କୋଭିଡ୍‌ ଦ୍ୱିତୀୟ ଲହରୀର ଭୟାବହତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଭୂତାଣୁ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ। ତେବେ କୋଭିଡ୍‌ର ନୂଆ ଲକ୍ଷଣ କ’ଣ? ଏହା କେଉଁ ବୟସର ବ୍ୟକ୍ତିଙ୍କୁ ଅଧିକ ପ୍ରଭାବିତ କରୁଛି। ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ରଙ୍କଠାରୁ ଅଧିକ ଜାଣନ୍ତୁ।

କରୋନାର ନୂଆ ଲକ୍ଷଣ (New symptoms of COVID-19 in Odia)

ଆମେ ସମସ୍ତେ ଜାଣିଛେ ଯେ କୋଭିଡ୍‌ର ପ୍ରଥମ ଷ୍ଟ୍ରେନ୍‌ରେ ଜ୍ୱର, କାଶ, ଧଇଁସଇ ହେବା, ବାସ୍ନା ଓ ଗନ୍ଧ ବାରି ନ ପାରିବା ଏବଂ ତରଳ ଝାଡ଼ା ହେବା ଭଳି ଲକ୍ଷଣ ଦେଖାଦେଇଥିଲା। ଏହାର ଦ୍ୱିତୀୟ ଷ୍ଟ୍ରେନ୍‌ରେ ପୂର୍ବ ଷ୍ଟ୍ରେନ୍‌ ଭଳି ସମାନ ଲକ୍ଷଣ ସହିତ ହାଲିଆ ଲାଗିବା, ମୁଣ୍ଡ ବିନ୍ଧିବା, କାଶ ହେବା, ଆଖି ଗୋଲାପି ବା ନାଲିଆ ଦେଖାଯିବା, କାନକୁ ଟିକେ କମ୍ ଶୁଭାଯିବା, ସ୍ୱାଦ ଖରାପ ହୋଇଯିବା, ତରଳ ଝାଡ଼ା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଯାଉଛି।

ଅଧିକ ପଢ଼ନ୍ତୁ: ଅମ୍ଳଜାନ ସ୍ତର ମାପିବ ‘ପଲ୍ସ ଅକ୍ସିମିଟର’ – ଜାଣନ୍ତୁ, କେମିତି ବ୍ୟବହାର କରିବେ?

କେଉଁ ବୟସର ଲୋକଙ୍କୁ ସଂକ୍ରମଣ କରୁଛି କୋଭିଡ୍ ଭୂତାଣୁ? (At what age does the COVID virus infect people in Odia)

ପୂର୍ବରୁ ଅନ୍ୟ କୌଣସି ରୋଗରେ ପୀଡ଼ିତ ବ୍ୟକ୍ତି ବା ବୟସ୍କ ବ୍ୟକ୍ତି ଏବଂ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତିଙ୍କୁ ଶୀଘ୍ର ସଂକ୍ରମଣ କରୁଥିଲା। କିନ୍ତୁ ବର୍ତ୍ତମାନ କୋଭିଡ୍‌ର ଦ୍ୱିତୀୟ ଷ୍ଟ୍ରେନ୍‌ ସବୁ ବୟସର ବ୍ୟକ୍ତିଙ୍କୁ ସଂକ୍ରମଣ କରୁଛି। ତା’ସହିତ ଛୋଟ ପିଲାମାନଙ୍କୁ ଅଧିକ ସଂକ୍ରମଣ କରୁଛି।

ପୂର୍ବରୁ ଛୋଟ ପିଲାମାନେ କରୋନାରେ ଆକ୍ରାନ୍ତ ହେଲେ ଗୁରୁତର ଲକ୍ଷଣ ଦେଖାଦେଉଥିଲା। କିନ୍ତୁ ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାର ଦେଖାଦେଉଛି। ଏମିତିକି କିଛି ପିଲାଙ୍କର ମୃତ୍ୟୁ ମଧ୍ୟ ହୋଇଯାଉଛି। ଏହା ହିଁ ପ୍ରଥମ ଲହରୀ ଓ ଦ୍ଵିତୀୟ ଲହରୀ ମଧ୍ୟରେ ପାର୍ଥକ୍ୟ।  

କରୋନା ପଜିଟିଭ ହେଲେ କ’ଣ କରିବେ? (What to do if you are COVID positive in Odia)

ଯେଉଁ ମୁହୂର୍ତ୍ତରେ ଆପଣଙ୍କୁ ଲାଗୁଛି ଆପଣ ସଂକ୍ରମିତ ଅଛନ୍ତି, ସେବେଠାରୁ ହିଁ ନିଜକୁ ସଙ୍ଗରୋଧ କରନ୍ତୁ। ଘରର ଏକ ରୁମ୍‌ରେ ନିଜକୁ ସଙ୍ଗରୋଧ କରାଇନିଅନ୍ତୁ।

