ୍ (ଦାନ୍ତ), ଟଂଗ୍ (ଜିଭ), ଟନ୍‌ସିଲ୍ (ଗଳା), ଟେମ୍ପୋରୋମେଣ୍ଡିବୁଲାର ଜଏଣ୍ଟ୍ (ମୁହଁ ମାଢ଼ିର ଗଣ୍ଠି), ସର୍ଭାଇକାଲ ସ୍ପାଇନ୍ (ମେରୁଦଣ୍ଡ)। ଏସମସ୍ତ ସ୍ଥାନରେ କିଛି ବି ଯନ୍ତ୍ରଣା ହେଲେ କାନ ବିନ୍ଧା ହୋଇଥାଏ। ଆମର ଦାନ୍ତ ବିନ୍ଧା ହେଲେ, ଗଳା ଦରଜ ହେଲେ, ଜିଭରେ ତୁଣ୍ଡଘା’ ହେଲେ ମଧ୍ୟ କାନ ବିନ୍ଧା ହୋଇଥାଏ।

କାନ ଭିତରେ ବିଭିନ୍ନ କାରଣରୁ ସଂକ୍ରମଣ ହେଲେ ଏଥିରୁ ପାଣି ବାହାରିଥାଏ। ସାଧାରଣରେ ଏହାକୁ ଆମେ କାନ ପାଚିବା ବୋଲି କହିଥାଉ। କାନର ପରଦା ଫାଟିଲେ ଏବଂ ହାଡ଼ ଖାଇଗଲେ କାନରୁ ପାଣି ବାହାରିଥାଏ। ଯଦି କାନରୁ ବେଶି ପାଣି ବାହାରୁଛି ତେବେ କୌଣସି ଅସୁବିଧା ନାହିଁ। କିନ୍ତୁ କାନରୁ ଦୁର୍ଗନ୍ଧ ପାଣି ବାହାରିଲେ ଡାକ୍ତରଙ୍କୁ ତୁରନ୍ତ ଦେଖାନ୍ତୁ।

EAR PROBLEM

କାନ ପାଇଁ ଘରୋଇ ଉପଚାର କେତେ ଭଲ?

ଆମ ଶରୀରରେ କାନ, ନାକ ଓ ଗଳା ପରସ୍ପର ସହିତ ସଂଯୁକ୍ତ ଥା’ନ୍ତି। ତେଣୁ ତଣ୍ଟିରେ ବା ନାକରେ ଥଣ୍ଡା ରହିବା ଫଳରେ କାନରେ ଏହାର ପ୍ରଭାବ ପଡ଼ିଥାଏ। ଏଥିପାଇଁ କାନରେ ଲୁଣ ପୋଡ଼ା ସେକ ଦେବା ବହୁତ ଭଲ। କିନ୍ତୁ କାନରେ ଗରମ ତେଲ ପକାନ୍ତୁ ନାହିଁ। କାନରେ ଉଷୁମ ତେଲ ପକାଇଲେ ଏହାର ଅନେକ କୁପ୍ରଭାବ ରହିଛି।

କାନ ସଫା କେମିତି କରିବେ?

କାନକୁ ସଫା କରିବା ପାଇଁ ସଠିକ୍‌ ପ୍ରଣାଳୀ ରହିଛି। କାନକୁ ସଫା କରିବା ପାଇଁ କାଠିରେ ଭଲ ଭାବରେ ତୁଳା ଗୁଡ଼ାଇ କାନ ଭିତର ବାଟରୁ ମଇଳାକୁ ଭଳି ପୋଛି ଆଣିବେ।

ନାକ ସମ୍ବନ୍ଧୀୟ ସମସ୍ୟା (Nose Problems in Odia)

ନାକଜନିତ ସମସ୍ୟା ହେଉଛି ଛିଙ୍କ ହେବା ବା ନାକ ବନ୍ଦ ହେବା। ଥଣ୍ଡା, ଋତୁ ପରିବର୍ତ୍ତନ, ଆଲର୍ଜି, ଧୂଳି, ଗୃହପାଳିତ ପଶୁଙ୍କ ସଂସ୍ପର୍ଶରେ ଆସିଲେ ବାରମ୍ବାର ଛିଙ୍କ ହୋଇପାରେ। ନାକ ହଡ଼ା ବଙ୍କା ଥିଲେ, ଥଣ୍ଡା ହୋଇଥିଲେ କିମ୍ବା ନାକରେ ମାଂସ ବଢ଼ୁଥିଲେ ନାକ ବନ୍ଦ ହୋଇଯାଏ। ଭିନ୍ନ ଭିନ୍ନ ସମସ୍ୟାର ଭିନ୍ନ ଭିନ୍ନ ଚିକତ୍ସା ରହିଛି।

