ମଦ ପିଇବା ଦ୍ୱାରା ଶାରୀରିକ ଓ ମାନସିକ ଭାବେ କ’ଣ କ୍ଷତି ହୁଏ? ମଦ ପିଇବା ଛାଡ଼ିବେ କିପରି? ଏନେଇ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ଊମା ଶଙ୍କର ମିଶ୍ରଙ୍କ ପରାମର୍ଶ, ଜାଣନ୍ତୁ।

ଦୀର୍ଘ ଦିନ ଧରି ଅଧିକ ପରିମାଣରେ ମଦ୍ୟପାନ କରିବାକୁ ଆଲକହଲିଜିମ୍‌ କୁହାଯାଏ। ସମାଜରେ ମଦ୍ୟପାନ ଓ ଆଧୁନିକତାର ଚିହ୍ନ ହେବାରୁ ଲୋକେ ମଦ ପିଇବାରେ ମନ ବଳାଉଛନ୍ତି। ବେକାରୀ, ଦାରିଦ୍ର୍ୟ, ଅସୁଖୀ ଜୀବନ, ବିପଥଗାମୀ ମନୋବୃତ୍ତି ଯୋଗୁଁ ଓ ଅପରାଧପ୍ରବଣତା ଏ ଦିଗରେ ମଣିଷକୁ ଆହୁରି ଆଗେଇ ନେଉଛି। ତା’ ସହିତ ଚାରିଆଡ଼େ ମଦ ମିଳିବାରୁ ଲୋକେ ଅନ୍ୟ କ’ଣ କରିହେବ ସେକଥା ନ ଭାବି ମଦ ପିଇ ମନଭାର ଲାଘବ କରିବାକୁ ଚାହୁଁଛନ୍ତି।

ଅଧିକ ପଢ଼ନ୍ତୁ: ଅତ୍ୟଧିକ ମଦ୍ୟପାନ ହୋଇଥାଏ ଉଚ୍ଚ ରକ୍ତଚାପର କାରଣ

ମଦ୍ୟପାନର କାରଣ କ’ଣ? (What is the cause of alcoholism in Odia)

ପୂର୍ବରୁ ମଦ ପିଉଥିବା ଲୋକଙ୍କ ଘରକୁ କେହି ଯାଉ ନଥିଲେ। ଏହାକୁ ଗୋଟେ ଖରାପ ଦୃଷ୍ଟିରେ ଦେଖୁଥିଲେ। ହେଲେ ବର୍ତ୍ତମାନ ଲୋକେ ପାଶ୍ଚାତ୍‌ ଢାଞ୍ଚାକୁ ଆପଣେଇବାକୁ ଆରମ୍ଭ କଲେଣି, ଲୋକଙ୍କ ପରିସ୍ଥିତି ସ୍ୱଚ୍ଛଳ ହେଲାଣି, ତେଣୁ ଲୋକ ମଦ ପିଇବାକୁ ଆରମ୍ଭ କଲେଣି। ଅଧିକାଂଶ ଲୋକ ମଦକୁ ମଜାରେ ମଜାରେ ପିଉ ପିଉ ଏହା ଅଭ୍ୟାସରେ ପରିଣତ ହୋଇଯାଇଥାଏ।

ଏହାସହ କାର୍ଯ୍ୟବ୍ୟସ୍ତତା ଯୋଗୁଁ ମାନସିକ ଚାପ ବଢ଼ୁଛି। ଏହି ମାନସିକ ଅସ୍ଥିରତାରୁ ଲାଘବ ପାଇବା ପାଇଁ ଲୋକେ ମଦ ପିଉଛନ୍ତି। ଥରେ ମଦ ପିଇବା ପରେ ବ୍ୟକ୍ତିଙ୍କୁ ଭଲ ଲାଗିଥାଏ, କିମ୍ବା ଭଲ ନିଦ ଆସିଥାଏ, ଫଳରେ ବ୍ୟକ୍ତି ଆଉ ଥରେ ମଦ ପାଇଁ ମନ ବଳାଇଥା’ନ୍ତି। ଆଜି ପିଇଲେ ଆଜି ଭଲ ଲାଗିଲା, କାଲି ପିଇଲେ କାଲି ଟିକେ ଭଲ ଲାଗିଲା, ଏଭଳି ପିଉ ପିଉ ତାହା ଅଭ୍ୟାସରେ ପରିଣତ ହୋଇଯାଏ।

ମଦ୍ୟପାନ କରିବା ଦ୍ୱାରା ଶାରୀରିକ ଓ ମାନସିକ ସମସ୍ୟା (Alcoholism is a physical and mental problem in Odia)

ମଦକୁ ବିଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶରୀରର ଜୀବକୋଷକୁ ଏହା ବିଷ ଭଳି କାମ କରିଥାଏ। ଯଦି ନିୟମିତ ୬୦ରୁ ୮୦ଗ୍ରାମ୍‌ ମଦ ପିଇବା, ତେବେ ଦଶ ବର୍ଷ ଭିତରେ ଯକୃତ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ। ମଦ ପିଇବା ଦ୍ୱାରା ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପଡ଼ିଥାଏ। ବ୍ୟକ୍ତିର ବୁଝିବାର ଶକ୍ତି, ଚିହ୍ନିବାର ଶକ୍ତି, ସ୍ମରଣ ଶକ୍ତି କମିଯାଏ।

