ଆପେଣ୍ଡିସାଇଟିସ୍ ହେବାର ଲକ୍ଷଣ କ’ଣ? ଏହାର ଚିକିତ୍ସା କେମିତି ହୁଏ? ବିଶିଷ୍ଟ ପେଟରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସେଠୀଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।

ଆପେଣ୍ଡିକ୍ସ ଆମ ଶରୀରର ଏକ ଅଙ୍ଗ, ଯାହା ଅନ୍ତନଳୀରେ ରହିଛି। ଶରୀରରେ ଏହାର କୌଣସି କାର୍ଯ୍ୟ ନାହିଁ କହିଲେ ଚଳେ। ଯଦି ଆପେଣ୍ଡିକ୍ସରେ କୌଣସି ପ୍ରବାହ ଘଟି ସଂକ୍ରମଣ ହୁଏ, ତେବେ ତାହାକୁ ଆପେଣ୍ଡିସାଇଟିସ୍ ବୋଲି କୁହାଯାଏ।

ଅଧିକ ପଢ଼ନ୍ତୁ: ଲିଭରରେ ଚର୍ବି ଜମା ହେଲେ ହୋଇପାରେ ଲିଭର ଫେଲ୍ୟୁଅର

ଆପେଣ୍ଡିସାଇଟିସର ଲକ୍ଷଣ (Symptoms of Appendicitis in Odia)

ଆପେଣ୍ଡିସାଇଟିସ୍‌ର ମୁଖ୍ୟ ଲକ୍ଷଣ ହେଉଛି:

ପେଟ ଯନ୍ତ୍ରଣା ହେବା – ବେଳେ ବେଳେ ପେଟର ଉପରି ଭାଗରେ ଯନ୍ତ୍ରଣା ହୋଇ ପେଟର ଡାହାଣ ଅଂଶ ଓ ତଳି ପେଟରେ ଯନ୍ତ୍ରଣା ଲାଗି ରହେ।

ଜ୍ୱର ହେବା

ବାନ୍ତି ହେବା

ଆପେଣ୍ଡିସାଇଟିସ୍ କାହିଁକି ହୁଏ? (Causes of Appendicitis in Odia)

ଆପେଣ୍ଡିକ୍ସ ଏକ ନଳୀ ସଦୃଶ। କୌଣସି କାରଣରୁ ଆପେଣ୍ଡିକ୍ସରେ କଠିନ ମଳ ରହିଯାଏ, ତାହା ଯୋଗୁଁ ସଂକ୍ରମଣ ହୋଇପାରେ। ମଞ୍ଜି ଥିବା ଖାଦ୍ୟ ଖାଇବା ବେଳେ ଯଦି ମଞ୍ଜି ଆପେଣ୍ଡିକ୍ସରେ ରହିଯାଏ, ତେବେ ଆପେଣ୍ଡିସାଇଟିସ୍‌ କରିପାରେ। ତାହାଛଡ଼ା ଦେହର ଅନ୍ୟ କୌଣସି ଅଙ୍ଗରେ ପ୍ରଦାହ ଥିଲେ ବି ଆପେଣ୍ଡିସାଇଟିସ୍‌ ହୋଇପାରେ। କୋଲୋନ୍‌ରେ କର୍କଟ ହେବଲେ ମଧ୍ୟ ଆପେଣ୍ଡିସାଇଟିସ୍‌ ହୋଇପାରେ।

କେଉଁ ପରୀକ୍ଷାରୁ ଚିହ୍ନିବେ ଆପେଣ୍ଡିସାଇଟିସ୍? (Diagnosis of Appendicitis in Odia)

୧୦ରୁ ୩୦ ବର୍ଷ ବୟସର ଲୋକଙ୍କଠାରେ ଆପେଣ୍ଡିସାଇଟିସ୍‌ ବେଶି ଦେଖାଯାଏ ଏବଂ ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କଠାରେ ଏହି ସମସ୍ୟା ଅଧିକ ହୁଏ। ଜଣେ ବ୍ୟକ୍ତିଙ୍କର ପେଟର କେଉଁ ଭାଗରେ ଯନ୍ତ୍ରଣା ହେଉଛି କିମ୍ବା ଜ୍ଵର, ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି, ତେବେ ଆପେଣ୍ଡିସାଇଟିସ୍‌ ଜାଣିବା ପାଇଁ ରକ୍ତ ପରୀକ୍ଷା, ଅଲଟ୍ରାସାଉଣ୍ଡ ଓ ସିଟି ସ୍କାନ ଭଳି ପରୀକ୍ଷା କରିବାକୁ ପଡ଼ିଥାଏ।

ଅଧିକ ପଢ଼ନ୍ତୁ: ଶୀତଦିନେ ଡାଏଟ୍‌ରେ ସାମିଲ କରନ୍ତୁ ଏହି ଫଳ – ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ଆପେଣ୍ଡିସାଇଟିସର ଚିକିତ୍ସା (Treatment of Appendicitis in Odia)

ଆପେଣ୍ଡିସାଇଟିସ୍‌ ଥିଲେ ରୋଗୀଙ୍କୁ କିଛି ଦିନ ପାଇଁ ଆଣ୍ଟିବାୟୋଟିକ୍‌ ଦେବାକୁ ପଡ଼ିଥାଏ। କେତେକ କ୍ଷେତ୍ରରେ କେବଳ ଆଣ୍ଟିବାୟୋଟିକ୍‌ ଦ୍ଵାରା ଆପେଣ୍ଡିସାଇଟିସ୍‌ ଠିକ୍‌ ହୋଇଯାଏ। ନଚେତ ସର୍ଜରୀ କରି ଆପେଣ୍ଡିକ୍ସକୁ ବାହାର କରିଦିଆଯାଏ। ଦୁଇରୁ ତିନି ଦିନ ଧରି ଆପେଣ୍ଡିସାଇଟିସ୍‌ ରହିଲେ ବେଳେବେଳେ ଆପେଣ୍ଡିକ୍ସ ଫାଟିଯାଏ। ଏହା ହେଲେ ଆପେଣ୍ଡିକ୍ସରୁ ପୂଜ ବାହାରି ପଟେରେ ସଂକ୍ରମଣ ହୋଇଯାଏ, ଫଳରେ ରୋଗୀ ମୃତ୍ୟୁ ମୁଖରେ ପଡ଼ିବାର ଆଶଙ୍କା ଥାଏ।