ଯେକୌଣସି ବୟସର ଲୋକଙ୍କ ନାକରୁ ରକ୍ତ ପଡ଼ିଥାଏ। ଛୋଟ ପିଲାମାନେ ନାକକୁ ଉଖାରିଲେ ନାକରୁ ରକ୍ତ ପଡ଼େ। ବୃଦ୍ଧ ବ୍ୟକ୍ତିମାନଙ୍କ ଉଚ୍ଚ ରକ୍ତଚାପ ବା ନାକରେ ମାଂସ ବଢ଼ିବା କାରଣରୁ ନାକରୁ ରକ୍ତ ବାହାରି ଥାଏ।

ଗଳା ସମ୍ବନ୍ଧୀୟ ସମସ୍ୟା (Throat Problems in Odia)

ପ୍ରାୟ ଲୋକଙ୍କର ଗଳା ଦରଜ ହେବା ବା ବସିଯିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଖରାରୁ ଆସି ଥଣ୍ଡା ପାଣି ପିଇଲେ ଗଳା ଦରଜ ହୋଇଥାଏ। ଟନ୍‌ସିଲାଇଟିସ୍‌ ଥିଲେ ଗଳା ଦରଜ ହୁଏ। ଚିକିତ୍ସା କରା ନ ଗଲେ ବୃଦ୍ଧାବସ୍ଥା ଯାଏଁ ଟନ୍‌ସିଲାଇଟିସ୍‌ ରହେ।

ଯଦି ଜଣେ ଛୋଟ ପିଲାର ବର୍ଷରେ ତିନିରୁ ଅଧିକ ଥର ତଣ୍ଟି ବଥା ହୋଇ ଜ୍ୱର ହେଉଛି ଓ ସେ ଖାଦ୍ୟ ଖାଇ ପାରୁ ନାହିଁ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ଟନ୍‌ସିଲାଇଟ୍‌ ସମସ୍ୟା ବୋଲି କହିଥାଉ। ଏହାର ଚିକିତ୍ସା ନ କଲେ ଭବିଷ୍ୟତରେ ଆର୍ଥାଇଟିସ୍‌, ହାର୍ଟକୁ ସଂକ୍ରମଣ କରିପାରେ।

ଗଳାର ସ୍ୱରଯନ୍ତ୍ରରେ ସଂକ୍ରମଣ ହେଲେ ଆମ ତଣ୍ଟି ପଡ଼ିଯାଏ। ସ୍ୱରଯନ୍ତ୍ରରେ ମାଂସ ବଢ଼ିଲେ ତଣ୍ଟି ପଡ଼ିଯାଏ। ଏଭଳି ସମସ୍ୟା ହେଲେ ୨୧ ଦିନ ଯାଏଁ ଉଷୁମ ପାଣିରେ ଗର୍ଗଲିଂ କରିବା ସହ କଥାବାର୍ତ୍ତା କମ୍‌ କରିବେ। ଯଦି ୨୧ ଦିନ ପରେ ବି ସ୍ୱର ଫିଟିଲା ନାହିଁ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଶିକ୍ଷକମାନେ ଉଚ୍ଚ ସ୍ୱରରେ ଅଧିକ ସମୟ ପାଠ ପଢ଼ାଇବା ଓ ଗାୟକମାନେ ଉଚ୍ଚ ସ୍ୱରରେ ଗୀତ ଗାଇବା ଯୋଗୁଁ ସେମାନଙ୍କ ତଣ୍ଟି ପଡ଼ିଯାଏ। ଉଚ୍ଚ ସ୍ୱରରେ ଗୀତ ଗାଇଲେ ସ୍ୱର ଯନ୍ତ୍ର ଫାଟିଯିବାର ଆଶଙ୍କା ଥାଏ। ଏହାର ନିରାକରଣ ପାଇଁ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ଖାଇବେ। ଏହାସହ କଥା କମ୍‌ କହିବେ, ଧୀରେ ଧୀରେ ଓ ଆସ୍ତେ ଆସ୍ତେ କହିବେ। ୧୫ରୁ ୨୦ ଦିନ ଭିତରେ ଭଲ ନ ହେଲେ ଡାକ୍ତରଙ୍କ ପରାମର୍ଶ କରିବେ।

(ସ୍ୱାସ୍ଥ୍ୟ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ପ୍ଲାଟଫର୍ମସ୍ୱାସ୍ଥ୍ୟ ପ୍ଲସ୍ସହିତ ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Ear, Nose, Throat problems, in Odia language, is based on an extensive interview with a Head of Department, ENT Dr Rajlaxmi Panigrahi.