 ମଦ ପିଇବା ଦ୍ଵାରା ସ୍ନାୟବିକ ଦୁର୍ବଳତା ମଧ୍ୟ ଦେଖାଦିଏ। କାରଣ ସ୍ନାୟୁ ପାଇଁ ଯେଉଁ ଭିଟାମିନ୍‌ ଦରକାର, ମଦ ପିଇବା ଦ୍ୱାରା ଉକ୍ତ ଭିଟାମିନ୍‌ ସରିଯାଏ। ଫଳରେ ମାଂସପେଶୀ ଦରଜ ହେବା, ମାଂସପେଶୀ ଦୁର୍ବଳ ହୋଇଯିବ, ବ୍ୟକ୍ତି ଚାଲିପାରିବନି, ଅସହ୍ୟ ଯନ୍ତ୍ରଣା ହେବ, ପାଦ ହାତ ଛୁଞ୍ଚି ଫୋଡ଼ିବା ଭଳି ଲକ୍ଷଣ ଦେଖାଦିଏ।

ଅଧିକ ପଢ଼ନ୍ତୁ: ମଦ ପିଇବାର ଇଛାକୁ କେମିତି କରିବେ ନିୟନ୍ତ୍ରଣ?

ମଦ ଛାଡ଼ିବେ କିପରି? (How to get rid of alcohol in Odia)

ମଦ ଛାଡ଼ିବା ପାଇଁ ହେଲେ ପ୍ରଥମେ ମାନସିକ ସ୍ତରରେ ସ୍ଥିର କରନ୍ତୁ। ଗୋଟିଏ ଦିନ ସ୍ଥିର କରନ୍ତୁ, ଯେଉଁଦିନ ମଦ ପିଇବା ସମ୍ପୂର୍ଣ୍ଣ ବନ୍ଦ କରିବେ ଓ ମନରେ ଭାବି ରଖନ୍ତୁ ଆଉ ଯେମିତି ପିଇବେ ନାହିଁ।

ଯଦି ଜଣେ ମଦ୍ୟାସକ୍ତ ବ୍ୟକ୍ତି ବା ନିୟମିତ ମଦ ପିଉଥିବା ବ୍ୟକ୍ତି ମଦ ଛାଡ଼ନ୍ତି, ତେବେ ହାତ ଥରିବା ଭଳି ଲାଗିବ, ଆଖିକୁ ଜାଲଜୁଲିଆ ଦେଖାଯିବ, ମୁଣ୍ଡ ବୁଲାଇବା, ଦେହ ହାତ ବିନ୍ଧିବା, ବାତ ମାରିବା, ଅତ୍ୟଧିକ ଶରୀର ଯନ୍ତ୍ରଣା ହେବା, ଅସହଜ ମନେ କରିବେ, କୌଣସି କାର୍ଯ୍ୟରେ ମନ ନ ଲାଗିବା, ଚିଡ୍‌ଚିଡା ଲାଗିବା ଭଳି ଲକ୍ଷଣ ଦେଖାଦିଏ।

ନିଶା ଛାଡ଼ିବା ପାଇଁ ବିଭିନ୍ନ ପୁନର୍ବାସ କେନ୍ଦ୍ର ରହିଛି, ଯେଉଁଥିରେ ଲୋକଙ୍କର ଜୀବନଶୈଳୀରେ ପରିବର୍ତ୍ତନ କରିବା ସହ ଡାଏଟ୍‌, ବ୍ୟାୟାମ ଉପରେ ଧ୍ୟାନ ଦିଆଯାଏ। ଫଳରେ ବ୍ୟକ୍ତି ଧୀରେ ଧୀରେ ନିଶା ଛାଡ଼ିପାରିଥାଏ।

ଡାକ୍ତରଙ୍କ ପରାମର୍ଶ (Doctor advice in Odia)

ମାନସିକ ଚାପ ବା ଷ୍ଟ୍ରେସ୍‌ ହେଲେ, ନିଦ ନ ହେଲେ, ରିଲାକ୍ସ ହେବା ପାଇଁ ନିଶା ସେବନ କରିଥା’ନ୍ତି। ଏବସୁ ଜିନିଷରୁ ନିଜକୁ ଦୂରେଇ ରଖିବାକୁ ହେଲେ ପ୍ରତିଦିନ ବ୍ୟାୟାମ କରନ୍ତୁ, ଜିମ୍‌ ଯାଇ ଏରୋବିକ୍‌ କିମ୍ବା ଯୁମ୍ବା କରିପାରିବେ। ଏହାଛଡ଼ା ପରିବାର ସହ ସମୟ ବିତାନ୍ତୁ। କୌଣସି ସମସ୍ୟା ହେଲେ ସାଙ୍ଗସାଥୀ କିମ୍ବା ପରିବାର ଲୋକଙ୍କ ସହ ସେୟାର କରନ୍ତୁ।

(ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ’ ସହିତ ଡାକ୍ତର ଊମା ଶଙ୍କର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: This information on Alcoholism, in Odia language, is based on an extensive interview with Medicine Specialist Dr Uma Shankar Mishra.