ଆପେଣ୍ଡିସାଇଟିସ୍ ହୋଇଥିଲେ କ’ଣ ଖାଇବେ ନାହିଁ? (What to eat if you have Appendicitis in Odia)

କିଛି ମଞ୍ଜି ଥିବା ଖାଦ୍ୟ ହଜମ ନ ହୋଇ ଆପେଣ୍ଡିକ୍ସରେ ରହିଯାଏ, ଫଳରେ ଆପେଣ୍ଡିକ୍ସରେ ପ୍ରଦାହ ହୋଇ ଆପେଣ୍ଡିସାଇଟିସ୍‌ କରିପାରେ। ତରଭୂଜ, କମଳା ଭଳି ଫଳଗୁଡ଼ିକର ମଞ୍ଜି ହଜମ ନ ହେଲେ ତାହା ଆପେଣ୍ଡିକ୍ସରେ ରହିଯାଏ। ଯଦି ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ଆପେଣ୍ଡିସାଇଟିସ୍‌ ହେଉଛି, ତେବେ ସେମାନେ ତନ୍ତୁ ଜାତୀୟ ଖାଦ୍ୟ, ସବୁଜ ପନିପରିବା, ଫଳମୂଳ ସହିତ ପ୍ରଚୁର ପାଣି ପିଇବା ଜରୁରୀ।

ଆପେଣ୍ଡିକ୍ସ ସର୍ଜରୀ ପରେ ସାବଧାନତା (Precautions after Appendix surgery in Odia)

ଯେକୌଣସି ସର୍ଜରୀ ପରେ ଆମକୁ ସାବଧାନତା ଆପଣେଇବାକୁ ପଡ଼ଥାଏ। ଯେପରିକି ଭାରୀ ଜିନିଷ ଉଠାଇବାକୁ ମନା କରାଯାଏ, ପେଟ ଉପରେ ଯେପରି ଚାପ ନ ପଡ଼ିବ ସେନେଇ ଧ୍ୟାନ ଦେବାକୁ ପଡ଼ିଥାଏ। ଆପେଣ୍ଡିସାଇଟିସ୍‌ ହେବା ପରେ ଖାଦ୍ୟପେୟ କିଛି ଦିନ ପାଇଁ ବନ୍ଦ ରଖିବା ଦରକାର। କେବଳ ସାଲାଇନ୍‌ ବା ଗ୍ଲୁକୋଜ ଦିଆଯିବା ଉଚିତ। ରୋଗୀଙ୍କ ସର୍ଜରୀ ସରିବା ପରେ ତାଙ୍କୁ ତରଳ ଖାଦ୍ୟ ଓ ସହଜରେ ହଜମ ହୋଇପାରୁଥିବା ଖାଦ୍ୟ ଖାଇବା ଦରକାର। ସମୟକ୍ରମେ ବ୍ୟକ୍ତି ସାଧାରଣ ଲୋକଙ୍କ ଭଳି ଡାଏଟ୍‌ ନେଇପାରିବେ।

ଆପେଣ୍ଡିସାଇଟିସ୍ ରୋକିବା ପାଇଁ କ’ଣ କରିବେ? (Prevention of Appendicitis in Odia)

ଆପେଣ୍ଡିସାଇଟିସ୍ ରୋକିବା ପାଇଁ ସେମିତି କିଛି ପଦ୍ଧତି ନାହିଁ, ହେଲେ ଖାଦ୍ୟ ଖାଇବା ବେଳେ ଆମକୁ ସତର୍କ ରହିବାକୁ ପଡ଼ିବ। ମଞ୍ଜି ଥିବା ଖାଦ୍ୟର ମଞ୍ଜି କାଢ଼ି ଖାଇପାରିବେ। ଯଦି ଆପେଣ୍ଡିସାଇଟିସ୍‌ର କିଛି ଲକ୍ଷଣ ଦେଖାଦିଏ, ତେବେ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ। କାରଣ ପ୍ରାଥମିକ ଅବସ୍ଥାରେ ଆପେଣ୍ଡିସାଇଟିସ୍ ଥିଲେ, କେବଳ ଆଣ୍ଟିବାୟୋଟିକ୍‌ ଖାଇ ଏହାକୁ ଭଲ କରାଯାଇପାରିବ।

ଆପେଣ୍ଡିକ୍ସକୁ କାଟି ଦେଲେ କୌଣସି ସମସ୍ୟା ହୁଏ କି? (Is there a problem with removal of the appendix in Odia)

ଆପେଣ୍ଡିକ୍ସ ଆମ ଶରୀରର ଏକ ଅଦରକାରୀ ଅଙ୍ଗ। ତେଣୁ ଏହାକୁ କାଟି ଦେଲେ କୌଣସି ପ୍ରକାର ସମସ୍ୟା ହୁଏ ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁଶାନ୍ତ କୁମାର ସେଠୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Appendicitis, in Odia language, is based on an extensive interview with ‌gastroenterologist, Dr Sushant Kumar Sethi.