ତଥ୍ୟ ଅନୁସାରେ କରୋନାର କୌଣସି ଲକ୍ଷଣ ଆରମ୍ଭ ହେବା ପୂର୍ବରୁ ହିଁ ଅନ୍ୟକୁ ସଂକ୍ରମଣ କରିବାର ୪୦% ସମ୍ଭାବନା ରହିଛି। ଏହି ନିର୍ଦ୍ଧିଷ୍ଟ ଷ୍ଟ୍ରେନ୍ ପରିବାରର ସମସ୍ତ ସଦସ୍ୟଙ୍କୁ ବହୁତ ଶୀଘ୍ର ସଂକ୍ରମଣ କରୁଛି, ଯାହା ପୂର୍ବରୁ ଦେଖିବାକୁ ମିଳୁନଥିଲା। ତେଣୁ ସଂକ୍ରମଣ ହୋଇଥିବାର ଜାଣିବା ମାତ୍ରେ ନିଜକୁ ଅନ୍ୟ ସମସ୍ତଙ୍କଠାରୁ ଦୂରେଇ ରଖନ୍ତୁ। ପାଖରେ ଏକ ପଲ୍ସ ଅକ୍ସିମିଟର ରଖନ୍ତୁ ଏବଂ ବାରମ୍ବାର ନିଜର ଆମ୍ଳଜାନ ସ୍ତରକୁ ପରୀକ୍ଷା କରନ୍ତୁ। ଲକ୍ଷଣ ମୁତାବକ ଔଷଧ ଖାଆନ୍ତୁ ତା’ସହିତ ବିଭିନ୍ନ ଭିଟାମିନ ଔଷଧ ଯେପରିକି ଭିଟାମିନ-ସି, ଭିଟାମିନ-ଡି ଖାଆନ୍ତୁ।

କରୋନାରେ ସଂକ୍ରମଣ ହେଲେ ସରକାରଙ୍କ ତରଫରୁ ଫାବିପିରାଭିର ନାମକ ଔଷଧ ବିତରଣ କରାଯାଉଛି, ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ଯଦି ଜଣେ ବ୍ୟକ୍ତିଙ୍କୁ ଜ୍ୱର ଲାଗିରହୁଛି ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭୂତ ହେଉଛି ଏବଂ ଅମ୍ଳଜାନର ମାତ୍ରା କମିଯାଉଛି,  ତା’ହେଲେ କୌଣସି ସରକାରୀ ବା ବେସରକାରୀ ଡାକ୍ତରଖାନା ସହିତ ଯୋଗାଯୋଗରେ ରହନ୍ତୁ। ଯଦି ଦରକାର ପଡ଼ୁଛି ଡାକ୍ତରଖାନାରେ ଭର୍ତ୍ତି ହୋଇଯାଆନ୍ତୁ।

ସାଧାରଣତଃ ଏକ ମିନିଟ୍‌ରେ ୨୪ ଥର ପ୍ରଶ୍ୱାସ ନେଉଛନ୍ତି ତା’ହେଲେ ସାଧାରଣ ଲକ୍ଷଣ କିନ୍ତୁ ମିନିଟ୍‌ରେ ଯଦି ଆପଣ ୩୦ ଉପରକୁ ପ୍ରଶ୍ୱାସ ନେଉଛନ୍ତି ତାହେଲେ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ। ଶରୀରରେ ଅମ୍ଳଜାନ ସ୍ତର ୯୫ରୁ କମ୍ ହେଲେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଯାଆନ୍ତୁ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କେମିତି ପିନ୍ଧିବେ ଡବଲ ମାସ୍କ?

କେମିତି ଚାଲିଛି କୋଭିଡ୍ ଚିକିତ୍ସା? (How Covid treatment is going in Odia)

କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ଗୁରୁତର ଲକ୍ଷଣ ଦେଖାଦେଉଥିଲେ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ରହିଛି। କାରଣ ଏହି ରୋଗୀଙ୍କର ଅମ୍ଳଜାନ ଦରାକର ପଡ଼ିଥାଏ। ତେଣୁ, ସେମାନଙ୍କୁ ରେମଡେସିଭିର ଇଞ୍ଜେକ୍‌ସନ୍‌ ଦେବାକୁ ପଡ଼ିଥାଏ। ଏହାଦ୍ୱାରା ରୋଗୀଠାରେ ଲକ୍ଷଣଗୁଡ଼ିକ କମିଯାଏ ଓ ଧୀରେ ଧୀରେ ରୋଗୀ ସୁସ୍ଥ ହୋଇଥାଆନ୍ତି। କିନ୍ତୁ, ଏହି ଇଞ୍ଜେକ୍‌ସନ୍‌ କେବଳ ଡାକ୍ତରଙ୍କ ପରାମର୍ଶରେ ନିଆଯାଏ।

ହୋମ୍ ଆଇସୋଲେସନରେ ରହିଲେ କ’ଣ କରିବେ? (Home Isolation tips in Odia)

ଯଦି ଆପଣ ହୋମ୍‌ ଆଇସୋଲେସନ୍‌ରେ ରହିଛନ୍ତି ଏବଂ ଆପଣଙ୍କ ରକ୍ତଚାପ ବଢ଼ୁଛି ବା ସନ୍ତୁଳନରେ ରହୁନାହିଁ ତେବେ ଡାକ୍ତରଙ୍କ ସହ ଫୋନରେ ଯୋଗାଯୋଗ କରନ୍ତୁ।

ସନ୍ତୁଳିତ ଆହାର ସେବନ କରନ୍ତୁ। ଖାଦ୍ୟରେ ପ୍ରଚୁର ପରିମାଣରେ ଫଳ, ପନିପରିବା, ମାଛ ସେବନ କରନ୍ତୁ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହୋଇଥାଏ। ଏହାଛଡ଼ା ଦୈନିକ ବ୍ୟାୟାମ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନିରୋଜ କୁମାର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Covid-19, in Odia language, is based on an extensive interview with medicine specialist Dr. Niroj Kumar Mishra.